ଏମିତି ହେଉଛି ସହରର ଟ୍ରାଫିକ୍‌ ବ୍ୟବସ୍ଥା ପରିଚାଳନା: ସିଗ୍‌ନାଲ ବ୍ୟବହାର କରିବାକୁ କୁନ୍ଥକୁନ୍ଥ

ଫ୍ଲାଏଓଭର୍‌ ତଳ ଛକରେ ଜଳୁନି ଟ୍ରାଫିକ୍‌ ଲାଇଟ୍‌, ବିଏସ୍‌ସିଏଲ୍‌ର ବାରମ୍ବାର ଚିଠି, ଶୁଣୁନି ପୁଲିସ

ଭୁବନେଶ୍ବର: ରବି ଟକିଜ୍‌, ଗ୍ୟାରେଜ୍‌ ଛକ, ପୁରୁଣା ରେଲ‌ୱେ ଷ୍ଟେସନ୍‌, କିଟ୍‌ କ୍ୟାମ୍ପସ-୬ ସମେତ ବରମୁଣ୍ଡା, ସିଆର୍‌ପି, ଆଚାର୍ଯ୍ୟବିହାର ଓ ବାଣୀବିହାର ଫ୍ଲାଏଓଭର୍‌ ତଳ ରାସ୍ତା; ଏ ସବୁ ରାଜଧାନୀର ପ୍ରମୁଖ ତଥା ଗୁରୁତ୍ବପୂର୍ଣ୍ଣ ଛକ। ଦିନ ରାତି ସବୁ‌‌ବେଳେ ଏଠାରେ ଗହଳି ଚହଳି ଲାଗି ରହିଥାଏ। ଚାଳକ ଟିକିଏ ଅସାବଧାନ ହେଲେ ଦୁର୍ଘଟଣା ଘଟିବାର ସମ୍ଭାବନା ବି ଅଧିକ। କିନ୍ତୁ ଏସବୁ ଛକକୁ କମିସନରେଟ୍‌ ଟ୍ରାଫିକ୍‌ ପୁଲିସ ଅତି ଖାମଖିଆଲି ଭାବେ ନେଉଛି। ବିଏସ୍‌ସିଏଲ୍‌ ପକ୍ଷରୁ ଏସବୁ ଛକଗୁଡ଼ିକରେ ଲଗାଯାଇଥିବା ଟ୍ରାଫିକ୍‌ ସିଗନାଲ ବ୍ୟବହାରଯୋଗ୍ୟ ହୋଇଥିଲେ ହେଁ ଟ୍ରାଫିକ୍‌ ପୁଲିସ୍‌ ତାହାକୁ ବ୍ୟବହାର କରୁନାହିଁ। କେଉଁଠି କେବଳ ହଳଦୀ ଲାଇଟ୍‌ ଜଳାଇ ଛାଡ଼ି ଦିଆଯାଉଛି ତ କେଉଁଠି ଲାଇଟ୍‌କୁ ପୂରାପୂରି ବନ୍ଦ କରିଦିଆଯାଇଛି। ଭୁବେନଶ୍ବର ସ୍ମାର୍ଟସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌) ପକ୍ଷରୁ ଲେଖାଯାଇଥିବା ଏକ ଚିଠି କମିସନରେଟ୍‌ ଟ୍ରାଫିକ୍‌ର ଏହି ଖାମଖିଆଲି ମନୋଭାବକୁ ପଦାରେ ପକାଇଛି।
ସହରର ଟ୍ରାଫିକ୍‌ ବ୍ୟବସ୍ଥା ସଜାଡ଼ିବା ପୁଲିସ୍‌ ପାଇଁ ସବୁଠୁ ବଡ଼ ଆହ୍ବାନପୂର୍ଣ୍ଣ କାମ ହୋଇଛି।

ଏଥିପାଇଁ ଅତୀତରେ ନୂଆ ନୂଆ ଯୋଜନା ମଧ୍ୟ କରାଯାଇଛି। ଲେନ୍‌-ଡ୍ରାଇଭିଂଠାରୁ ଆରମ୍ଭ କରି ରଙ୍ଗରୁଟ୍‌, ରାସ୍ତାକଡ଼ ବେଆଇନ ପାର୍କିଂ, ଅମାନିଆଙ୍କୁ ଧରିବା ପାଇଁ ଡ୍ରୋନ୍‌ ଉଡ଼ାଇବା, ଆମ୍ବୁଲାନ୍ସ ପାଇଁ ଗ୍ରିନ୍‌ କରିଡର୍‌ ତିଆରି ଆଦି ଭଳି ବହୁ ପରୀକ୍ଷାମୂଳକ ବ୍ୟବସ୍ଥା ସମୟ ସମୟରେ କରାଯାଇଛି। ବିଏସ୍‌ସିଏଲ୍‌ ପକ୍ଷରୁ ମଧ୍ୟ ଏହାକୁ ସର୍ବାଧିକ ଧ୍ୟାନ ଦିଆଯାଇ ସହରର ପ୍ରାୟ ସବୁ ସ୍ଥାନରେ ଟ୍ରାଫିକ୍‌ ସିଗ୍‌ନାଲର ବ୍ୟବସ୍ଥା କରାଯାଇଥିଲା। ଗୁରୁତ୍ବପୂର୍ଣ୍ଣ ଛକଗୁଡ଼ିକରେ ଡାକବାଜି ଯନ୍ତ୍ର ସହ ସିସି କ୍ୟାମେରା ବି ଖଞ୍ଜାଗଲା। ଏହାଦ୍ବାରା ପୂରା ସହରର ଟ୍ରାଫିକ୍‌ ବ୍ୟବସ୍ଥାକୁ ପୁଲିସ୍‌ କଣ୍ଟ୍ରୋଲ ରୁମ୍‌ରୁ ମନିଟରିଂ କରାଯିବା ଭଳି ବ୍ୟବସ୍ଥା ମଧ୍ୟ କରାଗଲା। କିନ୍ତୁ ସହରର ପ୍ରମୁଖ ଛକଗୁଡ଼ିକରେ ଏଭଳି ଉନ୍ନତମାନର ବ୍ୟବସ୍ଥାକୁ ଟ୍ରାଫିକ୍‌ ପୁଲିସ୍‌ କାହିଁକି କୁନ୍ଥକୁନ୍ଥ, ତାହା ବୁଝାପଡ଼ୁନାହିଁ। ଏଗୁଡ଼ିକର ଉପଯୋଗ କରିବା ପାଇଁ ବିଏସ୍‌ସିଏଲ୍‌ ମଧ୍ୟ ଟ୍ରାଫିକ୍‌ ପୁଲିସକୁ ବାରମ୍ବାର ଚିଠି କରୁଥିଲେ ହେଁ ଏଥିପ୍ରତି ଧ୍ୟାନ ଦିଆଯାଉନାହିଁ।

ଅପରପକ୍ଷେ, ଏହି ଟ୍ରାଫିକ୍‌ ସିଗନାଲ୍‌ କାର୍ଯ୍ୟକ୍ଷମ କରୁନଥିବାରୁ ଟ୍ରାଫିକ୍‌ ପୋଷ୍ଟ ଓ କ୍ରସିଂ ପଏଣ୍ଟଗୁଡ଼ିକରେ ଗାଡ଼ି ଚାଳକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ଏହି ସବୁ ଗୁରୁତ୍ବପୂର୍ଣ୍ଣ ଛକଗୁଡ଼ିକରେ ଟ୍ରାଫିକ୍‌ ନିୟନ୍ତ୍ରଣ କରିବା ପାଇଁ ୨ଜଣ ଟ୍ରାଫିକ୍ ପୁଲିସଙ୍କୁ ନିୟୋଜିତ କରାଯାଉଛି। ନିୟମ ଅନୁଯାୟୀ ଜଣେ ପୁଲିସ ବିଶ୍ରାମ କଲା ବେଳେ ଅନ୍ୟ ଜଣେ ଟ୍ରାଫିକ୍‌ ନିୟନ୍ତ୍ରଣ କରିବ। କିନ୍ତୁ ଫ୍ଲାଏଓଭର୍‌ ତଳ ସ୍ଥାନଗୁଡ଼ିକରେ ସମସ୍ୟା ଉପୁଜୁଛି। ଟ୍ରାଫିକ୍‌ ପୁଲିସ୍‌ ଗୋଟିଏ ପାର୍ଶ୍ବର ଟ୍ରାଫିକ୍‌ ନିୟନ୍ତ୍ରଣ କଲା ବେଳକୁ ଅପ‌ରପଟ ଲୋକ ଦ୍ବନ୍ଦ୍ବରେ ପଡ଼ୁଛନ୍ତି ଓ ଏଥିପାଇଁ ବିଭିନ୍ନ ସମୟରେ ଛୋଟବଡ଼ ଦୁର୍ଘଟଣା ଘଟୁଛି। କେବଳ ଜୟଦେବ ବିହାର ଫ୍ଲାଏଓଭର୍‌ରେ ଟ୍ରାଫିକ୍‌ ସିଗନାଲ କାର୍ଯ୍ୟକାରୀ ହେଉଥିବାରୁ ସେଠାରେ ଏ ସମସ୍ୟା ଦେଖାଯାଉନାହିଁ।

ଏ ସଂପର୍କରେ ଟ୍ରାଫିକ ଏସିପି ସ୍ବସ୍ତିକ ପଣ୍ଡାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ରବି ଟକିଜ୍‌ ପାଖରେ ଏକ ରାସ୍ତା କାମ ଚାଲୁଥିବାରୁ ଟ୍ରାଫିକ୍‌ ଜାମ୍‌କୁ ଏଡ଼ାଇବା ପାଇଁ ଏହି ସିଗ୍‌ନାଲକୁ ବନ୍ଦ ରଖାଯାଇଛି। ସେହିପରି ବାଣୀବିହାର ଛକ ନିକଟରେ ଉତ୍କଳ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ରଙ୍ଗରୁଟ୍‌ରେ ଯା’ଆସ କରୁଥିବାରୁ, ଆଚାର୍ଯ୍ୟବିହାର ଛକରେ ଅଫିସ ସମୟ, ସଂଧ୍ୟା ସମୟରେ ଲୋକଙ୍କ ଯାତାୟାତ ଅଧିକ ଥିବାରୁ ଏବଂ ସିଆର୍‌ପି ଓ ବରମୁଣ୍ଡା ଫାୟାର ଷ୍ଟେସନ୍‌ ନିକଟରେ କିଛି ଜବରଦଖଲ ରହୁଥିବାରୁ ସିଗ୍‌ନାଲକୁ କାର୍ଯ୍ୟକ୍ଷମ କରାଯାଇନାହିଁ। ଏହି ଦୁଇ ସ୍ଥାନରେ ସିଗନାଲ ପୋଷ୍ଟକୁ ପରିବର୍ତ୍ତନ କରିବାକୁ ବିଏମ୍‌ସିକୁ ଚିଠି ଲେଖାଯାଇଛି।

ସମ୍ବନ୍ଧିତ ଖବର