ଭୁବନେଶ୍ବର: ପୂର୍ବଭଳି ଆଉ ଟ୍ରାଫିକ୍‌ ଛକଗୁଡ଼ିକ‌ରେ ଜାମ୍‌ ସ୍ଥିତି ‌ଉପୁଜିବନି। ଲୋକମାନେ ‌ବେଶି ସମୟ ଟ୍ରାଫିକ୍‌ରେ ଅଟକିବେ ନାହିଁ। ଟ୍ରାଫିକ୍‌ ପରିଚାଳନା ସହଜ ହେବ। ଏଭଳି ସୁନେଲି ସ୍ବପ୍ନ ଦେଖାଇ ଟ୍ରାଫିକ୍‌ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ କରାଗଲା। ଟ୍ରାଫିକ୍‌କୁ ସ୍ମାର୍ଟ କରିବା ଲାଗି ପ୍ରସ୍ତାବ ଦିଆଗଲା, କାର୍ଯ୍ୟକାରୀ ବି ‌ହେଲା। ଏଥିପାଇଁ କୋଟି କୋଟି ଟଙ୍କା ବ୍ୟୟରେ ଟ୍ରାଫିକ୍‌ ପୋଷ୍ଟଠାରୁ ଆରମ୍ଭ କରି ସିଗ୍‌ନାଲ ପର୍ଯ୍ୟନ୍ତ ଭିତ୍ତିଭୂମିରେ ନବୀକରଣ ହେଲା। ମାନୁଆଲ୍‌ ଟ୍ରାଫିକ୍‌କୁ ହଟାଇ ପାଖାପାଖି ୫୦ଟି ଟ୍ରାଫିକ୍‌ ପୋଷ୍ଟରେ ସ୍ବୟଂଚାଳିତ ସିଗ୍‌ନାଲ ବ୍ୟବସ୍ଥା ଲାଗୁ କରାଗଲା। ହେଲେ ଲୋକଙ୍କ ଦୁଃଖ ଗଲାନାହିଁ। ପ୍ରଥମତଃ ଲୋକେ ଟ୍ରାଫିକ୍‌ରେ ଧନ୍ଦି ହେଲେ। ଅନେକ ଟ୍ରାଫିକ୍‌ରେ ଅଧମିନିଟ୍‌ରୁ କମ୍‌ ସମୟରେ ନୀଳରୁ ନାଲି ସିଗ୍‌ନାଲ୍ ପରିବର୍ତ୍ତନ ହେଉଛି। ଫଳରେ ଏହି ସମୟରେ ଜାଣି ନପାରି ଲୋକ ଟ୍ରାଫିକ୍‌ ଅତିକ୍ରମ ଯୋଗୁ କିଏ ନାଲି ଲାଇଟ୍‌ ପାଇଁ ତ କିଏ ଜେବ୍ରା କସିଂ ଅତିକ୍ରମ ପାଇଁ  ତଣ୍ଡ ଗଣୁଛନ୍ତି । ଉଦ୍‌ବେଗର ବିଷୟ, ନିଜ ତ୍ରୁଟି ଲୁଚାଇବାକୁ ଯାଇ କମିସନରେଟ୍‌ ପୁଲିସ ବିଏସ୍‌ସିଏଲ୍‌କୁ  ଦୋଷ ଠେଲୁଥିବା ବେଳେ ବିଏସ୍‌ସିଏଲ୍‌ କମିସନରେଟ୍‌ ପୁଲିସକୁ ଦୋଷ ‌ଦେଉଛି। ଏଣେ ପୁରୁଣା ଟ୍ରାଫିକ୍‌ ବ୍ୟବସ୍ଥାରେ ସୁଧାର ଆସିନି। ପୁଣି ନୂଆ ଏଆଇକୁ ଯୋଡ଼ି ଟ୍ରାଫିକ୍‌ ପରିଚାଳନା କରିବାକୁ ଯୋଜନା ଆରମ୍ଭ ହୋଇଗଲାଣି। 

Advertisment

ଅତିକ୍ରମ ପାଇଁ ୩ଥର ଅପେକ୍ଷା, ଲେଫ୍‌ଟ ଫ୍ରି ପ୍ରହସନ
ଏବେ ଗୋଟିଏ ଟ୍ରାଫିକ୍‌ ଛକକୁ ଅତିକ୍ରମ କରିବାକୁ ହେଲେ ଲୋକଙ୍କୁ ଅତିକମ୍‌ରେ ତିନି ତିନି ଥର ଅପେକ୍ଷା କରିବାକୁ ପଡ଼ୁଛି। ଟ୍ରାଫିକ୍‌ରେ ଅଟକି ଥିବା ଗାଡ଼ି ଷ୍ଟାର୍ଟ କରୁ କରୁ ସବୁଜ ବତି ନାଲି ହୋଇଯାଉଛି। ପାଦେ ଆଗେଇବା ପରେ ପୁଣି ଗାଡ଼ି ଷ୍ଟାର୍ଟ ବନ୍ଦ କରି ଟ୍ରାଫିକ୍‌ରେ ଅପେକ୍ଷା କରିବାକୁ ପଡ଼ୁଛି। ରାଜଧାନୀର ଜନପଥରେ ଥିବା ଆଇଡିବିଆଇ ଛକଠାରୁ ଆରମ୍ଭ କରି ବିଗ୍‌ବଜାର ଟ୍ରାଫିକ୍‌, ରାମମନ୍ଦିର, ଶ୍ରୀୟା, ମାଷ୍ଟରକ୍ୟାଣ୍ଟିନ ଛକ ସବୁଠି ଏଭଳି ସ୍ଥିତି। ସେହିପରି ସିଆର୍‌‌ପିରୁ ନେଇ ଷ୍ଟିୱାର୍ଟ ସ୍କୁଲ ଛକ, ଡିଏଭି, ପାୱାରହାଉସ୍‌, ଦ ୱାଲର୍ଡ, ଡମଣା, ପଟିଆ, ବିଗ୍‌ବଜାରଛକ ପର୍ଯ୍ୟନ୍ତ ସବୁଠି ସମାନ ଅବସ୍ଥା। ଟ୍ରାଫିକ୍‌ ‌ପୋଷ୍ଟ ଆସିଲେ କେମିତି ପାର୍‌ ହେବେ ଚିନ୍ତାରେ ପଡ଼ୁଛନ୍ତି। ଖାଲି ସିଗ୍‌ନାଲ୍‌ ନୁହେଁ, ବାମପଟ ମୁକ୍ତ ନିୟମକୁ ବି କେହି ମାନୁନାହାନ୍ତି। ଯେତେ କହିଲେ ବି କୌଣସି ଛକରେ ବାମପଟ ଫାଙ୍କା ରହୁନାହିଁ। ସେଠାରେ ମଧ୍ୟ ଗାଡ଼ି ଅଟକି ରହୁଛି। ଲେଫ୍‌ଟ ଫ୍ରି  ନିୟମ କେବଳ ପ୍ରହସନ ପାଲଟିଛି। ଦିନକୁ ଦିନ ଟ୍ରାଫିକରେ ଏଭଳି ଅବ୍ୟବସ୍ଥା ରାଜଧାନୀବାସୀଙ୍କୁ ନାକେଦମ କଲାଣି। ଯାହାକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ବିଏସ୍‌ସିଏଲ୍‌ର ଜିଏମ୍‌ ପୁରନ୍ଦର ନନ୍ଦ କହିଛନ୍ତି ଯେ ଦୁଇଟି ମୋଡ୍‌ରେ ଟ୍ରାଫିକ୍‌ ପରିଚାଳନା ହେଉଛି। ଗୋଟିଏ ହେଲା ଫିକ୍ସ ଟାଇମିଂ ଏବଂ ଅନ୍ୟଟି ଆଡପ୍‌ଟିଭ୍‌ ମୋଡ୍‌। ତେବେ ସହର ଅଧିକାଂଶ ଟ୍ରାଫିକ୍‌କୁ ଆଡ୍‌ପଟିଭ୍‌ ମୋଡ୍‌ରେ ପରିଚାଳନା କରାଯାଉଛି। ପୋଷ୍ଟରେ ଲାଗିଥିବା ‌କ୍ୟାମେରା ଓ ସେନସର୍‌ ଟ୍ରାଫିକ୍‌ର ସ୍ଥିତିକୁ ଦେଖି ସିଗ୍‌ନାଲ୍‌ ଦେଇଥାଏ। ଯେଉଁ ପଟେ ଟ୍ରାଫିକ୍‌ ଅଧିକ ଜାମ୍‌ ଥିବ, ଏହାକୁ ନିୟନ୍ତ୍ରଣ ପାଇଁ ସ୍ବୟଂଚାଳିତ ଭାବେ ଗ୍ରିନ୍‌ ସିଗନାଲ୍‌ ଦେଇଥାଏ। ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ନଥାଏ। ଯେଉଁଥିପାଇଁ ଏଭଳି ସମସ୍ୟା ଦେଖାଦେଇଛି। ହେଲେ ଫିକ୍ସଡ୍‌ ଟାଇମିଂ ଦ୍ବାରା ପୋଷ୍ଟର ସମସ୍ତ ପାର୍ଶ୍ବକୁ ନିର୍ଦ୍ଦିଷ୍ଟ ସମୟ ଅବଧି ରଖାଯାଏ। ସମସ୍ତଙ୍କୁ ସେମାନଙ୍କ ନିର୍ଦ୍ଧାରିତ ସମୟ ଆସିବା ପର୍ଯ୍ୟନ୍ତ ଟ୍ରାଫିକ୍‌ରେ ଅଟକିବାକୁ ପଡ଼ିଥାଏ। ଫଳରେ ଯଦି କୌଣସି ଏକ ପାର୍ଶ୍ବରେ କିଛି ଗାଡ଼ି ନଥାଏ, ତଥାପି ସେହି ପାର୍ଶ୍ବରେ ସବୁଜ ବତି ଜଳୁଥାଏ। ଅଥଚ ଜାମ୍‌ ଥିବା ପାର୍ଶ୍ବରେ ଲାଲ୍‌ ସିଗ୍‌ନାଲ ଥାଏ। ଏଭଳି ତାରତମ୍ୟକୁ ହଟାଇବା ପାଇଁ ସ୍ବୟଂଚାଳିତ ବ୍ୟବସ୍ଥା ଲାଗୁ କରାଯାଇଛି। ଯଦି କେଉଁଠି ସମସ୍ୟା ଥାଏ ତୁରନ୍ତ ସେଠାକୁ ଟିମ୍‌ ପଠାଇ ସମାଧାନ କରାଯିବ ବୋଲି ଶ୍ରୀ ନନ୍ଦ କହିଛନ୍ତି। 

ସେହିଭଳି, ଟ୍ରାଫିକ୍‌ ପୋଷ୍ଟରେ ‘ଲେଫ୍‌ଟ ଫ୍ରି’ ନିୟମ ପାଳନ ହେଉ ନଥିବା ସମ୍ପର୍କରେ  ଡିସିପି( ଟ୍ରାଫିକ୍‌) ତପନ ମହାନ୍ତି କହିଛନ୍ତି ଯେ ଏହି ସମସ୍ୟା  ଯୋଗୁ ଲୋକେ ହଇରାଣ ହେଉଛନ୍ତି। ତେଣୁ ସହରର ସବୁ ଗୁରୁତ୍ବପୂର୍ଣ୍ଣ ଛକରେ ବୋଲାର୍ସ ଲଗାଇବା ପାଇଁ ନିଷ୍ପତ୍ତି ହୋଇଛି। ବୋଲାର୍ସଗୁଡ଼ିକ ମଧ୍ୟ କିଣା ସରିଛି। ଦୁର୍ଗାପୂଜା ପୂର୍ବରୁ ଏହି ବୋଲାର୍ସଗୁଡ଼ିକ ଲଗାଯାଇ ‘ଲେଫ୍‌ଟ ଫ୍ରି ନିୟମକୁ କଡ଼ାକଡ଼ି ’ଅନୁପାଳନ କରାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।