ଭୁବନେଶ୍ବର : ରାଜଧାନୀର ପ୍ରମୁଖ ରାସ୍ତା, ମାର୍କେଟ୍‌‌‌ରେ ଏମିତି ଲୋକଙ୍କ ହାଉଯାଉ ଦେଖିବାକୁ ମିଳିଥିଲା। ଓଡ଼ିଶାର ଗଣପର୍ବ ରଜ ପାଇଁ ସରକାର ଆଜି ରାତ୍ରିକାଳୀନ କର୍ଫ୍ୟୁକୁ ସାମାନ୍ୟ କୋହଳ କରାଯାଇଥିବାରୁ ଲୋକେ ସବୁ କିଛି ଭୁଲି ଯାଇଥିଲେ। ଏତେ ସଂଖ୍ୟକ ଲୋକଙ୍କୁ ସମ୍ଭାଳିବା ପାଇଁ ପୁଲିସ ଓ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ନାକେଦମ୍‌ ହେବାକୁ ପଡ଼ିଥିଲା। ସ୍ଥିତି ଅସମ୍ଭାଳ ହେବାରୁ ବିଏମସି ଓ ପୁଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ। କିନ୍ତୁ ସେତେବେଳକୁ ସବୁ ଅଣାୟତ୍ତ ହୋଇସାରିଥିଲା। ଟ୍ରାଫିକ୍‌ ପୋଷ୍ଟ ଓ ପ୍ରମୁଖ ବଜାରଗୁଡ଼ିକରେ ଏତେ ଭିଡ଼ ହୋଇଥିଲା ଯେ ପୁଲିସକୁ ସ୍ଥିତି ନିୟନ୍ତ୍ରଣ କରିବା କଷ୍ଟକର ହୋଇ ପଡ଼ିଥିଲା। ଗୋଟିଏ ଗୋଟିଏ ରାସ୍ତାରେ ଦୀର୍ଘ ସମୟ ଧରି ଭିଡ଼ ଲାଗି ରହିଥିଲା। ସବୁ ସ୍ତରରେ ସମସ୍ତେ ନିୟମ ଉଲ୍ଲଂଘନ କରି ଚାଲିଥିଲେ। ନା ଲୋକ ସଚେତନ ହୋଇଥିଲେ ନା ଦୋକାନୀ। କରୋନାକୁ ହାତ ଠାରି ଡାକିବା ଛଡ଼ା ଆଉ କିଛି ବାଟ ନ ଥିଲା ବୋଲି ଲୋକଙ୍କ ଭିତରେ ଆଲୋଚନା ଚାଲିଥିଲା।

Advertisment

ଟିକେବିଷ ଦେଇଦିଅ
ରଜ ପୂର୍ବରୁ ଦିନକ ପାଇଁ ରାତି ୧୦ଟା ପର୍ଯ୍ୟନ୍ତ ଦୋକାନ ଖୋଲାରହିବ ବୋଲି ଘୋଷଣା କରାଯିବା ପରେ ବ୍ୟବସାୟୀମାନେ ଉତ୍ସାହିତ ହୋଇ ପଡ଼ିଥିଲେ। ରାତି ନ ପାହୁଣୁ ଆଜି ଦୋକାନ ବଜାର ଖୋଲି ବ୍ୟବସାୟ କରିବା ପାଇଁ ପ୍ରସ୍ତୁତ ହୋଇଥିଲେ। ତିନି ମାସ ହେଲା ଲକ୍‌ଡାଉନ ଯୋଗୁଁ ଦୋକାନ ବଜାର ସବୁ ବନ୍ଦ ରହିଛି। ତେ‌ଣୁ ରଜ ପୂର୍ବରୁ ମିଳିଥିବା ସୁଯୋଗର ଫାଇଦା ନେବାକୁ ଲାଗିପଡ଼ିଥିଲେ। କରୋନା ସଂକ୍ରମଣ କଥାକୁ ସମ୍ପୂର୍ଣ୍ଣ ଭା‌ବେ ଭୁଲି ଯାଇଥିଲେ ବ୍ୟବସାୟୀ ଓ ଗ୍ରାହକ। ପୂର୍ବାହ୍ନରେ ଅସମ୍ଭାଳ ଭିଡ଼ ହେବାରୁ ବିଏମ୍‌ସି ପକ୍ଷରୁ ପ୍ରଥମେ ୟୁନିଟ୍‌-୨ ମାର୍କେଟ୍‌ ବିଲଡିଂକୁ ସିଲ୍‌ କରାଯାଇଥିଲା। ତେବେ ଏହାକୁ ସହଜରେ ଗ୍ରହଣ କରି ପାରି ନ ଥିଲେ କିଛି ବ୍ୟବସାୟୀ। ମାର୍କେଟ ବିଲ୍ଡିଂ ସିଲ୍ ହେବା ପରେ ଜଣେ ବ୍ୟବସାୟୀ କହି ପକାଇଥିଲେ ‌ମୋତେ ଟିକେ ବିଷ ଦେଇ ଦିଅନ୍ତୁ। ଏଭଳି କ୍ଷତି ସହି ପାରିବି ନାହିଁ।