ତ୍ରାହି ଅଚ୍ୟୁତ ଆଶ୍ରମ କେ‌ଳେଙ୍କାରୀ: ବିଳମ୍ବ ଏତଲାର କାରଣ ଖୋଜୁଛି ପୁଲିସ

ଭୁବନେଶ୍ୱର: ଝିଣ୍ଟି ଶାସନ ତ୍ରାହି ଅଚ୍ୟୁତ ଆଶ୍ରମ କେଳେଙ୍କାରୀ‌ର ପର୍ଦ୍ଦାଫାସ୍‌ ପାଇଁ ସୁରବାବାଙ୍କ ଉତ୍ତରକୁ ଅପେକ୍ଷା କରାଯାଇଛି। ତ୍ରାହି ଅଚ୍ୟୁତ ଆଶ୍ରମ ପରିସରରେ ଚାଲିଥିବା ଯଜ୍ଞର ପୂର୍ଣ୍ଣାହୁତି ଆ‌ଜି ଶେଷ ହେବା ପରେ ସୁରେନ୍ଦ୍ର ମିଶ୍ର ଓରଫ ସୁର ବାବା ଆସନ୍ତାକାଲି ଉତ୍ତର ରଖିବ ବୋଲି ଆଶା କରାଯାଉଛି। ତେବେ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଏହି ମାମଲା ଚର୍ଚାରେ ରହିଛି। ୨୪ ତାରିଖରେ ଘଟଣା ଘଟିଥିଲେ ମଧ୍ୟ ୩ ତାରିଖରେ କାହିଁକି ଏତଲା ଦିଆଯାଇଛି ତାହାର କାରଣ ଖୋଜୁଛି ପୁଲିସ। ଅଭିଯୋଗକାରିଣୀ ମଧ୍ୟ ସାମ୍ନାକୁ ଆସୁ ନଥିବାରୁ ଅଭିଯୋଗର ସତ୍ୟତାକୁ ନେଇ ପ୍ରଶ୍ନ ଉଠିଛି। ଯେଉଁଦିନ ସେ ବାବାଙ୍କ ଆଶ୍ରମରେ ନିର୍ଯାତନା ପାଇଥିଲେ ସେତେବେଳେ ତାଙ୍କର ସମ୍ପର୍କୀୟ ଭାଇ କେଉଁଠି ଥିଲେ, ଏତେ ଶୀଘ୍ର କିଭଳି ଘଟଣାସ୍ଥଳରେ ପହଞ୍ଚି ପୀଡ଼ିତାଙ୍କୁ ଉଦ୍ଧାର କଲେ, ଏବେ ତାଙ୍କ ସମ୍ପର୍କୀୟ ଭାଇ ମାମଲାର ଆପୋସ ସମାଧାନ ପାଇଁ କହୁଛନ୍ତି କାହିଁକି, କିଏ ଚାପ ପକାଉଛି, ଏଭଳି ଅନେକ ପ୍ରଶ୍ନ ଏହି ମାମଲାକୁ ଜଟିଳ କରିଛି। ତେବେ ମାମଲା ତଦନ୍ତ ପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ ହୋଇଛି। ତଦନ୍ତ ନିରପେକ୍ଷ ହେବ ବୋଲି ପୁଲିସ କହିଛି।

ଅଜ୍ଞାତବାସରେ ପୀଡ଼ିତା: ଏତଲା ଦେବା ପରେ ପୀଡ଼ିତାଙ୍କୁ ଯୋଗାଯୋଗ କରିବା ସମ୍ଭବ ହେଉ ନାହିଁ। କେବଳ ତାଙ୍କର ସମ୍ପର୍କୀୟ ଭାଇ ପୀଡ଼ିତାଙ୍କୁ ପଚରା ଯାଉଥିବା ପ୍ରଶ୍ନର ଉତ୍ତର ରଖୁଛନ୍ତି। ଦିଆଯାଇଥିବା ବ୍ରହ୍ମପୁର ଠିକଣାରେ ସେ ନଥିବା ମଧ୍ୟ ଜଣାପଡ଼ିଛି। ଏପରିକି ସେ ପୁଲିସକୁ ଦେଇଥିବା ମୋବାଇଲ ନମ୍ବର ବନ୍ଦ ରହିଛି। ସୁରବାବାଙ୍କ ବିରୋଧରେ ଏଭଳି ସଙ୍ଗିନ ଅଭିଯୋଗ କରିବା ପରେ ପୀଡ଼ିତାଙ୍କ ଏଭଳି ଅଜ୍ଞାତବାସକୁ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ ଘଟଣା ଜାନୁଆରି ୨୪ ତାରିଖରେ ଘଟିଛି। ତାଙ୍କ ଭାବି ସ୍ବାମୀ ତାଙ୍କୁ ମାଡ଼ ମାରିଥିବା ବେଳେ ଭାବି ଶ୍ବଶୁର ଶାଶୂ ତାଙ୍କୁ ନିର୍ଯାତନା ଦେବା ସହ ତ୍ରାହି ଅଚ୍ୟୁତ ଆଶ୍ରମରେ ଛାଡ଼ି ଦେଇଥିଲେ; ଯେଉଁଠି ତାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିଲା। କିନ୍ତୁ ସେ ଫେବ୍ରୁଆରି ୩ ତାରିଖ ସନ୍ଧ୍ୟା ୭ଟା ୩୦ରେ ବାଲିପାଟଣା ଥାନାରେ ଏତଲା ଲେଖିଥିଲେ। ୧୦ ଦିନ ଧରି ପୀଡ଼ିତା ଏଭଳି ଏକ ଅପରାଧକୁ କାହିଁକି ଚାପି ରଖିଥିଲେ ବୋଲି ପ୍ରଶ୍ନ ଉଠିଛି। ପାରିବାରିକ କନ୍ଦଳ: ତ୍ରାହି ଅଚ୍ୟୁତ ନଗରର ଜଣେ ବାସିନ୍ଦାଙ୍କ କହିବା ଅନୁଯାୟୀ ପୀଡ଼ିତା ଯାହାଙ୍କ ସହିତ ଏଠାକୁ ଆସିଥିଲେ ତାଙ୍କୁ ସେ ଭଲ ପାଉଥିଲେ। ତେବେ କିଛି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ରହିଥିଲା। ଉଭୟଙ୍କ ମଧ୍ୟରୁ କେହି ଜଣେ ପୂର୍ବରୁ ବିବାହ କରିଥିବାରୁ ବିବାଦ ହୋଇଥିଲା। ଯୁବକ ବାବାଙ୍କ ଭକ୍ତ ହୋଇଥିବାରୁ ଅନେକ ସମୟରେ ସମାଧାନ ପାଇଁ ସେମାନେ ଆଶ୍ରମ ଯାଉଥିଲେ। କିନ୍ତୁ କ’ଣ ହେଲା କେଜାଣି ଏଭଳି ଅଭିଯୋଗ ହେବା ସହ ପୀଡ଼ିତା ତାଙ୍କର ସମସ୍ତ ଆସବାବପତ୍ର ନେଇ ଏଠାରୁ ଚାଲି ଯାଇଥିଲେ।

ଭୁବନେଶ୍ବରରେ ରହୁଥିଲେ ପୀଡ଼ିତା: ଯୋଗାଯୋଗ ପାଇଁ ପୀଡ଼ିତା ବ୍ରହ୍ମପୁରର ଠିକଣା ଦେଇଛନ୍ତି। କିନ୍ତୁ ସେଠାରେ ରହୁନାହାନ୍ତି। ବାସ୍ତବରେ ସେ ପୂର୍ବରୁ ଭୁବନେଶ୍ବରରେ ରହୁଥିଲେ। ସେଠାରୁ ସମସ୍ତ ଆସବାବପତ୍ର ନେଇ ତ୍ରାହି ଅଚ୍ୟୁତ ନଗର ଆସିଥିଲେ। ସୁରବାବାଙ୍କ ଆଶ୍ରମରେ ଏଭଳି ଘଟଣା ଘଟିବା ପରେ ସେ ସମସ୍ତ ଆସବାବପତ୍ର ଏକ ଅଟୋରେ ଲଦି ଚାଲି ଯାଇଥିଲେ। ତେବେ ତାଙ୍କ ସହ‌ ଯୋଗାଯୋଗ କରିବା ପାଇଁ ପୁଲିସ ଉଦ୍ୟମ କରୁଥିଲେ ମଧ୍ୟ ଭୁବନେଶ୍ବର ଠିକଣାକୁ ଏଯାବତ୍‌ ପୁଲିସ ‌ଖୋଜିବାକୁ ଉଦ୍ୟମ କରିନାହିଁ।

ଆଶ୍ରମରେ ଭିଡ଼: ବିଭିନ୍ନ ସଙ୍ଗିନ ଅପରାଧରେ ସୁର ବାବା‌ ଜେଲ୍‌ ଯାଇ ଫେରିବା ଏବଂ ଯୁବତୀଙ୍କ ଏଭଳି ଅଭିଯୋଗ ହେବା ପରେ ମଧ୍ୟ ତ୍ରାହି ଅଚ୍ୟୁତ ଆଶ୍ରମରେ ପ୍ରବଳ ଭିଡ଼ ହୋଇଛି। ପରିସରରେ ହୋମଯଜ୍ଞ ଚାଲିଛି। ହଜାର ହଜାର ଭକ୍ତ ଏକାଠି ହୋଇଥିବା ବେଳେ ହରିନାମରେ ପରିସର କମ୍ପୁଛି। ଆନନ୍ଦ ବଜାରରେ ଭକ୍ତ ମାଗଣାରେ ପ୍ରସାଦ ସେବନ କରୁଥିବା ବେଳେ ବାବା ମୌନ ବ୍ରତରେ ଅଛନ୍ତି। ଅଭିଯୋଗ ମୁତାବକ, ଗଞ୍ଜାମର ଏହି ଯୁବତୀଙ୍କୁ ବାଲିପାଟଣା ଥାନା ତ୍ରାହି ଅଚ୍ୟୁତ ନଗରର ଦୀପସୁନ୍ଦର ବିବାହ ପ୍ରସ୍ତାବ ଦେଇଥିଲେ। ଯୁବତୀ ପ୍ରସ୍ତାବରେ ରାଜି ହେବା ପରେ ଦୀପସୁନ୍ଦର ଓ ତାଙ୍କ ମା’ ଜ୍ୟୋତ୍ସ୍ନା ମଞ୍ଜରୀ ତାଙ୍କୁ ଗଞ୍ଜାମରୁ ଆଣି ତ୍ରାହିଅଚ୍ୟୁତ ନଗରରେ ରଖିଥିଲେ। ପରେ ରିଷ୍ଟ ଖଣ୍ଡନ ପାଇଁ ପୀଡ଼ିତାଙ୍କୁ ତ୍ରାହିଅଚ୍ୟୁତ ଆଶ୍ରମରେ ଛାଡ଼ିଥିଲେ। ସେଠାରେ ବାବା ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର