ଦୁର୍ନୀତିଖୋର୍‌ ସରକାରୀ କର୍ମଚାରୀଙ୍କୁ ଟ୍ରାପ୍‌ କରିବାକୁ ଟ୍ରେନିଂ

ତାଲିମ ନେଉଛନ୍ତି ୩୦ ଡିଏସ୍‌ପି

ଭୁବନେଶ୍ବର: ଜାଲରେ ପଡ଼ିବେ ଦୁନୀତିଖୋର୍‌ ସରକାରୀ ବାବୁ। ଆଉ ଏଣିକି ଲାଞ୍ଚ ନେବା ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା କାଠିକର ପାଠ ହୋଇଯିବ। କାରଣ ଏବେ ରାଜ୍ୟରେ ଦୁର୍ନୀତିକୁ ନେଇ ୫-ଟି ଶୂନ୍ୟ ସହନଶୀଳତା ଉପରେ ଗୁରୁତ୍ବ ଦେଇଛନ୍ତି। ଏହାକୁ କାର୍ଯ୍ୟ କରିବାକୁ ଭିଜିଲାନ୍ସ ଏକାଡେମିରେ ଦୁଇ ଦିନିଆ ତାଲିମ ଶିବିର ଆରମ୍ଭ ହୋଇଛି। ଏଥିରେ ୩୦ଜଣ ଯୁବ ଡିଏସ୍‌ପି ଯୋଗ ଦେଇଛନ୍ତି। ଲାଞ୍ଚ ନେଉଥିବା ସରକାରୀ କର୍ମଚାରୀଙ୍କୁ କେମିତି ଟ୍ରାପ୍ କରିବେ ବା ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ସରକାରୀ ବାବୁମାନଙ୍କୁ କେମିତି ଧରିବେ, ତାର ବିଭିନ୍ନ ଦିଗରେ ଏହି ସବୁ ତାଲିମ ଦିଆଯାଉଛି।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁଲିସ ଡିଜି ସୁନୀଲ କୁମାର ବଂଶଲ କହିଲେ, ରାଜ୍ୟରେ ୫-ଟି ଅନ୍ତର୍ଗତ ଜିରୋ ଟଲରାନ୍ସ କରପସନ୍‌କୁ ଗୁରୁତ୍ବ ଦିଆଯାଉଛି। ଏହାଦ୍ବାରା ଲାଞ୍ଚୁଆ ଓ ଦୁର୍ନୀତିଖୋର୍‌ଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହୋଇପାରିବ। ତେଣୁ ଏହି ତାଲିମ ଦ୍ବାରା ଅଫିସର୍‌ମାନେ ସେମାନଙ୍କ ଜ୍ଞାନକୌଶଳ ବ୍ୟବହାର କରି ଏ ଦିଗରେ ଅଧିକ କ୍ରିୟାଶୀଳ ହୋଇପାରିବେ। ତେବେ ଏନ୍‌ସିଆର୍‌ବିର ତଥ୍ୟ ଅନୁସାରେ, ସାରା ଦେଶରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ରୁଜୁ କରିବାରେ ପ୍ରଥମ ସ୍ଥାନ ଅଧିକାର କରିଛି ଓଡ଼ିଶା। ଯାହାକି ଅନ୍ୟ ରାଜ୍ୟ ତୁଳନାରେ ଦୁର୍ନୀତିଖୋରଙ୍କ ବିରୋଧରେ କଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଓଡ଼ିଶା ଭିଜିଲାନ୍ସର ଶକ୍ତ ଭୂମିକା ରହିଛି।

ଯେହେତୁ ଦୁର୍ନୀତି ନିବାରଣ ଆଇନରେ ତଦନ୍ତ କରିବାର କ୍ଷମତା ଡିଏସପି ଅଧିକାରୀଙ୍କ ରହିଛି, ସେ ଦୃଷ୍ଟିରୁ ରାଜ୍ୟରେ ଆଣ୍ଟି-କରପସନ୍‌କୁ ଅଧିକ କ୍ରିୟାଶୀଳ କରିବା ଓ ଦୁର୍ନୀତିଖୋରଙ୍କ ବିରୋଧରେ କଠିନ କାର୍ଯ୍ୟାନୁଷ୍ଠାନ ନେବା ଏହି ତାଲିମ କର୍ମଶାଳାର ଲକ୍ଷ୍ୟ ରହିଛି। କିପରି ଛୋଟ କର୍ମଚାରୀଙ୍କଠୁ ଆରମ୍ଭ କରି ବଡ଼ ସରକାରୀ କର୍ମଚାରୀଙ୍କ ଘରେ ଚଢ଼ଉ କରାଯାଏ କିମ୍ବା ଚଢ଼ଉ ବେଳେ କେଉଁ କେଉଁ ଦିଗକୁ ଧ୍ୟାନ ଦିଆଯାଏ, ତା’ ଉପରେ ତାଲିମ୍ ଦିଆଯାଉଛି। ସେହିପରି ଚଢ଼ଉ ସମୟରେ ସହଯୋଗ କରୁନଥିବା ଅର୍ଥାତ ରେଡ୍‌ କରିବାକୁ ଯାଇଥିବା ଅଫିସରଙ୍କୁ ହଇରାଣ କରିବା ବା ଧମକାଇଲେ କିପରି ତାଙ୍କ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ, ତାହା ଉପରେ ଡିଏସ୍‌ପିମାନଙ୍କୁ ତାଲିମ୍‌ ଦିଆଯାଇଛି। ଡିପାର୍ଟମେଣ୍ଟାଲ ପ୍ରୋସିଡିଂ ଓ ପ୍ରୋସିକ୍ୟୁସନ୍‌ କରି କିଭଳି ଦୁର୍ନୀତିଖୋର୍‌, ଲାଞ୍ଚୁଆ କର୍ମଚାରୀଙ୍କ ବିରୋଧରେ କଡ଼ା ଚାର୍ଜସିଟ୍‌ ମାଧ୍ୟମରେ ଦଣ୍ଡିତ କରାଯାଇପାରିବ, ସେ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଛି।

ଏପରିକି କିଛି ବଡ଼ବଡ଼ ହାଇପ୍ରୋଫାଇଲ କେସ୍, ଯେପରିକି ୨୦୧୯ର ଆଇଏଏସ ବିଜୟ କେତନ ସାହୁ ଓ ଆଇଏଫ୍ଏସ୍ ଅଭୟ ପାଠକଙ୍କ ଘରେ ଚଢ଼ଉ ବେଳେ କେଉଁ କେଉଁ ଦିଗକୁ ଧ୍ୟାନ ଦିଆଯାଇ ଚଢ଼ଉ କରାଯାଇଥିଲା, ସେସବୁର ତାଲିମ୍‌ ନେଉଛନ୍ତି ୩୦ଜଣ ଡିଏସ୍‌ପି। ଏନେଇ ଅର୍ଥନୈତିକ କାରବାର ସମ୍ପର୍କିତ ଜ୍ଞାନ ଓ ରେଡ୍‌ବେଳେ ବ୍ୟାଙ୍କ, ଲକର, ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଖୋଳତାଡ଼ ସହ ଭିଜିଲାନ୍ସ ସିଜର୍‌ ଲିଷ୍ଟ ପ୍ରସ୍ତୁତ ସମ୍ପର୍କରେ କୁହାଯାଇଛି। ଆଗାମୀ ଦୁଇ ଦିନ ଧରି ଦୁର୍ନୀତି ନିବାରଣ ଆଇନ, ଓଡ଼ିଶା ଲୋକାୟୁକ୍ତ ଆଇନ, ଭିଜିଲାନ୍ସ କେସ୍‌ରେ ଆଇନଗତ ଦିଗ ଆଦି ଉପରେ ପ୍ରଶିକ୍ଷଣ ନେବେ। ତାଲିମ୍‌ ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଭିଜିଲାନ୍ସ ନିର୍ଦ୍ଦେଶକ ଯଶୋବନ୍ତ କୁମାର ଜେଠୱା, ଭିଜିଲାନ୍ସ ଆଇଜି ସଂଜୟ କୁଶାଲ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର