ସାବଧାନ! ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ମୋବାଇଲକୁ ଯିବ ଚାଲାଣ: ୫୦ କିମି ବେଗରେ ଗଲେ ୭ ହଜାର ଜରିମାନା

 ପ୍ରଥମ ଥର ଉଲ୍ଲଂଘନ କଲେ ବାତିଲ ହେବ ଲାଇସେନ୍ସ
 ୩ ଥର ବାତିଲ ପରେ ହେବ ସମ୍ପୂର୍ଣ୍ଣ ରଦ୍ଦ
୧୩ ଜାଗାରେ ଜଗିଲା କ୍ୟାମେରା

ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିଲେ ସାବଧାନ! ସିଧା ମୋବାଇଲକୁ ଯିବ ଚାଲାଣ। ବଡ଼ କଥା ହେଲା ଘଣ୍ଟା ପ୍ରତି ୫୦ କିମିରୁ ଅଧିକ ବେଗରେ ଗାଡ଼ି ଯାଉଥିଲେ ୭ ହଜାର ଟଙ୍କା ଜରିମାନା କରାଯିବ। ଲାଇସେନ୍ସ ମଧ୍ୟ ବାତିଲ କରାଯିବ। ଯଦି ତିନିଥର ବାତିଲ ହୁଏ ତା’ହେଲେ ସବୁଦିନ ପାଇଁ ରଦ୍ଦ କରାଯିବ। ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଟ୍ରାଫିକ ପୁଲିସ। ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ୧୩ଟି ସ୍ଥାନରେ କ୍ୟାମେରା ଲଗାଇଥିବା ବେଳେ ଆଇନ ଉଲ୍ଲଂଘନକାରୀ ଆଉ ବର୍ତ୍ତି ପାରିବେନି।

ମିଳିଥିବା ସୂଚନା ଅନୁସାରେ, ଦ୍ରୁତ ଗତି ଓ ମୋବାଇଲ ଫୋନ୍‌ରେ କଥାବାର୍ତ୍ତା ସମୟରେ ଗାଡ଼ି ଚାଳନା ପାଇଁ ଦୁର୍ଘଟଣା ବଢ଼ୁଛି। ଏହା ଚାଳକଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ତେଣୁ ନିୟମ ଉଲ୍ଲଂଘନକାରୀଙ୍କ ପାଇଁ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି। ୧୩ଟି ଛକରେ ଅତ୍ୟାଧୁନିକ ଏଏନପିଆର/ଟିଭିଡିଏସ୍ ସିସିଟିଭି କ୍ୟାମେରା ଖଞ୍ଜା ଯାଇଛି। ସେହି ସବୁ ଛକରେ ଯଦି ଗାଡ଼ିର ବେଗ ୫୦କିମିରୁ ଅଧିକ ହୁଏ, ତା’ହେଲେ ସିସିଟିଭି କ୍ୟାମେରା ଜରିଆରେ ସମ୍ପୃକ୍ତ ଗାଡ଼ି ଚାଳକଙ୍କ ମୋବାଇଲକୁ ଏସଏମ୍‌ଏସ ଯୋଗେ ଚାଲାଣ ପଠାଯିବ। ଜରିମାନା ବାବଦରେ ୭ ହଜାର ଟଙ୍କା ରଖାଯାଇଛି। ଯଦି ସମ୍ପୃକ୍ତ ଗାଡ଼ି ଚାଳକ ତାଙ୍କର ଡ୍ରାଇଭିଂ ଲାଇସେନ୍ସ ଦେଖାଇବେ ତେବେ ଜରିମାନା ରାଶି ୨ ହଜାର ଟଙ୍କାକୁ କମାଇ ଦିଆଯିବ। କିନ୍ତୁ ଡ୍ରାଇଭିଂ ଲାଇସେନ୍ସ ୩ ମାସ ପାଇଁ ବାତିଲ କରାଯିବ। ଏଭଳି ତିନିଥର ବାତିଲ ହେଲେ, ଚତୁର୍ଥ ଥର ବେଳକୁ ଡ୍ରାଇଭିଂ ଲାଇସେନ୍ସ ସବୁଦିନ ପାଇଁ ରଦ୍ଦ କରାଯିବ ବୋଲି କୁହାଯାଇଛି।

କ୍ୟାମେରା ଖଞ୍ଜା ଯାଇଥିବା ଟ୍ରାଫିକ ପୋଷ୍ଟ
ପଟିଆ
ପାଓ୍ୱାର ହାଉସ୍
କଳିଙ୍ଗ ଷ୍ଟାଡିୟମ୍‌
କ୍ୟାପିଟାଲ ହସ୍ପିଟାଲ
କିଟ୍ ଛକ
କିଟ୍ କ୍ୟାମ୍ପସ ନମ୍ବର-୩
ଶିଶୁଭବନ ଛକ
ବାଣୀବିହାରଠାରୁ ଶିଶୁଭବନ
କ୍ୟାପିଟାଲ ଛକ
ଶାସ୍ତ୍ରୀନଗର ଛକ
ରାଜମହଲ ଛକ
ଟ୍ରାଇଡେଣ୍ଟ ହୋଟେଲ
ନାକାଗେଟ୍

ସମ୍ବନ୍ଧିତ ଖବର