ସବୁ ଛକରେ ଲାଗିଲା ଟ୍ରାଫିକ୍‌ ସିଗ୍‌ନାଲ୍‌

ଚନ୍ଦ୍ରଶେଖରପୁର: ଏବେ ଚନ୍ଦ୍ରଶେଖରପୁରର ସବୁ ଜନଗହଳି ଛକରେ ଲାଗିଲା ଟ୍ରାଫିକ୍‌ ସିଗ୍‌ନାଲ୍‌। ଟ୍ରାଫିକ୍‌ ନିୟନ୍ତ୍ରଣ କରିବା ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ପରୀକ୍ଷାମୂଳକ ଭାବେ ସିଗ୍‌ନାଲ୍‌ଗୁଡ଼ିକୁ ଚାଲୁ କରାଯାଇଥିବା ବେଳେ ଛକରେ ଟ୍ରାଫିକ୍‌ ପୁଲିସ୍‌ ନଥିବାରୁ ସାଧାରଣ ଜନତା ସିଗ୍‌ନାଲ୍‌କୁ ମାନୁନଥିବା ଦେଖାଯାଇଛି। ପୂର୍ବରୁ ନାଲକୋ, ଡମଣା, ପଟିଆ ଓ ମ୍ୟାଗ୍‌ନେଟ୍‌ ଛକରେ ସିଗ୍‌ନାଲ୍‌ ଥିଲା ବେଳେ ଏବେ ଶୈଳଶ୍ରୀବିହାର ଜଗନ୍ନାଥ ମନ୍ଦିର, ଇନ୍‌ଫୋସିଟି ଓ କିଟ୍‌ ଛକରେ ନୂଆ କରି ସିଗନାଲ୍‌ ଲାଗିଛି। ଯାହାକୁ ଆଗାମୀ କିଛିଦିନ ମଧ୍ୟରେ କାର୍ଯ୍ୟକାରୀ କରାଯିବ। ଏହି ଜନଗହଳି ସ୍ଥାନରେ ଏବେଠାରୁ ପ୍ରତିଦିନ ସକାଳ ଓ ସଂଧ୍ୟା ସମୟରେ ପ୍ରବଳ ଗହଳି ହେଉଥିବାରୁ ଏହି ସଗ୍‌ନାଲ୍‌ରେ ଟ୍ରାଫିକ୍‌ ପୁଲିିସ୍‌ ରହିବା ଜରୁରି ହୋଇପଡ଼ିଛି। ନିକଟରେ ପୁଲିସ ମହାନିର୍ଦେଶ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଦ୍ୱାରା କିଟ୍‌ ପରିସରରେ ମାଗ୍ନେଟିକ୍‌ ଛକ ଟାଉନ୍‌ ଆଉଟ୍‌ ପୋଷ୍ଟ ଉଦ୍‌ଘାଟିତ କରାଯାଇଥିବା ବେଳେ ଏହା ସଠିକ୍‌ ଭାବରେ କାର୍ଯ୍ୟକାରୀ ହେଉନାହିଁ ବୋଲି ଅଭିଯୋଗ ହୋଇଛି। କିଟ୍‌ ଓ କିସ୍‌ ମାଗ୍ନେଟିକ୍‌ ଛକ ଓ ପ୍ରଶାନ୍ତବିହାର ଆଦି ଅଞ୍ଚଳର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଏହି ଟାଉନ୍‌ ଆଉଟ୍‌ପୋଷ୍ଟଟି ଖୋଲା ଯାଇଥିବା ବେଳେ ଜଣେ ସବ୍‌ଇନ୍‌ସ୍ପେକ୍ଟର, ଜଣେ ସହକାରୀ ସବ୍‌ଇନ୍‌ସ୍ପେକ୍ଟର, ୪ଜଣ କନଷ୍ଟେବଲ ଓ ଜଣେ ହାବିଲଦାର୍‌ଙ୍କୁ ନିୟୋଜିତ କରାଯାଇଥିଲା। ହେଲେ କିଟ୍‌ ମୁଖ୍ୟ ଫାଟକ କ୍ୟାମ୍ପସ୍‌ ୬ ଛକରେ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ କେହି ନଥିବାରୁ ସଂଧ୍ୟାରେ ଛକ ପାର ହେବା ପାଇଁ ଅଧଘଣ୍ଟାରୁ ଅଧିକ ସମୟ ଲାଗୁଛି। ଅପରପକ୍ଷରେ ମ୍ୟାଗ୍‌ନେଟ୍‌ ଛକରୁ ଇନ୍‌ଫୋସିଟି ଛକ ମଧ୍ୟରେ ଅନେକ ବେଆଇନ୍‌ ପାକିଂ ଓ ଉଠାଦୋକାନୀମାନଙ୍କ ପ୍ରକୋପରୁ ଏହି ଛକରେ ଦିନକୁ ଦିନ ଟ୍ରାଫିକ୍‌ ବ୍ୟବସ୍ଥା ବଡ଼ ସମସ୍ୟା ହେବାରେ ଲାଗିଛି।

ସମ୍ବନ୍ଧିତ ଖବର