ଭୁବନେଶ୍ବର : ରାଜଧାନୀ ରାଜରାସ୍ତାର ଟ୍ରାଫିକ୍‌ରେ ଅଟକିବନି ଆମ୍ବୁଲାନ୍ସ। ଛକଗୁଡ଼ିକରେ ଆମ୍ବୁଲାନ୍ସ ପାଇଁ ସ୍ବତନ୍ତ୍ର କରିଡର୍‌ କରାଯିବ। ଯେତେ ଭିଡ଼ ଥିଲେ ମଧ୍ୟ ଆମ୍ବୁଲାନ୍ସ ଅଟକିବ ନାହିଁ କି ଟ୍ରାଫିକ୍‌ରେ ଫସିବନି। ରୋଗୀ ସୁରକ୍ଷିତ ଭାବେ ମେଡିକାଲରେ ପହଞ୍ଚିବେ। ୨୦୧୫ ସେପ୍ଟେମ୍ବର ୨୦ତାରିଖ‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀବାସୀଙ୍କ ମଧ୍ୟ‌ରେ ଏଭଳି ନୀଳ-ନକ୍ସା ଆଙ୍କିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ଇତି ମଧ୍ୟରେ ୪ବର୍ଷ ଛୁଇଁବାକୁ ବସିଲାଣି। କିନ୍ତୁ ଘୋଷଣାର କାଣିଚାଏଁ ବି ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନି। ଭୁବନେଶ୍ବର ସହରର ଗୋଟିଏ ବି ଛକରେ ଏପର୍ଯ୍ୟନ୍ତ ଆମ୍ବୁଲାନ୍ସ ଲାଗି କରିଡର୍‌ ହୋଇପାରି ନାହିଁ। ଯେଉଁଥିପାଇଁ ପ୍ରତିଦିନ ରୋଗୀଙ୍କ ଜୀବନ ବିପଦମୁହଁକୁ ଠେଲି ହୋଇଯାଉଛି। ଟ୍ରାଫିକ୍‌ ସମସ୍ୟା ଏମିତି ହେଉଛି ଯେ ପ୍ରତିଦିନ ‌ରାଜଧାନୀ ରାସ୍ତା‌ରେ ଶତାଧିକ ଆମ୍ବୁଲାନ୍ସ ଟ୍ରାଫିକ୍‌ରେ ଅଟକି ରହୁଛି। ରୋଗୀଙ୍କ ଜୀବନ ମଧ୍ୟ ଯାଉଛି। ଯାହାର ଭାଗ୍ୟ ଭଲ, ସେ ଆମ୍ବୁଲାନ୍ସରେ ମେଡିକାଲରେ ପହଞ୍ଚୁଛି।

Advertisment

ଆଜି ପୁଣି ଏଭଳି ଏକ ଅଭାବନୀୟ ଘଟଣା ନଜରକୁ ଆସିଛି। ୧୦କି ୧୫ମିନିଟ୍ ନୁହେଁ ୩୫ମିନିଟ୍ କାଳ ଟ୍ରାଫିକ୍‌ରେ ଫସି ରହିଲା ଆମ୍ବୁଲାନ୍ସ। ଆଗକୁ ଯାଇ ପାରିଲାନି କି ପଛକୁ ଫେରିଲାନି। ଆମ୍ବୁଲାନ୍ସକୁ ଚାରିପଟୁ ଘେରି ରହିଥିଲା ବାଇକ୍‌, ଅଟୋ, କାର, ମୋ‌ ବସ୍‌। ଏଥିରେ ଜଣେ ରୋଗୀ କିମସ୍ ମେଡ଼ିକାଲରୁ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର ହେଉଥିଲେ। ଟ୍ରାଫିକ୍ ଭିଡ଼ ଯୋଗୁଁ ଆମ୍ବୁଲାନ୍ସଟି କିଟ୍‌ ଛକ ଟ୍ରାଫିକ୍‌ରେ ଅଟକି ରହିଯାଇଥିଲା। ଏଥିରେ ମହିଳା ରୋଗୀଜଣଙ୍କ ଯନ୍ତ୍ରଣା ଭୋଗୁଥିବା ବେଳେ ନିକଟସ୍ଥ ଫାଣ୍ଡି ପୁଲିସ ଓ ସ୍ଥାନୀୟ ଶିକ୍ଷାନୁଷ୍ଠାନର ସୁରକ୍ଷା ବଳ ଟ୍ରାଫିକ୍ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲେ। ଆମ୍ବୁଲାନ୍ସ ଯାଉଥିଲେ ମଧ୍ୟ ଅନ୍ୟ ଗାଡ଼ି ଚାଳକମାନେ ତାହାକୁ ଖାତିର୍‌ କରି ନଥିଲେ। ନିୟମ ନମାନି ଗାଡ଼ି ଚାଳକମାନେ ମନଇଚ୍ଛା ଯାତାୟାତ କରୁଥିବାରୁ ଆମ୍ବୁଲାନ୍ସରେ ଥିବା ରୋଗୀ ଯନ୍ତ୍ରଣାରେ ଛଟପଟ ହୋଇଥିଲେ। ସନ୍ଧ୍ୟା ୫ଟା ୪୫ରୁ ୬ଟା ୧୮ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିଥିଲା। ଶେ‌ଷରେ ସୁରକ୍ଷା କର୍ମୀମାନେ ସବୁ ଗାଡ଼ି କଥା ଭୁଲି ପ୍ରଥମେ ଆମ୍ବୁଲାନ୍ସକୁ ଗହଳିରୁ ବାହାର କରିଥିଲେ। ବାଇକ୍‌ ଚାଳକଙ୍କୁ ପଛକୁ ଠେଲି ଆମ୍ବୁଲାନ୍ସକୁ ଆଗକୁ ବଢ଼ିବାକୁ ଦେଇଥିଲେ। ମିଳିଥିବା ସୂଚନା ଅନୁଯାୟୀ, ସ୍ଥାନୀୟ ଅଞ୍ଚଳର ସୁସ୍ମିତାରାଣୀ ମାହାପାତ୍ରଙ୍କ ଛାତିରେ ଯନ୍ତ୍ରଣା ହେବାରୁ କିମସ୍‌ ହସ୍ପିଟାଲ୍‌କୁ ଆସିଥିଲେ। ସେଠାରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଉଦ୍‌ବେଗଜନକ ରହିବାରୁ ତାଙ୍କୁ ଏସ୍‌ସିବି ମେଡ଼ିକାଲ୍‌କୁ ସ୍ଥାନାନ୍ତର କରାଯାଉଥିଲା।

ପ୍ରତିଦିନ ସନ୍ଧ୍ୟା ସମୟରେ କିଟ୍‌ ରାସ୍ତାରେ ପ୍ରବଳ ଗହଳି ହେଉଥିଲେ ମଧ୍ୟ ନିୟନ୍ତ୍ରଣ କରିବାରେ ବିଫଳ ହେଉଛି ଟ୍ରାଫିକ୍‌ ପୁଲିସ। ଯେଉଁଥିପାଇଁ ଆମ୍ବୁଲାନ୍ସ ଅଟକିବା ଭଳି ପରିସ୍ଥିତି ଉପୁଜିବା ସହ ବିଭିନ୍ନ ସମୟ‌ରେ ଦୁର୍ଘଟଣା ଘଟୁଛି। ତେବେ ଟ୍ରାଫିକ୍‌ ସମସ୍ୟା ନେଇ ସ୍ଥାନୀୟ ପୁଲିସ ଯେଉଁ ଯୁକ୍ତି ବାଢ଼ିଛି, ତାହା ବି ଆଶ୍ଚର୍ଯ୍ୟ କରିବା ଭଳି। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବାନୁଯାୟୀ, କିଟ୍ ବିଶ୍ବବିଦ୍ୟାଳୟ ନିକଟରେ ଥିବା ସପିଂ ମଲ୍ ଓ ଅନ୍ୟ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକରେ ନିଜସ୍ବ ପାର୍କିଂ ବ୍ୟବସ୍ଥା ନାହିଁ। ତେଣୁ ଯେଉଁ ଗ୍ରାହକମାନେ ସପିଂ କରିବାକୁ ଆସୁଛନ୍ତି, ସେମାନେ ରାସ୍ତା ପାର୍ଶ୍ବରେ ଗାଡ଼ି ରଖି ଚାଲି ଯାଉଛନ୍ତି। ଯେଉଁଥିପାଇଁ ସବୁଦିନ ଟ୍ରାଫିକ୍ ସମସ୍ୟା ଦେଖାଯାଉଛି। ଆଉ କେତେକ ସ୍ଥାନରେ ଉଠାଦୋକାନୀ ରାସ୍ତାପାର୍ଶ୍ବରେ ପସରା ମେଲାଇ ଦେଉଛନ୍ତି। ଆମେ ଚଢ଼ଉ କଲେ ଦିନେ ଦୁଇଦିନ ଆସୁନାହାନ୍ତି। ପରେ ଯେସାକୁ ତେସା। ଫଳରେ ଟ୍ରାଫିକ୍‌ ସମସ୍ୟା ହେଉଛି।

publive-image

ଆହୁରି ଦୁଇଟି ଘଟଣ ଆଜି ନଜରକୁ ଆସିଛି। ପ୍ରତିଦିନ ପରି ଆଜି ସନ୍ଧ୍ୟାରେ ବି କଳିଙ୍ଗ ହସ୍ପିଟାଲ ଛକ ନିକଟରେ ଆଉ ଏକ ଆମ୍ବୁଲାନ୍ସ ଟ୍ରାଫିକ୍‌ରେ ଫସି ଯାଇଥିଲା। ସନ୍ଧ୍ୟା ପ୍ରାୟ ୭ଟା ବେଳେ ଆମ୍ବୁଲାନ୍ସଟି ପଟିଆ ଆଡ଼ୁ ଜୟଦେବ ବିହାର ଆଡ଼କୁ ଯାଉଥିଲା। ଏହି ସମୟରେ କଳିଙ୍ଗ ହସ୍ପିଟାଲ ଛକ ନିକଟରେ ପ୍ରବଳ ଜାମ ହୋଇଥିଲା। ଓମ୍‌ଫେଡ୍‌ ଛକ ନିକଟରେ ଗତକାଲି ଖୋଲାଯାଇଥିବା କଟ୍‌ ଆଜି ବନ୍ଦ କରି ଦିଆଯିବା ଦ୍ବାରା ପ୍ରାୟ ଗୋଟିଏ କିମି ପର୍ଯ୍ୟନ୍ତ ଗାଡ଼ି ଟ୍ରାଫିକ୍‌ରେ ଅଟକି ରହିଥିଲେ। କ୍ୟାପିଟାଲ ହସ୍ପିଟାଲକୁ ଯାଉଥିବା ଆମ୍ବୁଲାନ୍ସଟି ପ୍ରାୟ ୧୫ ମିନିଟ୍‌ ପର୍ଯ୍ୟନ୍ତ ଫସି ରହିଥିଲା। ଅନୁରୂପ ଭାବେ ନୟାପଲ୍ଲୀ ଓଭରବ୍ରିଜ୍‌ ତଳ ଇନ୍ଦ୍ରଧନୁ ମା‌ର୍କେଟ୍‌କୁ ଯିବାକୁ ଥିବା ଟ୍ରାଫିକ୍‌ରେ ବି ଏକ ଆମ୍ବୁଲାନ୍ସ କିଛି ସମୟ ଅଟକି ରହିଥିଲା।

ଆଗରୁ ଯାଇଛି ଜୀବନ

ଗୋଟିଏ କି ଦୁଇଟି ନୁହେଁ। ଗତ କିଛି ବର୍ଷ ମଧ୍ୟରେ ଟ୍ରାଫିକ୍‌ରେ ଆମ୍ବୁଲାନ୍ସ ଫସିବା ଯୋଗୁଁ ଜୀବନ ବି ଚାଲିଯାଇଛି। ୨୦୧୮ରେ ବିଧାନସଭା ଚାଲୁଥିବା ବେଳେ ରୋଗୀକୁ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଫସି ଯାଇଥିଲା। ଟ୍ରାଫିକ୍‌ରୁ ବାହାରି ନ ପାରିବାରୁ ରୋଗୀଙ୍କ ଜୀବନ ଯାଇଥିଲା। ଏହାପରେ ବି ଟ୍ରାଫିକ୍‌ ପରିଚାଳନା ନେଇ ପ୍ରଶାସନର ନିଦ ଭାଙ୍ଗିଲା ନାହିଁ କି ଆମ୍ବୁଲାନ୍ସ ଲାଗି ବିକଳ୍ପ ବ୍ୟବସ୍ଥା ଚିନ୍ତା କରାଗଲା ନାହିଁ। ପରିମାଣ ସ୍ବରୂପ ଆଜି ରାଜଧାନୀରେ ପୁଣି ଏକାଧିକ ଜୀବନ ଅଳ୍ପକେ ମରଣମୁହଁରୁ ବର୍ତ୍ତିଯାଇଛି। ୨୦୧୭‌ରେ ବି ମାଷ୍ଟରକ୍ୟାଣ୍ଟିନ୍‌ ନିକଟରେ ଏକ ୧୦୮ ଆମ୍ବୁଲାନ୍ସ ଟ୍ରାଫିକ୍‌ରେ ଫସିବା ଯୋଗୁଁ ମହିଳା ଜଣକ ଗାଡ଼ିରେ ପ୍ରସବ କରିଥିଲେ।

publive-image

କେବେ ହେବ ସ୍ବତନ୍ତ୍ର ଆମ୍ବୁଲାନ୍‌ସ କରିଡର୍‌?

ଭୁବନେଶ୍ବର : ରାଜଧାନୀରେ କେବେ ହେବ ସ୍ବତନ୍ତ୍ର ଆମ୍ବୁଲାନ୍‌ସ କରିଡର? ଏ ସଂକ୍ରାନ୍ତୀୟ ୪ବର୍ଷ ତଳର ନିଷ୍ପତ୍ତି କେବଳ ନିଷ୍ପତ୍ତିରେ ହଁ ଅଟକି ଯାଇଛି। ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା ପୁଲିସ କମିସନରରୁ ପଦୋନ୍ନତି ପାଇ ପୁଲିସ ମହାନିର୍ଦେଶକ ହୋଇସାରିଲେଣି। ତାଙ୍କ ପରେ ମଧ୍ୟ ବହୁ ପୁଲିସ କମିସନର୍‌ ବଦଳି ହୋଇସାରିଲେଣି। ମାତ୍ର ସ୍ବତନ୍ତ୍ର ଆମ୍ବୁଲାନ୍‌ସ କରିଡର ନିଷ୍ପତ୍ତି ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ପ୍ରତ୍ୟେକ ଦିନ ରାଜଧାନୀରେ ମାଳମାଳ ଆମ୍ବୁଲାନ୍‌ସ ଚଳାଚଳ କରୁଥିବା ବେଳେ କେଉଁଠି ନା କେଉଁଠି ଅଟକିବାକୁ ପଡ଼ୁଛି। କେତେବେଳେ ଧାରଣା, ବିକ୍ଷୋଭ ଯୋଗୁଁ ତ ଆଉ କେଉଁଠି ଜାମ୍‌ରେ ଫସି ଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ।

ଭିଆଇପିଙ୍କ ଚଳାଚଳ ସମୟରେ ଯେପରି ରାସ୍ତାରେ ଯାଉଥିବା ଆମ୍ବୁଲାନ୍‌ସ ବାଟ‌ରେ ନ ଅଟକେ, ସେଥିପାଇଁ ସ୍ବତନ୍ତ୍ର ଆମ୍ବୁଲାନ୍‌ସ କରିଡର୍‌ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିଲେ। ଏଥିପାଇଁ ରାଜଧାନୀର ପ୍ରମୁଖ ସ୍ଥାନରେ ବ୍ୟବସ୍ଥା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ରାଜଧାନୀରେ ଚଳାଚଳ କରୁଥିବା ୧୦୮ ଆମ୍ବୁଲାନ୍‌ସକୁ ଏଥିରେ ସାମିଲ କରିବା ପାଇଁ ଆଲୋଚନା ହୋଇଥିଲା। ୧୦୮ ଆମ୍ବୁଲାନ୍‌ସ ଜିପିଏସ୍‌ ବ୍ୟବସ୍ଥା ରହିଥିବା ବେଳେ ମଡର୍ଣ୍ଣ ଟ୍ରାଫିକ୍ କଣ୍ଟ୍ରୋଲ ରୁମ୍‌ ସହ ଏହାକୁ ଯୋଡ଼ାଯିବ। ଫଳରେ ଆମ୍ବୁଲାନ୍‌ସଟିଏ ରାସ୍ତାକୁ ଆସିବା ପରେ ଏହା ଡ୍ରାଇଭର ଟ୍ରାଫିକ୍ ପୁଲିସକୁ ଏ ସଂକ୍ରାନ୍ତରେ ସୂଚନା ଦେବା ପରେ ଟ୍ରାଫିକ୍ ପୁଲିସ ଆମ୍ବୁଲାନ୍‌ସଟି କିଭଳି ବିନା ବାଧକରେ ଚାଲିବ ତାହାର ବ୍ୟବସ୍ଥା କରିବେ। ପରବର୍ତୀ ସମୟରେ ରାଜଧାନୀରେ ଥିବା ଘରୋଇ ଡାକ୍ତରଖାନା କର୍ତୃପକ୍ଷଙ୍କ ସହ ଏ ସଂକ୍ରାନ୍ତରେ ଆଲୋଚନା ହୋଇଥିଲା। ଘରୋଇ ଆମ୍ବୁଲାନ୍‌ସଗୁଡ଼ିକ ମଧ୍ୟ ସେମାନଙ୍କ ଆମ୍ବୁଲାନ୍‌ସରେ ଜିପିଏସ୍‌ ବ୍ୟବସ୍ଥା କରିବା ପାଇଁ କୁହାଯାଇଥିଲା। ଏ ସଂକ୍ରାନ୍ତରେ ପୂର୍ବତନ କମିସନର ଡା. ଶର୍ମାଙ୍କ ଅଧ୍ୟକ୍ଷତାରେ ଅନେକଥର ବୈଠକ ବସିଥିଲା। ମାତ୍ର ଆଜି ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନାହିଁ।