ଚାଲିଛି ସଡ଼କ ସୁରକ୍ଷା ସପ୍ତାହ : ନିୟମ ଭାଙ୍ଗିବାକୁ ବାଟ ମେଲା

ଟ୍ରାଫିକ ସିଗ୍‌ନାଲ୍‌ କାମ କରୁନି, ସ୍ବୟଂଚାଳିତ ସିଗ୍‌ନାଲ୍‌ ବ୍ୟବସ୍ଥା ପାଲଟିଛି ପ୍ରହସନ

ଭୁବନେଶ୍ବର : ଏବେ ସବୁଠି ସଡ଼କ ସୁରକ୍ଷା ସପ୍ତାହ ପାଳନ ହେଉଛି। ରାଜଧାନୀରେ କମିସନରେଟ୍ ପୁଲିସ, ଭୁବନେଶ୍ବର ଆର୍‌ଟିଓ ପକ୍ଷରୁ ଲୋକଙ୍କୁ ଟ୍ରାଫିକ ନିୟମ ବିଷୟରେ ସଚେତନ କରାଯାଉଛି। ନିୟମ ମାନିବାକୁ ପରାମର୍ଶ ‌ଦିଆଯାଉଛି। ହେଲେ ଟ୍ରାଫିକ ପୋଷ୍ଟ ଗୁଡ଼ିକର ଅବସ୍ଥା ଏପରି ହୋଇଛି ଯେ, ଲୋକ ନିୟମ ମାନିଲେ କି ଭାଙ୍ଗିଲେ ଜାଣିପାରୁନାହାନ୍ତି। ଲୋକ ଯେମିତି ନିୟମ ଭାଙ୍ଗିବେ ସେ ବ୍ୟବସ୍ଥା ସଚେତନତା ସୃଷ୍ଟି କରୁଥିବା ସଂସ୍ଥାଗୁଡ଼ିକ କରିଛନ୍ତି।

ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ରାଜଧାନୀରେ ସ୍ବୟଂଚାଳିତ ଟ୍ରାଫିକ ସିଗନାଲ୍‌ ବ୍ୟବସ୍ଥା ଲାଗୁ ହୋଇଛି। ହେଲେ ଏହା ସ୍ବୟଂଚାଳିତ ହେବା ଦୂରର କଥା ଅଧା ଦିନ ‌ଏହା ଜମାରୁ କାମ କରୁନି। ଟ୍ରାଫିକ ପୋଷ୍ଟରେ ଲାଗିଥିବା ନାଲି, ନୀଳ, କମଳା ରଙ୍ଗର ବତି ଜଳୁନି। ଫଳରେ ଲୋକମାନେ ଟ୍ରାଫିକ ଛକ ନିକଟରେ ଅଟକିବେ କି ଯିବେ ଜାଣିପାରୁନାହାନ୍ତି। ଏପଟେ ନିୟମ ଭାଙ୍ଗିଲେ ଜରିମାନା ଆଦାୟ ହେବାର ଭୟ ଥିବାରୁ ଯିଏ ହଠାତ୍ ରାସ୍ତା ଉପରେ ଅଟକୁଛି ତାକୁ ପଛରୁ ଗାଡ଼ି ପିଟୁଛି।

କିଛି ଦିନ ହେଲା ରାଜଧାନୀର ବିଭିନ୍ନ ଛକରେ ଟ୍ରାଫିକ ସିଗନାଲ୍‌ ବ୍ୟବସ୍ଥା ପୂରା ଭୁଶୁଡ଼ି ଯାଇଥିବା ବେଳେ କମିସନରେଟ୍ ପୁଲିସର ଏଥିପ୍ରତି ନିଘା ନାହିଁ। ଥରଟିଏ ବି ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ କର୍ତ୍ତୃପକ୍ଷଙ୍କୁ ଏନେଇ ତାଗିଦ୍ କରାଯାଇନି। ଏପଟେ ଖରାପ ହେଉଥିବା ଟ୍ରାଫିକ ସିଗନାଲ୍‌ଗୁଡ଼ିକୁ ତୁରନ୍ତ କାମ କରିଦେଉଛୁ ବୋଲି ପୂର୍ବରୁ କହୁଥିବା ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ କର୍ତ୍ତୃପକ୍ଷ ଏବେ କହୁଛନ୍ତି ଯେ, ସବୁ ଜାଗାରେ ଟ୍ରାଫିକ ସିଗନାଲ୍‌ ବ୍ୟବସ୍ଥା କାମ କରୁଛି। ଯେଉଁଠି କାମ କରୁନି ସେଠାରେ ତୁରନ୍ତ ମରାମତି କରୁଛୁ। ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ କର୍ତ୍ତୃପକ୍ଷ ଟ୍ରାଫିକ ସିଗନାଲ୍‌ ବ୍ୟବସ୍ଥା ଖରାପ ହୋଇଛି ବୋଲି ସ୍ବୀକାର କରୁ ନାହିଁ।

କେବଳ ଏତିକି ନୁହେଁ ରାଜଧାନୀର ପ୍ରମୁଖ ସ୍ଥାନ ବାଣୀବିହାର ଛକ, ମହର୍ଷି କଲେଜ ଛକ, କଳ୍ପନା ମ୍ୟୁଜିୟମ ଛକ, ଆଚାର୍ଯ୍ୟ ବିହାର ଛକ, ରବି ଟକିଜ୍ ଛକରେ ଏବେବି ଟ୍ରାଫିକ ସିଗନାଲ୍‌ ବ୍ୟବସ୍ଥା କାମ କରୁନି।

ରବି ଟକିଜ୍ ଛକ ତ ସ୍ବୟଂଚାଳିତ ଟ୍ରାଫିକ ସିଗନାଲ୍‌ ବ୍ୟବସ୍ଥାକୁ ଏକ ଉପହାସ ବୋଲି ଯେ କେହିବି କହିବ। କାରଣ ଏଠାରେ କେବେ‌ବି ଏହି ବ୍ୟବସ୍ଥା ଲାଗୁ ହୁଏନି। ଟ୍ରାଫିକ ପୋଷ୍ଟରେ ଛିଡ଼ା ହୋଇଥିବା ଟ୍ରାଫିକ ପୁଲିସ ହାତ ଦେଖାଇଲେ ଗାଡ଼ି ରୁହେ ଆଉ ଗାଡ଼ି ଛାଡ଼େ। ଏହି ଟ୍ରାଫିକ ଛକର ବ୍ୟବସ୍ଥା ଏମିତି ଯେ, ଏଠାରେ ପ୍ରତି ମୁହୂର୍ତ୍ତରେ ଟ୍ରାଫିକ ନିୟମ ଭାଙ୍ଗିବାକୁ ଲୋକ ବାଧ୍ୟ ହେଉଛନ୍ତି। ସକାଳୁ ରାତି ପର୍ଯ୍ୟନ୍ତ ଯେତେବେଳେ ଯିବ ଏହି ଛକର ଦୟନୀୟ ସ୍ଥିତି ଦେଖିବ।

ସେହିପରି ଏଜି ଛକକୁ କମିସନରେଟ୍ ପୁଲିସ ନୋ ଟଲରାନ୍ସ ଜୋନ୍ କରିଥିଲେ ହେଁ ଏଠାରେ ଅଧିକାଂଶ ସମୟରେ ଟ୍ରାଫିକ ସିଗନାଲ୍‌ ବନ୍ଦ ରୁହେ। କେବଳ କମଳା ବତି ଧପ୍‌ ଧପ୍ ହୁଏ। ଟ୍ରାଫିକ ପୁଲିସ ହାତ ହଲାଇ ସିଗନାଲ୍ ଦିଅନ୍ତି।

ଯଦି ସ୍ବୟଂଚାଳିତ ଟ୍ରାଫିକ ସିଗନାଲ୍‌ ବ୍ୟବସ୍ଥାକୁ କମିସନରେଟ୍ ପୁଲିସ ଓ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ କର୍ତ୍ତୃପକ୍ଷ ଲାଗୁ କରିପାରୁ ନାହାନ୍ତି ତେବେ କାହିଁକି ତାକୁ ଆରମ୍ଭ କରିଥିଲେ ବୋଲି ଲୋକ ପ୍ରଶ୍ନ ଉଠାଇଲେଣି। ନିଜ ଭିତ୍ତିଭୂମି ନ ସଜାଡ଼ି କାହିଁକି ଆମକୁ ସଚେତନ କରାଯାଉଛି ବୋଲି ଲୋକ କହିଲେଣି।

ସମ୍ବନ୍ଧିତ ଖବର