ପ୍ରଶିକ୍ଷଣ ମଣିଷକୁ ସୁଦୃଢ଼ କରେ: ସୌମ୍ୟ

ଯୋଗଶିକ୍ଷକ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ଭୁବନେଶ୍ବର: ମଣିଷକୁ ସୁଦୃଢ଼ କରିବାର ଏକମାତ୍ର ବାଟ ହେଉଛି ପ୍ରଶିକ୍ଷଣ। ସମସ୍ତଙ୍କ ଜୀବନରେ ପ୍ରଶିକ୍ଷଣର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଯେଉଁ ଶିକ୍ଷକମାନେ ଏଠି ପ୍ରଶିକ୍ଷଣ ଗ୍ରହଣ କଲେ, ସେମାନେ ନିଜର ଉନ୍ନତି କରିବା ସହ ସମାଜର ଉନ୍ନତିରେ ଭାଗୀଦାର ହୁଅନ୍ତୁ। ଆମ ଶିକ୍ଷା ବ୍ୟବସ୍ଥାରେ ବଡ଼ ଅସୁବିଧା ହେଲା, ଉପଯୁକ୍ତ ପ୍ରଶିକ୍ଷିତ ଶିକ୍ଷକଙ୍କ ଅଭାବ। ଏଥିପାଇଁ ସମଗ୍ର ଶିକ୍ଷା ବ୍ୟବସ୍ଥାରେ ଆଶାନୁରୂପ ଉନ୍ନତି ହୋଇପାରୁନି। ‘ସତ୍ୟାନନ୍ଦ ଯୋଗ ବିଦ୍ୟାଳୟ’ରେ ମାସିକ ଯୋଗ ଶିକ୍ଷକ ପ୍ରଶିକ୍ଷଣ ଶିବିରର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି।

ବିଦ୍ୟାଳୟର ନିର୍ଦ୍ଦେଶକ ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପଟ୍ଟନାୟକ ଆହୁରି କହିଲେ, ଏହି ଶିବିରରେ ପ୍ରଶିକ୍ଷଣ ଗ୍ରହଣ କରିଥିବା ସମସ୍ତ ୨୫ ଶିବିରାର୍ଥୀ ୫ମ’ ଓ ୪ନ’କୁ ପାଳନ କରି ଯୋଗ ଶିକ୍ଷାର ପ୍ରଚାରପ୍ରସାର କଲେ ଲୋକଙ୍କର ଉନ୍ନତି ହୋଇପାରିବ। ସେଗୁଡ଼ିକ ହେଲା, ମା’କୁ ଭଲ ପାଇବା, ମାଟିକୁ ଆଦର କରିବା, ମାତୃଭାଷାକୁ ଆୟତ୍ତ କରିବା ଓ ‌ମୋବାଇଲର ସଦୁପଯୋଗ କରିବା। ଏହାସହ ନିରୋଗ ରହିବା, ନିରହଙ୍କାର ହେବା, ନିରାଡ଼ମ୍ବର ଜୀବନଯାପନ କରିବା, ବିନା ଭୟରେ ନିଡରରେ ଜୀବନ ଜିଇଁବା। ଏହାଦ୍ବାରା ନିଜର ଓ ସମାଜର ଉନ୍ନତି ‌ହୋଇପାରିବ ବୋଲି ସେ କହିଥିଲେ।
ସଭାପତିତ୍ବ ଭାଷଣରେ ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀ କହିଲେ, ସଚେତନତା ଓ ଏକାଗ୍ରତାର ସହ ଯୋଗ କରିବା ଜରୁରି। ଯେକୌଣସି ଆସନକୁ ଠିକ ଓ ନିୟମିତ କରିପାରିଲେ, ଯୋଗର ସକାରାତ୍ମକ ପ୍ରଭାବ ଆମ ଶରୀ‌ର ଅନୁଭବ କରିପାରିବ।

ବିଦ୍ୟାଳୟର ସଭାପତି ସୁଦତ୍ତା ପଟ୍ଟନାୟକ କହିଲେ, ଅତୀତରେ ଲୋକମାନଙ୍କ ଭିତରେ ଯୋଗ ସମ୍ପର୍କରେ କୌଣସି ସ୍ପଷ୍ଟ ଧାରଣା ନଥିଲା। ସମସ୍ତଙ୍କ ଧାରଣା ଥିଲା, ସନ୍ନ୍ୟାସୀମାନେ କେବଳ ଯୋଗ କରନ୍ତି। କିନ୍ତୁ ପରମହଂସ ସତ୍ୟାନନ୍ଦଜୀ ଜଣେ ଦୂରଦ୍ରଷ୍ଟା ସାଧକ। ସେ ସାଧାରଣ ଲୋକମାନଙ୍କ ଭିତରେ ଯୋଗକୁ ଉପଯୋଗୀ କରିବାକୁ ପ୍ରୟାସ କରିଥିଲେ। ଭାରତରେ ଯୋଗର ଏତେ ପ୍ରଚାରପ୍ରସାର ପରେ ବି ଅନେକ ଲୋକ ବୁଝନ୍ତି, ଯୋଗ କେବଳ ଆସନ। କିନ୍ତୁ ଯୋଗରେ ଅନେକଗୁଡ଼ିଏ କକ୍ଷ ରହିଛି। ସୁସ୍ଥ ସମାଜ ଗଠନ କରିବାରେ ଯୋଗ ଶିକ୍ଷକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ଯୋଗଗୁରୁ ପ୍ରକାଶ ଚନ୍ଦ୍ର ଗଜେନ୍ଦ୍ର ସ୍ବାଗତ ଭାଷଣ ଦେବା ସହ ମଞ୍ଚ ପରିଚାଳନା କରିଥିଲେ। ଯୋଗଗୁରୁ ଗୌରଚନ୍ଦ୍ର ଚୌଧୁରୀ ଧନ୍ୟବାଦ ଦେଇଥିଲେ।

ସୂଚନାଯୋଗ୍ୟ, ଚଳିତବର୍ଷ ମେ’ ୧ରୁ ୩୧ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ପ୍ରଶିକ୍ଷଣ ଶିବିରରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୨୫ଜଣ ଶିବିରାର୍ଥୀ ଯୋଗ ଦେଇଥିଲେ। ସେମାନଙ୍କୁ ଆସନ, ପ୍ରାଣାୟମ, ମୁଦ୍ରା, ବନ୍ଧ, ସଟ୍‌କର୍ମ, ଧ୍ୟାନ, ଯୋଗନିଦ୍ରା ଆଦି ବିଷୟରେ ବିସ୍ତୃତ ଭାବେ ଶିକ୍ଷା ପ୍ରଦାନ କରାଯାଇଥିଲା। ଯୋଗଗୁରୁ ସ୍ବାମୀଜୀ ସ୍ବରୂପାନନ୍ଦ ସରସ୍ବତୀ, ପ୍ରକାଶ ଚନ୍ଦ୍ର ଗଜେନ୍ଦ୍ର, ସୁରେନ୍ଦ୍ର କୁମାର ସାହୁ ଓ ଗୌରଚନ୍ଦ୍ର ଚୌଧୁରୀ ଶିକ୍ଷା ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର