ଭୁବନେଶ୍ୱର: କଥାରେ ଅଛି, ‘କାଲ ଠାର କାଲ ମା’ ଜାଣେ’। ଅର୍ଥାତ୍ ଠାର ବି ଏକ ଭାଷା। କେବଳ ଶ୍ରବଣ ବା ବାକ୍ବାଧିତ ନୁହନ୍ତି, ଏହି ଭାଷାକୁ ଆମେ ସମସ୍ତେ ନିତିଦିନିଆ ଜୀବନରେ ବ୍ୟବହାର କରୁ। ଭାଷା ଭଳି, ଭାବ ପ୍ରକାଶ ପାଇଁ ସଙ୍କେତ ବି ବେଶ୍ ମହତ୍ତ୍ୱପୂର୍ଣ୍ଣ। ପାଞ୍ଚ ପଦ କଥାକୁ ଗୋଟିଏ ହିଁ ସଙ୍କେତ ସୂଚାଇ ଦିଏ। ଏଣୁ ଏହାକୁ ‘ସାଙ୍କେତିକ ଭାଷା’ ବି କୁହାଯାଏ। ତେବେ ଆଉ ଏହି ଶ୍ରବଣବାଧିତ ଓ ବାକ୍ବାଧିତଙ୍କ ସହ ଭାବ ଆଦାନ ପ୍ରଦାନ ପାଇଁ ସଙ୍କେତିକ ଭାଷା ବେଶ୍ ଗୁରୁତ୍ୱପୂର୍ଣ୍ଣ। ୨୦୧୧ ମସିହାର ଜନଗଣନା ଅନୁସାରେ ଦେଶରେ ପ୍ରାୟ ୨ ଲକ୍ଷ ୩୭ ହଜାର ୫୯୦ଜଣ ଶ୍ରୁତିବାଧିତ। ଅର୍ଥାତ ଦେଶରେ ପାଖାପାଖି ଅଢ଼େଇ ଲକ୍ଷ ଲୋକ ଶୁଣିପାରନ୍ତି ନାହିଁ। ଏଥିସହ ଜାତୀୟ ନମୁନା ସର୍ବେକ୍ଷଣ ସଂସ୍ଥାର ତଥ୍ୟ କହୁଛି, ଓଡ଼ିଶାରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ୩୦୦ଜଣ ଶ୍ରବଣବାଧିତ।
୧ ଲକ୍ଷରେ ୩୦୦ ଶ୍ରବଣବାଧିତ
କେମିତି ପାଇବେ ନିଯୁକ୍ତି
ମୁଖ୍ୟସ୍ରୋତରେ ସାମିଲ ହେବା ସାତ ସପନ
ହେଲେ ରାଜ୍ୟର ଏତେ ସଂଖ୍ୟକ ଶ୍ରବଣବାଧିତଙ୍କୁ ପ୍ରଶିକ୍ଷିତ କରିବାକୁ ରାଜ୍ୟରେ ପ୍ରଶିକ୍ଷକଙ୍କ ସଂଖ୍ୟା ୩୦ରୁ ବି କମ୍, ଯାହାକି ଚିନ୍ତାଜନକ। ସାରା ବିଶ୍ବରେ ଶ୍ରବଣବାଧିତ ବ୍ୟକ୍ତିଙ୍କ ସଂଖ୍ୟା ଉପଯୁକ୍ତ ପରିମାଣରେ ରହିଥିବା ବେଳେ ସେମାନଙ୍କୁ ପ୍ରଶିକ୍ଷିତ କରି ମୁଖ୍ୟସ୍ରୋତରେ ସାମିଲ କରାଇବାକୁ ୨୦୧୮ ମସିହାଠାରୁ ବୈଶ୍ବିକ ସ୍ତରରେ ‘ସାଙ୍କେତିକ ଭାଷା ଦିବସ’ ପାଳିତ ହୋଇଆସୁଛି। ଆମେ ପ୍ରତିବର୍ଷ ଏହି ଦିବସ ପାଳୁଛେ ପଛେ, ହେଲେ ସେମାନେଙ୍କୁ ଶିକ୍ଷା, ସଚେତନତା ଯୋଗାଇବା ପାଇଁ ସାଙ୍କେତିକ ଭାଷା ପ୍ରଶିକ୍ଷଣର ଗୁରୁତ୍ବ ଉପରେ ସରକାର ଯେତିକି ଗୁରୁତ୍ବ ଦେବା କଥା ସେତିକି ଦେଉନାହାନ୍ତି। ରାଜ୍ୟରେ ଏତେ ସଂଖ୍ୟାକ ଶ୍ରବଣବାଧିତଙ୍କ ପାଇଁ ସାଙ୍କେତିକ ଭାଷା ଶିକ୍ଷାଦାନ ପାଇଁ ଯଦିଓ ବ୍ୟାଖ୍ୟାକାରଙ୍କ ସଂଖ୍ୟା ଅଧିକ ହେଲେ ପ୍ରକୃତରେ ପ୍ରଶିକ୍ଷଣ ପାଇ ଥିବା ଶିକ୍ଷକଙ୍କ ସଂଖ୍ୟା ୩୦ରୁ ବି କମ୍ ରହିଛି। ଫଳସ୍ୱରୁପ ବହୁ ଶ୍ରବଣବାଧିତ ଉଚ୍ଚ ଶିକ୍ଷା ଲାଭରୁ ବଞ୍ଚିତ ହୋଇଯାଉଛନ୍ତି। ରାଜ୍ୟର ଏକମାତ୍ର ମୂକ ଓ ବଧିର ମହାବିଦ୍ୟାଳୟ ‘ସତ୍ୟଭାମା ଦେବୀ ମୂକ ଓ ବଧିର ମହାବିଦ୍ୟାଳୟ’ରେ ଯୁକ୍ତ ଦୁଇରେ ୨୮୦ ଜଣ ଛାତ୍ରଛାତ୍ରୀ ଥିବା ବେଳେ ସ୍ନାତକରେ ୧୯୨ଜଣ ପିଲା ଅଛନ୍ତି। ହେଲେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅନୁସାରେ ଶିକ୍ଷକ ନାହାନ୍ତି। ଗତ ବର୍ଷ ଅଗଷ୍ଟ ମାସରେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ରାଜ୍ୟର ୫୫ଟି ସ୍ୱତନ୍ତ୍ର ବିଦ୍ୟାଳୟ ପାଇଁ ପ୍ରାୟ ୮ ଶହ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦିଆଯିବ ବୋଲି ଘୋଷଣା ହୋଇଥିଲା। ହେଲେ ବର୍ଷେ ବିତି ଯାଇଥିଲେ ସୁଦ୍ଧା ଶିକ୍ଷକଙ୍କ ସଂଖ୍ୟା ବଢ଼ିପାରିଲା ନାହିଁ।
ମହାବିଦ୍ୟାଳୟରେ ପ୍ରଶିକ୍ଷିକ ଅଭାବ, ନିଯୁକ୍ତି ସୁବିଧା ଶୂନ୍
ଏନେଇ ‘ସତ୍ୟଭାମା ଦେବୀ ମୂକ ଓ ବଧିର ମହାବିଦ୍ୟାଳୟ’ର ଅଧ୍ୟକ୍ଷା ସଂଘମିତ୍ରା ମହାପାତ୍ରଙ୍କ କହିବା ଅନୁଯାୟୀ, ଓଡ଼ିଶାରେ ଶ୍ରବଣବାଧିତ ପିଲାଙ୍କ ସଂଖ୍ୟା ଢେର୍ ଅଧିକ। ହେଲେ ସେହି ଅନୁସାରେ ଶିକ୍ଷକ ନାହାନ୍ତି। ଫଳରେ ଛାତ୍ରଛାତ୍ରୀଙ୍କୁ ପଢ଼ାଇବାରେ ସମସ୍ୟା ହେଉଛି। ଏଥିପାଇଁ ବହୁଥର ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଲିଖିତ ଅଭିଯୋଗ କଲା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ। ପୁଣି ଯେଉଁମାନେ ସ୍ନାତକ ସାରୁଛନ୍ତି, ସେମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ରହୁନାହିଁ। ନିଯୁକ୍ତି କ୍ଷେତ୍ରରେ ସେମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଲେ ବହୁତ ଭଲ ହୁଅନ୍ତା ବୋଲି ସେ କହିଛନ୍ତି।
ଶିକ୍ଷକଙ୍କୁ ଶିଖାଯାଉ ସାଙ୍କେତିକ ଭାଷା
ବ୍ୟାଖ୍ୟାକାର ସମୀର କୁମାର ନାୟକଙ୍କ କହିବା ଅନୁଯାୟୀ ଶିକ୍ଷକମାନଙ୍କୁ ପ୍ରାଥମିକସ୍ତରରୁ ହିଁ ସାଙ୍କେତିକ ଭାଷାର ପ୍ରଶିକ୍ଷଣ ଦେବାର ଆବଶ୍ୟକତା ରହିଛି। କାରଣ ପିଲାଙ୍କ ପାଠ ପଢ଼ାଇବା ସମୟରେ ସେମାନେ ଭଲରେ ବୁଝିଲେ ନା ନାହିଁ ଏଥିପାଇଁ ସବୁବେଳେ ଦ୍ୱନ୍ଦ୍ବ ରହିଯାଏ। ତେଣୁ ସରକାରଙ୍କ ତରଫରୁ ଏ ଦିଗରେ ଦୃଷ୍ଟି ହେବାରେ ଆବଶ୍ୟକତା ରହିଛି। ପୁଣି ସ୍ନାତକ କରିସାରିବା ପରେ ପିଲାଙ୍କୁ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଆବଶ୍ୟକ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/23/gsfhhffhf-2025-09-23-01-32-43.jpg)