ରାସ୍ତା ମଝିରେ ଖରାପ ହୋଇଗଲା ଚାରି ଗାଡ଼ି : ଜାତୀୟ ରାଜପଥ ୪ ଘଣ୍ଟା ଜାମ୍, ଭିଡ଼ ଭିତ‌ରେ ଲୋକେ ଅଣନିଶ୍ବାସୀ

ଭୁବନେଶ୍ବର : ରାତି ପାହିଲେ ସ୍ବାଧୀନତା ଦିବସ। ଏଥିପାଇଁ କମିସନରେଟ୍‌ ପୁଲିସ୍ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଆଜି ସଂଧ୍ୟାରେ ଜାତୀୟ ରାଜପଥ ଜାମ୍ ପୁଲିସର ଚିନ୍ତା ବଢ଼ାଇ ଦେଇଥିଲା। ଗୋଟିଏ ପରେ ଗୋଟିଏ, ଏମିତି ୪ଟି ଗାଡ଼ି ରାସ୍ତା ମଝିରେ ଖରାପ ହୋଇଯିବାରୁ ଭୁବନେଶ୍ବର-କଟକ ଜାତୀୟ ରାଜପଥ ୪ଘଣ୍ଟା ଅଚଳ ହୋଇପଡ଼ିଥିଲା। ଏଥିପାଇଁ ଟ୍ରାଫିକ୍ ପୁଲିସକୁ ନାକେଦମ୍ ହେବାକୁ ପଡ଼ିଥିଲା। ମାତ୍ର ୫କିଲୋମିଟର ରାସ୍ତା ପାର୍‌ ହେବାକୁ ଘଣ୍ଟାକରୁ ଊର୍ଧ୍ବ ସମୟ ଲାଗି ଯାଇଥିଲା। ଭିଡ଼ ଏପରି ହୋଇଥିଲା ଯେ ଲୋକ ଅଣନିଶ୍ବାସୀ ହୋଇ ପଡ଼ିଥିଲେ। ଆମ୍ବୁଲାନ୍ସ ମଧ୍ୟ ଜାମ୍ ଭିତରେ ଫସି ଯାଇଥିଲା। ଟ୍ରାଫିକ୍‌ ପୁଲିସର ଅକ୍ଳାନ୍ତ ପରିଶ୍ରମ ପରେ ରାତି ୯ଟାରେ ସ୍ଥିତି ସ୍ବାଭାବିକ ହୋଇଥିଲା।

ପୂରା ଘଟଣା ଥିଲା ଏମିତି; ଖୋର୍ଧାରୁ କଟକ ଅଭିମୁଖେ ଯାଉଥିବା ଏକ ଟ୍ରକ୍ ପଳାଶୁଣୀ ନିକଟରେ ଅପରାହ୍‌ଣ ପ୍ରାୟ ୫ଟାରେ ରାସ୍ତା ଉପରେ ହଠାତ୍ ଖରାପ ହୋଇଯାଇଥିଲା। ରାସ୍ତା ମଝିରେ ଗାଡ଼ିଟି ରହିଯିବାରୁ ଧୀରେଧୀରେ ଟ୍ରାଫିକ ଜାମ୍ ଆରମ୍ଭ ହୋଇଥିଲା। ଏହି ସମସ୍ୟା ସମାଧାନ ନ ହେଉଣୁ ସପ୍ତସତୀ ମନ୍ଦିର ନିକଟରେ ଆଉ ଗୋଟିଏ କାର ରାସ୍ତା ମଝିରେ ଅଟକି ଯାଇଥିଲା। ସେହିପରି ରସୁଲଗଡ଼ ନିକଟରେ ଗୋଟିଏ ଗାଡ଼ି ସମାନ ଢ଼ଙ୍ଗରେ ରାସ୍ତା ମଝିରେ ଖରାପ ହୋଇଯାଇଥିଲା। ଜୟଦେବ ବିହାର ଓଭରବ୍ରିଜ୍‌‌ରେ ମଧ୍ୟ ଗୋଟିଏ ଗାଡ଼ି ଅଚଳ ହୋଇ ପଡ଼ିଥିଲା। କିଛି ସମୟ ବ୍ୟବଧାନରେ ୪ଟି ଗାଡ଼ି ଜାତୀୟ ରାଜପଥରେ ଅଟକି ରହିବାରୁ ରାସ୍ତା ଜାମ୍ ହୋଇ ଯାଇଥିଲା। ଏପରିକି ବରମୁଣ୍ଡାରୁ ଫ୍ଲାଏ ଓଭରବ୍ରିଜ୍ ଉପରେ ଅସମ୍ଭାଳ ଭିଡ଼ ହୋଇଥିଲା। ଖୋର୍ଦ୍ଧା ପିତାପଲ୍ଲୀ ନିକଟରୁ କିଛି ଗାଡ଼ିକୁ ଡାଇଭରସନ୍ କରାଯାଇଥିଲା। ସେହିପରି ସାଂଘାତିକ ଜାମ୍ ହେବାରୁ ଫ୍ଲାଏ ଓଭର୍‌ରେ ଗାଡ଼ି ଚଳାଚଳ ବନ୍ଦ କରି ଦିଆଯାଇଥିଲା। ତଳେ ଗାଡ଼ି ଛଡା ଯାଇଥିଲେ ମଧ୍ୟ ପରିସ୍ଥିତି ଅସମ୍ଭାଳ ହୋଇପଡ଼ିଥିଲା। ଟ୍ରାଫିକ୍‌ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି କ୍ରେନ୍ ସାହାଯ୍ୟରେ ଖରାପ ହୋଇଥିବା ଗାଡ଼ି ହଟାଇବା ଆରମ୍ଭ କରିଥିଲା। ଅପରାହ୍‌ଣ ୫ଟାରୁ ଆରମ୍ଭ ହୋଇଥିବା ଅପରେସନ୍ ରାତି ୯ଟାରେ ଶେଷ ହୋଇଥିଲା। କିନ୍ତୁ ଏହି ୪ ଘଣ୍ଟା ଧରି ସୃଷ୍ଟି ହୋଇଥିବା ଟ୍ରାଫିକ ଜାମରେ ଫସି ରହିଥିବା ଲୋକ ଏହାକୁ ଯମ ଯନ୍ତ୍ରଣା ବୋଲି କହିଥିଲେ।

ସମ୍ବନ୍ଧିତ ଖବର