ରେଳଧାରଣା ନେଉଛି ‌ଜୀବନ: ୫ ବର୍ଷରେ ଗଡ଼ିଲାଣି ୩୮୨ ମୁଣ୍ଡ

ଏବେ ବି ରହସ୍ୟ ଘେରରେ ୧୪୩ ମୃତ୍ୟୁ

 ଦୁର୍ଘଟଣାରେ ଆଖି ବୁଜିଲେଣି ୨୧୧
ବାରଙ୍ଗରୁ ମଞ୍ଚେଶ୍ବର ଏବଂ କଳ୍ପନାରୁ ଲିଙ୍ଗରାଜ ବ୍ଲାକ୍‌ସ୍ପଟ୍‌

ଭୁବନେଶ୍ବର : ଦୁର୍ଘଟଣାରେ ଜୀବନ ଯିବା ଭିନ୍ନ କଥା; ହେଲେ ବିଭିନ୍ନ ସୋସିଆଲ୍‌ ମିଡିଆର ଭାଇରାଲ୍‌ ଦୁଃସାହସିକ ଭିଡିଓ ହେଉ କି ଗେମ୍‌ର ପ୍ରଭାବରେ ଆସି; ଅନେକ ଜୀବନ ପାଣିଫୋଟକା ପରି ଫାଟି ଯାଉଛି। କିଏ ରେଳଧାରଣାରେ ତ ପୁଣି କିଏ ଟ୍ରେନ୍ ଉପରେ ଷ୍ଟଣ୍ଟ୍‌ କରି ଜୀବନକୁ ବାଜି ଲଗାଇ ମୃତ୍ୟୁକୁ ଆମନ୍ତ୍ରଣ କରୁଛନ୍ତି। କେହି କେହି ରେଳଧାରଣାକୁ ହିଁ ଆତ୍ମହତ୍ୟାର ପ୍ରମୁଖ ସ୍ଥଳ ଭାବେ ବାଛି ନେଉଛନ୍ତି। ଦୁର୍ଘଟଣା, ଆତ୍ମହତ୍ୟା ଆଦି ଯୋଗୁଁ ଗତ ୫ ବର୍ଷ ମଧ୍ୟରେ ଭୁବନେଶ୍ବର ରେଳବାଇ ଥାନା ପୁଲିସ ଅଧୀନ ବାରଙ୍ଗରୁ ରେତଙ୍ଗ ମଧ୍ୟରେ ରେଳଧାରଣାରେ ୩୮୨ ଜୀବନ ଗଲାଣି। ମୃତକଙ୍କ ମଧ୍ୟରେ ୩୨୯ ଜଣ ପୁରୁଷ, ୫୨ଜଣ ମହିଳା ରହିଥିବା ବେଳେ ଜଣେ କିନ୍ନର ରହିଛନ୍ତି। ଦୁର୍ଘଟଣା ଯୋଗୁଁ ସର୍ବାଧିକ ୨୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୮ ଜଣ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଉଦ୍‌ବେଗର ବିଷୟ ହେଲା, ଏ ପର୍ଯ୍ୟନ୍ତ ୧୪୩ଜଣଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। କେହି ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ରେଳଧାରଣାରେ ଫୋପାଡ଼ିଛି ନା ସେମାନେ ଆତ୍ମହତ୍ୟା କରିଛନ୍ତି, ନା ଦୁର୍ଘଟଣାରେ ଜୀବନ ଯାଇଛି, ତାହା ତଦନ୍ତରୁ ଜାଣି ପାରିନାହିଁ ରେଳବାଇ ପୁଲିସ। କିଭଳି ସେମାନଙ୍କ ମୃତ୍ୟୁ ଘଟିଲା, ତାହା ଏବେ ବି ରହସ୍ୟଘେରରେ ରହିଛି। ବାରଙ୍ଗରୁ ମଞ୍ଚେଶ୍ବର ଏବଂ କଳ୍ପନା ବ୍ରିଜ୍‌ରୁ ଲିଙ୍ଗରାଜ ଷ୍ଟେସନ୍ ମଧ୍ୟରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟୁଥିବାରୁ ଉକ୍ତ ଅଞ୍ଚଳକୁ ବ୍ଲାକ୍‌ସ୍ପଟ୍‌ ଭାବେ ଚିହ୍ନଟ କରାଯାଇଛି।

୨୦୧୯ ମସିହାରେ ରେଳଧାରଣାରେ ସର୍ବାଧିକ ୧୦୧ଜଣଙ୍କ ମୃତ୍ୟୁ ଘଟିଥିଲା। ୨୦୨୦ରେ କରୋନା କଟକଣା ଯୋଗୁଁ ଅଧିକାଂଶ ଯାତ୍ରୀବାହୀ ଟ୍ରେନ୍ ଚାଲୁ ନ ଥିବାରୁ ସବୁଠୁ କମ୍‌ ୫୨ ଜଣଙ୍କ ମୃତ୍ୟୁ ଘଟିଛି। ୨୦୧୭ରେ ୬୮ଜଣ ପୁରୁଷ ଓ ୧୧ଜଣ ମହିଳାଙ୍କୁ ମିଶାଇ ମୋଟ ୭୯ଜଣଙ୍କ ମୃତ୍ୟୁ ଘଟିଥିଲା। ସେଥିରୁ ୩୭ଟି ଦୁର୍ଘଟଣାଜନିତ ମୃତ୍ୟୁ ହୋଇଥିବା ବେଳେ ୯ଜଣ ଆତ୍ମହତ୍ୟା ଏବଂ ୩୩ଜଣଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ସେହିପରି ୨୦୧୮ରେ ୮୧ଜଣ ପୁରୁଷ ଓ ୧୩ଜଣ ମହିଳାଙ୍କୁ ମିଶାଇ ମୋଟ ୯୪ଜଣ ପ୍ରାଣ ହରାଇଥିଲେ। ସେଥିରୁ ୬୨ ଜଣଙ୍କର ଦୁର୍ଘଟଣା ଜନିତ ମୃତ୍ୟୁ, ୮ଜଣ ଆତ୍ମହତ୍ୟା ଏବଂ ୨୪ଜଣଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ୨୦୧୯ରେ ୮୮ଜଣ ପୁରୁଷ ଓ ୧୩ଜଣ ମହିଳା, ମୋଟ ୧୦୧ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୨ଜଣଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ, ୩ ଜଣଙ୍କର ଆତ୍ମହତ୍ୟା ଏବଂ ୩୬ଜଣଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ୨୦୨୦ରେ ୪୨ଜଣ ପୁରୁଷ ଓ ୧୦ଜଣ ମହିଳାଙ୍କ ସମେତ ମୋଟ ୫୨ଜଣଙ୍କ ମୃତ୍ୟୁ ଘଟିଥିଲା। ସେଥିରୁ ୩୦ଜଣଙ୍କର ଦୁର୍ଘଟଣା ଜନିତ ମୃତ୍ୟୁ, ୬ଜଣଙ୍କର ଆତ୍ମହତ୍ୟା ଏବଂ ୧୬ଜଣଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ୨୦୨୧ରେ ଏ ପର୍ଯ୍ୟନ୍ତ ୫୦ଜଣ ପୁରୁଷ, ୫ଜଣ ମହିଳା ଏବଂ ଜଣେ କିନ୍ନରଙ୍କୁ ମିଶାଇ ରେଳଧାରଣାରେ ମୋଟ ୫୬ ଜଣଙ୍କ ମୃତ୍ୟୁ ଘଟି ସାରିଲାଣି। ଯେଉଁଥିରେ ୨୦ ଜଣଙ୍କର ଦୁର୍ଘଟଣା ଜନିତ ମୃତ୍ୟୁ ହୋଇଥିବ‌ାବେଳେ ୨ ଜଣ ଆତ୍ମହତ୍ୟା କରିଛନ୍ତି। ୩୪ ଜଣଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ମୃତ୍ୟୁର ଠିକଣା ଶ୍ରୀଲିଙ୍ଗରାଜ ଷ୍ଟେସନ୍‌ ନିକଟ ଧାରଣା
ଶ୍ରୀଲିଙ୍ଗରାଜ ଷ୍ଟେସନ୍‌ ନିକଟ ରେଳଧାରଣା ମୃତ୍ୟୁର ଠିକଣା ପାଲଟିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ପ୍ରତି ମାସରେ ଏଠାରେ ହାରାହାରି ୪ରୁ ୬ଜଣଙ୍କ ଜୀବନ ଯାଉଛି। କିଏ ଦୁର୍ଘଟଣାରେ ପ୍ରାଣ ହରାଉଛି ତ କିଏ ଟ୍ରେନ୍‌ ଆଗ‌ରେ ନିଜ ଜୀବନ ଦେଉଛି। ଷ୍ଟେସନଠାରୁ ୧୦୦ ମିଟର ଦୂରରେ ଏକ ରାସ୍ତା ରେଳଧାରଣା ପାର୍‌ କରୁଛି। ଏଠାରେ ବ୍ୟା‌ରିକେଡ୍‌ ବ୍ୟବସ୍ଥା ଥିଲେ ହେଁ ଲୋକେ ଅନାୟାସରେ ରେଳଧାରଣା ପାର୍‌ ହେଉଛନ୍ତି। ତେଣୁ ବିଭିନ୍ନ ସମୟରେ ଟ୍ରେନ୍‌ ଧକ୍କାରେ ଜୀବନହାନି ଘଟୁଛି। ପ୍ରଦୀପ ସେବା ଟ୍ରଷ୍ଟର ପ୍ରତିଷ୍ଠାତା ପ୍ରଦୀପ କୁମାର ପୃଷ୍ଟିଙ୍କ କହିବାନୁଯାୟୀ, ଲିଙ୍ଗରାଜ ଷ୍ଟେସନ୍‌ଠାରୁ ପୁନମା ଗେଟ୍ ଓଭରବ୍ରିଜ୍‌ ମଧ୍ୟ ରେଳଧାରଣାରେ ମାସକୁ ୪ରୁ ୬ଜଣଙ୍କ ଜୀବନ ଯାଉଛି। ରେଳଧାରଣାକୁ ଲାଗି ରହିଥିବା ବସ୍ତିର ଲୋକମାନେ ନିଶା ସେବନ କରି କିମ୍ବା ମଳତ୍ୟାଗ ପାଇଁ ରେଳଧାରଣା ଉପରକୁ ଚାଲି ଆସୁଥିବାରୁ ଟ୍ରେନ୍‌ ଧକ୍କାରେ ସେମାନଙ୍କ ମୃତ୍ୟୁ ହେଉଛି। ଏହାଛଡ଼ା ନିଛାଟିଆ ସ୍ଥାନ ଯୋଗୁଁ କିଛି ଲୋକ ଏହାକୁ ଆତ୍ମହତ୍ୟା କରିବା ପାଇଁ ଉଦ୍ଦିଷ୍ଟ ସ୍ଥାନ ଭାବେ ବାଛି ନେଉଛନ୍ତି।

Tribune India

କାଳିଖମା ପୋଲ ସୁଇସାଇଡ୍‌ ପଏଣ୍ଟ
ମଞ୍ଚେଶ୍ବର ରେଳ‌ ଷ୍ଟେସନ୍ ନିକଟରେ ଥିବା କାଳିଖମା ପୋଲ ସୁଇସାଇଡ୍‌ ପଏଣ୍ଟ ଭାବେ କୁଖ୍ୟାତି ମୁଣ୍ଡେଇଛି। କରୋନା ତାଲାବନ୍ଦ ସମୟରେ (୨୦୨୦-୨୧ ବର୍ଷରେ) ବି ଏଠାରେ ୭ଜଣଙ୍କ ଜୀବନ ଯାଇଛି। ସେଥିମଧ୍ୟରୁ ୨ଜଣ ଟ୍ରେନ୍‌ରୁ ଖସି ପ୍ରାଣ ହରାଇଥିବା ବେଳେ ଅନ୍ୟଗୁଡ଼ିକ ଆତ୍ମହତ୍ୟା ଜନିତ ମୃତ୍ୟୁ ବୋଲି ଜଣାପଡ଼ିଛି। ମଞ୍ଚେଶ୍ବର ରେଳବାଇ ଫାଣ୍ଡିର ସୂଚନାନୁଯାୟୀ, କରୋନା କାଳରେ ମୋଟ ୯ଟି ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ଆତ୍ମହତ୍ୟା ଘଟଣା ଅଧିକ। ଅନ୍ୟପକ୍ଷରେ କାଳିଖମା ଓ ନିକଟ ରେଳୱେ ଅନ୍‌ଲୋଡ଼ିଂ ସେକ୍ସନ୍‌ ବା ସିମେଣ୍ଟ ଅନ୍‌ଲୋଡିଂ ସେକ୍ସନ୍‌ରେ ପାଟ୍ରୋଲିଂ ହେଉ ନଥିବାରୁ କିଛି ଉଦ୍‌ଭ୍ରାନ୍ତ ଯୁବକ ରେଳଧାରଣାରେ ଜୀବନକୁ ବାଜି ଲଗାଉଛନ୍ତି। ଟ୍ରେନ୍ ଯାଉଥିବା ବେଳେ ରେଳଧାରଣା ମଝିରେ ଶୋଇ ମୃତ୍ୟୁକୁ ଚକ୍‌ମା ଦେବାକୁ ଚେଷ୍ଟା କରୁଛନ୍ତି।

ଗତ ୨୦୨୦ -୨୧ ବର୍ଷରେ ମଞ୍ଚେଶ୍ବର ଦକ୍ଷଣ କ୍ୟାବିନ୍ ନିକଟରେ ମଧ୍ୟ ୫ରୁ ଅଧିକ ମୁଣ୍ଡ ଗଡ଼ିଛି। ସବୁତକ ମୃତ୍ୟୁ ଆତ୍ମହତ୍ୟା ଜନିତ ବୋଲି ଦର୍ଶାଇ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରିଛି। ଅପରପକ୍ଷେ ମଞ୍ଚେଶ୍ବର ଶିଳ୍ପାଞ୍ଚଳରୁ ଭିଏସଏସ୍ ନଗର ରେଳଧାରଣା ରାସ୍ତାକଡ଼ରେ ଅଣଓସାରିଆ ରାସ୍ତା ଥିବାରୁ ମଧ୍ୟ ଅନେକ ସମୟରେ ଲୋକମାନେ ଏହି ବିପଦପୂର୍ଣ୍ଣ ରାସ୍ତାରେ ଯାତାୟାତ କରି ଟ୍ରେନ୍ ଧକ୍କାରେ ଜୀବନ ହାରିବାର ମଧ୍ୟ ନଜିର ରହିଛି। ଗତ ୨ ବର୍ଷ ମଧ୍ୟରେ ଭିଏସଏସ୍ ନଗର ରେଳଧାରଣା ନିକଟରେ ୪ଜଣ ଆତ୍ମହତ୍ୟା କରିଥିବା ଜଣାଯାଇଛି। ମୋଟାମୋଟି ଭାବେ କହିବାକୁ ଗଲେ, ମଞ୍ଚେଶ୍ବର ଜୋନ୍‌ ଅଞ୍ଚଳରେ ଗତ ଦୁଇ ବ‌ର୍ଷ ମଧ୍ୟରେ ୧୫ରୁ ଅଧିକ ଅପମୃତ୍ୟୁ ମାମଲା ହୋଇଛି। ସେଥିମଧ୍ୟରୁ ଅଧିକ ଆତ୍ମହତ୍ୟାଜନିତ ମୃତ୍ୟୁ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର