ଅସଜଡ଼ା ଭିତ୍ତିଭୂମି : ବଣୁଆ ଲତାରେ ଲୁଚିଗଲାଣି ଟ୍ରାନ୍ସଫର୍ମର

ଭୁବନେଶ୍ୱର : ୪ ମାସ ହେଲା ସେସୁ ବିକ୍ରି ହେଇଗଲାଣି। ଟିପିସିଓଡିଏଲ୍‌ କମ୍ପାନି କିଣି ନେଇଛି ସେସୁକୁ। ଉପଭୋକ୍ତାଙ୍କୁ ଭଲ ସେବା ଯୋଗାଇବା ଲକ୍ଷ୍ୟରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ୪ ମାସ ବିତିବା ପରେ ବି ଉପଭୋକ୍ତାଙ୍କୁ ସେମିତି ଆଖିଦୃଶିଆ ଉନ୍ନତ ସେବା ମିଳିବା ଦେଖାଯାଇନାହିଁ। ବରଂ ଅସଜଡ଼ା ଭିତ୍ତିଭୂମି ସେମିତି ପୂର୍ବଭଳି ବିପଜ୍ଜନକ ଅବସ୍ଥାରେ ରହିଛି। ବିଶେଷକରି ରାଜଧାନୀରେ ଭୟଙ୍କର ଅବସ୍ଥାରେ ଥିବା ଟ୍ରାନ୍ସଫର୍ମର ସବୁ ପୂର୍ବବତ୍ ରହିଛି। ବହୁ ଟ୍ରାନ୍ସଫର୍ମର ବଣୁଆ ଲତା ଭିତରେ ଲୁଚି ଗଲାଣି। ବହୁ ସ୍ଥାନରେ ଲତାବୁଦା ଟ୍ରାନ୍ସଫର୍ମରକୁ ଘୋଡ଼ାଇବା‌ ପରେ ଖମ୍ବରେ ମାଡ଼ି ମାଡ଼ି ମୁଖ୍ୟ ବିଦ୍ୟୁତ୍ ତାରକୁ ବି ଘୋଡ଼ାଇ ସାରିଲାଣି। ତେଣୁ ଘନଘନ ବିଦ୍ୟୁତ୍ କଟୁଛି ଓ ମୁକୁଳା ଟ୍ରାନ୍ସଫର୍ମର ପିଣ୍ଡି ସଂସ୍ପର୍ଶରେ ଆସି ବୁଲା ଗାଈଗୋରୁମାନେ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ଏ ନେଇ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ କିଛି ପରିବର୍ତ୍ତନ ହୋଇନାହିଁ।

ଲକ୍ଷ୍ମୀସାଗର ଅଙ୍ଗନବାଡ଼ି ଟ୍ରେନିଂ ସେଣ୍ଟର

୧୬ ନମ୍ବର ଜାତୀୟ ରାଜପଥ କଡ଼ ଜୟଦେବ ବିହାର ଛକରେ ଏକ ଟ୍ରାନ୍ସଫର୍ମର ବିପଜ୍ଜନକ ଭାବରେ ରହିଛି। ରାଜପଥ କଡ଼ରେ ରହିଥିବାରୁ ଯେ କୌଣସି ସମୟରେ ଧନଜୀବନ ହାନୀ ହେବା ଆଶଙ୍କା ରହିଛି। ଦୀର୍ଘ ଦିନ ହେବ ଏଭଳି ଅବସ୍ଥାରେ ରହିଥିଲେ ମଧ୍ୟ କାହାରି ନଜର ପଡ଼ି ନାହିଁ। ରେଡ୍‌କ୍ରସ୍‌ ଭବନ ପରିସରରେ ଏଭଳି ଏକ ଟ୍ରାନ୍ସଫର୍ମର ବିପଜ୍ଜନକ ଭାବରେ ରହିଛି। ଏଠାରେ ସବୁ ସମୟରେ ‌କର୍ମଚାରୀଙ୍କ ସହ ଅନ୍ୟ ସାଧାରଣ ଲୋକଙ୍କର ଚଳପ୍ରଚଳ ରହୁଥିବାରୁ ଏଠାରେ ମଧ୍ୟ ବିପଦ ରହିଛି। ସବୁଠାରୁ ଜନଗହଳିପୂର୍ଣ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ମଧ୍ୟ ଏଭଳି ଏକ ଟ୍ରାନ୍ସଫର୍ମର ରହିଛି। ଏଠାରେ ‌ଲୋୟର ପିଏମ୍‌ଜିର ଧାରଣାସ୍ଥଳ ରହିଥିବାରୁ ଶହ ଶହ ଆନ୍ଦୋଳନକାରୀଙ୍କର ଆତଯାତ ହୋଇଥାଏ। ପ୍ରତ୍ୟେକ ମୁହୂର୍ତ୍ତରେ ଏଠାରେ ବିପଦ ରହିଛି। ସେହିଭଳି ଅନ୍ୟ ଏକ ସ୍ଥାନ ହେଉଛି ଲକ୍ଷ୍ମୀସାଗର ଅଙ୍ଗନବାଡ଼ି କେନ୍ଦ୍ର। ଏହି କେନ୍ଦ୍ର ପରିସରରେ ଏକ ଟ୍ରାନ୍ସଫର୍ମରରେ ଗଛଲତା ମାଡ଼ି ଯାଇଥିବାରୁ ଏହା ବିପଜ୍ଜନକ ହୋଇପଡ଼ିଛି। ଜିଜିପି କଲୋନି କେନାଲ ରୋଡ୍‌ରେ ଏଭଳି ଦୁଇଟି ବିପଜ୍ଜନକ ଅବସ୍ଥାରେ ରହିଛି। ରାସ୍ତା କଡ଼ରେ ରହିଥିବାରୁ ଏହା ଯାତ୍ରୀମାନଙ୍କ ପ୍ରତି ବିପଦ ରହିଛି।

ୟୁନିଟ୍‌-୯ ରେଡକ୍ରସ ଭବନ ପରିସର

ସେହିଭଳି ପଟିଆ ଓ ଚନ୍ଦ୍ରଶେଖରପୁର ଅଞ୍ଚଳରେ ନୀଳାଦ୍ରିବିହାର ଈଶାନେଶ୍ବର ମନ୍ଦିର ନିକଟ, ପଣ୍ଡାପାର୍କ ବସ୍ତି, ଡ଼ମଣା କେଳୁଚରଣ ପାର୍କ ଛକ, ବିଜୁ ପଟ୍ଟନାୟକ କଲେଜ୍ ଛକ, ପଟିଆ‌ ଷ୍ଟେସନ୍ ନିକଟ, ପଦ୍ମକେଶରପୁର, ରଙ୍ଗମାଟିଆ ଟ୍ରାନ୍ସଫର୍ମର ଆଦି ଖୋଲାମେଲା ହୋଇ ପଡ଼ିଛି। ପ୍ରାୟ ସବୁଗୁଡ଼ିକ ବଣୁଆ ଲତାରେ ଘୋଡ଼ି ହୋଇ ରହିଛି। ବିଭିନ୍ନ ସ୍ଥାନରେ ଲତା ଗୁଡ଼ାଇ ହୋଇଥିବାରୁ ସର୍ଟ ସର୍କିଟ୍ ହୋଇ ତାରରୁ ନିଆଁ ବାହାରୁଛି। ଏଭଳି ସ୍ଥିତିରେ ବହୁ ସମୟରେ ଲାଇନ୍‌ କଟି ଯାଉଛି। ମାତ୍ର ଲାଇନ୍‌ମ୍ୟାନ୍‌ମାନେ ଏହି ବିପଜ୍ଜନକ ଟ୍ରାନ୍ସଫର୍ମରକୁ ଯାଇ କାମ କରିବାକୁ ଇଚ୍ଛା କରୁନାହାନ୍ତି। ଫଳରେ ଘଣ୍ଟା ଘଣ୍ଟା ଧରି ଲୋକେ ଅନ୍ଧାରରେ ରହୁଛନ୍ତି। ତେବେ ଲତା ମାଡ଼ି ଯାଇଥିବାରୁ ଟ୍ରାନ୍ସଫର୍ମରରେ କେତେବେଳେ ବଡ଼ ଧରଣର ଅଘଟଣ ଘଟିବ ବୋଲି ଲୋକେ ଆଶଙ୍କା କରୁଛନ୍ତି।

ଗତ କିଛି ମାସ ପୂର୍ବେ ଟିପିସିଓଡିଏଲ୍‌ ପକ୍ଷରୁ ବିଭିନ୍ନ ସ୍ଥାନରେ ଏଭଳି ବିପଜ୍ଜନକ ଭାବରେ ମାଡ଼ିଥିବା ଲତାକୁ କାଟି ସଫା କରାଯାଇଥିଲା। ହେଲେ ଏହି ସବୁ ସ୍ଥାନରେ ପୁଣି ଥରେ ଲତା ମାଡ଼ି ଗଲାଣି। ତେଣୁ ସେଗୁଡ଼ିକୁ କାଟି ସଫା କରିବା ଜରୁରୀ ହୋଇପଡ଼ିଛି।

ସମ୍ବନ୍ଧିତ ଖବର