ତାଲିମ ନେବେ ଷ୍ଟ୍ରିଟ୍ ଫୁଡ୍ ଭେଣ୍ଡର
ପ୍ରଥମ ପର୍ଯ୍ୟାୟରେ ୫ଶହ ବ୍ୟବସାୟୀଙ୍କୁ ତାଲିମ, ଦୋକାନ ଆଗରେ ଟାଙ୍ଗିବେ ପ୍ରମାଣପତ୍ର
ଭୁବନେଶ୍ୱର: ରାଜଧାନୀରେ ଖାଦ୍ୟ ବ୍ୟବସାୟୀଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯିବ। ବିଶେଷକରି ଷ୍ଟ୍ରିଟ୍ ଫୁଡ୍ ଭେଣ୍ଡରଙ୍କୁ ଏହି ତାଲିମରେ ସାମିଲ କରାଯିବ। ପ୍ରଥମ ପର୍ଯ୍ୟାୟରେ ୫ଶହ ଖାଦ୍ୟ ବ୍ୟବସାୟୀଙ୍କୁ ତାଲିମ ଦିଆଯିବାକୁ ନିଷ୍ପତ୍ତି ହୋଇଛି। ସେମାନେ ବିକ୍ରି କରୁଥିବା ଖାଦ୍ୟର ମାନ ଓ ନିରାପତ୍ତାକୁ ଏଥିରେ ଗୁରୁତ୍ୱ ଦିଆଯିବ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ରାଜଧାନୀର ରାସ୍ତାରେ ଶହ ଶହ ଠେଲା ବେପାରୀ ସେମାନଙ୍କ ବ୍ୟବସାୟ କରୁଛନ୍ତି। ସେମାନେ କେଉଁ ପରିସ୍ଥିତିରେ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ଓ ଏହାର ପରିମଳ ଉପରେ କେତେ ଗୁରୁତ୍ୱ ଦେଉଛନ୍ତି ତାହା ସବୁ ସମୟରେ ଜାଣିବା ସମ୍ଭବ ହେଉନାହିଁ। ରାଜଧାନୀରେ ଏବେ ଅନେକ ବଡ଼ କ୍ରୀଡ଼ା ମହୋତ୍ସବ ହେଉଛି। ରାଜ୍ୟ ତଥା ରାଜ୍ୟ ବାହାରରୁ ଅନେକ ପର୍ଯ୍ୟଟକ ରାଜଧାନୀକୁ ଆସୁଛନ୍ତି। ଏଭଳି ପରିସ୍ଥିତିରେ ରାସ୍ତା କଡ଼ରେ ବିକ୍ରି ହେଉଥିବା ଖାଦ୍ୟ ଓ ଫାଷ୍ଟଫୁଡ୍ ସେଣ୍ଟର୍ଗୁଡ଼ିକରେ ଖାଦ୍ୟର ମାନ ବଜାୟ ରଖିବା ଜରୁରୀ ହୋଇପଡ଼ିଛି। ତେଣୁ ଖାଦ୍ୟ ପ୍ରସ୍ତୁତି ନେଇ ସେମାନଙ୍କୁ ଉପଯୁକ୍ତି ତାଲିମ ପ୍ରଦାନ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି। ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ଏଭଳି କାର୍ଯ୍ୟକ୍ରମ କରିବା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ କୁହାଯାଇଥିଲା। ଖଣ୍ଡଗିରି, ମ୍ୟୁଜିୟମ୍ ଛକ ଓ ରାଜଧାନୀର ବିଭିନ୍ନ ପାର୍କ ନିକଟରେ ଥିବା ଖାଦ୍ୟ ବ୍ୟବସାୟୀଙ୍କୁ ଏଥିରେ ଗୁରୁତ୍ୱ ଦିଆଯାଇଛି। ରାଜଧାନୀରେ କେତେ ଉଠା ବ୍ୟବସାୟୀ ରହିଛନ୍ତି ତାହାର ପ୍ରକୃତ ତଥ୍ୟ ସ୍ୱାସ୍ଥ୍ୟ ବିଭାଗ ନିକଟରେ ନାହିଁ। ତେଣୁ ଏହାର ଏକ ଡାଟାବେସ୍ ପ୍ରସ୍ତୁତ କରିବା ପାଇଁ ଉଠା ଦୋକାନୀ ସଂଘର ସହାୟତା ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ରାଜଧାନୀର ୫ଶହ ଉଠା ଦୋକାନୀଙ୍କୁ ତାଲିମ ଦିଆଯିବ। ଏ ପର୍ଯ୍ୟନ୍ତ ୨ଶହ ଦୋକାନୀଙ୍କ ଡାଟାବେସ୍ ପ୍ରସ୍ତୁତ ହୋଇଛି। ଆହୁରି ୩ଶହ ଉଠା ଦୋକାନୀଙ୍କ ଡାଟାବେସ୍ ପ୍ରସ୍ତୁତ କରାଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ନେସ୍ଲେ କମ୍ପାନି ପକ୍ଷରୁ ଏହି ତାଲିମ ପ୍ରଦାନ କରାଯିବ। ଦେଶର କେତେକ ରାଜ୍ୟରେ ନେସ୍ଲେ କମ୍ପାନି ଏଭଳି ତାଲିମ ଦେଇ ସାରିଛି। ଏଥିପାଇଁ ରାଜ୍ୟ ସରକାରଙ୍କ ଅନୁମତି ମଧ୍ୟ ମିଳି ସାରିଛି। ଗୋଟିଏ ଦିନରେ ୫୦ଜଣ ବ୍ୟବସାୟୀଙ୍କୁ ତାଲିମ ଦିଆଯିବ। ପ୍ରାୟ ୧୦ଦିନ ଧରି ଏହି ତାଲିମ କାର୍ଯ୍ୟକ୍ରମ ଚାଲିବ। ଉତ୍ତମ ପରିବେଶରେ ଖାଦ୍ୟ ପ୍ରସ୍ତୁତ, ଭଲ ପାଣିର ବ୍ୟବହାର ଓ ଖାଦ୍ୟର ମାନ ବଜାୟ ରଖିବା ଉପରେ କମ୍ପାନିର ଅଧିକାରୀମାନେ ତାଲିମ ଦେବେ। ଖାଦ୍ୟ ବ୍ୟବସାୟୀମାନଙ୍କୁ ଖାଦ୍ୟ ପ୍ରସ୍ତୁତ କରିବା ଉପରେ ଓଡ଼ିଆରେ ଚାଟ୍ ପ୍ରସ୍ତୁତ କରାଯିବା ପରେ ବ୍ୟବସାୟୀମାନଙ୍କୁ ଏହାକୁ ବଣ୍ଟାଯିବ। ଏହାସହିତ ସେମାନଙ୍କୁ ଗ୍ଲୋଭ୍ସ ଓ ହ୍ୟାଣ୍ଡ ସାନିଟାଇଜେର୍ ମଧ୍ୟ ପ୍ରଦାନ କରାଯିବ। ତାଲିମ ଶେଷ ହେବା ପରେ ସେମାନଙ୍କୁ ଯେଉଁ ସାର୍ଟିଫିକେଟ୍ ପ୍ରଦାନ କରାଯିବ ସେମାନେ ତାହାକୁ ନିଜ ଦୋକାନ ଆଗରେ ଟାଙ୍ଗିବେ। ଯାହାଫଳରେ ଲୋକମାନଙ୍କ ଉପରେ ସେମାନଙ୍କ ଭରସା ସୃଷ୍ଟି ହୋଇପାରିବ। ଆସନ୍ତା ହକି ବିଶ୍ୱକପ୍ ପୂର୍ବରୁ ଏଭଳି ଏକ ତାଲିମ ଦେବାକୁ ଯୋଜନା ରହିଛି। ବିଏମ୍ସି ଅଧିକାରୀଙ୍କ ସହିତ ଏ ସଂପର୍କରେ ଆଲୋଚନା ମଧ୍ୟ କରାଯିବ। ଏହି ତାଲିମ କାର୍ଯ୍ୟକ୍ରମ ସଫଳ ହେଲେ ଆଗାମୀ ଦିନରେ ପୁରୀ ଓ କଟକରେ ରାସ୍ତାକଡ଼ରେ ଖାଦ୍ୟ ବିକ୍ରି କରୁଥିବା ବ୍ୟବସାୟୀଙ୍କୁ ମଧ୍ୟ ତାଲିମ ଦିଆଯିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି।