ଭୁବନେଶ୍ବର: ପୁଣି ଚର୍ଚାରେ ରାଜଧାନୀ ଉପକଣ୍ଠରେ ଥିବା ତ୍ରାହି ଅଚ୍ୟୁତ ଆଶ୍ରମ। ୯ ବର୍ଷ ହେବ ଜଣେ ଯୁବକ ଆଶ୍ରମରୁ ନିଖୋଜ ହୋଇଯାଇଛନ୍ତି। କିନ୍ତୁ ତାଙ୍କ ପତ୍ତା ଏଯାଏ ମିଳୁ ନାହିଁ। ଏ ନେଇ ବାଲିପାଟଣା ଥାନାରେ ଅପହରଣ, ହତ୍ୟା ଧମକ ଭଳି ମାମଲା ରୁଜୁ ହୋଇଛି। କମିସନରେଟ୍ ପୁଲିସ ସଂପୃକ୍ତ ଯୁବକଙ୍କ ପତ୍ତା ନ ପାଇବା ପରେ ଆଜି ବିଭିନ୍ନ ଗଣମାଧ୍ୟମରେ ଯୁବକଙ୍କ ଫଟୋ ସହିତ ବିଜ୍ଞାପନ ଦେଇଛି। କମିସନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି, କୌଣସି ସହୃଦୟ ବ୍ୟକ୍ତି ଯୁବକଙ୍କ ଚିହ୍ନଟ କଲେ, ଏ ସମ୍ପର୍କରେ ତୁରନ୍ତ ବାଲିପାଟଣା ଥାନା, ଥାନାଧିକାରୀ ଓ ଜେନାଲ ଏସପିଙ୍କୁ ଜଣାନ୍ତୁ। ପୁଲିସର ଏଭଳି ବିଜ୍ଞାପନରେ ପୁଣି ଥରେ ଆଶ୍ରମ ଭିତରେ ଚାଲିଥିବା କାଣ୍ଡ କାରଖାନାକୁ ଆଲୋଚନା ଆରମ୍ଭ ହୋଇଛି।
/sambad/media/post_attachments/wp-content/uploads/2020/01/8dg4j89df4gj98dg4j98dg4j5dgjggggggggggggggggggggggggggggggggggggggjjdddddddddddddd-1.jpg)
ପୁଲିସଠାରୁ ଯାହା ସୂଚନା ମିଳିଛି, ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅଧୀନ ଲଛମାକ’ଣ ଗାଁର ମାୟାଧର ସେନାପତିଙ୍କ ପୁଅ ଅଜିତ କୁମାର ସେନାପତି ତ୍ରାହି ଅଚ୍ୟୁତ ଆଶ୍ରମରେ ରହୁଥିଲେ। ସେ ୨୦୧୦ ଡିସେମ୍ବରରେ ନିଜ ଗାଁକୁ ଚାଲି ଯାଇଥିଲେ। ୨୦୧୧ ମସିହାରେ ସେ ପୁଣିଥରେ ଆଶ୍ରମକୁ ଫେରି ଆସିଥିଲେ। କିନ୍ତୁ ଆଶ୍ରମରେ ପହଞ୍ଚିବା ପୂର୍ବରୁ କେଉଁ ଆଡ଼େ ନିଖୋଜ ହୋଇଯାଇଥିଲେ। ଏନେଇ ପରିବାରଲୋକ ବହୁ ଖୋଜାଖୋଜି କରିବା ପରେ ସ୍ଥାନୀୟ ବାଲିପାଟଣା ଥାନାରେ ନିଖୋଜ ମାମଲା ରୁଜୁ କରିଥିଲେ। କିନ୍ତୁ ପୁଲିସ ମାମଲାକୁ ଏତେଟା ଗୁରୁତ୍ବ ଦେଇ ନ ଥିଲା। ତେବେ ୨୦୧୫ ମସିହାରେ ତ୍ରାହି ଅଚ୍ୟୁତ ଆଶ୍ରମରେ ଚାଲିଥିବା କେଳେଙ୍କାରୀ ସମ୍ପର୍କରେ ଖବର ପ୍ରକାଶ ପାଇବା ଓ ପରବର୍ତୀ ସମୟରେ ସୁରବାବାଙ୍କୁ ପୁଲିସ ଗିରଫ କରିବା ଧୀରେଧୀରେ ଅନେକ ଘଟଣା ପଦାକୁ ଆସିଥିଲା। ରାଜ୍ୟ ସରକାର ଘଟଣାର ତଦନ୍ତ କରିବାକୁ କ୍ରାଇମ ବ୍ରାଞ୍ଚକୁ ଦାୟିତ୍ବ ଦେଇଥିଲେ। ଏହି ସମୟରେ ସୁର ବାବା ଓ ତାଙ୍କ ଆଶ୍ରମର ଅଧିକାରୀମାନଙ୍କ ବିରୋଧରେ ଏକାଧିକ ଅଭିଯୋଗମାନ ଆସିଥିଲା। କିଏ କହିଥିଲା, ମୋ ପୁଅକୁ ହତ୍ୟା କରାଯାଇଛି ତ ଆଉ କିଏ କହିଥିଲା ସେମାନେ ଠକେଇର ଶିକାର ହୋଇଛନ୍ତି। କେତେକ ମହିଳା ଭକ୍ତଙ୍କ ଅସଦାଚରଣ ଶିକାର ହୋଇଥିବା ଚର୍ଚା ହୋଇଥିଲା। ଏହି ସମୟରେ କ୍ରାଇମ ବ୍ରାଞ୍ଚକୁ ଅଜିତ କୁମାର ସେନାପତିଙ୍କ ନିଖୋଜ ଘଟଣା ସାମନାକୁ ଆସିଥିଲା। କ୍ରାଇମ ବ୍ରାଞ୍ଚ ନିର୍ଦେଶକ୍ରମେ ବାଲିପାଟଣା ଥାନା ୨୦୧୫ ମସିହାରେ ଏକ ଅପହରଣ ମାମଲା ରୁଜୁ କରିଥିଲା। କିନ୍ତୁ ବାଲିପାଟଣା ଥାନା ଏଯାଏ ଅଜିତଙ୍କର କୌଣସି ପତ୍ତା ପାଇଲା ନାହିଁ। ଶେଷରେ ଆଜି ବିଭିନ୍ନ ଗଣମାଧ୍ୟମରେ ଅଜିତଙ୍କ ଫଟୋ ସହ ବିଜ୍ଞାପନ ପ୍ରକାଶ କରିଛି। ଏ ସମ୍ପର୍କରେ କମିସନରେଟ୍ ପୁଲିସର ଜଣେ ଅଧିକାରୀ କହିଛନ୍ତି, ଅଜିତଙ୍କ ପତ୍ତା ମିଳିଲେ ଆଶ୍ରମରେ ଚାଲିଥିବା ଅନେକ ରହସ୍ୟମୟ ଘଟଣାର ପର୍ଦାଫାସ ହୋଇପାରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/Missing-Man-in-Trahi-Achyut-Ashram_Thumbnail.jpg)