ଭୁବନେଶ୍ବର : ଚିନ୍ତା ବଢ଼ାଇଲାଣି ବସ୍‌-ବେ’, ସତସଙ୍ଗ ବିହାର ଛକରେ ଏବେ ସୃଷ୍ଟି ହେଲାଣି ସାଂଘାତିକ ଟ୍ରାଫିକ ସମସ୍ୟା

ଭୁବନେଶ୍ବର : ‘ଆଉ ଫ୍ଲାଏ ଓଭରରୁ ତଳକୁ ଓହ୍ଲାଇବନି ବରମୁଣ୍ଡାରୁ କଟକ ଅଭିମୁଖେ ଯାଉଥିବା ବସ୍‌। ବରମୁଣ୍ଡାରୁ ଯାଉଥିବା ସବୁ ବସ୍‌ ଓଭର ବ୍ରିଜ ଉପର ଦେଇ ଯିବ। ବାଣୀବିହାର, ଆଚାର୍ଯ୍ୟ ବିହାର ଛକ ବଦଳରେ କ୍ରାଉନ ହୋଟେଲ ଏବଂ ସତସଙ୍ଗ ବିହାର ଛକରେ ରହିବ ବସ୍ । ଆଉ ସମସ୍ତ ଯାତ୍ରୀ ସେହିଠାରୁ ବସ୍‌ ଧରି ଯାତ୍ରା କରିବେ। ଯଦି କୌଣସି ବସ୍‌ ଫ୍ଲାଏ ଓଭର ତଳକୁ ଓହ୍ଲାନ୍ତି ତେବେ ସେମାନଙ୍କ ଠାରୁ ୧୦୦୦ ଟଙ୍କା ଜରିମାନା ଆଦାୟ କରାଯିବ। ’ କିଛି ଦିନ ତଳେ କମିସନରେଟ ପୁଲିସ ପକ୍ଷରୁ ଏଭଳି ବିଜ୍ଞପ୍ତି ଜାରି କରାଯାଇଥିଲା। ଏଥିପାଇଁ ସତସଙ୍ଗ ବିହାର ଛକରେ ଅସ୍ଥାୟୀ ବସ୍ ବେ’ (ବସ୍‌ ରହିବା ସ୍ଥାନ) ପ୍ରତିଷ୍ଠା ହୋଇଥିଲା।

ତେବେ ବୁଧବାର ଏହି ବସ୍ ବେ’ ନିକଟରେ ଶୁଭମ ପାତ୍ର ନାମକ ଯୁବକଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିବା ପରେ ଏବେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ରାଜଧାନୀବାସୀ। ଯେଉଁ ଉଦ୍ଦେଶ୍ୟ ନେଇ ଜୟଦେବ ବିହାର, ଆଚାର୍ଯ୍ୟବିହାର ଓ ବାଣୀବିହାର ଛକରେ ବସ ନ ରଖିବାକୁ କମିସନରେଟ ପୁଲିସ କଟକଣା ଜାରି କରିଥିଲା, ତାହା ଏବେ ବୁମେରାଂ ସାଜିବା ଆରମ୍ଭ କଲାଣି। ସତସଙ୍ଗ ବିହାର ଛକରେ ଏବେ ସାଂଘାତିକ ଟ୍ରାଫିକ ସମସ୍ୟା ସୃଷ୍ଟି ହେଲାଣି। ସମସ୍ୟା ବର୍ତ୍ତମାନ ଜୟଦେବ ବିହାର, ଆଚାର୍ଯ୍ୟବିହାର ଓ ବାଣୀବିହାର ଛକକୁ ବଳି ପଡ଼ିଲାଣି।

ବଡ଼ କଥା ହେଉଛି, ଜୟଦେବ ବିହାର ହେଉ କିମ୍ବା ବାଣୀବିହାର ଛକ ଶୃଙ୍ଖଳିତ ଭାବେ ବସ୍‌ ଯିବା ଆସିବା କରିବା ଲାଗି ଟ୍ରାଫିକ ପୁଲିସ ନି‌ୟୋଜିତ ହେଉଥିଲେ। କିନ୍ତୁ ସତସଙ୍ଗ ବିହାର ଛକକୁ ବସ୍‌ ବେ’ ଉଠି ଯିବା ପରେ ସେ ସବୁ ସ୍ଥାନରେ ଆଉ ଟ୍ରାଫିକ ପୁଲିସର ଦେଖା ମିଳୁନାହିଁ।

ଏହା ପୂର୍ବରୁ ସତସଙ୍ଗ ବିହାର ଛକ ପରିବହନ ବିଭାଗର ବ୍ଲାକ୍‌ ସ୍ପଟ ତାଲିକାରେ ମଧ୍ୟ ଥିଲା। ପୂର୍ବରୁ ପ୍ରତ୍ୟେକ ଦିନ ପ୍ରାୟ ସେଠାରେ ଦୁଘର୍ଟଣା ଘଟୁଥିଲା। ବିଭିନ୍ନ ସମୟରେ ସିରିଜ ଦୁର୍ଘଟଣା ଘଟି ଏକାଧିକଙ୍କ ଜୀବନ ଯିବାର ନଜିର ରହିଛି। ଏଥିପାଇଁ ସହିଦନଗର ଥାନା ପକ୍ଷରୁ ସେଠାରେ ଏକ ଅସ୍ଥାୟୀ ବ୍ୟାରିକେଡ ମଧ୍ୟ ସ୍ଥାପନ କରା ଯାଇଥିଲା। ସେହିସ୍ଥାନରେ ଏବେ କମିସନ‌େରଟ ପୁଲିସ ବସ୍‌ ବେ’ ସ୍ଥାପନ କରିଛି। ବସ୍‌ ବେ’ ହେବା ପରେ ପ୍ରତ୍ୟେକ ଦିନ ଛୋଟବଡ଼ ଦୁର୍ଘଟଣା ଘଟି ଚାଲିଛି। ବୁଧବାର ରାତିର ଦୁର୍ଘଟଣା ଅତ୍ୟନ୍ତ ଭୟଙ୍କର ଥିଲା। ବସ୍ ଜାତୀୟ ରାଜପଥରେ ଠିଆ ହୋଇ ଯାତ୍ରୀ ଉଠାଉଥିଲା। ଭିଡ ଥିବାରୁ ତା’ ପଛକୁ ଏକ ଟ୍ରକ ଲାଗିଥିଲା। ବାଇକରେ ବରମୁଣ୍ଡା ପଟୁ ଓଭରବ୍ରିଜ ଉପରେ ଆସୁଥିବା ଶୁଭମ ଓ ଅଭୟ ଭାରସାମ୍ୟ ହରାଇ ଟ୍ରକକୁ ପଛପଟରେ ପିଟି ହୋଇ ଯାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଶୁଭମଙ୍କ ମୃତ୍ୟୁ ଘଟିଥିଲା।

ଏହି ଘଟଣା ପରେ କୌଣସି ପୂର୍ବ ପ୍ରସ୍ତୁତି ନ ଥାଇ ସତସଙ୍ଗ ବିହାର ଛକରେ ବସ ବେ’ ପ୍ରତିଷ୍ଠା କରାଯିବା ଘଟଣାକୁ ଅନେକ ନାପସନ୍ଦ ମଧ୍ୟ କରିଛନ୍ତି। କାରଣ ଯେଉଁ ବେ’ ପ୍ରତିଷ୍ଠା ହୋଇଛି ତାହା ସେହି ରାସ୍ତା ଉପରେ। ପୁଲିସ କିଛି ଦିନ କୋନ୍‌ ଥୋଇ କାମ ତୁଲାଇ ଥିଲା। କିନ୍ତୁ ଏବେ ସ୍ଥିତି ଯାହାକୁ ତାହା। କୋନ୍‌ର ଆଉ ଦେଖା ମିଳୁନାହିଁ। ଜାତୀୟ ରାଜପଥ ଉପରେ ବସ ରଖି ବସ୍‌ ଚାଳକ ଯାତ୍ରୀ ଉଠାଉଛନ୍ତି। କିଛି ଦିନ ତଳେ ନିଜେ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ସେଠାରେ ଅଟକି ଯାଇ ବସ୍‌ ଚାଳକମାନଙ୍କୁ ବୁଝାଇଥିଲେ। କିନ୍ତୁ ଏହାର ପ୍ରଭାବ କିଛି ବି ପଡ଼ି ନାହିଁ ବସ ଚାଳକମାନଙ୍କ ଉପରେ। ପଛକୁ ପଛ ବସ୍‌ ଲଗାଇ ଜାତୀୟ ରାଜପଥକୁ ଜାମ୍‌ କରୁଛନ୍ତି। ଫଳରେ ଓଭରବ୍ରିଜ ଉପରୁ ନଚେତ ବାଣୀବିହାର ପଟୁ ଆସୁଥିବା ବାଇକ୍‌ ଚାଳକମାନେ ଜାତୀୟ ରାଜପଥ ମଝିକୁ ଆସି ବସ୍‌କୁ ଅତିକ୍ରମ କରିବାକୁ ବାଧ୍ୟ ହେଉଛନ୍ତି। ଯାହା ଫଳରେ ସେଠାରେ ଦୁର୍ଘଟଣା ବଢ଼ି ଚାଲିଛି।

ଅନ୍ୟପକ୍ଷରେ ସତସଙ୍ଗ ବିହାର ଛକରେ ବସ ବେ’କୁ ନେଇ ଅନେକ ବରିଷ୍ଠ ପୁଲିସ ଅଧିକାରୀ ଭିନ୍ନ ମତ ପୋଷଣ କରିଛନ୍ତି। ସେମାନଙ୍କ କହିବା କଥା, ବସ୍‌ ବେ’ ଯେଉଁଠାରେ ବି ହୋଇଥାଏ ରାସ୍ତାଠାରୁ ସ୍ବତନ୍ତ୍ର ଭାବେ ଏକ ଭିନ୍ନ ସ୍ଥାନରେ ହୁଏ। କିନ୍ତୁ ଏବେ ସେ ସ୍ଥାନକୁ ଜବର ଦଖଲକାରୀମାନେ ଫଳ ଦୋକାନ କରି ରାସ୍ତାକୁ ଜାମ୍ କରି ରଖିଛନ୍ତି। ବିଏମସି ଓ ବିଡିଏ ପକ୍ଷରୁ ସେ ସବୁ ଉଚ୍ଛେଦ କରାଯାଉଛି। କିନ୍ତୁ କିଛି ଦିନ ପରେ ପୁଣି ଥରେ ଅସ୍ଥାୟୀ ଦୋକାନ ସବୁ ଖୋଲି ଯାଉଛି। କେତେକ ବ୍ୟବସାୟୀ ଜାତୀୟ ରାଜପଥକୁ ଉଠି ଆସି ବେପାର କଲେଣି। ବିଏମ୍‌ସି ଓ ବିଡିଏର ଅଧିକାରୀମାନେ ଏଥିପ୍ରତି ଆଉ ଧ୍ୟାନ ଦେଉ ନାହାନ୍ତି। ତେଣୁ ପ୍ରଥମେ ସେଠା‌ରୁ ଜବର ଦଖଲ ହଟା ଯାଇ ଏକ ସ୍ଥାୟୀ ବସ ବେ’ କରାଗଲେ ଏଭଳି ଦୁର୍ଘଟଣା ହ୍ରାସ ପାଇବାର ସମ୍ଭାବନା ରହିଛି ବୋଲି ଉକ୍ତ ଅଧିକାରୀ ଜଣକ କହିଛନ୍ତି। ଅନ୍ୟ ଜଣେ ଟ୍ରାଫିକ ଅଧିକାରୀ କହିଛନ୍ତି, ଏବେ ଅସ୍ଥାୟୀ ବସ୍‌ ବେ’ ଭାବେ ନୂଆପଲ୍ଲୀ ଦୁର୍ଗାମଣ୍ଡପ ଓ ରସୁଲଗଡ଼ ଦୁର୍ଗାମଣ୍ଡପ ପଡ଼ିଆକୁ ବ୍ୟବହାର କରାଯାଇ ପାରିବ। ସୁବିଧା ଦେଖି ଯାତ୍ରୀମାନେ ମଧ୍ୟ ସେଠାରୁ ଉଠି ପାରିବେ।

କମିସନରେଟ ପୁଲିସ, ବସ ଆସୋସିଏସନ, ବିଏମ୍‌ସି, ବିଡିଏ, ପରିବହନ ବିଭାଗ, ଜାତୀୟ ରାଜପଥ କତୃର୍ପକ୍ଷଙ୍କ ମଧ୍ୟରେ ସମନ୍ବୟ, ବୁଝାମଣା ଅଭାବରୁ ଏବେ ରାଜଧାନୀର ସେହି ଛକଟି ମରଣଯନ୍ତା ହେବାକୁ ଯାଉଛି।

ଏ ସମ୍ପର୍କରେ ବସ୍‌ ଆସୋସିଏସନ ପକ୍ଷରୁ ଦେବାଶିଷ ନାୟକ କହିଛନ୍ତି, ସ୍ଥାୟୀ ବସ୍‌ ବେ’ ନ କରାଯାଇ ଏଭଳି ଜାତୀୟ ରାଜପଥ ଉପରେ ଅସ୍ଥାୟୀ ବସ ବେ’ ପ୍ରତିଷ୍ଠା କରାଯିବା ଫଳରେ ରାସ୍ତା ସଙ୍କୁଚିତ ହୋଇ ଯାଉଛି। ଯାତ୍ରୀମାନେ ମଧ୍ୟ କାର, ଅଟୋ ଓ ବାଇକ ଧରି ବସରେ ଉଠିବାକୁ ଆସୁଛନ୍ତି। ଫଳରେ ଜାତୀୟ ରାଜପଥ ଜାମ ହୋଇ ଯାଉଛି। ତେଣୁ ଅତି କମରେ ୩ଟି ବସ ରହିଲା ଭଳି ବେ’ ପ୍ରତିଷ୍ଠା କରାଯିବା ଆବଶ୍ୟକ। ଯେ ହେତୁ ଯାତ୍ରୀମାନେ ସେଠାକୁ ଆସୁଛନ୍ତି, ଆମେ ସେଠାରେ ବସ ରଖିବାକୁ ବାଧ୍ୟ ହେଉଛୁ। ଏ ସମ୍ପର୍କରେ ଆମ ସଂଘ ପକ୍ଷରୁ କମିସନରଟ ପୁଲିସ ନିକଟରେ ଅଭିଯୋଗ କରାଯାଇଛି। କିନ୍ତୁ ପୁଲିସ ଏ ଦିଗରେ କ’ଣ ପଦକ୍ଷେପ ନେଇଛି ଆମେ ଜାଣିନାହୁଁ।

କିନ୍ତୁ ଡିସିପି ସାଗରିକା ନାଥ କହିଛନ୍ତି, ଘଟଣା ସମ୍ପର୍କରେ ଏବେ ଆପଣଙ୍କଠାରୁ ସୂଚନା ପାଇଲି। ଘଟଣାର ଅନୁଧ୍ୟାନ କରିବୁ। ତାହା ପରେ ଆବଶ୍ୟକ ପଦକ୍ଷେପ ନେବୁ।

ସମ୍ବନ୍ଧିତ ଖବର