ଭୁବନେଶ୍ବର: ବାହାନଗା ଟ୍ରେନ୍ ଦୁର୍ଘଟଣାରେ ହଜାରେରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦୦ ସଂକଟାପନ୍ନଙ୍କ ଚିକିତ୍ସା ରାଜଧାନୀର ବିଭିନ୍ନ ଡାକ୍ତରଖାନାରେ କରାଯାଉଛି ବୋଲି ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ସୂଚନା ଦେଇଛନ୍ତି। ଗୁରୁତର ଆହତଙ୍କ ଚିକିତ୍ସାରେ ସହାୟତା ପାଇଁ ବିଶେଷଜ୍ଞ ଟିମ୍ର ଆବଶ୍ୟକତା ରହିଛି। ତେଣୁ ଏହାକୁ ଭିତ୍ତି କରି କେନ୍ଦ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏମ୍ସ ଦିଲ୍ଲୀ, ଡାକ୍ତର ରାମମୋହନ ଲୋହିଆ ଡାକ୍ତରଖାନା, ଲେଡି ହାର୍ଡିଂ ଏବଂ ସଫଦରଜଙ୍ଗ ଡାକ୍ତରଖାନାରୁ ୧୭ ଜଣିଆ ବିଶେଷଜ୍ଞ ଟିମ ସ୍ବତନ୍ତ୍ର ବିମାନ ଜରିଆରେ ଆଜି ଭୁବନେଶ୍ବର ପହଞ୍ଚିଛନ୍ତି। ଆସନ୍ତାକାଲି ସୁଦ୍ଧା ଏମ୍ସ ରାୟପୁର ଓ ଏମ୍ସ ନାଗପୁରରୁ ମଧ୍ୟ ଟିମ ପହଞ୍ଚିବ। ବର୍ତ୍ତମାନ ସୁଦ୍ଧା ଏହି ଡାକ୍ତରମାନେ କେବଳ ଏମ୍ସ ଭୁବନେଶ୍ବରରେ ରହି ଶବ ସଂରକ୍ଷଣ କାର୍ଯ୍ୟରେ ସହଯୋଗ କରୁଛନ୍ତି। ଅନ୍ୟ କୌଣସି ଡାକ୍ତରଖାନାକୁ ଯାଇନାହାନ୍ତି।
ସୂଚନାନୁଯାୟୀ, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ମାଣ୍ଡଭିୟ ଆଜି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ସକାଳ ୯ଟାରେ ଏମ୍ସ ଯାଇଥିଲେ। ସେଠାରେ କାର୍ଯ୍ୟନିର୍ବାହୀ ନିର୍ଦେଶକ ଆଶୁତୋଷ ବିଶ୍ବାସଙ୍କ ସମେତ ଡାକ୍ତରୀ ଦଳଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ଆହତମାନଙ୍କୁ ଆବଶ୍ୟକ ଓ ଉତ୍ତମ ଚିକିତ୍ସା ବ୍ୟବସ୍ଥା ଯୋଗାଇଦେବା ପାଇଁ ଏକ ରୋଡ୍-ମ୍ୟାପ ପ୍ରସ୍ତୁତ କରିଥିଲେ। ଏହାସହ ସ୍ବାସ୍ଥ୍ୟମନ୍ତ୍ରୀ ମରଶରୀର ସଂରକ୍ଷଣ ପ୍ରକ୍ରିୟା ଦେଖିବା ସହ ସେମାନଙ୍କ ପରିଜନଙ୍କ ସହ ଆଲୋଚନା କରିଥିଲେ। ପରେ ମନ୍ତ୍ରୀ କ୍ୟାପିଟାଲ ହସ୍ପିଟାଲ, କଟକ ଏସ୍ସିବି ଡାକ୍ତରଖାନା ଯାଇ ସେଠାରେ ଥିବା ଆହତଙ୍କ ଅବସ୍ଥା ଦେଖିଥିଲେ। କଟକ ବଡ଼ ଡାକ୍ତରଖାନାରେ ଦୁଇ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ଏହି ବିଶେଷଜ୍ଞ ଟିମ୍ର କେଉଁଭଳି ସହଯୋଗ ନିଆଯାଇ ପାରିବ, ତା’ର ୱାର୍କିଂ ପ୍ଲାନ୍ ପ୍ରସ୍ତୁତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାରଙ୍କୁ କହିଛନ୍ତି।
ପୂର୍ବବର୍ତ୍ତୀ ଖବର
ଫୋନ ଇନ ପ୍ଲିଜ: ଟ୍ରେନ ଦୁର୍ଘଟଣା ରୋକିବା ପାଇଁ ଉନ୍ନତ ଜ୍ଞାନକୌଶଳ ଦରକାର
ସମ୍ବନ୍ଧିତ ଖବର