‘ମୋ ସରକାର’ କାର୍ଯ୍ୟକାରୀ ପାଇଁ ତାଲିମ୍ ଶିବିର, ସରକାରଙ୍କୁ ଉତ୍ତରଦାୟୀ କରିବା ଲକ୍ଷ୍ୟ

ଭୁବନେଶ୍ବର: ସରକାରୀ କାର୍ଯ୍ୟାଳୟରେ ସର୍ବସାଧାରଣଙ୍କ ସ୍ବାର୍ଥକୁ ଅଗ୍ରାଧିକାର ଦେବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ। ଗୃହ ଓ ନଗର ଉନ୍ନୟନ ବିଭାଗରେ ‌୫-ଟି କାର୍ଯ୍ୟକ୍ରମରେ ମୋ’ ସରକାର କାର୍ଯ୍ୟକାରୀ ହେବାକୁ ଯାଉଛି। ଆସନ୍ତା ଜାନୁଆରି ପହିଲାରୁ ବିଭାଗ ଅଧୀନରେ ୩୬୦ କ୍ଷେତ୍ର କାର୍ଯ୍ୟାଳୟରେ ଏହା ଲାଗୁ ହେବ। ଏନେଇ ବିଭାଗୀୟ ପଦାଧିକାରୀଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବା ପାଇଁ ଦିନିକିଆ ଏକ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଗୃହ ଓ ନଗର ଉନ୍ନୟନ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା ଏହାକୁ ଉଦ୍‌ଘାଟନ କରି କହିଛନ୍ତି, ଜନସାଧାରଣ ହେଉଛନ୍ତି ଗଣତନ୍ତ୍ରର ଆତ୍ମା। ସେମାନଙ୍କର ସେବା କରିବା ସରକାରଙ୍କ ପ୍ରମୁଖ କାର୍ଯ୍ୟ। ଜନସାଧାରଣଙ୍କୁ ଉପଯୁକ୍ତ ସେବା ଯୋଗାଇ ପାରିଲେ ଲୋକମାନେ ସବୁ ଯୋଜନାର ସୁଫଳ ପାଇ ପାରିବେ। ସରକାର ଓ ଜନସାଧାରଣଙ୍କ ମିଳିତ ଉଦ୍ୟମରେ ରାଜ୍ୟରେ ବିକାଶ ହୋଇପାରିବ।

ମୋ’ ସରକାର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନିଜେ ଜନସାଧାରଣଙ୍କ ସହିତ ଫୋନ୍ ଯୋଗେ ସଂପର୍କ ସ୍ଥାପନ କରୁଛନ୍ତି। ସେମାନଙ୍କୁ ସରକାରୀ କାର୍ଯ୍ୟାଳୟରେ କିଭଳି ବ୍ୟବହାର ପ୍ରଦର୍ଶନ କରାଗଲା, ସେବା ପ୍ରଦାନ ପାଇଁ ସ୍ବଚ୍ଛତା ଅବଲମ୍ବନ କରାଯାଇଛି କି ନାହିଁ, ତାହା ପଚାରି ବୁଝୁଛନ୍ତି। ସରକାରକୁ ଅଧିକ ଉତ୍ତରଦାୟୀ କରିବା ମୋ’ ସରକାର’ର ଲକ୍ଷ୍ୟ। ଆସନ୍ତା ପହିଲାରୁ ଗୃହ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ଥିବା ୩୬୦ କ୍ଷେତ୍ର କାର୍ଯ୍ୟାଳୟରେ ଏହା କାର୍ଯ୍ୟକାରୀ ହେବ ଓ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ସ୍ବତନ୍ତ୍ର କକ୍ଷ ଖୋଲାଯିବ ବୋଲି ଶ୍ରୀ ଜେନା କହିଥିଲେ। ବିଭାଗର ପ୍ରମୁଖ ସଚିବ ଜି.ମାଥିଭାତନମ୍ କହିଲେ, କ୍ଷେତ୍ର କାର୍ଯ୍ୟାଳୟକୁ ଆସୁଥିବା ଜନସାଧାରଣଙ୍କ ପ୍ରକୃତ ଡାଟାବେସ୍ ନିର୍ଦ୍ଦିଷ୍ଟ ଫର୍ମାଟରେ ପ୍ରସ୍ତୁତ କରିବେ। ସେହି ଡାଟାକୁ ନେଇ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପଦସ୍ଥ ଅଧିକାରୀମାନେ ଜନସାଧାରଣଙ୍କ ମତାମତ ସଂଗ୍ରହ କରିବେ ବୋଲି ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୌର ପ୍ରଶାସକ ସଂଗ୍ରାମଜିତ ନାୟକ, ସ୍ବତନ୍ତ୍ର ସଚିବ ପ୍ରେମ୍ କୁମାର ଝା, ଯନ୍ତ୍ରୀ ମୁଖ୍ୟ ଜନ୍ମେଜୟ ସେଠୀ, ରାଜ୍ୟ ସହରାଞ୍ଚଳ ଗୃହ ନିର୍ମାଣ ମିସନ୍‌ ନିର୍ଦେଶକ ସୁରେଶ ଚନ୍ଦ୍ର ଦଳାଇ, ଯୁଗ୍ମ ସଚିବ ସୁଶାନ୍ତ ମିଶ୍ର ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ଏହି ତାଲିମ୍ ଶିବିରରେ ମହାନଗର ନିଗମର କମିସନର, ପୌରପାଳିକା ଓ ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର