ଭୁବନେଶ୍ବର: ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ରେ ଦିନକୁ ଦିନ ଟ୍ରାଫିକ୍‌ ଯନ୍ତ୍ରଣା ବଢ଼ିବାରେ ଲାଗିଛି। ବୁଲାଣିରେ ବେଆଇନ୍‌ ପାର୍କିଂ ସାଙ୍ଗକୁ ଦୋକାନ ଖୋଲାଯିବା ପରେ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ବସ୍‌ଚାଳକମାନେ ବି ସବୁ ବସ୍‌କୁ ଏହି ଜାଗାରେ ରଖି ଯାତ୍ରୀ ଉଠାଉଛନ୍ତି। ଫଳସ୍ବରୂପ ବରମୁଣ୍ଡା ଛକରେ ଅସମ୍ଭାଳ ଟ୍ରାଫିକ୍‌ ସମସ୍ୟା ଦେଖାଦେଉଛି। ଦିନକୁ ଦିନ ଟ୍ରାଫିକ୍‌ର ଏହି ଯନ୍ତ୍ରଣା ବଢ଼ିବାରେ ଲାଗିଥିବା ବେଳେ ପୁଲିସ କିମ୍ବା ପରିବହନ ବିଭାଗର ଏଥିପ୍ରତି ନିଘା ନାହିଁ। ସେପଟେ ଅମାନିଆଙ୍କୁ ତଡ଼ା ଯାଉନଥିବାରୁ ଦୋକାନ ସଂଖ୍ୟା ଓ ବସ୍‌ଚାଳକଙ୍କ ଉତ୍ପାତ ବି ବଢ଼ିଚାଲିଛି।

Advertisment

ଯେବେ ବରମୁଣ୍ଡା ବସ୍‌ଷ୍ଟାଣ୍ଡର ନବକଳେବର ହେଲା, ସେ ସମୟରେ ବରମୁଣ୍ଡା ଓଭର୍‌ବ୍ରିଜ୍‌ ତଳେ ବସ୍‌ ଚଳାଚଳରେ କଟକଣା ଲାଗିଥିଲା। ଯାତ୍ରୀବାହୀ ବସ୍‌ମାନେ ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ବାହାରିବା ପରେ ବାମପାର୍ଶ୍ବକୁ ଯାଇ ଓଭରବ୍ରିଜ୍‌ ଉପରେ ଚଳାଚଳ କରିବ ବୋଲି ନିଷ୍ପତ୍ତି ହୋଇଥିଲା। ଯଦ୍ବାରା ବରମୁଣ୍ଡା ଛକରେ ଓଭରବ୍ରିଜ୍‌ ତଳେ ଓ ଦୁଇପାର୍ଶ୍ବରେ ଯେଉଁ ଟ୍ରାଫିକ୍ ସମସ୍ୟା ଦେଖାଦେଉଛି, ସେଥିରୁ ନିସ୍ତାର ମିଳିବ ବୋଲି ଆଶା କରାଯାଉଥିଲା। ସେହି ଅନୁସାରେ ଆରମ୍ଭରୁ ଖୋର୍ଦ୍ଧା, ନୟାଗଡ଼, ବ୍ରହ୍ମପୁର, ଗଞ୍ଜାମ ଆଦି ଜିଲ୍ଲାକୁ ଚଳାଚଳ କରୁଥିବା ବସ୍‌ ବାମପାର୍ଶ୍ବରେ ଆଗକୁ ଯାଇ ଓଭର୍‌ବ୍ରିଜ୍‌ରେ ଚଳାଚଳ କରୁଥିଲେ। ଟ୍ରାଫିକ୍‌ ଯନ୍ତ୍ରଣାରୁ ବି ଲୋକେ ମୁକ୍ତି ପାଇଥିଲେ। କିଛି ମାସ ପରେ ପୁଣି ବଦଳିଗଲା ସ୍ଥିତି। ଅମାନିଆ ଚାଳକମାନେ ପୁଣି ପୁରୁଣା ବ୍ୟବସ୍ଥାରେ ଗାଡ଼ି ଚଳାଇଲେ। ଓଭର୍‌ବ୍ରିଜ୍‌ ତଳେ ଯା’ଆସ କଲେ। ଯାହା ଟ୍ରାଫିକ୍‌ ସମସ୍ୟା ସୃଷ୍ଟି କରୁଛି। ବଡ଼ କଥା ହେଉଛି, ବସ୍‌ଚାଳକମାନେ ଓଭର୍‌ବ୍ରିଜ୍‌ ତଳେ ଓ ଅପରପାର୍ଶ୍ବରେ ଯାତ୍ରୀ ଉଠାଇବା ପାଇଁ ଗାଡ଼ି ରଖୁଛନ୍ତି।

ଫଳରେ ଜୟଦେବବିହାର, ସିଆର୍‌ପି ପାର୍ଶ୍ବରୁ ଆସୁଥିବା ଗାଡ଼ି ଓଭରବ୍ରିଜ୍‌ ତଳେ ଘଣ୍ଟା ଘଣ୍ଟା ଭିଡ଼ରେ ଫସୁଛନ୍ତି। ଏହି ଯନ୍ତ୍ରଣାକୁ ବଢ଼ାଇ ଦେଇଛନ୍ତି ବରମୁଣ୍ଡ ଛକର ଦୋକାନୀ। ଦୋକାନୀମାନେ ଆସି  ରାସ୍ତାରେ ବେପାର କରୁଛନ୍ତି। ଉଠାଦୋକାନୀ ରାସ୍ତାରେ ବେପାର ପସରା ମେଲାଇଛନ୍ତି। ଏଣୁ ଗ୍ରାହକମାନେ ରାସ୍ତାରେ ଭିଡ଼ କରୁଛନ୍ତି। ରାସ୍ତାରେ ଗାଡ଼ି ପାର୍କିଂ କରୁଛନ୍ତି। ଏହା ଭିଡ଼କୁ ବଢ଼ାଇ ଦେଉଛି। ସେପଟେ କିଛି ବସ୍‌ ବି ବରମୁଣ୍ଡାରୁ ଖଣ୍ଡଗିରି ଯିବା ରାସ୍ତାରେ ପାର୍କିଂ କରୁଛନ୍ତି। ଏହା ବି ଭିଡ଼ ବଢ଼ାଉଛି। ପ୍ରତିଦିନ ବରମୁଣ୍ଡ ଛକରେ ଏଭଳି ଟ୍ରାଫିକ୍‌ ସମସ୍ୟାରେ ସାଧାରଣ ଲୋକେ କଲବଲ ହେଉଥିବାବେଳେ ଏ ଦିଗରେ ପୁଲିସ ଓ ସରକାରୀ ଅଧିକାରୀମାନେ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।