ଟ୍ରାଫିକ୍‌ ସିଗନାଲରେ ପରିବର୍ତନ : ଦିଲ୍ଲୀ ଢାଞ୍ଚାରେ ୩ ଛକରେ ଆଣ୍ଟି କ୍ଲକ୍‌ ଓ୍ଵାଇଜ୍‌ ଟ୍ରାଫିକ୍‌

ଭୁବନେଶ୍ୱର : ଦିନକୁ ଦିନ ରାଜଧାନୀରେ ଟ୍ରାଫିକ୍‌ ସମସ୍ୟା ବଢ଼ି ଚାଲିଛି। ବିଶେଷକରି ଏଜି, କଳ୍ପନା, ନାଲକୋ, ଖଣ୍ଡଗିରି ଓ ରୁପାଲି ଛକ ଟ୍ରାଫିକ ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇ ପଡ଼ିଛି। ସଂଧ୍ୟା ସମୟରେ ପରିସ୍ଥିତି ଅସମ୍ଭାଳ ହୋଇ ପଡ଼ୁଛି। ଗୋଟିଏ ଗୋଟିଏ ଛକ ଅତିକ୍ରମ କରିବାକୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ୁଛି। ଏଭଳି କେତେକ ଛକରେ ଟ୍ରାଫିକ୍‌ ସମସ୍ୟାର ସମାଧାନ ପାଇଁ ନୂଆ ଯୋଜନା ଆରମ୍ଭ କରିଛି କମିସନରେଟ୍‌ ପୁଲିସ। ଦିଲ୍ଲୀ ଢାଞ୍ଚାରେ ଏହି ସବୁ ଟ୍ରାଫିକ୍‌ ଛକରେ ଆଣ୍ଟି କ୍ଲକ୍‌ ଓ୍ଵାଇଜ(ଘଣ୍ଟାର ବିପରୀତ ଦିଗରେ) ସିଗନାଲ ଦେବାକୁ ସ୍ଥିର ହୋଇଛି। ତେବେ ପ୍ରାଥମିକ ଭାବେ ଏଥିପାଇଁ ରାଜଧାନୀର ୩ଟି ପ୍ରମୁଖ ଛକକୁ ଚିହ୍ନଟ କରାଯାଇଛି। ଏଜି ଛକ, କଳ୍ପନା ଛକ ଓ ୧୨୦ ବାଟାଲିୟନ ଛକରେ ଗତ ଦୁଇ ସପ୍ତାହ ହେଲା ଏଭଳି ଆଣ୍ଟି କ୍ଲକ୍‌ଓ୍ଵାଇଜ ସିଗନାଲ ଦିିଆଯାଉଛି। ଏହି ସିଗନାଲକୁ ଏକ ମାସ ପର୍ଯ୍ୟନ୍ତ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରାଯିବ। ଯଦି ଏହା ସଫଳ ହୁଏ ଏଭଳି ଆଣ୍ଟି କ୍ଲକ ଓ୍ଵାଇଜ ସିଗନାଲ ବ୍ୟବସ୍ଥା ସମସ୍ତ ଛକରେ କରାଯିବ।

ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆଙ୍କ ସୂଚନା ମୁତାବକ, ଦେଶର ଦିଲ୍ଲୀ ସହରରର କେତେକ ପ୍ରମୁଖ ଛକରେ ଟ୍ରାଫିକ୍‌ ସମସ୍ୟାର ସମାଧାନ ଲାଗି ଗତ କିଛି ଦିନ ହେବ ଆଣ୍ଟି କ୍ଲକ ଓ୍ଵାଇଜ୍‌ ସିଗନାଲ ପ୍ରଦାନ କରାଯାଉଛି। ଦିଲ୍ଲୀକୁ ଲକ୍ଷ୍ୟ ରଖି ରାଜଧାନୀରେ ଏଭଳି ସିଗନାଲ ପ୍ରଦାନ କରିବାକୁ ଯୋଜନା ହୋଇଛି। ଏହା ଛଡ଼ା ଯେଉଁ କମ୍ପାନି ରାଜଧାନୀର ବିଭିନ୍ନ ଟ୍ରାଫିକ୍‌ ପୋଷ୍ଟରେ ସିଗନାଲ ଲଗାଇଛନ୍ତି ସେମାନେ ମଧ୍ୟ ମତାମତ ଦେଇଥିଲେ ଆଣ୍ଟି କ୍ଲକ୍‌ ଓ୍ଵାଇଜ୍‌ ସିଗନାଲ ଦେବାକୁ।

ପୁଲିସ କମିସନର ଖୁରାନିଆଙ୍କ ସୂଚନା ମୁତାବକ, ରାଜଧାନୀର କେତେକ ପ୍ରମୁଖ ଛକରେ ଘଟୁଥିବା ଦୁର୍ଘଟଣା ଏଭଳି କ୍ଲକ୍‌ ଓ୍ଵାଇଜ୍‌ ସିଗନାଲ କାରଣରୁ ହିଁ ଘଟୁଛି। ଗୋଟିଏ ପଟୁ ଟ୍ରାଫିକ୍‌ ପଟୁ ସିଗନାଲ ସବୁଜରୁ ହୋଇ ନାଲି ହୋଇ ଆସୁଥିବା ବାଇକ୍‌ ଓ କାର୍‌ ଚାକଳମାନେ ବେଗ ବଢ଼ାଇ ଛକ ପାର ହେବାକୁ ଚାହାଁନ୍ତି। ଅନ୍ୟ ପଟୁ ନାଲିରୁ ସବୁଜ ସିଗନାଲ ଦେଖାଇବା ଆରମ୍ଭ କ୍ଷଣି ବାଇକ୍‌ ଚାଳକମାନେ ତୀବ୍ର ବେଗରେ ଗାଡ଼ି ଚଳାଇବା ଆରମ୍ଭ କରି ଦେଇଥାନ୍ତି। ଯେଉଁ କାରଣରୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଗତ କିଛି ଦିନ ତଳେ ରୁପାଲି ଛକରେ ଏଭଳି ଏକ ସ୍କର୍ପିଓ ଧକ୍‌କାରେ ଜଣେ ଯୁବକଙ୍କୁ ମୃତ୍ୟୁ ଘଟିଥିଲା। ଏଭଳି ଅନେକ ଉଦାହରଣ ରହିଛି। ଦୁର୍ଘଟଣା ଓ ଟ୍ରାଫିକ୍‌ ସମସ୍ୟା ଏଡ଼ାଇବା ପାଇଁ ଏଭଳି ସିଗନାଲ ପରିବର୍ତନ ହୋଇଛି ବୋଲି ପୁଲିସ କମିସନର ଖୁରାନିଆ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର