ଭୁବନେଶ୍ୱର : ଏବେ ହାତମୁଠାରେ କମିସନରେଟ୍ ପୁଲିସ ଟ୍ରାଫିକ୍ର ଟିକ୍ନିକ୍ ଖବର। ଟ୍ରାଫିକର ବର୍ତ୍ତମାନ ସ୍ଥିତିଠାରୁ ଆରମ୍ଭ କରି ନିୟମ, ଷ୍ଟୁଡେଣ୍ଟ୍ ଟ୍ରାଫିକ, ପିଙ୍କ୍ ଅଟୋ ଆଦିର ସମସ୍ତ ତଥ୍ୟ ଗୋଟିଏ କ୍ଲିକ୍ରେ ମିଳିବ। ଆଗକୁ ହକି ବିଶ୍ୱକପ୍ ଥିବାରୁ ରାଜଧାନୀରେ ଦେଶବିଦେଶର ଲୋକଙ୍କ ସମାଗମ ହେବ। ତେଣୁ ଟ୍ରାଫିକ୍କୁ ନେଇ ଯେଭଳି କୌଣସି ସମସ୍ୟା ସୃଷ୍ଟି ନ ହୁଏ ଏବଂ ଅତିଥିମାନେ କିଭଳି ଏହି ସୁବିଧାର ଲାଭ ପାଇ ପାରିବେ ସେସବୁକୁ ଦୃଷ୍ଟିରେ ରଖି ଏଭଳି ବ୍ୟବସ୍ଥା କରାଯାଇଛି ବୋଲି ପୁଲିସ କମିସନର୍ ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି।
ଆଜି କମିସନରେଟ୍ ପୁଲିସ କାର୍ଯ୍ୟାଳୟରେ ଟ୍ରାଫିକ୍ ପୋର୍ଟାଲା (http://bhubaneswar-cuttacktrafficpolice.in)କୁ ଉନ୍ମୋଚନ କରି ପୁଲିସ କମିସନର୍ ଶ୍ରୀ ଖୁରାନିଆ କହିଥିଲେ ଯେ, କେବଳ ହକି ବିଶ୍ୱକପ୍ ପାଇଁ ଅତିଥିଙ୍କ ପାଇଁ ନୁହେଁ । ଏହାର ମୁଖ୍ୟ ଉଦ୍ଦେଶ୍ୟ ଟ୍ରାଫିକ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇବା। ଏହି େଓ୍ଵବ୍ ପୋର୍ଟାଲର ବ୍ୟବହାର କରି ଜଣେ ସାଧାରଣଲୋକ ଟ୍ରାଫିକ୍ର ସମସ୍ତ ତଥ୍ୟ ପାଇପାରିବେ। ଟ୍ରାଫିକର ମମସ୍ତ ନିୟମ, ଆଇନ୍, ସିଗ୍ନାଲ୍, ସାଇନ୍, ସଡ଼କସୁରକ୍ଷା, କାର୍ଯ୍ୟରତ କର୍ମଚାରୀଙ୍କଠାରୁ ଅଫିସରଙ୍କ ବିଷୟରେ ଏଥିରେ ଉଲ୍ଲେଖ ରହିଛି। କେଉଁ ରାସ୍ତାକୁ ବ୍ଲକ୍ କରାଯାଇଛି, କେଉଁ ରାସ୍ତାରେ ଭିଡ଼ ରହିଛି ଆଦି ତଥ୍ୟ ମଧ୍ୟ ଏହି ପୋର୍ଟାଲ୍ରୁ ଜାଣିହେବ। ସମସ୍ତ ତଥ୍ୟକୁ ପ୍ରତି ମୁହୂର୍ତ୍ତରେ ଅପ୍ଡେଟ୍ କରାଯିବ।
ସେହିପରି ଷ୍ଟୁଡେଣ୍ଟ ଟ୍ରାଫିକମାନେ କିଭଳି ଆବେଦନ କରିବେ। ସେ ଦିଗରେ ମଧ୍ୟ ଉଲ୍ଲେଖ ରହିଛି। ଏମିତିକି ଯଦି ଜଣେ ଟ୍ରାଫିକ୍ ନିୟମ ଉଲଂଘନ କରି ଜରିମାନା ଦେଉଛନ୍ତି। ତାର ସମସ୍ତ ତଥ୍ୟ ବି ଏହି ପୋର୍ଟାଲ୍ରେ ରହିବ। ଏହା ଛଡ଼ା ଟ୍ରାଫିକ୍ ନିୟମ ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରାଯବ। ଏଥିପାଇଁ ସ୍ୱତନ୍ତ୍ର ଭାବେ ଏକ କୁଇଜ ପ୍ରତିଯୋଗିତା ପୋର୍ଟାଲ ମାଧ୍ୟମରେ କରାଯିବ। କୃତୀ ପ୍ରତିଯୋଗୀଙ୍କୁ କମିସନରେଟ ପୁଲିସ ଉପହାର ଭାବେ ଏକ ହେଲମେଟ୍ ପ୍ରଦାନ କରିବ।
ଏହି ପୋର୍ଟାଲ ମାଧ୍ୟମରେ ସାଧାରଣ ଲୋକ ଟ୍ରାଫିକ ସମ୍ପର୍କରେ ସେମାନଙ୍କ ମତାମତ ମଧ୍ୟ ପ୍ରଦାନ କରିବେ। ଏହି ଅବସରରେ ଟ୍ରାଫିକ୍ ପୁଲସକୁ ୧୬ଟି ସ୍ପିଡ୍ ବାଇକ୍ ଦିଆଯାଇଛି। ସେହିପରି ଦ୍ରୁତ ଗାଡ଼ି ଚାଳକଙ୍କୁ ରୋକିବା ପାଇଁ କମିସନରେଟ୍ ପୁଲିସ ଯୋଜନା ପ୍ରସ୍ତୁତ କରିଛି। ସେମାନଙ୍କୁ ଚିହ୍ନଟ କରିବା ଲାଗି ଜାତୀୟ ରାଜପଥରେ ସ୍ପିଡ୍ ରାଡର୍ ଲଗାଯିବ। ରାଡର୍ ସେହି ଗାଡ଼ି ନମ୍ବରକୁ ତୁରନ୍ତ କ୍ୟାପଚର୍ କରି କଣ୍ଟ୍ରୋଲ୍ ରୁମ୍କୁ ପଠାଇବ।
ଏଣିକି କାର୍ଯ୍ୟରତ ଟ୍ରାଫିକ୍ ପୁଲିସଙ୍କୁ ମିଳିବ କୁଲ୍ ଜାକେଟ୍। ଏହି ଜାକେଟ୍ ପିନ୍ଧିବା ଦ୍ୱାରା ବାହାରର ତାପମାତ୍ରାଠାରୁ ୮-୧୦ ଡିଗ୍ରି କମିଯିବ। ଆଜିର ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ପୁଲିସ କମିସନର ସଞ୍ଜୟ ସିଂହ, ଭୁବନେଶ୍ୱର ଡିସିପି ଅନୁପ ସାହୁ, କଟକ ଡିସିପି ଅଖିଳେସ ସିଂହଙ୍କ ସମେତ ବହୁ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ।