ଗୋଟିଏ ଦିନରେ ୩ ସମାବେଶକୁ ଅନୁମତି କେମିତି? ଭୁଶୁଡ଼ିଲା ଟ୍ରାଫିକ୍‌ ବ୍ୟବସ୍ଥା, ସକାଳୁ ସନ୍ଧ୍ୟା ଯାଏ କନ୍ଦେଇଲେ

ଭୁବନେଶ୍ବର : ଗୁରୁବାର ଦିନ ରାଜଧାନୀ‌କୁ ଚାରିପଟୁ ପଶିଆସିଥିଲା ମାଳମାଳ ଗାଡ଼ି। ଯେଉଁଆଡ଼କୁ ଚାହିଁଲେ, ସବୁଆଡ଼େ ମାଳମାଳ ବସ୍‌, କାର୍‌, ବୋଲେରୋ ଭଳି ଗାଡ଼ି। ସବୁ ପ୍ରମୁଖ ରାସ୍ତାରେ ଗାଡ଼ିର ଲମ୍ବା ଲାଇନ୍‌। ଯିଏ ଯୁଆଡ଼େ ପାରିଲେ ମନଇଚ୍ଛା ଗାଡ଼ି ପୁରାଇଦେଲେ। ପୁଲିସ୍‌ର କିଛି ଆକଟ ନଥିଲା। ଆଜି ରାଜଧାନୀରେ ଥିଲା ତିନି ତିନିଟା ରାଜନୈତିକ ସମାବେଶ। ତେଣୁ ହଜାର ହଜାର ସଂଖ୍ୟାରେ ଗାଡ଼ି ସହର ଭିତରକୁ ପଶି ଆସିବାରୁ ଆପେଆପେ ଭୁଶୁଡ଼ିଗଲା ଟ୍ରାଫିକ୍‌ ଶୃଙ୍ଖଳା। ପୁଲିସ ବି ହାତ ଟେକିଦେଇଥିଲା। ତେଣୁ ରାଜଧାନୀର ସବୁ ମୁ୍‌ଖ୍ୟ ରାସ୍ତାରେ ଟ୍ରାଫିକ୍‌ ଜାମ୍‌ ହୋଇଗଲା। ସକାଳୁ ସନ୍ଧ୍ୟା ଯାଏଁ ରାଜଧାନୀବାସୀ ବିପର୍ଯ୍ୟସ୍ତ ଟ୍ରାଫିକ୍‌ ବ୍ୟବସ୍ଥାରେ ସନ୍ତୁଳି ହୋଇଥିଲେ। ଏମିତିକି ଆମ୍ବୁଲାନ୍‌ସ ଭଳି ଜରୁରୀକାଳୀନ ସେବା ମଧ୍ୟ ଏହି ଜାମ୍‌ରୁ ବାଦ୍‌ ପଡ଼ିନଥିଲା। ଗୋଟିଏ ଦିନରେ ଶାସକ ଦଳ ବିଜେଡି, ବିଜେପି ଓ ଏସ୍‌ୟୁସିଆଇର କାର୍ଯ୍ୟକ୍ରମ ଯୋଗୁଁ ଆଜି ରାଜଧାନୀବାସୀ ନାକରେ କାନ୍ଦିଥିଲେ। ଗୋଟିଏ ଦିନରେ ତିନି ତିନିଟା ରାଜନୈତିକ ସମାବେଶକୁ କିଭଳି ଅନୁମତି ମିଳିଲା ବୋଲି ରାଜଧାନୀବାସୀ ପ୍ରଶ୍ନ କରିଛନ୍ତି।

ଦୁଇଦିନିଆ ଓଡ଼ିଶା ଗସ୍ତରେ ଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଗୁରୁବାର ଦିନ ଜନତା ମଇଦାନରେ ଏକ ବିଶାଳ ସମାବେଶରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ଥିଲା। ତେଣୁ ତାଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ ଏୟାର୍‌ପୋର୍ଟରୁ ଶିଶୁଭବନ ଛକ ଦେଇ ରାମମନ୍ଦିରସ୍ଥିତ ପାର୍ଟି କାର୍ଯ୍ୟାଳୟକୁ ନିଆଯାଇଥିଲା। ହେଲେ ଠିକ୍‌ ଏହି ସମୟରେ ଏସ୍‌ୟୁସିଆଇର ଶୋଭାଯାତ୍ରା ବାହାରିଥିଲା। ଉଦ୍‌ବେଗର କଥା ଶୋଭାଯାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ ପର୍ଯ୍ୟାପ୍ତ ଟ୍ରାଫିକ୍‌ ପୁଲିସ ନଥିଲେ। ମାଷ୍ଟରକ୍ୟାଣ୍ଟିନ୍‌ ଭଳି ବଡ଼ ଟ୍ରାଫିକ୍‌ ଛକରେ ଜଣେ ମାତ୍ର ଟ୍ରାଫିକ୍‌ ପୁଲିସ ଏବଂ ହୋମ୍‌ଗାର୍ଡଙ୍କୁ ଦେଖିବାକୁ ମିଳିଥିଲା। ଏତେ ବଡ଼ ଶୋଭାଯାତ୍ରାକୁ ଦୁଇ ଜଣ କର୍ମଚାରୀ ସମ୍ଭାଳିବା ସମ୍ଭବପର ନଥିଲା। ଫଳରେ ଏସ୍‌ୟୁସିଆଇ ‌ଶୋଭାଯାତ୍ରା ମାଷ୍ଟରକ୍ୟାଣ୍ଟିନ୍‌ରୁ ରାଜମହଲ ଆଡ଼କୁ ମୁହାଁଇଥିଲା। ସେଠାରୁ ବିଗିଡ଼ି ଯାଇଥିଲା ରୁଟ୍‌ ମ୍ୟାପ୍‌। ଜାମ୍‌ ଯୋଗୁଁ ଲୋକେ ଯିଏ ଯୁଆଡ଼େ ପାରିଲେ ଗାଡ଼ି ରଖିଦେଲେ।

ମାଷ୍ଟରକ୍ୟାଣ୍ଟିନ୍‌ରୁ ରାଜମହଲ, ଶିଶୁଭବନ, ଏଜିଛକ ସବୁଠି ଟ୍ରାଫିକ୍‌ ଜାମ୍‌ ସ୍ଥିତି ଉପୁଜିଥିଲା। ଏହି ସମୟରେ ବିଜେପି ଶୋଭାଯାତ୍ରା ଟ୍ରାଫିକ୍‌ ଜାମ୍‌ରେ ଫସିଯାଇଥିଲା। ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଗାଡ଼ିକୁ ଆଗକୁ ନେବା ପାଇଁ କର୍ମୀମାନେ ଲାଗିପଡ଼ିଥ‌ିଲେ। କେତେକ କର୍ମୀ ଉତ୍ତ୍ୟକ୍ତ ହୋଇ ଗାଡ଼ିଗୁଡ଼ିକୁ ଜବରଦସ୍ତ ରାସ୍ତାରୁ ହଟାଇବା ବେଳେ ଉତ୍ତେଜନାମୂଳକ ସ୍ଥିତି ଦେଖିବାକୁ ମିଳିଥିଲା। ସେହିପରି ଜୟଦେବବିହାରରୁ ପଟିଆ ରାସ୍ତାରେ ମଧ୍ୟ ଜାମ୍‌ ସ୍ଥିତି ଦେଖିବାକୁ ମିଳିଥିଲା। ସେହିଭଳି ବରମୁଣ୍ଡା ପଡ଼ିଆରେ ଆୟୋଜିତ ବିଜେଡି ସମାବେଶ ସମୟରେ ବରମୁଣ୍ଡାରୁ ଆଚାର୍ଯ୍ୟବିହାର ଏବଂ ବରମୁଣ୍ଡାରୁ ଖଣ୍ଡଗିରି ରୋଡ୍‌ରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା।

ପୂର୍ବରୁ ଗାଡ଼ି ପାର୍କିଂ ପାଇଁ କିଛି ନିର୍ଦ୍ଦିଷ୍ଟ ସ୍ଥାନ ଚିହ୍ନଟ କରାଯାଇଥିଲା। ହେଲେ ଆକଳନଠାରୁ ଢେର ଅଧିକ ଲୋକ ଗାଡ଼ିଧରି ବିଭିନ୍ନ ସମାବେଶକୁ ଆସିଥିଲେ। ତେଣୁ ପାର୍କିଂ ପାଇଁ ଜାଗା ଅଭାବ ହେବାରୁ ଯିଏ ଯୁଆଡ଼େ ପାରିଲେ ଗାଡ଼ି ଥୋଇଦେଲେ। ଶୋଭାଯାତ୍ରାରେ ହଜାର ହଜାର ଲୋକ ଚାଲୁଥିବା ବେଳେ ରାସ୍ତା କଡ଼ରେ ମାଳମାଳ ଗାଡ଼ି ସବୁ ରାସ୍ତାକୁ ସଂକୁଚିତ କରିଦେଲା। ଫଳରେ ଆପେଆପେ ଟ୍ରାଫିକ୍‌ ଜାମ୍‌ ହେଲା ଏବଂ ବହୁ ସମୟ ଧରି ଲୋକେ ଟ୍ରାଫିକ ଜାମ୍‌ରେ ଫସି ରହିଥିଲେ। ଗାଡ଼ି ଜାମ୍‌ ଯୋଗୁଁ କିଏ ଷ୍ଟେସନକୁ ଚାଲିଚାଲି ଯାଉଥିଲା ତ କିଏ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର