କଡ଼ାକଡ଼ି ହେଲା ନାବାଳକ ଗାଡ଼ିଚାଳକ ଧରପଗଡ଼, ସ୍କୁଲ୍‌ ଗେଟ୍‌ରେ ଜଗିଲା ପୁଲିସ

ଧରାପଡ଼ିଲେ ୨, ଅଧିକାଂଶ ଗାଡ଼ି ଛାଡ଼ି ପଳାଇଲେ

ଭୁବନେଶ୍ବର: ନାବାଳକ ଚାଳକଙ୍କୁ ଗାଡ଼ି ଚାଳନା ମନା। ଏହାକୁ ନେଇ କଠୋର ହୋଇଛି କମିସନରେଟ୍‌ ଟ୍ରାଫିକ୍‌ ପୁଲିସ। ପୂର୍ବରୁ ବୈଠକରେ ହୋଇଥିବା ନିଷ୍ପତ୍ତି ମୁତାବକ ଆଜି ଠାରୁ ପୁଲିସ ଧରପଗଡ଼ ଆରମ୍ଭ କରିଛି। ଏବାବଦରେ ଅନେକ ଥର ସ୍କୁଲ କଲେଜ୍‌ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯିବା ପରେ ଆଜି ଠାରୁ ଯାଞ୍ଚ ଆରମ୍ଭ ହୋଇଛି। ଆଜି ପୂର୍ବାହ୍ନରେ କିଶୋର କ୍ଲବ ଓ ୟୁନିଟ୍‌-୯ କେନ୍ଦ୍ରୀୟ ବିଦ୍ୟାଳୟ ସାମ୍ନାରେ ଏହି ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ଆଜି କେବଳ ଏହି ଦୁଇଟି ଜାଗାରେ ଧରପଗଡ଼ ହୋଇଥିବା ବେଳେ ଆଗକୁ ସମସ୍ତ ସ୍କୁଲ ଓ କଲେଜ୍‌ ସାମ୍ନାରେ ଯାଞ୍ଚ କଡ଼ାକଡ଼ି ହେବ ବୋଲି ପୁଲିସ କହିଛି।

ଆଜି କେନ୍ଦ୍ରୀୟ ବିଦ୍ୟାଳୟ ସାମ୍ନାରେ ଏକ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଥିଲା। ସ୍କୁଲ ଛୁଟି ହେବା ପୂର୍ବରୁ ଟ୍ରାଫିକ୍‌ ପୁଲିସ ସଦଳବଳ କେନ୍ଦ୍ରୀୟ ବିଦ୍ୟାଳୟ ସାମ୍ନାରେ ଛକି ରହିଥିଲା। ସ୍କୁଲ ବାହାରେ ଏଭଳି ସ୍ଥିତି ଦେଖି ଗାଡ଼ି ନେଇ ସ୍କୁଲ ଆସିଥିବା ଛାତ୍ରଛାତ୍ରୀ ବାହାରକୁ ବାହାରି ନ ଥିଲେ। ଯାଞ୍ଚ ଶେଷ କରି ପୁଲିସ ଚାଲିଯିବା ପରେ ସେମାନେ ଗାଡ଼ି ଧରି ବାହାରି ଥିଲେ। କେତେକ ଗାଡ଼ି ଛାଡ଼ି ଚାଲି ଯାଇଥିଲେ। ପରେ ଅଭିଭାବକ ଆସି ଗାଡ଼ି ନେଇଥିଲେ। ଏଭଳି ଛକାପଞ୍ଝା ଭିତରେ ଦୁଇ ଜଣ ନାବାଳକ ଗାଡ଼ି ନେଇ ପଳାଉଥିବା ବେଳେ ଧରା ପଡ଼ିଥିଲେ। ଦୁଇଜଣଙ୍କ ଠାରୁ ଦୁଇଟି ହୋଣ୍ଡା ଆକ୍ଟିଭା ଗାଡ଼ି ଜବତ କରାଯାଇଥିଲା।

ଛାନିଆ ଛାତ୍ରଛାତ୍ରୀ, ଭୟଭୀତ ଅଭିଭାବକ
ଆଜି ଏଭଳି ଛକାପଞ୍ଝା ଦେଖି ଅନ୍ୟ ଛାତ୍ରଛାତ୍ରୀମାନେ ଛାନିଆ ହୋଇଛନ୍ତି। କେତେକ ଛାତ୍ରଛାତ୍ରୀ କଲେଜ୍‌ ଓ ସ୍କୁଲ୍‌ରୁ ଗାଡ଼ି ଧରି କ୍ଲାସ୍‌ ଅଧାରୁ ଚାଲି ଯାଇଥିଲେ। ଗାଡ଼ି ସିଧାସଳଖ ଜବତ ହେଉଥିବାରୁ ହେଉଥିବାରୁ ଅଭିଭାବକ ମଧ୍ୟ ଭୟଭୀତ ହୋଇଛନ୍ତି। କେତେକ ନାବାଳକ ଅଭିଭାବକଙ୍କ କଥା ନ ମାନି ଗାଡ଼ି ନେଇ ପଳାଇ ଆସୁଥିବାରୁ ଅଭିଭାବକମାନେ ଭୟଭୀତ ହୋଇପଡ଼ିଛନ୍ତି। ଆଜି କେତେକ ନାବାଳକଙ୍କର ଗାଡ଼ି ନେବାକୁ ଆସିଥିବା ଅଭିଭାବକ ନିଜର ଅସହାୟତା ପ୍ରକାଶ ବି କରିଛନ୍ତି।

ପୂର୍ବରୁ ହୋଇଥିଲା ନିଷ୍ପତ୍ତି
ନାବାଳକ ନାବାଳିକା ବାଇକ୍‌ ଚଳାଇବା ବେଳେ ଧରାପଡ଼ି‌ଲେ ଜରିମାନା ଆଦାୟ କରାଯିବ ନାହିଁ। ବର˚ ବାଇକ୍‌ ଜବତ ହେବ। ଜବତ ବାଇକ୍‌ ଥାନାରୁ ନେବାକୁ ହେଲେ ସେମାନଙ୍କ ଅଭିଭାବକମାନଙ୍କୁ ଥାନାକୁ ଆସିବାକୁ ପଡ଼ିବ। ନାବାଳକଙ୍କୁ ଗାଡ଼ି ଦେ‌ବେ ନାହିଁ ବୋଲି ଥାନାରେ ଏକ ରାଜିନାମାରେ ଦସ୍ତଖତ କରିବେ। ଏହା ପରେ ଅଭିଭାବକ ସପ୍ତାହକ ମଧ୍ୟରେ ୧୦ ହଜାର ଟଙ୍କା ଜରିମାନା ଦେଇ ଗାଡ଼ି ନେବେ। ନଚେତ୍‌ ବାଇକ୍‌ ମାଲିକଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିବ। ନିକଟ ଅତୀତରେ ବରିଷ୍ଠ ପୁଲିସ ଅଧିକାରୀମାନେ ଏକ ବୈଠକରେ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାପରେ ଆଜି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।

ସଂକଳ୍ପ ପରେ ବି ଶୁଣିଲେନି
ପୂର୍ବରୁ ବିଭିନ୍ନ ସ୍କୁଲରେ କମିସନରେଟ୍‌ ପୁଲିସ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା। ଲକ୍ଷାଧିକ ଛାତ୍ରଛାତ୍ରୀ ନିଜେ ନିୟମ ମାନିବା ସହ ଅନ୍ୟମାନଙ୍କୁ ନିୟମ ମାନିବା ପାଇଁ ପରାମର୍ଶ ଦେବାକୁ ସଂକଳ୍ପ ନେଇଥିଲେ। ଏହା ସତ୍ତ୍ବେ ନାବାଳକମାନେ ବାଇକ୍‌ ଚଳାଇ ସ୍କୁଲ ଆସୁଥିବା ଦେଖାଯାଇଥିଲା। ଏଣୁ ପୁଲିସ ଏଭଳି ସ୍କୁଲ କଲେଜ୍‌ ସାମ୍ନାରେ ଚଢ଼ାଉ ଜୋରଦାର କରିବାକୁ ନିଷ୍ପତ୍ତି ନେଇଥିଲା। ଏଥିପାଇଁ ଟ୍ରାଫିକ୍‌ ପୁଲିସ ପକ୍ଷରୁ ମୋବାଇଲ୍‌ ସ୍କ୍ବାଡ୍‌ ଗଠନ କରାଯାଇଥିଲା। ଏହି ସ୍କ୍ବାଡ୍‌ ବିଭିନ୍ନ ସ୍କୁଲ ନିକଟକୁ ଯାଇ ପଇଁତରା ମାରିବାକୁ ନିଷ୍ପତ୍ତି ହୋଇଥିଲା।

ଦୁର୍ଘଟଣାର ମୂଳ ନାବାଳକ
ଗାଡ଼ି ଚଳାଇବାକୁ ହେଲେ କେତେକ ନିୟମ ପାଳନ ସହ ସଙ୍କେତ ସମ୍ବନ୍ଧରେ ଜାଣିବା ଆବଶ୍ୟକ ହୋଇଥାଏ। କିନ୍ତୁ ନାବାଳକମାନେ ଏ ବାବଦରେ କିଛି ଜାଣିନଥାନ୍ତି। ଏଣୁ ଦୁର୍ଘଟଣାର କାରଣ ହୋଇଥାନ୍ତି। ଚଳିତ ବର୍ଷ ଅଗଷ୍ଟ ମାସ ସୁଦ୍ଧା ରାଜଧାନୀରେ ଗାଡ଼ିମୋଟର ଯାଞ୍ଚ ବେଳେ ଲାଇସେନ୍ସ ନଥାଇ ଧରାପଡ଼ିଥିବା ୧୭୩୨ ଜଣ ବାଇକ୍‌ ଚାଲକଙ୍କ ମଧ୍ୟରେ ୫୪୧ ଜଣ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ବା ନାବାଳକ ଥିଲେ।

ସମ୍ବନ୍ଧିତ ଖବର