ଯେତେ ବାବୁ ସେତେ ନିଷ୍ପତ୍ତି, ଯୋଜନା ନା ପ୍ରହସନ

ଭୁବନେଶ୍ବର: ପୁରୁଷ ହକି ବିଶ୍ବକପ୍‌ ଆୟୋଜନ ସମୟରେ ରାଜଧାନୀରେ ସ୍ମାର୍ଟ ଟ୍ରାଫିକ ବ୍ୟବସ୍ଥା ଆରମ୍ଭ ହେଲା। ରାଜଧାନୀର ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଇ ଦିଆଗଲା। କୁହାଗଲା‌ ଏଣିକି ଗାଡ଼ି ଚାଳକ ସ୍କାନର‌େର ରହି‌େବ। ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ କର୍ତ୍ତୃପକ୍ଷ ଭିତ୍ତିଭୂମି ଯୋଗାଇବେ, କମିସନରେଟ୍ ପୁଲିସ ଏହାକୁ କାର୍ଯ୍ୟକାରୀ କରିବ। ରାଜଧାନୀର ପାର୍କିଂ, ଟ୍ରାଫିକ ବ୍ୟବସ୍ଥାକୁ ସଜାଡ଼ିବାଠାରୁ ଆରମ୍ଭ କରି ବେପରୁଆ ଗାଡ଼ି ଚାଳନା, ଜେବ୍ରା କ୍ରସିଂ ଅତିକ୍ରମ କରିବା, ଦ୍ରୁତ ଗତିରେ ଗାଡ଼ି ଚଳାଇବା ପର୍ଯ୍ୟନ୍ତ ସବୁ ଉପରେ ରୋକ୍ ଲାଗିବ। ଏଥିପାଇଁ ପୁଳାଏ ଯୋଜନା ଆରମ୍ଭ ହୋଇଥିଲା। ପୂରା ରାଜଧାନୀରେ ୧୮୦ରୁ ଅଧିକ ସିସିଟିଭି ଲାଗିଥିଲା। ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର ପରିଚାଳନା ନିର୍ଦ୍ଦେଶକ କ୍ରିଷନ କୁମାର ଏବଂ ତତ୍କାଳୀନ ପୁଲିସ କମିସନର୍‌ ୱାଇ.ବି ଖୁରାନିଆଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ସବୁ ଯୋଜନା କାର୍ଯ୍ୟକାରୀ ହେବ ବୋଲି କୁହାଯାଇଥିଲା। କିନ୍ତୁ ଦୁଇ ବାବୁଙ୍କ ବଦଳି ପରେ ସବୁ ଯୋଜନା ପଣ୍ଡ। ଏପଟେ ନୂଆ କମିସନର ଓ ନୂଆ ଟ୍ରାଫିକ ଡିସିପି ରାଜଧାନୀରେ ନୂଆ ଟ୍ରାଫିକ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି। ଏଭଳି ସ୍ଥିତି ଦେଖି ସମସ୍ତେ କହିଲେଣି, ଯେତେ ବାବୁ ସେତେ ନିଷ୍ପତ୍ତି। କିନ୍ତୁ ସବୁ ଫୁସ୍। ନୂଆ କମିସନର ରାଜଧାନୀରେ ଲାଗିଥିବା ସିସିଟିଭିକୁ ଭିତ୍ତି କରି ବେପରୁଆ ଗାଡ଼ି ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯୋଜନା କରିଛନ୍ତି। କିନ୍ତ ରାଜଧାନୀରେ ଲାଗିଥିବା ସିସିଟିଭିଗୁଡ଼ିକ ଭିତରୁ ଅଧିକାଂଶ ଯେ କାମ କରୁନି, ତାହା ବୋଧେ କମିସନର ଜାଣିନାହାନ୍ତି। ସ୍ଥିତି ଏପରି ଯେ ଆସନ୍ତା ମାସେ କି ଦୁଇ ମାସ ଭିତରେ ଏହି ସିସିଟିଭି କାର୍ଯ୍ୟକ୍ଷମ ହେବା ଭଳି ସ୍ଥିତିରେ ନାହିଁ। ‌େତଣୁ ନୂଆ ବାବୁଙ୍କ ନୂଆ ରଣନୀତି କିପରି କାମ କରିବ ତାହା ଦେଖିବାକୁ ରାଜଧାନୀବାସୀ ଅପେକ୍ଷା କରିଛନ୍ତି।

କୁଆଡ଼େ ଗଲା ରେଡ୍‌ ଲାଇଟ୍‌ ଭାଓଲେସନ୍ ଡିଟେକ୍ସନ ସିଷ୍ଟମ୍‌
ରୁପାଲି, କଳ୍ପନା, ବିମାନବନ୍ଦର, ପାୱାର ହାଉସ୍, କଳିଙ୍ଗ ହସ୍ପିଟାଲ, ପଟିଆ ଓ ନିକୋ ପାର୍କ ଛକରେ ରେଡ୍‌ ଲାଇଟ୍‌ ଭାଓଲେସନ୍ ଡିଟେକ୍ସନ ସିଷ୍ଟମ ଡିସେମ୍ବର ୧, ୨୦୧୮ରୁ ଲାଗୁ ହୋଇଥିଲା। ଏଥିରେ ଟ୍ରାଫିକ୍‌ ଛକରେ ଥିବା ନାଲିବତି ସିଗନାଲ୍‌କୁ ଯଦି କେହି ମାନୁନଥିବେ, ସେମାନଙ୍କଠାରୁ ଜରିମାନା ଆଦାୟ କରିବାକୁ ନିଷ୍ପତ୍ତି ହୋଇଥିଲା। ଏହି ବ୍ୟବସ୍ଥାରେ ଉପରୋକ୍ତ ଛକ ଦେଇ ଯାଉଥିବା ପ୍ରତ୍ୟେକ ଗାଡ଼ି ଉପ‌େର ନଜର ରଖାଯାଇଥାନ୍ତା। ସିଗନାଲ୍‌ରେ ନାଲିବତି ଜଳିବା କ୍ଷଣି ଏହା ନିୟମ ଉଲ୍ଲଂଘନକାରୀଙ୍କୁ ଧରିଥାନ୍ତା। ଗାଡ଼ିର ପଛପାର୍ଶ୍ବରୁ ଏହା ଫଟୋ ଉଠାଇବା ସହ ନମ୍ବର ପ୍ଲେଟ୍‌ର ଫଟୋ ନେଇଥାନ୍ତା। ଏହାସହ ଗାଡ଼ିର ସମସ୍ତ ରେକର୍ଡ ‘ବାହନ’ ଡାଟାବେସ୍‌ରୁ ସଂଗ୍ରହ କରି ଭୁବନେଶ୍ବର ଅପରେସନ୍ ସେଣ୍ଟର (ବିଓସି)କୁ ପଠାଇ ଦେଇଥାନ୍ତା। ସେଠାରୁ ଇ-ଚାଲାଣ ନିୟମ ଉଲ୍ଲଂଘନକାରୀଙ୍କ ମୋବାଇଲ୍‌ ନମ୍ବରକୁ ଏବଂ ମେଲ୍‌ ଆଇଡିକୁ ପଠାଇବାକୁ ଯୋଜନା ହୋଇଥିଲା। ହେଲେ ଏହା କାର୍ଯ୍ୟକାରୀ ହୋଇପାରିଲାନି।

ସ୍ପିଡ୍‌ ଡିଟେକ୍ଟର ଅଚଳ
ଦ୍ରୁତ ଗାଡ଼ି ଚାଳକଙ୍କ ଉପରେ ରୋକ୍ ଲଗାଇବା ପାଇଁ ୬ଟି ସ୍ଥାନରେ ସ୍ପିଡ୍ ଡିଟେକ୍ଟର ତଥା ସ୍ପିଡ୍ ଭାଓଲେସନ୍ ଡିଟେକ୍ସନ ସିଷ୍ଟମ ଲାଗିଥିଲା। ଏଜିରୁ କ୍ୟାପଟିଲ ହସ୍ପିଟାଲ ଛକ ମଧ୍ୟରେ, ସୈନିକ ସ୍କୁଲ ଛକ ନିକଟରେ, ଜାତୀୟ ରାଜପଥ-୧୬ରେ ବରମୁଣ୍ଡା, ଜୟଦେବ ବିହାର, ବାଣୀବିହାର ଛକରେ, ରଘୁନାଥପୁରରେ ଏହି ବ୍ୟବସ୍ଥ‌ା ଲାଗୁ ହୋଇଥିଲା।
ଏହି ବ୍ୟବସ୍ଥା ଅନୁଯାୟୀ, ଦୁଇଟି ଛକ ମଧ୍ୟରେ ଗାଡ଼ିର ଗତି କେତେ ଥିଲା ତାହା ଏକାଧିକ ଫ୍ରେମ୍‌ ମଧ୍ୟରେ ସମୟକୁ ଦେଖି ଚିହ୍ନଟ କରିଥାନ୍ତା। ଏହାସହ ନମ୍ବର ପ୍ଲେଟ୍‌ର ଫଟୋ ଉଠାଇଥାନ୍ତା। ଏଥିରେ କେବଳ ଦ୍ରୁତ ଗତି‌େର ଆସୁଥିବା ଗାଡ଼ି ଚିହ୍ନଟ ହେବନି ବରଂ ଏଥିରେ ପୁଲିସ୍‌ର ହଟ୍‌ ଲିଷ୍ଟ, ୱାଣ୍ଟେଡ୍‌ ଥିବା ଗାଡ଼ି, ଚୋରା ଗାଡ଼ି ବି ସହଜରେ ଚିହ୍ନଟ କରାଯାଇପାରିବାର ବ୍ୟବସ୍ଥା ହୋଇଛି ବୋଲି କୁହାଯାଇଥିଲା। କିନ୍ତୁ ଏବେ ସବୁ ସ୍ପିଡ୍‌ ଡିଟେକ୍ଟର ଅଚଳ ହୋଇପଡ଼ିଛି।

ଆରଏସ୍‌ଏସ୍‌ ବି ଅଚଳ
ସ୍ପିଡ୍ ଡିଟେକ୍ଟରରେ ଧରାପଡ଼ିବା ପୂର୍ବରୁ ଗାଡ଼ିର ସ୍ପିଡ୍ କେ‌େତ ଅଛି ତାହା ରାଡାର୍ ସ୍ପିଡ୍ ସାଇନ୍‌ସ (ଆରଏସ୍‌ଏସ୍‌)ରେ ଜଣାପଡ଼ିଯିବ। ଏଥିପାଇଁ ୧୦ଟି ସ୍ଥା‌ନରେ ରାଡାର ସ୍ପିଡ୍‌ ସାଇନ୍‌ସ ଲାଗିଥିଲା। ଶିଶୁଭବନ ଛକ, ନିଉ ଫରେଷ୍ଟପାର୍କରୁ ବିମାନବନ୍ଦର, ବିମାନବନ୍ଦରରୁ ବିମାନବନ୍ଦର ଛକ, କ୍ୟାପିଟାଲ ହସ୍ପିଟାଲରୁ ଏଜି ଛକ, ପାୱାର ହାଉସ୍ ଛକରୁ ରାଜଭବନ ଛକ, ପାୱାର ହାଉସ୍ ଛକରୁ କଳିଙ୍ଗ ଷ୍ଟାଡିୟମ, ମହର୍ଷି କଲେଜ ଛକରୁ ସତ୍ୟନଗର, ରସୁଲଗଡ଼ରୁ ବାଣୀବିହାର, ଜୟଦେବ ବିହାରରୁ ସିଆରପିଏଫ୍‌ ଛକ, ବରମୁଣ୍ଡାରୁ ଖଣ୍ଡଗିରି ଛକ ମଧ୍ୟରେ ଏହି ଆରଏସ୍ଏସ୍‌ ଲାଗିଥିଲା। ଏହାଦ୍ବାରା ଗାଡ଼ି ଚାଳକ ଆଗୁଆ ସତର୍କ ହେବା ସହ ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ କମ୍ ଗତିରେ ଚଳାଇବାକୁ ଏହା ବାର୍ତ୍ତା ଦେବ ବୋଲି କୁହାଯାଇଥିଲା। କିନ୍ତୁ ଆଜିକା ଦିନରେ ଏଥିରୁ କିଛି ବି କାମ କରୁନି।

ଟ୍ରାଫିକ୍ ଜାମ୍ ଘୋଷଣା ଭେଳିକି
କୌଣସି ରାସ୍ତାରେ ଟ୍ରାଫିକ୍ ଜାମ୍ ଅଛି କିମ୍ବା କୌଣସି ପ୍ରକାରର ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି ତେବେ ଏନେଇ ତୁରନ୍ତ ଲୋକଙ୍କୁ ଜଣାଇ ଦିଆଯିବ। ଏଥିପାଇଁ ୭ଟି ଛକରେ ମାଇକ୍ ଲଗାଇ ପ୍ରଚାର କରାଯିବାର ବ୍ୟବସ୍ଥା ହୋଇଥିଲା। ରୁପାଲି ଛକ, କଳ୍ପନା ଛକ, ବିମାନବନ୍ଦର ଛକ, ନିକୋ ପାର୍କ ଛକ, ପାୱାର ହାଉସ୍ ଛକ, କଳିଙ୍ଗ ହସ୍ପିଟାଲ ଛକ, ପଟିଆ ଛକରେ ଏହି ବ୍ୟବସ୍ଥା ହୋଇଥିଲା। ଏଠାରେ ମାଇକ୍ରୋଫୋନ୍, ଲାଉଡ୍‌ ସ୍ପିକର୍, ଆମ୍ପ୍ଲିଫାୟାର ଲାଗିଥିଲା। କିନ୍ତୁ ଆଜିକା ଦିନରେ ଏଥିରୁ ଅଧିକାଂଶ କାମରେ ଲାଗୁନି। ଫଳରେ ରାଜଧାନୀରେ କେଉଁ ରାସ୍ତାରେ ଜାମ୍ ହେଲେ କି କୌଣସି ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହେଲେ ବି ଲୋକ ଆଗୁଆ ଜାଣିପାରୁନାହାନ୍ତି, ବରଂ ଏଠାରେ ସଚେତନତା ପାଇଁ ଲାଗିଥିବା ଏଲ୍‌ଇଡିରେ ଏବେ ବିଭିନ୍ନ ପ୍ରକାରର ବିଜ୍ଞାପନ ଦେଖିବାକୁ ମିଳୁଛି।

୧୮୦ରୁ ୧୫୫ କ୍ୟାମେରା ଅଚଳ
ସବୁ ଯୋଜନାକୁ କାର୍ଯ୍ୟକାରୀ କରିବା ଏବଂ ରାଜଧାନୀ ଉପରେ ନଜର ରଖିବା ପାଇଁ ସମସ୍ତ ଗୁରୁତ୍ବପୂର୍ଣ୍ଣ ଛକ ଏବଂ ସ୍ଥାନରେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ୧୮୦ଟି ସିସିଟିଭି ଲାଗିଥିଲା। କିନ୍ତୁ ବାତ୍ୟାରେ ଏଥିରୁ ୧୫୫ଟି ଅଚଳ ହୋଇଯାଇଛି। ଖୁଣ୍ଟରେ କ୍ୟାମେରା ଲାଗିଛି କିନ୍ତୁ କିଛି କାମ କରୁନି। ଭୁବନେଶ୍ବରରେ ସ୍ମାର୍ଟ ସଲ୍ୟୁସନ୍ ପ୍ରକଳ୍ପ କାର୍ଯ୍ୟ କରୁଥିବା ହନିୱେଲ୍ ସଂସ୍ଥା ଏହି ସିସିଟିଭି ଲଗାଇଥିବା ବେଳେ ବାତ୍ୟାରେ ଏହାର ଲିଜ୍ ଲାଇନ୍ ଖରାପ ହୋଇଯାଇଥିବାରୁ ସିସିଟିଭି ଅଚଳ ହୋଇଯାଇଛି ବୋଲି କୁହାଯାଇଛି। ଏବେ ଅପ୍ଟିକାଲ କେବୁଲ୍‌ ବିଛାଇବା କାମ ଚାଲୁଥିବାରୁ ସବୁ ସିସିଟିଭି କାର୍ଯ୍ୟକ୍ଷମ ହେବାକୁ ଆଉ ମାସେରୁ ଦୁଇ ମାସ ଲାଗିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।

ଅମାନିଆ ଚାଳକଙ୍କୁ ଏମିତି ନଜର
ଉଡ଼ୁଛି ଡ୍ରୋନ୍‌, କର୍ମଚାରୀଙ୍କୁ ଟିଉସନ
ସହରରେ କମିସନ୍‌ରେଟ୍‌ ପୁଲିସ ପକ୍ଷରୁ ଲଗା ଯାଇଥିବା ୨୭ଟି ସିସିଟିଭିରୁ ବାତ୍ୟା ଫନିରେ ୨୨ଟି କ୍ଷତିଗ୍ରସ୍ତ ହୋଇଛି। ୩ ମାସରୁ ଊର୍ଧ୍ବ ସମୟ ବିତି ଯାଇଥିଲେ ମଧ୍ୟ ସେଗୁଡ଼ିକୁ ସଜଡ଼ା ଯାଇପାରିନାହିଁ। ଏଥିପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବାକୁ ଥିବାରୁ ଏନେଇ କୌଣସି ନିଷ୍ପତ୍ତି ନିଆଯାଇ ପାରୁନାହିଁ। ତେଣୁ ଅମାନିଆ ଚାଳକଙ୍କ ଉପରେ ନଜର ରଖିବା ଲାଗି ଏବେ ଡ୍ରୋନ୍‌ କ୍ୟାମେରା ଆସିଛି। ଆଜି ଗୋଟିଏ ଦିନରେ ଡ୍ରୋନ୍‌ କ୍ୟାମେରା ଜରିଆରେ ୨୭ ଗାଡ଼ି ଚାଳକଙ୍କୁ ଠାବ କରାଯାଇଥିବା ବେଳେ ସେମାନଙ୍କଠାରୁ ୧୩ହଜାର ୫୦୦ ଜରିମାନା ଆଦାୟ ହୋଇଛି। ତେବେ ଏହି ଡ୍ରୋନ୍‌ କ୍ୟାମେରା କେଉଁଠୁ ଆସିଲା? ଏହାକୁ ପରିଚାଳନା କରିବା ପାଇଁ ଆବଶ୍ୟକ ଜ୍ଞାନକୌଶଳଧାରୀ କର୍ମଚାରୀ ରହିଛନ୍ତି କି ନାହିଁ? ଏହା ଉଡ଼ିବା ପରେ ଅମାନିଆ ଚାଳକଙ୍କୁ ଆକାଶ ମାର୍ଗରୁ କିଏ ଜଗିବ? ଏ ସବୁ ପ୍ରଶ୍ନ ଏବେ ଅସମାହିତ ହୋଇ ରହିଛି। ଏ ନେଇ ଅତିରିକ୍ତ କମିସନର ସଞ୍ଜୟ ସିଂହ କହିଛନ୍ତି, ନିର୍ଦ୍ଦିଷ୍ଟ ରାସ୍ତା (ଏୟାରପୋର୍ଟରୁ ରବୀନ୍ଦ୍ର ମଣ୍ଡପ)ରେ ଏହି କଟକଣା କରାଯାଇଛି। ଏଠାରେ ପୁଲିସ କର୍ମଚାରୀ ସହ ଡ୍ରୋନ୍‌ ଉଡ଼ି ନଜର ରଖୁଛି। ଚାଳକ ଏହି ବ୍ୟବସ୍ଥାରେ ଅଭ୍ୟସ୍ତ ହେବା ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ସୂଚନା ମୁତାବକ, ସିସିଟିଭି କ୍ୟାମେରା ଗୋଟିଏ ସ୍ଥାନରେ ସ୍ଥିର ରହିଥିବା ବେଳେ ଡ୍ରୋନ୍‌ ଗୋଟିଏ ସମୟରେ ଲମ୍ବା ଜାଗା ଉପରେ ନଜର ରଖିପାରୁଛି। କିନ୍ତୁ ଏହାକୁ ପରିଚାଳନା କରିବା ପାଇଁ ଅଭିଜ୍ଞ ମାନବ ସମ୍ବଳର ଆବଶ୍ୟକତା ରହିଛି। ସେହିପରି ଏହା ଗଛ, ବିଦ୍ୟୁତ୍‌ ତାର କିମ୍ବା ଗଛରେ ବାଡ଼େଇ ହୋଇ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଅଧିକ ରହିଛି। ବର୍ଷା ହେଲେ ଏହାର ପରିଚାଳନା ଅସମ୍ଭବ ହୋଇଥିବା ବେଳେ ଏଥିରେ ରେକର୍ଡ ହେଉଥିବା ଦୃଶ୍ୟ କେବଳ ଅପରେଟର୍‌ ହିଁ ଦେଖିପାରିବ। ନିୟନ୍ତ୍ରଣ କକ୍ଷରେ ଏହାକୁ ପରିଚାଳନା କରିବା ସମ୍ଭବ ହେଉନାହିଁ। ଅପରପକ୍ଷେ ନୂଆ ଟ୍ରାଫିକ୍‌ ନିୟମ ତଥା ଅମା‌ନିଆ ଚାଳକଙ୍କୁ ସାବାଡ଼ କରିବା ପାଇଁ ନୂଆ ନୂଆ କୌଶଳ ବାବଦରେ ଆଜି କେତେକ ଟ୍ରାଫିକ୍‌ କର୍ମଚାରୀଙ୍କୁ ଟିଉସନ୍‌ କରାଯାଇଛି। ନବନିଯୁକ୍ତ ଡିସିପି ସାଗରିକା ନାଥ କର୍ମଚାରୀମାନଙ୍କୁ ଘଣ୍ଟାଏ କାଳ ପଢ଼ାଇଛନ୍ତି।

ସମ୍ବନ୍ଧିତ ଖବର