‘ପ୍ରତୀକ୍ଷା’ର ଟ୍ରେଲର ଓ ଅଡିଓ ରିଲିଜ୍

ଡିସେମ୍ବରରେ ମୁକ୍ତିଲାଭ, ମଧ୍ୟବିତ୍ତ ପରିବାରର ଅପେକ୍ଷାର କାହାଣୀ

ଭୁବନେଶ୍ବର: ପ୍ରଯୋଜନା ସଂସ୍ଥା ଅମୀୟ ପଟ୍ଟନାୟକ ପ୍ରଡକ୍ସନ୍‌ର ନବନିର୍ମିତ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ର ଟ୍ରେଲର୍‌ ଓ ଅଡିଓ ଆଜି ହୋଟେଲ ସାଣ୍ଡିଜ୍ ଟାୱାରଠା‌ରେ ମୁକ୍ତିଲାଭ କରିଛି। ଆସନ୍ତା ଡିସେମ୍ବର ୨ରେ ସାରା ଓଡ଼ିଶାରେ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବାର ଯୋଜନା ରହିଛି। ଏକ ସାଧାରଣ ମଧ୍ୟବିତ୍ତ ପରିବାରର ସ୍ବପ୍ନ, ନିରାଶା ଓ ଆକାଂକ୍ଷା ଉପରେ ଚଳଚ୍ଚିତ୍ରର କାହାଣୀଟି ପର୍ଯ୍ୟବସିତ ହୋଇଛି।
ସଞ୍ଜୟ ଜଣେ ଦକ୍ଷ ବେକାର ଯୁବକ। ସ୍ନାତ‌କୋତ୍ତର ଉତ୍ତୀର୍ଣ୍ଣ ହେବା ପରେ ସରକାରୀ ଚାକିରି ଆଶାରେ ନିଜକୁ ପ୍ରସ୍ତୁତ କରୁଛି। ଅବସର ସମୟ ପାଖେଇ ଆସୁଥିବାରୁ ବାପା ବିପିନ୍ ଯେ କୌଣସି ଚାକିରିଟିଏ କରିବାକୁ ସଞ୍ଜୟଙ୍କୁ ପରାମର୍ଶ ଦିଅନ୍ତି। ସାରା ପରିବାର ଆଶଙ୍କା ଓ ସମ୍ଭାବନାର ଦୋଛକିରେ ରହିଛି।

ଏତିକିବେଳେ ଏକ ଘଟଣା ସଞ୍ଜୟ ଓ ତାଙ୍କ ପରିବାରର ଭାଗ୍ୟକୁ ବଦଳାଇ ଦେଉଛି। ସଂଜୟଙ୍କ ସହ ଏମିତି କିଛି ଘଟଣା ଘଟୁଛି, ଯାହା ତାଙ୍କ ବେକାରୀ ସମସ୍ୟା ତ ଦୂର କରିଦେଉଛି, କିନ୍ତୁ ଏଥିରେ ସେ ତାଙ୍କ ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ସମ୍ପଦକୁ ହରାଇ ବସୁଛନ୍ତି। ଚଳଚ୍ଚିତ୍ର‌ରେ ଏକ ସମାନ୍ତରାଳ ବିଷୟବସ୍ତୁ ରହିଛି। ବେରୋଜଗାର ଯୁବକଟିଏ ଚାକିରି ପାଇବାକୁ ଅପେକ୍ଷା କରିଥିବା ବେଳେ ତା’ ବାନ୍ଧବୀ ବିବାହକୁ ଅପେକ୍ଷା କରିଥାଏ। ଜୀବନର ଅନ୍ୟନାମ ଅପେକ୍ଷାକୁ ନେଇ ନିର୍ମିତ ଏହି ଚଳଚ୍ଚିତ୍ରର କାହାଣୀ ବିଶିଷ୍ଟ କଥାକାର ଗୌରହରି ଦାସଙ୍କ ଲିଖତ ଏକ କ୍ଷୁଦ୍ର ଗଳ୍ପରୁ ଅନୁପ୍ରାଣିତ ହୋଇଛି। ଏହାର କାହାଣୀକୁ ଚଳଚ୍ଚିତ୍ର ରୂପ ଦେବାକୁ ତିନି ବର୍ଷ ସମୟ ଲାଗିଛି।

ଅନୁପମ ପଟ୍ଟନାୟକ ଏହାର ପ୍ରଯୋଜନା ଓ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି। ସମ୍ପୂର୍ଣ୍ଣ ଚଳଚ୍ଚିତ୍ରଟି ଭୁବନେଶ୍ବରରେ ସୁଟିଂ କରାଯାଇଛି। ଦୀପାନ୍ବିତ ଦାସ ମହାପାତ୍ର, ଚୌଧୁରୀ ଜୟପ୍ରକାଶ ଦାସ, ବର୍ଷା ପଟ୍ଟନାୟକ, ଶ୍ରୀଲା ତ୍ରିପାଠୀ, ଅବକାଶ ମିଶ୍ର, ରୂପମ୍ବିକା ନାୟକ, ସୁଶୀଲ ମିଶ୍ର, ରୋଶନ ବିଶୋଇ, ଦୀପକ ଉପାଧ୍ୟାୟ ପ୍ରମୁଖ ଭୂମିକାରେ ନଜର ଆସିବେ। ଅଭିନେତା ସିଦ୍ଧାନ୍ତ ମହାପାତ୍ର ସ୍ବତନ୍ତ୍ର ଭୂମିକାରେ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି ରୋଶନ ବିଷୋୟୀ। କ୍ୟାମେରା ପରିଚାଳନା କରିଛନ୍ତି ଦୀପକ କୁମାର, ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଙ୍କେଶ ଆନନ୍ଦ ଓ ଆଶିଷ ପ୍ରଧାନ। କଣ୍ଠଦାନ କରିଛନ୍ତି ଆଶିଷ ପ୍ରଧାନ, ବିକାଶ ରଥ, ହ୍ୟୁମାନ ସାଗର ଓ ବିଶ୍ବଜିତ୍ ମହାପାତ୍ର ପ୍ରମୁଖ।

ସମ୍ବନ୍ଧିତ ଖବର