ଧରାପଡ଼ିଲା କୁଖ୍ୟାତ ଟ୍ରେନ୍ ଡକାୟତ ଗ୍ୟାଙ୍ଗ

ଚଳନ୍ତା ଟ୍ରେନ୍‌ରେ ଯାତ୍ରୀଙ୍କୁ ମାଡ଼ ମାରି ଲାପଟପ୍ ଲୁଟୁଥିଲେ

ପ୍ଲାଟଫର୍ମରେ ଥିବା ଫୁଡ୍ ପ୍ଲାଜା ଭାଙ୍ଗି କଳାକନା ବୁଲାଇଥିଲେ
୬ ଗିରଫ: ୩ ଲାପଟପ୍, କମ୍ପ୍ୟୁଟର, ୬ ମୋବାଇଲ ଫୋନ୍, ଏଟିଏମ୍ ସ୍ବାଇପ୍ ମେସିନ୍ ଜବତ

ଭୁବନେଶ୍ବର : କୋଭିଡ୍ ସମୟରେ ଷ୍ଟେସନ୍‌ରେ ଭିଡ଼ ରହୁ ନଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ ଦେଇ ଚଳନ୍ତା ଟ୍ରେନରେ ଯାତ୍ରୀଙ୍କୁ ଲୁଟପାଟ୍ କରୁଥିଲେ। ବାଧା ଦେଲେ ଆକ୍ରମଣ ମାରୁଥିଲେ। ଏପରିକି ଷ୍ଟେସନ୍‌ ପ୍ଲାଟଫର୍ମରେ ଦୋକାନ ଭାଙ୍ଗି କଳାକନା ବୁଲାଉଥିଲେ। ଗତରାତିରେ ଏକ ଚଳନ୍ତା ଟ୍ରେନ୍‌ରୁ ଡକାୟତି ଯୋଜନା କରୁଥିବା ବେଳେ ଭୁବନେଶ୍ବର ରେଳ ଷ୍ଟେସନ୍‌ ୬ନମ୍ବର ପ୍ଲାଟଫର୍ମ ନିକଟରୁ ଜିଆରପି ଓ ଆରପିଏଫ୍ ଥାନାର ମିଳିତ ଟିମ୍ ଏହି ଲୁଟେରା ଗ୍ୟାଙ୍ଗକୁ ଧରିଛି। ଗ୍ୟାଙ୍ଗର ୬ ଜଣ ସଦସ୍ୟଙ୍କୁ ଗିରଫ କରାଯିବା ସହ ସେମାନଙ୍କଠାରୁ ୩ଟି ଲାପଟପ୍, ଗୋଟିଏ କମ୍ପ୍ୟୁଟର, ୬ଟି ମୋବାଇଲ, ୩ଟି ଏଟିଏମ୍ ସ୍ବାଇପ୍ ମେସିନ୍, ଗୋଟିଏ ପ୍ରିଣ୍ଟିଂ ମେସିନ୍‌ ଜବତ କରାଯାଇଛି। ଏହି ସାମଗ୍ରୀଗୁଡ଼ିକ ସେମାନେ ଚଳନ୍ତା ଟ୍ରେନ୍‌ରୁ ଯାତ୍ରୀମାନଙ୍କଠାରୁ ଲୁଟିଥିବା ପୁଲିସ୍‌ ଆଗରେ ସ୍ବୀକାର କରିଛନ୍ତି। ଅଭିଯୁକ୍ତମାନେ ହେଲେ, ବୁଦ୍ଧନଗର ମୋଚି ସାହିର ସୀମାଞ୍ଚଳ ପାଢ଼ୀ, ବିଶ୍ବଜିତ ପଣ୍ଡା, ଜୟଦେବ ଦାସ, ସନ୍ତୁ ଦାସ, ରବି ବେହେରା ଓ ଗୋବିନ୍ଦ ସାହୁ।

ଜିଆରପି ଥାନାଧିକାରୀ ଜୟଦେବ ବିଶ୍ବଜିତଙ୍କ ସୂଚନା ଅନୁସାରେ, ଗତ ୧୧ତାରିଖ ରାତିରେ କୋଲକାତାର ଆଲେକଜାଣ୍ଡର ସ୍ବାମୀ ସାଲିମାର-ଚେନ୍ନାଇ ଏକ୍ସପ୍ରେସରେ ବିଶାଖାପାଟଣା ଯାଉଥିଲେ। ଭୁବନେଶ୍ବର ଷ୍ଟେସନ୍ ନିକଟରେ ଏହି ଦୁର୍ବୃତ୍ତମାନେ ଚଳନ୍ତା ଟ୍ରେନ୍‌ ଭିତରେ ପଶିଥିଲେ। ଆଲେକଜାଣ୍ଡରଙ୍କୁ ମାଡ଼ ମାରି ତାଙ୍କଠାରୁ ଲାପଟପ୍ ବ୍ୟାଗ୍ ଲୁଟି ନେଇଥିଲେ। ଏ ସଂକ୍ରାନ୍ତରେ ଆଲେକଜାଣ୍ଡର୍‌ ଅଭିଯୋଗ କରିବା ପରେ ଜିଆରପି ଥାନା ପୁଲିସ ମାମଲା ରୁଜୁ କରିଥିଲା। ସେହିପରି ୬ ନମ୍ବର ପ୍ଲାଟଫର୍ମରେ ଥିବା ଫୁଡ୍ ପ୍ଲାଜା ଝରକା ଭାଙ୍ଗି ତା’ ଭିତରୁ କମ୍ପ୍ୟୁଟର୍‌, ଏଟିଏମ୍ ସ୍ବାଇପ୍ ମେସିନ୍ ଓ ପ୍ରିଣ୍ଟର ଲୁଟି ନେଇଥିଲେ। ଏ ନେଇ ମଧ୍ୟ ଥାନାରେ ମାମଲା ରୁଜୁ ହୋଇଥିଲା। ବିଭିନ୍ନ ସମୟରେ ଯାତ୍ରୀଙ୍କଠାରୁ ମୋବାଇଲ ଓ ଲାପଟପ୍ ଲୁଟପାଟ୍‌ କରିବାର ଅଭିଯୋଗ ଥିଲା।

ତେବେ ଗତକାଲି ସେମାନେ ସନ୍ଦେହଜନକ ଅବସ୍ଥାରେ ଟ୍ରେନ୍‌ ଲାଇନ ପାଖରେ ବସିଥିବା ଖବର ମିଳିଥିଲା। ଆରପିଏଫ୍ ଓ ଜିଆରପି ଥାନାର ମିଳିତ ଟିମ୍ ଚଢ଼ଉ କରି ୬ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ଘର ଯାଞ୍ଚ ପରେ ଲୁଟ୍ ସାମଗ୍ରୀ ଜବତ କରାଯାଇଥିଲା। ଏବେ ସୁଦ୍ଧା ଗିରଫ ଅଭିଯୁକ୍ତ ନାଁରେ କେବଳ ଜିଆରପି ଥାନାରେ ୬ଟି ମାମଲା ରହିଛି। ପୂର୍ବରୁ କେତେକ ଅଭିଯୁକ୍ତଙ୍କ ନାଁରେ ଲକ୍ଷ୍ମୀସାଗର ଥାନାରେ ମଧ୍ୟ ମାମଲା ରହିଛି।

ଦୁଇ ଅଭିଯୁକ୍ତ କୋଭିଡ୍ ପଜିଟିଭ୍, ସଂଗରୋଧରେ ୧୫ ପୁଲିସ କର୍ମଚାରୀ
ଗିରଫ ୬ ଅଭିଯୁକ୍ତଙ୍କୁ ଆଜି କୋର୍ଟଚାଲାଣ ପୂର୍ବରୁ କୋଭିଡ୍ ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୨ଜଣ ପଜିଟିଭ୍ ବାହାରିଥିଲେ। ସେମାନଙ୍କର କୌଣସି ଲକ୍ଷଣ ନ ଥିବାରୁ ଗୃହ ସଂଗରୋଧରେ ରହିଛନ୍ତି। ଅନ୍ୟ ୪ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ଅପରପକ୍ଷେ ଅଭିଯୁକ୍ତମାନଙ୍କୁ ଧରିବା, ଏସକର୍ଟ ଟିମ୍‌ରେ ଯିବା ଆସିବା କରିଥିବା କର୍ମଚାରୀମାନେ ଏବେ ସଂଗରୋଧରେ ରହିଛନ୍ତି। ଜିଆର୍‌ପି ଥାନାର ପ୍ରାୟ ୭ଜଣ ଏବଂ ଆରପିଏଫ୍‌ର ପ୍ରାୟ ୮ ଜଣ ପୁଲିସ ସଂଗରୋଧରେ ରହିଛନ୍ତି। ୫ଦିନ ପରେ ସେମାନଙ୍କର କୋଭିଡ୍ ପରୀକ୍ଷା ହେବ ବୋଲି ଆଇଆଇସି ଜୟଦେବ ବିଶ୍ବଜିତ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର