ବଦଳି ଆଦେଶ କାର୍ଯ୍ୟକାରୀ କଲେନି, ନୂଆ ଦାୟିତ୍ବ ବାଣ୍ଟିଲେ

ସରକାରଙ୍କ ଉପରେ ବିଏମ୍‌ସି କମିସନର?

ଭୁବନେଶ୍ବର: ସରକାରଙ୍କ ଉପରେ କ’ଣ ବିଏମ୍‌ସି କମିସନର? ସରକାରଙ୍କ ଆଦେଶକୁ ବିଏମ୍‌ସି କମିସନର ବିଜୟ ଅମୃତା କୁଲାଙ୍ଗେଙ୍କ କାହିଁକି ଏତେ ବେଖାତିର? ଜଣେ ଅଧିକାରୀଙ୍କର ସରକାର ଦୁଇ ଦୁଇଥର ବଦଳି କରିଥିଲେ ବି ତାଙ୍କୁ ରିଲିଭ୍‌ କରିବା ତ ଦୂରର କଥା, ବରଂ ତାଙ୍କୁ ନୂଆ ଦାୟିତ୍ବ ଦିଆଯାଇଥିବା ବିଏମ୍‌ସି ବିଜ୍ଞପ୍ତି ପ୍ରକାଶ କରିଛି। ସେ ହେଉଛନ୍ତି, ଡେପୁଟି କମିସନର ଗାୟତ୍ରୀ ସାମନ୍ତରାୟ। ତାଙ୍କୁ ଏଷ୍ଟାବ୍ଲିସ୍‌ମେଣ୍ଟ ଉପବିଭାଗ ଦାୟିତ୍ବ ଦେଇଛନ୍ତି କମିସନର। ୨୦୨୧ ମସିହା ଅଗଷ୍ଟ ୧୮ ତାରିଖ‌ରେ ତାଙ୍କର ବଦଳି ହୋଇଥିଲା। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତାଙ୍କୁ ଆଦର୍ଶ ବିଦ୍ୟାଳୟ ସଂଗଠନ ଉପଦେଷ୍ଟାଙ୍କ ଓଏସ୍‌ଡି ଭାବରେ ବଦଳି କରିଥିଲା। ଆଦେଶରେ ଏ କଥା ବି ଲେଖିଲା କି ତାଙ୍କୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗରୁ ଫେରାଇ ଅଣାଯାଉଛି ଓ ନୂଆ ପଦରେ ନିଯୁକ୍ତି ଦିଆଯାଉଛି।

ତୁରନ୍ତ ନୂଆ ପଦବିରେ ଯୋଗଦାନ କରିବାକୁ ମଧ୍ୟ ତାଗିଦ୍‌ କରାଗଲା। କିନ୍ତୁ ସେ ଗ‌ଲେ ନାହିଁ। ଏହା ପରେ ଆଉ ଥରେ ତାଙ୍କର ସମାନ ଜାଗାକୁ ବଦଳି ଆଦେଶ ବାହାରିଲା। ଦୁଇ ଦୁଇଥର ସରକାରୀ ଆଦେଶ କାର୍ଯ୍ୟକାରୀ ହେଲା ନାହିଁ। ବଡ଼ କଥା ହେଉଛି ଡେପୁଟି କମିସନର ଦାୟିତ୍ବରେ ଥିବା ଅନ୍ୟ ଜଣେ ଅଫିସର କମଳାକାନ୍ତ ବେହେରାଙ୍କର ବଦଳି ହୋଇଥିଲା। ତାଙ୍କୁ ଏଇ ସପ୍ତାହରେ କମିସନର ରିଲିଭ୍‌ କରିଛନ୍ତି। ସେ ଏଠାରୁ ଯିବା ପରେ ସେ ଦାୟିତ୍ବରେ ଥିବା କର୍ପୋରେସନ୍‌ ଉପବିଭାଗକୁ ସପନ ନନ୍ଦଙ୍କୁ ଦିଆଯାଇଛି। କିନ୍ତୁ ଗାୟତ୍ରୀଙ୍କୁ କାହିଁକି କମିସନର ରିଲିଭ୍‌ କଲେ ନାହିଁ, ସେନେଇ କେବଳ ପ୍ରଶ୍ନ ଉଠି ନାହିଁ ବରଂ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି।

ଶ୍ରୀ ବେହେରାଙ୍କ ବଦଳି ପରେ ବିଭିନ୍ନ ଉପବିଭାଗ ଦାୟିତ୍ବରେ ଆଜି ଅଦଳବଦଳ କରାଯାଇଛି। ଡେପୁଟି କମିସନର ରମେଶ ଜେନା ଷ୍ଟୋର୍‌ ଓ ଏବିସି କାର୍ଯ୍ୟକ୍ରମ ଦାୟିତ୍ବ ନେଇଥିବା ବେଳେ ସପନ ନନ୍ଦ କର୍ପୋରେସନ୍‌ ସହ ରାଜସ୍ବ ଦାୟିତ୍ବରେ ଅଛନ୍ତି। ସେହିଭଳି ସରୋଜ ପଣ୍ଡା ନିର୍ବାଚନ, ମାର୍କେଟ୍‌ ଓ ଜନଗଣନା ଦାୟିତ୍ବରେ ଅଛନ୍ତି। ରାଜକିଶୋର ଜେନା ଲିଗାଲ ଓ ଲ୍ୟାଣ୍ଡ ଦାୟିତ୍ବରେ ଥିବା ବେଳେ ସୋସିଆଲ୍‌ ୱେଲ୍‌ଫେୟାର, ହାଉସିଂ, ଏମ୍‌ସିସି ଓ ଏମ୍‌ଆରଏଫ୍‌ ଦାୟିତ୍ବ ନେଇଛନ୍ତି ଗ‌ଣେଶ ବାବୁ। ମୋ ସରକାର, ସ୍ପେଶାଲ ପ୍ରୋଜେକ୍ଟ, ଆଇଟି, ଏନ୍‌ଫୋର୍ସମେଣ୍ଟ, ଦାୟିତ୍ବ ନେଇଛନ୍ତି ଅଶୋକ ଲେଙ୍କା। ମନୋରଞ୍ଜନ ସାହୁ ମୁକ୍ତା, ପିଆର, ପରିମଳ ଦାୟିତ୍ବରେ ରହିଛନ୍ତି।

ସମ୍ବନ୍ଧିତ ଖବର