କାହାର କାହା ସହ ସମନ୍ବୟ ନାହିଁ : କେମିତି ଟ୍ରାଫିକ ପରିଚାଳନା କରିବ ଚିନ୍ତାରେ ପୁଲିସ

୬ରେ ବିଭିନ୍ନ ବିଭାଗକୁ ନେଇ ବସିବ ସମନ୍ବୟ ବୈଠକ

ଭୁବନେଶ୍ବର : ବିଏମ୍‌ସି ରାଜସ୍ବ ପାଇଁ ଯେଉଁଠି ପାରୁଛି ସେଠି ପାର୍କିଂ ପାଇଁ ଟେଣ୍ଡର ଡାକି ଦେଉଛି। କେଉଁ ଅଞ୍ଚଳରେ କେମିତି କୋଠା ନିର୍ମାଣ ହେଲେ ପାର୍କିଂ ସମସ୍ୟା ରହିବ ନାହିଁ ତାକୁ ନ ଦେଖି ନ ବୁଝି ବିଏମ୍‌ସି ଓ ବିଡିଏ ବିଲ୍ଡିଂ ପ୍ଲାନ୍‌ ମଞ୍ଜୁର କରିଦେଉଛନ୍ତି। ରାସ୍ତାରେ କେଉଁଠି ଜେବ୍ରା କ୍ରସିଂ ରହିବ, କେଉଁଠି ଲେନ୍‌ ଚିହ୍ନ ରହିବ ତାହା ଇଞ୍ଜିନିୟରଙ୍କ ବଦଳରେ ପୂର୍ତ୍ତ ବିଭାଗ ଅଧୀନରେ କାମ କରୁଥିବା ଠିକାଦାର ନିଷ୍ପତ୍ତି ନେଉଛନ୍ତି। କେତେବେଳେ ପାଣି ପାଇପ୍ ବିଛାଇବାକୁ ଜନସ୍ବାସ୍ଥ୍ୟ ବିଭାଗ ରାସ୍ତା ଖୋଳି ପକାଉଛି ତ କେତେବେଳେ ସ୍ବେରେଜ୍ ଲାଇନ୍ ବିଛାଇବା ପାଇଁ ସ୍ବେରେଜ୍ ବୋର୍ଡ ରାସ୍ତା ଏମୁଣ୍ଡରୁ ସେମୁଣ୍ଡ ଖୋଳି ଦେଉଛି। କେବୁଲ୍‌ ବିଛାଇବା ପାଇଁ ବିଏସ୍‌ସିଏଲ୍‌ ଏବଂ ବିଦ୍ୟୁତ ତାର ବିଛାଇବା ପାଇଁ ଓପିଟିସିଏଲ୍‌ ବି ରାସ୍ତା ଖୋଳି ମାସମାସ ପକାଇ ଦେଉଛନ୍ତି।

କୌଣସି ବିଭାଗ ଭିତରେ ସମନ୍ବୟ ନାହିଁ। ଯିଏ ଯେଝା ଇଚ୍ଛାରେ କାମ କରୁଛନ୍ତି। ଟ୍ରାଫିକ ବ୍ୟବସ୍ଥା ଯେତେବେଳେ ଭୁଶୁଡ଼ି ପଡ଼ୁଛି, ଯେତେବେଳେ ସ୍ଥିତି ଅସମ୍ଭାଳ ହେଉଛି ସେ‌େ‌ତବେଳେ କମିସନରେଟ୍‌ ପୁଲିସ ଉପରେ ଆଙ୍ଗୁଠି ଉଠୁଛି। ତେଣୁ ଏଣିକି ରାଜଧାନୀରେ ଯାହା ବି ନିର୍ମାଣ କାର୍ଯ୍ୟ ହେବ ସବୁଠି କମିସନରେଟ୍‌ ପୁଲିସର ମତାମତ ନିଆଯିବ। କମିସନରେଟ୍‌ ପୁଲିସର ବିନା ଏନ୍‌ଓସିରେ କୌଣସି କାର୍ଯ୍ୟ କରିବାକୁ ଅନୁମତି ନଦେବାକୁ କମିସନରେଟ୍‌ ପୁଲିସ ଯୋଜନା କରୁଛି। ଏଥିପାଇଁ ଆସନ୍ତା ୬ତାରିଖରେ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଏକ ସମନ୍ବୟ ବୈଠକ ଡାକିଛନ୍ତି।

ଏହି ବୈଠକରେ ବିଏମ୍‌ସି, ପୂର୍ତ୍ତ, ଆରଟିଓ, ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌, ୱାଟ୍‌କୋ, ଓପିଟିସିଏଲ୍‌, ସ୍ବେରେଜ୍‌ବୋର୍ଡ, ଏନ୍‌ଏଚ୍‌ଏଆଇର ଅଧିକାରୀମାନେ ଯୋଗ ଦେବାକୁ କୁହାଯାଇଛି। ଟ୍ରାଫିକ୍‌ ପରିଚାଳନାରେ ଏମାନଙ୍କର କ’ଣ ଭୂମିକା ରହିଛି, କ’ଣ କରିବାକୁ ହେବ ସେନେଇ ଅବଗତ କରାଯିବ।

ବିଏମ୍‌ସି: କମିସନରେଟ୍ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ବିଏମ୍‌ସିର ତ୍ରୁଟି ପାଇଁ ଅନେକ ସମୟରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ରାଜସ୍ବ ବୃଦ୍ଧି ପାଇଁ ବିଏମ୍‌ସି କର୍ତ୍ତୃପକ୍ଷ ମନଇଚ୍ଛା ରାସ୍ତା ଉପରେ ବି ପାର୍କିଂ ସ୍ଥଳ ଆବଣ୍ଟନ କରିଦେଉଛନ୍ତି। ଅନେକ ସମୟରେ ଏହି ପାର୍କିଂ ଆବଣ୍ଟନ ବାବଦରେ ପୁଲିସ ମଧ୍ୟ ଜାଣିପାରୁନି। ଯଦି କିଛି ସମସ୍ୟା ହେଉଛି ଏବଂ ପୁଲିସ ନିର୍ଦ୍ଦିଷ୍ଟ ସ୍ଥାନରେ ପାର୍କିଂ ବନ୍ଦ କରିବାକୁ କହୁଛି ତେବେ ବିଏମ୍‌ସି କର୍ତ୍ତୃପକ୍ଷ କହୁଛନ୍ତି ନିଲାମ ଅବଧି ନସରିଲେ ପାର୍କିଂ ବନ୍ଦ କରିହେବନି। ଆଉ ଯେତେବେଳେ ଅବଧି ସରୁଛି, ତା’ପରେ ପୁଣି ନିଲାମ ଡକାଯାଉଛି।

କେବଳ ଏତିକି ନୁହେଁ ଅନେକ ଜାଗା‌ରେ ଭେଣ୍ଡିଂ ଜୋନ୍ ବିନା ପ୍ଲାନିଂରେ ନିର୍ମାଣ କରାଯାଉଥିବାରୁ ସମସ୍ୟା ହେଉଛି। ସେହିଭଳି ରାସ୍ତାରେ ମାଳ ମାଳ ଷଣ୍ଢ ଓ ଗୋରୁ ବୁଲୁଛନ୍ତି। ଯେଉଁଥିପାଇଁ ଅନେକ ସମୟରେ ଦୁର୍ଘଟଣା ହେଉଛି। ବଡ଼ବଡ଼ିଆଙ୍କ ଗାଡ଼ି ସାମ୍ନାକୁ ଷଣ୍ଢ ଆସିଗଲେ ଟ୍ରାଫିକ୍‌ ପୁଲିସ ନିଲମ୍ବିତ ହେଉଛି, କିନ୍ତୁ ଷଣ୍ଢକୁ ହଟାଇବା ଦାୟିତ୍ବ ଯାହାର ସିଏ ଆରାମରେ ବୁଲୁଛନ୍ତି।

ପୂର୍ତ୍ତ: ପୂର୍ତ୍ତ ବିଭାଗ ବି ଟ୍ରାଫିକ ବ୍ୟବସ୍ଥା ଉଜୁଡ଼ିବା ପାଇଁ ଦାୟୀ। ରାଜଧାନୀର ପ୍ରମୁଖ ରାସ୍ତାଘାଟ ନିର୍ମାଣ ଓ ମରାମତି ଦାୟିତ୍ବ ପୂର୍ତ୍ତ ବିଭାଗର। ରାସ୍ତାର କେଉଁଠି କିଭଳି ଲେନ୍‌ ଚିହ୍ନିତ ହେବ, କେଉଁଠି କିଭଳି ଚିହ୍ନ ରହିବ, ପାର୍କିଂ ପାଇଁ କେଉଁ ରଙ୍ଗ ରହିବ, ପଥଚାରୀଙ୍କ ପାଇଁ ଟ୍ରାଫିକ୍‌ ସିଗ୍‌ନାଲକୁ ଅପେକ୍ଷା କରିବାକୁ ସ୍ଥାନ ଚିହ୍ନଟ କରିବା ପ୍ରଭୃତି ଅନେକ ବ୍ୟବସ୍ଥା ଏହି ରାସ୍ତା ଉପରେ ରହିବା ଦରକାର। କିନ୍ତୁ ଏସବୁ ଅବ୍ୟବସ୍ଥିତ ହୋଇ ଥିବାରୁ ଟ୍ରାଫିକ୍‌ ସମ୍ଭାଳିବା କଷ୍ଟକର ହେଉଛି। କେ‌ତେକ ଜାଗାରେ ଏକାଧିକ ଜେବ୍ରା କ୍ରସିଂ ଥିବାରୁ ଚାଳକ ଓ ପୁଲିସ ସମ‌େସ୍ତ ଦ୍ବନ୍ଦ୍ବରେ ପଡ଼ୁଛନ୍ତି।

ଜାତୀୟ ରାଜପଥ କର୍ତ୍ତୃପକ୍ଷ: ଭୁବନେଶ୍ବର ସହର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥର ନିର୍ମାଣ ଓ ମରାମତି ଦା‌ୟିତ୍ବ ଜା‌ତୀୟ ରାଜପଥ କର୍ତ୍ତୃପକ୍ଷଙ୍କର। ଜାତୀୟ ରାଜପଥରେ ଦୁର୍ଘଟଣା ବଢ଼ୁଥିବାରୁ ବ୍ଲାକ ସ୍ପଟ୍‌ ଚିହ୍ନଟ ସହ ଏହାର ସମାଧାନ କରିବା ଦାୟିତ୍ବ ବି ଜା‌ତୀୟ ରାଜପଥ କର୍ତ୍ତୃପକ୍ଷଙ୍କର। ନିକଟରେ ଏନ୍‌ଏଚ୍‌-୧୬ରେ କେତେକ ବ୍ଲାକ୍‌ ସ୍ପଟ ଚିହ୍ନଟ ହୋଇଥିଲା। ଏନ୍‌ଏଚ୍‌ଏଆଇ ଏନେଇ ନୋଟିଫିକେସନ କରିବା ପାଇଁ ପୂର୍ବତନ କମିସନରଙ୍କ ଅଧ୍ୟକ୍ଷତାରେ ବସିଥିବା ‌ବୈଠକରେ ନିଷ୍ପତ୍ତି ହୋଇଥିଲା। ହେଲେ କିଛି ପଦକ୍ଷେପ ନିଆଯାଇ ନାହିଁ।

ଆର୍‌ଟିଓ: ସଡ଼କ ସୁରକ୍ଷାକୁ ନେଇ ସଡ଼କ ପରିବହନ ସଂସ୍ଥାର ଦାୟିତ୍ବ ଥିବା ବେଳେ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସର ସହଯୋଗ ରହିଛି। କିନ୍ତୁ ସମନ୍ବୟ ଅଭାବରୁ ସଡ଼କ ନିରାପତ୍ତାକୁ ନେଇ ପୂର୍ବରୁ ନିଆଯାଇଥିବା ଅନେକ ପଦକ୍ଷେପ ଫେଲ ମାରିଛି। ସେଥିପାଇଁ ଆରଟିଓମାନଙ୍କୁ ଏହି ବୈଠକକୁ ଡକାଯାଇଛି।

ସମ୍ବନ୍ଧିତ ଖବର