କଟକ (ଚିରଂଜୀବୀ କର): ମିଶାଣ, ଫେଡ଼ାଣ, ହରଣ ଓ ଗୁଣନ କରିପାରୁଛି। ଜ୍ୟୋତିଷ ବିଦ୍ୟା ଜାଣିଛି। ମଞ୍ଚ ଉପରେ ଅତିଥିଙ୍କୁ ଫୁଲତୋଡ଼ା ଦେଉଛି। ଇଏ ହେଉଛି ରାଜ୍ୟ ପୁଲିସ ବିଭାଗର ଗୋଳାବାରୁଦ ସନ୍ଧାନୀ କୁକୁର ‘କାଜଲ’ର କାରନାମା। ରାଜ୍ୟ ପୁଲିସର ‘କେ-୯ ସ୍କ୍ଵାଡ୍’ରେ ଏଭଳି ଧୁରନ୍ଧର ଓ ବୁଦ୍ଧିଆ କୁକୁର ଯୋଗ ଦେଇଥିବା ବେଳେ ତା’ର କାର୍ଯ୍ୟକଳାପ ସମସ୍ତଙ୍କୁ ଚକିତ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଲାବ୍ରାଡୋର୍ ପ୍ରଜାତିର ‘କାଜଲ’କୁ ମଧ୍ୟପ୍ରଦେଶର ଗ୍ଵାଲିୟରରେ ଥିବା ବିଏସ୍ଏଫ୍ କ୍ୟାମ୍ପ୍ରେ ୬ ମାସ କାଳ ଏକ୍ସପ୍ଲୋସିଭ୍ ବା ଗୋଳାବାରୁଦ ଠାବ ସଂକ୍ରାନ୍ତରେ ତାଲିମ ଦିଆଯାଇଥିଲା। ସେଠୁ ଆସି ସେ ଏବେ କଟକ ପୁଲିସ ମୁଖ୍ୟାଳୟରେ ନିଯୁକ୍ତ ହୋଇଛି। ମାତ୍ର ଏକ ବର୍ଷ ୨ ମାସର ‘କାଜଲ’କୁ ଏବେ ମାନସିକ ଭାବେ ତୀକ୍ଷ୍ଣ ହେବାକୁ ଡ୍ରିଲ୍ ଶିଖାଉଛନ୍ତି ତାଲିମ ଦାତା। ଯବାନ ଯେଭଳି ଘଞ୍ଚ ଜଙ୍ଗଲରେ ଜରୁରି ପରିସ୍ଥିତିରେ ମାଟିରେ ଗୁରୁଣ୍ଡି ଗୁରୁଣ୍ଡି ନକ୍ସଲ୍ ଦମନ ଅପରେସନ୍ କରନ୍ତି, ସେହି ଢଂଗରେ ‘କାଜଲ’ ଏବେ କାର୍ଯ୍ୟ କରୁଛି । ‘ଭାରତ ମାତା କି…’ କହିଲେ, କାଜଲ ଭୁକିକି ‘ଜୟ’ ଶବ୍ଦ କରୁଛି। ପ୍ରତ୍ୟେକ ଦିନ ସକାଳୁ ଗେଟ୍ ବାହାରୁ ଖବର କାଗଜ ଆଣି ଅଫିସର୍ଙ୍କୁ ପଢ଼ିବାକୁ ଦେଉଛି ।
ସବୁଠୁ ରୋଚକ କଥା, ଗଣିତରେ ଏବେ ମଣିଷଙ୍କ ପରି ପୋଖତ ହେଇସାରିଲାଣି କାଜଲ। ଉଦାହରଣ ସ୍ୱରୂପ, ୧ରେ ୧ ମିଶିଲେ ଦୁଇ ଥର ଭୁକିକି ଉତ୍ତର ୨ ବୋଲି କହୁଛି। ସେହିପରି ୧୦ରୁ ୫ ଫେଡ଼ିଲେ ଉତ୍ତର ୫ ଦର୍ଶାଇବାକୁ ୫ ଥର ଭୁକୁଛି । ୩ରେ ୪ ଗୁଣିଲେ ଉତ୍ତର ୧୨ ଦର୍ଶାଇବାକୁ ୧୨ ଥର ଭୁକି ‘କାଜଲ’ ନିଜର କରିସ୍ମା ଦେଖାଉଛି। କୌଣସି ଭବିଷ୍ୟତ କଥା ପଚାରିଲେ ‘କାଜଲ’ ମୁଣ୍ଡ ହଲାଇ ତା’ର ଉତ୍ତର ଦେଉଛି । ନିକଟରେ ପୁଲିସ ବିଭାଗ ପକ୍ଷରୁ ଆଥ୍ଲେଟ୍ ଇଭେଣ୍ଟରେ ଭାଗ ନେବାକୁ ଜିଲ୍ଲା ବାହାରକୁ ପୁଲିସ କର୍ମଚାରୀ ଯାଇଥିଲେ । ଯିବା ପୂର୍ବରୁ ଖେଳର ଫଳାଫଳ ସମ୍ପର୍କରେ ପଚାରିବାରୁ ଟିମ୍ ଜିତିବ ବୋଲି ସେ ମୁଣ୍ଡ ହଲାଇ କହିଥିଲା। ସେହି ଇଭେଣ୍ଟରେ ଟିମ୍ ଜିତିଥିଲା। ଏଭଳି ଅନେକ ଛୋଟ ବଡ଼ ଘଟଣାରେ ତା’ କଥା ସତ ହେଉଥିବାରୁ ଏକ ପ୍ରକାର ବିଶ୍ୱାସ ଜନ୍ମିଥିବା ପୁଲିସ ବିଭାଗରେ ଚର୍ଚ୍ଚା ହେଉଛି । ଗତ ୬ ମାସ ମଧ୍ୟରେ ଚଳିତ ରଥଯାତ୍ରାକୁ ମିଶାଇ ମୋଟ ୯ଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସଫଳତାର ସହିତ କାଜଲ ତୁଲାଇଛି। କଟକ ବାଲିଯାତ୍ରା ଉପର ପଡ଼ିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାଧାରଣ ସଭାର ସମ୍ପୂର୍ଣ୍ଣ ସୁରକ୍ଷା ଦାୟିତ୍ୱ ନେଇଥିଲା ‘କାଜଲ’ । ବୋମା କିମ୍ବା ଗୋଳାବାରୁଦ ସାମଗ୍ରୀ ଯାଞ୍ଚ କରିବାରେ ସଫଳ ହୋଇଥିଲା ।
ଅନ୍ୟପଟେ ଢେଙ୍କାନାଳ ଜିଲ୍ଲା ସଦର ଥାନାରେ ‘କାଜଲ’ର ଅନ୍ୟ ଏକ ନୂଆ ସହଯୋଗୀ ‘ଅମର’ ବେଶ ସଫଳ ସାବ୍ୟସ୍ତ ହୋଇଛି। ଜୁଲାଇ ୮ ତାରିଖରେ ଏକ ଡକାୟତି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ ଏବଂ ୧ ଲକ୍ଷ ୧୦ ହଜାର ଟଙ୍କା ଜବତ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ମୁଖ୍ୟାଳୟରେ ଦୀର୍ଘ ଦିନ ବ୍ୟବଧାନରେ ଲାବ୍ରାଡୋର ଓ ଜର୍ମାନ୍ସେଫର୍ଡ ପ୍ରଜାତିର ୬ଟି କୁକୁରଙ୍କୁ ୧ ଲକ୍ଷ ୪୭ ହଜାର ଟଙ୍କା ବ୍ୟୟରେ ଖରିଦ୍ କରାଯାଇଛି।