ଭୁବନେଶ୍ୱରର ଆଉ ୮ ଜାଗାରେ ଟିଭିଡିଏସ୍‌ ସିଷ୍ଟମ୍‌: ଉଲ୍ଲଂଘନକାରୀଙ୍କୁ ଧରିବ ସିସିଟିଭି, ଘରକୁ ଚାଲାଣ ଯିବ

ଭୁବନେଶ୍ୱର : ମୋଟର ଯାନ ଆଇନ ଉଲ୍ଲଂଘନକାରୀଙ୍କ ବାଟ ଓଗାଳିବ ନାହିଁ ପୁଲିସ। ସେମାନଙ୍କୁ ସିସିଟିଭି ଧରିବ। ଘରକୁ ଚାଲାଣ ଯିବ। ଏଭଳି ବ୍ୟବସ୍ଥା ସହରରେ ନୂଆ ନୁହେଁ, ରୂପାଲି ଛକରେ କିଛି ଦିନ ହେବ ଟ୍ରାଫିକ ଉଲ୍ଲଂଘନ ଚିହ୍ନଟ ବ୍ୟବସ୍ଥା(ଟିଭିଡିଏସ) କାର୍ଯ୍ୟକ୍ଷମ ହୋଇଛି। ଆଉ ୮ଟି ସ୍ଥାନରେ ଏଭଳି ବ୍ୟବସ୍ଥା ହେବାକୁ ଯାଉଛି। ଏହାସହିତ ସ୍ୱୟଂଚାଳିତ ନମ୍ବର ପ୍ଲେଟ ରିଡର୍‌ (ଏଏନ୍‌ପିଆର) ମଧ୍ୟ ସ୍ଥାପନ ହେବ। ଏହି ବ୍ୟବସ୍ଥାରେ ଉଲ୍ଲଂଘନକାରୀଙ୍କ ନମ୍ବର ପ୍ଲେଟ୍‌କୁ ଆପଣାଛାଏଁ ଚିହ୍ନଟ କରାଯାଇ ପାରିବ। ଆଜି ସାମ୍ବାଦିକମାନଙ୍କୁ ସୂଚନା ଦେଇ ଭୁବନେଶ୍ୱର ଟ୍ରାଫିକ୍ ଅତିରିକ୍ତ ଡେପୁଟି କମିସନର କିଶୋର କୁମାର ପାଣିଗ୍ରାହୀ ଏହା କହିଛନ୍ତି। ଏଥିପାଇଁ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍ (ବିଏସ୍‌ସିଏଲ୍) ସହ ଆଲୋଚନା ଶେଷ ହୋଇଛି। ଖୁବ୍ ଶୀଘ୍ର ଏହା କାର୍ଯ୍ୟକାରୀ ହେବ।

odishastory.com

ସେ କହିଛନ୍ତି, ସହରରେ ସଂଶୋଧିତ ମୋଟର ଯାନ ଅଧିନିୟମ ଅନୁଯାୟୀ ଜନସାଧାରଣଙ୍କ ସୁରକ୍ଷା ଉପରେ ଧ୍ୟାନ ଦିଆଯାଇଛି। ମଦ୍ୟପ ଚାଳକ, ଦ୍ରୁତ ଗାଡ଼ି ଚାଳନା, ଟ୍ରାଫିକ୍‌ର ବିପରୀତ ଦିଗରେ ଗାଡ଼ି ଚଳାଇବା, ମୋବାଇଲ୍ବ୍ୟ ବହାର କରିବା, ଦୁଇ ଚକିଆ ଯାନରେ ତିନି ବସିବା, ନାବାଳକ ଗାଡ଼ି ଚଳାଇବା, ବେଆଇନ ପାର୍କିଂ, ହେଲମେଟ, ସିଟ୍ ବେଲ୍ଟ, ପ୍ରଭୃତି ଯାଞ୍ଚ କରିବା ପାଇଁ ଆଉ ୮ଟି ଛକରେ ଏହି ଟିଭିଡିଏସ୍‌ ବ୍ୟବସ୍ଥା ବେଶ୍‌ ସହାୟକ ହେବ।

ଶ୍ରୀ ପାଣିଗ୍ରାହୀ ଆହୁରି କହିଛନ୍ତି ଯେ ସହରରେ ଆମ୍ବୁଲାନ୍ସ ଇତ୍ୟାଦି ଜରୁରୀକାଳୀନ ଯାନ ପାଇଁ ଗ୍ରିନ୍‌ କରିଡର୍‌ ପ୍ରସ୍ତୁତ ହେବ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା ହୋଇଛି। ସମସ୍ତ ଜରୁରୀକାଳୀନ ଗାଡ଼ି କୌଣସି ପରିସ୍ଥିତିରେ ବି ଯେପରି ବାଟରେ ଅଟକିବ ନାହିଁ, ତାହା ନିଶ୍ଚିତ କରିବାକୁ ଏହି କରିଡର୍‌ ବ୍ୟବସ୍ଥା କରାଯାଉଛି। ଏଥିପାଇଁ ଏକ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ମେଡିକାଲ ଇମର୍ଜେନ୍‌ସି ଅଫିସର ଆମକୁ ଯୋଗାଯୋଗ କଲେ ତୁରନ୍ତ ଏହି କରିଡର୍‌ ବ୍ୟବସ୍ଥା କରାଯିବ।

ସମ୍ବନ୍ଧିତ ଖବର