ତ୍ରାହି ଅଚ୍ୟୁତ ଆଶ୍ରମ କେଳେଙ୍କାରୀ : ଜୋନ୍‌ ୪ ଏସିପିଙ୍କୁ ତଦନ୍ତ ଦାୟିତ୍ବ

ଭୁବନେଶ୍ୱ : ଝିଣ୍ଟି ଶାସନ ତ୍ରାହି ଅଚ୍ୟୁତ ଆଶ୍ରମ କେଳେଙ୍କାରୀ ମାମଲାରେ ନୂଆ ମୋଡ଼ ଆସିଛି। ଦୀର୍ଘ ୧୨ ଦିନ ଧରି ପୁଲିସ ନିରବ ରହିବା ପରେ ଏବେ ତନାଘନା ଆରମ୍ଭ କରିଛି। ଗୋଟିଏ ଦିନରେ ୪ ଘଣ୍ଟା ଧରି ଆଶ୍ରମ ଭିତରେ ତନାଘନା ହୋଇଥିବା ବେଳେ ତଦନ୍ତ ପାଇଁ ଏକ ଟିମ୍ ଗଠନ ହୋଇଛି। ଆଜି ପୁଲିସ କମିସନର ସତ୍ୟଜିତ ମହାନ୍ତି ଜୋନ୍‌ ୪ ଏସିପିଙ୍କୁ ତଦନ୍ତ ଦାୟିତ୍ବ ଦେଇଛନ୍ତି।

ଅନ୍ୟପଟେ ଜେଲ୍‌ରୁ ବାହାରିବା ପରେ ସୁର ବାବା ପୁଣି ଥରେ ସେହି ପୁରୁଣା କାମରେ ମାତିଯାଇଥିବା ନେଇ ଚର୍ଚ୍ଚା ହେବା ପରେ ପୁଲିସ କଡ଼ା ନଜର ରଖିଛି। ପୂର୍ବରୁ ଯେଭଳି ଲୋକମାନେ ଆଶ୍ରମରେ ପୋଡ଼ାଜଳା କରିଥିଲେ ଏଥର ଯେପରି ତାହା ନହୁଏ ସେ ନେଇ ପୁଲିସ ପ୍ରସ୍ତୁତ ରହିଛି। ତେବେ ସୁରବାବାଙ୍କୁ ନୋଟିସ୍‌ ଜାରି କରାଯାଇଛି। ଯୁବତୀଙ୍କ ଅଭିଯୋଗରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ତା’ର ଉତ୍ତର ରଖିବାକୁ କୁହାଯାଇଛି। ଅନ୍ୟପଟେ ପୁଲିସ ତଦନ୍ତରେ ଅନ୍ୟ ଏକ ବଡ଼ ବାଧକ ହୋଇଛନ୍ତି ଖୋଦ୍‌ ଅଭିଯୋଗକାରିଣୀ। ଏତଲା ଦେଇ ଆଉ ଧରାଛୁଆଁ ଦେଉ ନାହାନ୍ତି। ବୟାନ ରେକର୍ଡ ପାଇଁ ତାଙ୍କୁ ଡକା ଯାଇଥିଲେ ମଧ୍ୟ ସେ ଥାନାରେ ପହଞ୍ଚୁ ନାହାନ୍ତି। ପୀଡ଼ିତାଙ୍କ ବୟାନ ରେକର୍ଡ କରାଯିବା ପରେ କାର୍ଯ୍ୟାନୁଷ୍ଠାନ ବାବଦରେ ସ୍ପଷ୍ଟ ହେବ ବୋଲି କୁହାଯାଉଛି।

ସୂଚନା ଅନୁଯାୟୀ ପୀଡ଼ିତା ଯୁବତୀ ଜଣଙ୍କ ବାଲିପାଟଣା ଥାନାରେ ଅଭିଯୋଗ କରିବାର ୧୨ ଦିନ ଯାଏ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା। ଗଣମାଧ୍ୟମରେ ଏ ସଂପର୍କରେ ରିପୋର୍ଟ ପ୍ରକାଶ ପାଇବା ପରେ ପୁଲିସ ତନାଘନା ଆରମ୍ଭ କରିଛି। ସୁର ବାବାଙ୍କ ନାମରେ ଅଭିଯୋଗ କଲେ ହତ୍ୟା କରାଯିବ ବୋଲି ଧମକ ଦିଆଯାଇଥିବା ସଂପର୍କରେ ପୀଡ଼ିତା ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି। ଜୀବନ ପ୍ରତି ବିପଦ ଥିବାରୁ ବୟାନ ରେକର୍ଡ ପାଇଁ ପୀଡ଼ିତା ଭୁବନେଶ୍ବର ଆସିବା ସମ୍ଭବ ହେଉ ନଥିବା ଜଣାପଡ଼ିଛି। ପୀଡ଼ିତାଙ୍କ ପାଖରେ ପହଞ୍ଚି ବୟାନ ରେକର୍ଡ କରାଯିବା ବ୍ୟବସ୍ଥା ଥିଲେ ମଧ୍ୟ ତାହା କରାଯାଇ ନାହିଁ। ଅଭିଯୁକ୍ତମାନଙ୍କୁ ନୋଟିସ୍‌ ଜରିଆରେ ସମୟ ଦିଆଯାଇଥିବାରୁ ସାକ୍ଷୀ ପ୍ରଭାବିତ ହେବା ଆଶଙ୍କା ରହିଛି। ଏ ସବୁ ଆଶଙ୍କା ଏବେ ଏହି ପ୍ରସଙ୍ଗକୁ ଜଟିଳ କରିଦେଇଛି। ପୀଡ଼ିତାଙ୍କୁ ବିବାହ ପ୍ର‌ଲୋଭନ ଦେଖାଇ ଅଚ୍ୟୁତ ନଗରକୁ ଆଣିଥିବା ଯୁବକ ପୂର୍ବରୁ ଅନ୍ୟ ଜଣଙ୍କୁ ବିବାହ କରିଛନ୍ତି। ମାତ୍ର ଧମକ ଚମକ ଯୋଗୁ ଯୁବତୀଜଣଙ୍କ ଅଭିଯୋଗ ନ କରି ଚାଲିଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ଯୁବତୀ ଜଣଙ୍କ ଅଚ୍ୟୁତ ନଗରର ଦୀପସୁନ୍ଦର ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ଯୁବତୀଙ୍କ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ମା’ ମାନସିକ ବିକାରଗ୍ରସ୍ତ। ତେଣୁ ସେ ପ୍ରସ୍ତାବରେ ରାଜି ହୋଇଥିଲେ। ଦୀପସୁନ୍ଦର ଓ ତାଙ୍କ ମା’ ଜ୍ୟୋତ୍ସ୍ନା ମଞ୍ଜରୀ ସଂପୃକ୍ତ ଯୁବତୀଙ୍କୁ ଗଞ୍ଜାମରୁ ଆଣି ତ୍ରାହିଅଚ୍ୟୁତ ନଗରରେ ରଖିଥିଲେ। ପରେ ରିଷ୍ଟ ଖଣ୍ଡନ ପାଇଁ ପୀଡ଼ିତାଙ୍କୁ ତ୍ରାହିଅଚ୍ୟୁତ ଆଶ୍ରମରେ ଛାଡ଼ିଥିଲେ। ସେଠାରେ ବାବା ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର