ଖଣ୍ଡଗିରି: ମୟୁରଭଞ୍ଜ ଜ଼ିଲ୍ଲା କପ୍ତିପଦା ବ୍ଲକ ପେଡ଼ାଗଡ଼ି ଗାଁର ଆଲୋକ ପଟ୍ଟନାୟକ। ପୂର୍ବରୁ ଛତୁ ଚାଷ କରୁଥିଲେ ମଧ୍ୟ ଛତୁ ମଞ୍ଜି ପରିଚାଳନା ବାବଦରେ ଅଧିକ ଜଣା ନ ଥିଲା। ଫଳରେ ଅନେକ ଥର ଚାଷ ତ କରୁଥିଲେ, ହେଲେ ଲାଭ ନ ପାଇବାରୁ ଚାଷ ପ୍ରତି ଆଗ୍ରହ କମିଯାଉଥିଲା। ଏପରିକି କେମିତି ଛତୁକୁ ପ୍ୟାକେଜିଂ କରିବେ ସେବିଷୟରେ ଜଣା ନ ଥିଲା। ସବୁଆଡ଼ୁ ନିରାଶ ହେଉଥିବାରୁ ଚାଷ ଛାଡ଼ିବାକୁ ମନସ୍ତ କରିଥିଲେ। ଏଭଳି ସମୟରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି) ଅଧୀନ କୃଷି ବିଜ୍ଞାନ କେନ୍ଦ୍ରରେ ଓମ୍‌ବାଡିସ ଅନୁଦାନପ୍ରାପ୍ତ ସିବିସାଇ ବିକାଶ ପ୍ରକଳ୍ପ ତାଙ୍କୁ ସହଯୋଗର ହାତ ବଢ଼ାଇଥିଲା। ସିବିସାଇ ବିକାଶ ପ୍ରକଳ୍ପରୁ ତାଲିମ ନେବା ପରେ ତାଙ୍କ ଜୀବନର ଗତି ପଥରେ ବିରାଟ ପରିବର୍ତ୍ତନ ଆସିଥିଲା। ପାଳ ଛତୁ ଉପରେ ତାଙ୍କର ଆଗ୍ରହ ଥିବାରୁ ନିଜ ଘରେ ଚାଷ ଆରମ୍ଭ କରିଥିଲେ। ପାଳ ଛତୁ ପାଇଁ ସାଧାରଣତଃ ପ୍ରାକୃତିକ ପରିବେଶ, ସ୍ୱଚ୍ଛତା, ଉତ୍ତମ ମଞ୍ଜି ପରିଚାଳନାର ଆବଶ୍ୟକତା ରହିଥାଏ। ଏସମ୍ପର୍କରେ ତାଲିମ ନେବା ପରେ ଆଲୋକ ଏବେ ଛତୁ ଚାଷ କରୁଛନ୍ତି। ଆଗକୁ ଅନ୍ୟ ଛତୁ ଚାଷ କରିବା ଦିଗରେ ଅଧିକ ତାଲିମ ନେବାକୁ ଆଗ୍ରହ ପ୍ରକାଶ କରିଛନ୍ତି।

Advertisment

ଓୟୁଏଟି ବୈଜ୍ଞାନିକଙ୍କ କହିବାନୁଯାୟୀ ଛତୁ ଏକ ସୁସ୍ୱାଦୁ ଖାଦ୍ୟ ହୋଇଥିବା ବେଳେ ଏହି ଚାଷ ସରଳ ଓ ଲାଭଦାୟକ। ପାଳ ଛତୁ ୧୨ରୁ ୧୫ ଦିନ ଏବଂ ଡିଙ୍ଗିରି ଛତୁ ୨୦ରୁ ୨୫ ଦିନ ମଧ୍ୟରେ ସ୍ୱଳ୍ପ ଖର୍ଚରେ ଅମଳ ହୋଇଥାଏ। କେବଳ ସେତିକି ନୁହେଁ, ବିଭିନ୍ନ ପ୍ରକାର କୃଷି ଉପଜାତ ପଦାର୍ଥକୁ ନେଇ ସ୍ୱଳ୍ପ ସମୟରେ, ସ୍ୱଳ୍ପ ପୁଞ୍ଜି ବିନିଯୋଗ ଓ ଅତି ସହଜରେ ଉତ୍ପନ୍ନ ହୋଇପାରୁଛି ପୁଷ୍ଟିକର ଛତୁ ଚାଷ। ଏହାକୁ ଖାଇଲେ ମଧୁମେହ, ହୃଦରୋଗ, ମଳକଣ୍ଟକ, ମେଦବହୁଳତା ହ୍ରାସ ପାଇଥାଏ। ତାହାକୁ ଆଧାର କରି ଆଲୋକ ନିଜ ଘରେ ଛତୁ ଚାଷ କରି ବର୍ତମାନ ୭୦ରୁ ୮୦ ବେଡ଼ରେ ମାସକୁ ପ୍ରାୟ ୮୦ ହଜାର ଲାଭ ପାଉଛନ୍ତି। ପାଖ ବଜାରରେ ଛତୁ ବିକ୍ରି କରିବା ସହ ମଞ୍ଜି ମଧ୍ୟ ବିକ୍ରି କରୁଛନ୍ତି। ନିଜ ଅଞ୍ଚଳର ଚାଷୀଙ୍କୁ ଏ ଦିଗରେ ଉତ୍ସାହିତ କରିବା ସହ ନିଜେ ମଧ୍ୟ ପ୍ରଶିକ୍ଷଣ ଦେଉଛନ୍ତି। ଏବେ ତାଙ୍କ ଅଧୀନରେ ପାଖାପାଖି ୪୦ ଜଣ ଚାଷୀ ଛତୁ ଚାଷ ପ୍ରତି ପ୍ରଶିକ୍ଷଣ ପାଇଁ ନିଜ ଘରେ ଛତୁ ଚାଷ ଆରମ୍ଭ କଲେଣି। ଆଲୋକ ମଧ୍ୟ ନିଜ ଛତୁ ଚାଷରେ ସହଯୋଗ ପାଇଁ ୩ ଜଣଙ୍କୁ ରୋଜଗାର ଦେଇପାରୁଛନ୍ତି। ଆଉ ଏହାର ଶ୍ରେୟ ସିବିସାଇ ବିକାଶ ପ୍ରକଳ୍ପ ଦ୍ୱାରା ଦିଆଯାଉଥିବା ୫ ଦିନିଆ ପ୍ରଶିକ୍ଷଣକୁ ଦେଇଛନ୍ତି। ଖଣି ଖାଦନପୂର୍ଣ୍ଣ ଢେଙ୍କାନାଳ, କେନ୍ଦୁଝର, ଯାଜପୁର, ମୟୁରଭଞ୍ଜ, ସୁନ୍ଦରଗଡ, ଝାରସୁଗୁଡା ଓ ଦେଓଗଡରେ ସିବିସାଇ ବିକାଶ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ପ୍ରକଳ୍ପ ଜରିଆରେ କୁକୁଡ଼ା ପାଳନ, ଚାରାରୋପଣ, ଜ଼ିଆ ଖତ ପ୍ରସ୍ତୁତି, ମହୁ ଚାଷ, ଛତୁ ଚାଷ ଆଦି ସମ୍ପର୍କରେ ଚାଷୀଙ୍କୁ ୫ ଦିନିଆ ତାଲିମ ଦିଆଯାଉଛି। ଫଳରେ ଆଲୋକଙ୍କ ଭଳି ଅନେକ ଚାଷୀ ପ୍ରକଳ୍ପ ଅଧୀନରେ ପ୍ରଶିକ୍ଷଣ ପାଇ ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟ ପାଇଁ ପ୍ରେରଣାର ଉତ୍ସ ହୋଇପାରିଛନ୍ତି।