ଆଉ ଫାଙ୍କି ପାରିବେନି ଟ୍ରାଫିକ ଆଇନ ଉଲ୍ଲଂଘନକାରୀ

୧୫ ଦିନ ଭିତରେ ଜରିମାନା ଦାଖଲ ନ କଲେ ଯିବ କୋର୍ଟ ସମନ୍‌

କୋର୍ଟରେ ହାଜର ନହେଲେ ଜାରି ହେବ ୱାରେଣ୍ଟ୍‌
୨୦ ଉଲ୍ଲଂଘନକାରୀଙ୍କ ମାମଲା ଗଲା ଏସଡିଜେଏମ୍ କୋର୍ଟ

ଭୁବନେଶ୍ବର : ଜରିମାନା ନୋଟିସକୁ ଆଉ ଫାଙ୍କି ପାରିବେନି ଟ୍ରାଫିକ ଆଇନ ଉଲ୍ଲଂଘନକାରୀ। ୧୫ ଦିନ ଭିତରେ ଜରିମାନା ଅର୍ଥ ଦାଖଲ ନ କଲେ ଉଲ୍ଲଂଘନକାରୀଙ୍କ ପାଖକୁ କୋର୍ଟରୁ ସିଧାସଳଖ ଯିବ ସମନ୍। ସେହି ସମନ୍ ଆଧାରରେ ଜରିମାନା ଆଦାୟ ହେବ। ଯଦି କେହି ଖିଲାପ କଲେ ତାହେଲେ କୋର୍ଟରୁ ଓ୍ଵାରେଣ୍ଟ ପଠାଯିବ। ଟ୍ରାଫିକ୍ ଆଇନ ଉଲ୍ଲଂଘନ କରିଥିବା ହଜାର ହଜାର ସଂଖ୍ୟାର ଚାଲାଣରୁ ଜରିମାନା ଆଦାୟ ହୋଇ ନ ପାରି ପଡ଼ି ରହିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଆଜି ଭୁବନେଶ୍ବର ଏସ୍‌ଡିଜେଏମ୍‌ଙ୍କ କୋର୍ଟକୁ ୨୦ ଜଣ ଟ୍ରାଫିକ୍ ଉଲ୍ଲଂଘନାକାରୀଙ୍କ ଫାଇଲ ପଠାଯାଇଥିବା ଜଣାପଡ଼ିଛି। ଏହି ବ୍ୟବସ୍ଥା ନୂତନ ଭାବେ ହୋଇଥିବାରୁ ଏବେ ସିଧାସଳଖ କୋର୍ଟରେ ଫାଇଲ ଦାଖଲ ହେଉଛି। କିନ୍ତୁ ଆଗକୁ ଅନଲାଇନ୍ ଯୋଗେ ପଠାଯିବ। ଇ-କୋର୍ଟ ସହ ଟ୍ରାଫିକର ସଂଯୋଗ କରାଯିବ। ଅନଲାଇନ୍ ଯୋଗେ କୋର୍ଟକୁ ଆଇନ ଉଲ୍ଲଂଘନକାରୀଙ୍କ ମାମଲା ପଠାଯିବ।

ମିଳିଥିବା ସୂଚନା ଅନୁସାରେ, ଇ-ଚାଲାଣ ବ୍ୟବସ୍ଥା ଲାଗୁ ହେବା ପରେ ଟ୍ରାଫିକ ପୁଲିସ ପକ୍ଷରୁ ଗାଡ଼ି ଯାଞ୍ଚ ହେଉଥିବା ଘଟଣାସ୍ଥଳରୁ ଆଇନ ଉଲ୍ଲଂଘନକାରୀଙ୍କ ମୋବାଇଲ ଫୋନକୁ ସିଧାସଳଖ ମେସେଜ୍ ଯାଉଥିଲା। ସେହିପରି କେତେକଙ୍କୁ ଘଟଣାସ୍ଥଳରେ ଚାଲାଣ କଟାଯାଇ ଦିଆ ଯାଉଥିଲା ଏବଂ ୧୫ ଦିନ ଭିତରେ ଜରିମାନା ଦାଖଲ କରିବା ପାଇଁ କୁହା ଯାଉଥିଲା। କିନ୍ତୁ ହଜାର ହଜାର ସଂଖ୍ୟାର ଆଇନ ଉଲ୍ଲଂଘନକାରୀ ଏହାକୁ ଫାଙ୍କି ଦେଉଥିଲେ। ଜରିମାନା ନ ଦେଲେ ସେମାନଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବାର ବ୍ୟବସ୍ଥା ନ ଥିଲା। କେବଳ ଗାଡ଼ି କିଣାବିକା, କାଗଜପତ୍ର ଯାଞ୍ଚ ଓ ଅନ୍ୟ ସମୟରେ ଆଇନ ଉଲ୍ଲଂଘନ କରି ଧରାପଡ଼ିଲେ ପୁରୁଣା ରେକର୍ଡ ଦେଖା ଯାଉଥିଲା। କିନ୍ତୁ ଏବେ ଯେମିତି ଆଇନ ଉଲ୍ଲଂଘନକାରୀ ଆଉ ଖସିପାରିବେ ନାହିଁ, ସେଥିପାଇଁ ଏଭଳି ବ୍ୟବସ୍ଥା କରାଯାଇଛି।

୭୦% ଫାଙ୍କୁଛନ୍ତି
ସେପ୍ଟେମ୍ବରରୁ ଜେଏମଏଫସି, ଟ୍ରାନ୍ସପୋର୍ଟକୁ ଯିବ ମାମଲା
ଜରିମାନା ଦେଉ ନ ଥିବା ଆଇନ ଉଲ୍ଲଂଘନକାରୀଙ୍କ ମାମଲା ଏବେ ଏସଡିଜେଏମ୍‌ କୋର୍ଟକୁ ପଠାଯାଉଛି। କିନ୍ତୁ ସେପ୍ଟେମ୍ବର ମାସ ଠାରୁ କଟକ ଭୁବନେଶ୍ବର ଟୁଇନ୍ ସିଟିର ଆଇନ ଉଲ୍ଲଂଘନକାରୀଙ୍କ ମାମଲା କଟକସ୍ଥିତ ସ୍ବତନ୍ତ୍ର ଭାବେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍(ଜେଏମ୍ଏଫସି), ଟ୍ରାନ୍ସପୋର୍ଟକୁ ପଠାଯିବ। ସେଠାରୁ ଉଲ୍ଲଂଘନକାରୀଙ୍କୁ ସମନ୍ ପଠାଯିବା ସହ ମାମଲାର ବିଚାର କରାଯିବ ବୋଲି ଜଣାପଡ଼ିଛି।

ଅନାଦାୟ ହୋଇ ପଡ଼ିଛି ୯ କୋଟି ଜରିମାନା
ଯେତିକି ଚାଲାଣ କଟାଯାଉଛି ସେଥିରୁ ପ୍ରାୟ ୭୦ ପ୍ରତିଶତ ଉଲ୍ଲଂଘନକାରୀ ଜରିମାନା ଫାଙ୍କି ଦେଉଥିବା ଜଣାପଡ଼ିଛି। ୨୦୨୦ରେ ୧ ଲକ୍ଷ ୨୨ ହଜାର ଚାଲାଣ କଟା ଯାଇଥିଲା। ସେଥିରୁ ୮୪ ହଜାରରୁ ଅଧିକ ଜରିମାନା ନ ଦେଇ ଫାଙ୍କି ଦେଇଥିଲେ। ସେହିପରି ଚଳିତବର୍ଷ ମଧ୍ୟ ସେହି ଅନୁପାତରେ ଜରିମାନାକୁ ଫାଙ୍କି ଚାଲିଥିବା ଜଣାପଡ଼ିଛି। ନିର୍ଦ୍ଦିଷ୍ଟ ସଂଖ୍ୟା ଜଣା ପଡ଼ି ନ ଥିଲେ ମଧ୍ୟ ପ୍ରାୟ ୮୦ ହଜାରରୁ ୧ ଲକ୍ଷ ଆଇନ ଉଲ୍ଲଂଘନକାରୀ ଜରିମାନା ଫାଙ୍କି ଦେଇଥିବା ଅନୁମାନ କରାଯାଉଛି। ଏହିଭଳି ଭାବେ ଜୁଲାଇ ସୁଦ୍ଧା ୯ କୋଟି ଟଙ୍କାର ଜରିମାନା ଆଦାୟ ହୋଇ ପାରିନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର