ଟ୍ରାଫିକ୍‌ ସିଗନାଲରେ ପରିବର୍ତନ

ଆଉ ୩ଟି ଛକରେ ବିପରୀତ ଦିଗରେ ପରିଚାଳିତ ହେବ ଟ୍ରାଫିକ୍‌

ଭୁବନେଶ୍ୱର : ଏଜି, କଳ୍ପନା ଓ ୧୨୦ ବାଟାଲିଅନ ଛକରେ ଆଣ୍ଟି କ୍ଲକ୍‌ ଓ୍ଵାଇଜ୍‌(ଘଣ୍ଟାର ବିପରୀତ ଦିଗରେ) ସିଗନାଲ୍‌ ବ୍ୟବସ୍ଥା ସଫଳ ହେବା ପରେ ଏବେ ରାଜଧାନୀର ଆଉ ୩ଟି ପ୍ରମୁଖ ଛକରେ ଏଭଳି ଢାଞ୍ଚାରେ ଟ୍ରାଫିକ ପରିଚାଳନା କରିବାକୁ ଯୋଜନା ହୋଇଛି। ସେହି ଛକଗୁଡ଼ିକ ହେଲା ନାଲ୍‌କୋ, ଖଣ୍ଡଗିରି ଓ ରୁପାଲି ଟ୍ରାଫିକ୍‌ ଛକ।

ଟ୍ରାଫିକ୍‌ର ଜଣେ ବରିଷ୍ଠ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ମୁତାବକ, ରାଜଧାନୀର କେତେକ ଛକରେ ଟ୍ରାଫିକ୍‌ ପରିଚାଳନା ଏବେ ପୁଲିସ ପାଇଁ କଷ୍ଟକର ହୋଇ ପଡ଼ିଛି। ସଂଧ୍ୟା ସମୟରେ ପରିସ୍ଥିତି ଅସମ୍ଭାଳ ହୋଇ ପଡ଼ୁଛି। ଗାଡ଼ି ଚାଳକକୁ ଗୋଟିଏ ଗୋଟିଏ ଛକ ଅତିକ୍ରମ କରିବାକୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ୁଛି। ଏଭଳି କେତେକ ଛକରେ ଟ୍ରାଫିକ୍‌ ସମସ୍ୟାର ସମାଧାନ ପାଇଁ ଗତ ବର୍ଷ ଅକ୍ଟୋବର ମାସରେ ନୂଆ ଯୋଜନା ଆରମ୍ଭ କରିଥିଲା କମିସନରେଟ୍‌ ପୁଲିସ। ଏଜି, କଳ୍ପନା ଓ ୧୨୦ ବାଟାଲିଅନ ଛକରେ ଦିଲ୍ଲୀ ଢାଞ୍ଚାରେ ଆଣ୍ଟି କ୍ଲକ୍‌ ଓ୍ଵାଇଜ ସିଗନାଲ ବ୍ୟବସ୍ଥା ଲାଗୁ କରାଯାଇଥିଲା। ଏହି ସିଗନାଲକୁ ୪ ମାସ ପର୍ଯ୍ୟନ୍ତ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରାଯାଇଥିଲା। ଏହା ବେଶ୍‌ ଫଳପ୍ରଦ ହୋଇଛି। ତେଣୁ ଏଭଳି ଢଙ୍ଗରେ ଆଣ୍ଟି କ୍ଲକ୍‌ ଓ୍ଵାଇଜ୍‌ ସିଗନାଲ ବ୍ୟବସ୍ଥା ଖୁବ୍‌ ଶୀଘ୍ର ଅନ୍ୟ ୩ଟି ଛକରେ ଲାଗୁ କରାଯିବ।

ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆଙ୍କ ସୂଚନା ମୁତାବକ, ଦିଲ୍ଲୀ ସହରର କେତେକ ପ୍ରମୁଖ ଛକରେ ଟ୍ରାଫିକ୍‌ ସମସ୍ୟାର ସମାଧାନ ଲାଗି ଆଣ୍ଟି କ୍ଲକ୍‌ ଓ୍ଵାଇଜ୍‌ ସିଗନାଲ ପ୍ରଦାନ କରାଯାଉଛି। ଏଭଳି ସିଗନାଲ ବ୍ୟବସ୍ଥା ଲାଗୁ କରାଯିବା ପରେ ଦୁର୍ଘଟଣା ମଧ୍ୟ ହ୍ରାସ ପାଇଛି ବୋଲି ଶ୍ରୀ ଖୁରାନିଆ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର