ଦେଶରେ ପ୍ରଥମ ! ‘ସଫା ବାଇକ୍‌’ର ଟ୍ରାଏଲ୍‌ ରନ୍‌

ଭୁବନେଶ୍ବର: ସଫେଇ ଗାଡ଼ି ପଶିପାରୁ ନଥିବା ଗଳିକନ୍ଦିରୁ ବାଇକ୍‌‌ରେ ଅଳିଆ ଉଠାଯିବ। ବାଇକ୍‌ବାଲା ସେ ଅଳିଆ ଆଣି ସଫେଇବାଲା ଗାଡ଼ିରେ ଦେବ। ବିଏମ୍‌ସି ପକ୍ଷରୁ ରାଜଧାନୀରେ ଲାଗୁ ହେବାକୁ ଯାଉଥିବା ଏହି ନୂଆ ବ୍ୟବସ୍ଥାର ଆଜି ଟ୍ରାଏଲ-ରନ୍‌ ହୋଇଛି। ବିଏମ୍‌ସି କମିସନର୍‌ ବିଜୟ ଅମୃତା କୁଲାଙ୍ଗେ ଏହି ‘ସଫା ବାଇକ୍‌’ ଚଳାଇ ନୂଆ ବ୍ୟବସ୍ଥାର ଟ୍ରାଏଲ୍‌-ରନ୍‌ କରିଛନ୍ତି। ୧ନମ୍ବର ୱାର୍ଡରେ ଏହାର ପରୀକ୍ଷା କରାଯାଇଥିବା ବେଳେ ଆଗକୁ ପୁରୁଣା ଭୁବନେଶ୍ବର ସମେତ ଏକାଧିକ ଅଣଓସାରିଆ ତଥା ସଂକୀର୍ଣ୍ଣ ଅଞ୍ଚଳରେ ଏ ବ୍ୟବସ୍ଥା ଆରମ୍ଭ ହେବ। ଏହି ଅବସରରେ ଶ୍ରୀ କୁଲାଙ୍ଗେ କହିଛନ୍ତି ଯେ ଦେଶରେ ପ୍ରଥମଥର ପାଇଁ ଏଭଳି ଏକ ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି।

ଆଜି ଟ୍ରାଏଲ୍‌-ରନ୍‌ରେ ବ୍ୟବହାର ହୋଇଥିବା ବାଇକ୍‌କୁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି। ଏଥିରେ ତିନିଟି ବ୍ୟାରେଲ୍‌ ରହିଛି। ଓଦା ଓ ଶୁଖିଲା ଶୁଖିଲା ଆବର୍ଜନା ପୃଥକ୍‌ ପୃଥକ୍‌ ସଂଗ୍ରହ କରିବା ପାଇଁ ଏଥିରେ ବ୍ୟବସ୍ଥା ରହିଛି। ଗୋଟିଏ ସଫା ବାଇକ୍‌ର ଗୋଟିଏ କୁଇଣ୍ଟାଲ ପର୍ଯ୍ୟନ୍ତ ଆବର୍ଜନା ନେବା କ୍ଷମତା ରହିଛି। କେତେ ଗଳି ଏଭଳି ଅପହଞ୍ଚ ରହିଛି, ତାହାର ସର୍ଭେ ହେଉଛି। ପୁରୁଣା ଭୁବନେଶ୍ବର ସହ ବସ୍ତିଗୁଡ଼ିକରେ ଏଭଳି ଗଳି କନ୍ଦି ରହିଥିବା ପ୍ରାଥମିକ ସର୍ବେକ୍ଷଣରୁ ସ୍ପଷ୍ଟ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ୨୦ଟି ସଫା ବାଇକ୍‌ ବ୍ୟବହାର ହେବ। ପରେ ଆବଶ୍ୟକ ପଡ଼ିଲେ ଅଧିକ ବାଇକ୍‌ ଅଣାଯିବ ବୋଲି ସୂଚନା ମିଳିଛି।

ଏ ନେଇ କମିସନର ଶ୍ରୀ କୁଲାଙ୍ଗେ କହିଛନ୍ତି, ସହରକୁ ଆବର୍ଜନାମୁକ୍ତ କରିବା ପାଇଁ ବିଏମ୍‌ସି ଉଦ୍ୟମ ଅବ୍ୟାହତ ରଖିଛି। ବଜାରମାନଙ୍କରୁ ଦୁଇ ଥର ଆବର୍ଜନା ଉଠୁଥିବା ବେଳେ ପ୍ରତ୍ୟେକ ଘରୁ ଖୁବ୍‌ଶୀଘ୍ର ଦିନକୁ ଦୁଇ ଥର ଆବର୍ଜନା ଉଠାଇବା ପାଇଁ ବ୍ୟବସ୍ଥା ହେବାକୁ ଯାଉଛି। କିନ୍ତୁ ବସ୍ତି ଓ ପୁରୁଣା ଭୁବନେଶ୍ବରର ଅନେକ ଅଞ୍ଚଳରେ ସଫେଇ ଗାଡ଼ି ପଶି ପାରୁନଥିବାରୁ ଅଳିଆ ଉଠାଇବା ବିଏମ୍‌ସି ପାଇଁ ଆହ୍ବାନ ପାଲଟିଛି। ପାଇଲଟ୍‌ ପ୍ରୋଜେକ୍ଟ ଭାବେ ୧ ନମ୍ବର ୱାର୍ଡର କିଛି ଅଞ୍ଚଳ ଓ ପୁରୁଣା ଭୁବନେଶ୍ୱରର କେତେକ ଅଞ୍ଚଳରୁ ଏହି ସେବା ଆରମ୍ଭ ହେବ ବୋଲି ସେ କହିଛନ୍ତି।

ତେବେ ବାଇକ୍‌ରେ ଆବର୍ଜନା ଆସିବା ପରେ ସଫେଇ ଗାଡ଼ିକୁ ଦେବା ବେଳେ ବ୍ୟାରେଲ୍‌କୁ ଉଠା ପକା କରିବା ସମସ୍ୟା ହେବା ଆଶଙ୍କା ରହିଛି। କୁଇଣ୍ଟାଲ ଆବର୍ଜନା ବାଇକ୍‌ ପଛରେ ବୋହି ଅଣଓସାରିଆ ଗଳିରେ ଯିବା ଆସିବା ସମସ୍ୟା ସୃଷ୍ଟି କରିପାରେ ବୋଲି କୁହାଯାଉଛି। ସେହିପରି ବାଇକ୍‌ଗୁଡ଼ିକ ବିଏମ୍‌ସି କିଣିବ କି’ ଭଡ଼ାରେ ଆଣିବ, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧିତ ଖବର