ଭୁବନେଶ୍ବର/ଧଉଳି: ଉତ୍ତରା-ପିପିଲି ଜାତୀୟ ରାଜପଥରେ କିନ୍ନର ଦିନେଶ ପ୍ରସାଦ ରାଉତ ଓରଫ ସୋନା(୨୮)ଙ୍କୁ ଛୁରି ଭୁସି ବୀଭତ୍ସ ହତ୍ୟା ମାମଲାର ୨୪ ଘଣ୍ଟା ପରେ ବି ପୁଲିସ ହତ୍ୟା ଅଭିଯୁକ୍ତଙ୍କ ପାଖରେ ପହଞ୍ଚିପାରି ନାହିଁ। ଏବେ ବି ସୋନାଙ୍କ ହତ୍ୟା ରହସ୍ୟ ପୁଲିସ ଉନ୍ମୋଚନ କରିପାରିନି। ପିପିଲି ଥାନା ପୁଲିସ ସମସ୍ତ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି। ସେହିପରି ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କ୍ବାଡ୍ ମଧ୍ୟ ଘଟଣାସ୍ଥଳରେ ଛାନ୍ଭିନ୍ କରିଛନ୍ତି।
ସୋମବାର ସକାଳ ପାଖାପାଖି ୯ଟା ସମୟରେ ପିପିଲି ଥାନା ଅଧିକାରୀ ସୌମେନ୍ଦ୍ର ଶେଖର ତ୍ରିପାଠୀ ଓ ପିପିଲି ଏସ୍ଡିପିଓ ଦେବାଶିଷ ମିଶ୍ର ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ସ୍କ୍ବାଡ଼ ସହ ଛାନ୍ଭିନ୍ ଆରମ୍ଭ କରିଥିଲେ। ଜାତୀୟ ରାଜପଥରୁ ଅଳ୍ପ ଦୂରରେ ଅନ୍ଧାରିଆ ଓ ନିଛାଟିଆ ସ୍ଥାନରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ସେଠାରୁ କିଛି ଦୂରରେ ନକଲି ଚୁଟି, ବ୍ୟବହୃତ କଣ୍ଡୋମ୍, ଅନ୍ତବସ୍ତ୍ର, ଚପଲ ଏବଂ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀକୁ ଡଗ୍ସ୍କ୍ବାଡ଼ ସହାୟତାରେ ଠାବ କରାଯାଇଛି। ଏହାପରେ ସେଠାରୁ ୨୦୦ ମିଟର ଦୂର ଏକ ଆପାର୍ଟମେଣ୍ଟ ଆଡ଼କୁ ସନ୍ଧାନୀ କୁକୁର ଧାଇଁଥିଲା। ସେଠାରେ କାର୍ଯ୍ୟରତ ଜଣେ ସୁରକ୍ଷା କର୍ମୀଙ୍କ ଚାରିପଟେ ବୁଲିଥିଲା। ହତ୍ୟାକାରୀମାନେ ଉକ୍ତ ଆପାର୍ଟମେଣ୍ଟରେ ଲୁଚିବାକୁ କିମ୍ବା ପ୍ରମାଣ ନଷ୍ଟ କରିବା ପାଇଁ ଆସିଥିବା ସନ୍ଦେହ କରାଯାଉଛି। ସେହିପରି ରାକ୍ତାକ୍ତ ଅବସ୍ଥାରେ ଦିନେଶ କିଛିଦୂର ଦୌଡ଼ିଥିବା ପ୍ରମାଣ ମିଳିଥିଲା। ଯେଉଁ ରାସ୍ତା ଦେଇ ଦିନେଶ ଦୌଡ଼ିଥିଲେ ସେହିସବୁ ରାସ୍ତାରୁ ସାଇଣ୍ଟିଫିକ୍ ଟିମ୍ ରକ୍ତ ନମୁନା ସଂଗ୍ରହ କରିଛି।
More funds for education: ଜୀବନଜୀବିକାକୁ ପ୍ରାଥମିକତା: ବଜେଟ୍ରେ ଶିକ୍ଷା, ନିୟୋଜନକୁ ଅଧିକ ପାଣ୍ଠି
ସନ୍ଧାନୀ କୁକୁର ଯାଇଥିବା ଆପାର୍ଟମେଣ୍ଟର ସୁରକ୍ଷାକର୍ମୀ ଓ ଅନ୍ୟ ଜଣେ କର୍ମଚାରୀଙ୍କୁ ପିପିଲି ଥାନା ପୁଲିସ ସନ୍ଦେହରେ ଉଠାଇ ନେଇଥିଲା। ସେହିପରି ଆଖାପଖ ଦୋକାନୀ ଏବଂ ସୋନାଙ୍କ ସହ ଯୋଗାଯୋଗ କରିଥିବା କିଛି କିନ୍ନରଙ୍କୁ ମିଶାଇ ୧୦ରୁ ଅଧିକଙ୍କୁ ପୁଲିସ ଥାନାକୁ ଡକାଇ ବିଏନ୍ଏସ୍ର ଧାରା ୧୮୧ରେ ସମସ୍ତଙ୍କ ବୟାନ ରେକର୍ଡ଼ ପରେ ଛାଡ଼ିଥିଲା। ସେହିପରି ଆଖପାଖରେ ଥିବା କିଛି ସିସିକ୍ୟାମେରା ଫୁଟେଜ୍ ମଧ୍ୟ ପୁଲିସ ସଂଗ୍ରହ କରି ଟିକିନିଖି ଯାଞ୍ଚ କରୁଛି। ଘଟଣାସ୍ଥଳରୁ ଜବତ ହୋଇଥିବା ସୋନାଙ୍କ ମୋବାଇଲ୍ରୁ ମଧ୍ୟ ପ୍ରମାଣ ଯୋଗାଡ଼ ପାଇଁ ପୁଲିସ ଉଦ୍ୟମ ଚଳାଇଛି। ସୋନାଙ୍କ ସିଡିଆର୍ ରିପୋର୍ଟ ମଧ୍ୟ ପୁଲିସ ଯାଞ୍ଚ କରିଛି। ଅନ୍ୟପଟେ ବ୍ୟବଚ୍ଛେଦ ପରେ ପୁଲିସ ସୋନାଙ୍କ ବାପା ପ୍ରଦୀପ୍ତ ରାଉତଙ୍କୁ ମୃତଦେହ ହସ୍ତାନ୍ତର କରିଛି।
ଏୟାର୍ପୋର୍ଟ ଛକରେ ରାସ୍ତାରୋକ କଲେ କିନ୍ନର
ପିପିଲି ନିକଟରେ କିନ୍ନରଙ୍କ ହତ୍ୟା ଘଟଣାକୁ ନେଇ କ୍ଷତିପୂରଣ ସହିତ ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ଆଜି କିନ୍ନରମାନେ ଏୟାରପୋର୍ଟ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପ୍ରାୟ ଦୁଇ ଘଣ୍ଟା ଧରି ରାସ୍ତାରୋକ କରିବା ପରେ ପୁରୀ ଏସ୍ପି ପ୍ରତୀକ ସିଂହ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକାରୀମାନେ ଧାରଣାରୁ ହଟିଥିଲେ। ଆଜି କ୍ୟାପିଟାଲ ଥାନା ପକ୍ଷରୁ ହସ୍ପିଟାଲ୍ରେ ଶବ ବ୍ୟବଚ୍ଛେଦ କରାଯାଇଛି।
/filters:format(webp)/sambad/media/media_files/2026/02/03/untitled-4-2026-02-03-07-29-32.jpg)
ଆଜି ସକାଳୁ କ୍ୟାପିଟାଲ୍ ହସ୍ପିଟାଲ୍ରେ ବହୁ ସଂଖ୍ୟାରେ କିନ୍ନର ଏକାଠି ହୋଇଥିଲେ। ହସ୍ପିଟାଲ ଶବ ଗୃହ ସମ୍ମୁଖରେ ଶୋକର ଛାୟା ଖେଳିଯାଇଥିଲା। ମୃତ କିନ୍ନରଙ୍କୁ ମନେ ପକାଇ କିନ୍ନରମାନେ ବାହୁନି ବାହୁନି କାନ୍ଦିଥିଲେ। ପରେ ଶବ ବ୍ୟବଚ୍ଛେଦ ପରେ ଉପସ୍ଥିତ କିନ୍ନରମାନେ ମୀରା ପରିଡ଼ାଙ୍କ ନେତୃତ୍ବରେ ଆନ୍ଦୋଳନକୁ ଓହ୍ଲାଇଥିଲେ। ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ସହିତ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବିରେ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲ୍ ଛକରେ ରାସ୍ତାରୋକ କରିଥିଲେ। ବହୁ ଜରୁରୀକାଳୀନ ଗାଡ଼ି ଛକ ଦେଇ ଯା’ଆସ କରୁଥିବାରୁ ପୁଲିସର ଅନୁରୋଧ ପରେ ସେମାନେ ସେଠାରୁ ଉଠି ଏୟାରପୋର୍ଟ ଛକରେ ଆନ୍ଦୋଳନରେ ବସିଥିଲେ। ସେଠାରେ ପ୍ରାୟ ଦେଢ଼ଘଣ୍ଟା ଧରି ରାସ୍ତାରୋକ କରିଥିଲେ। ଏହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିଲା। ପରେ ପୁଲିସର ବୁଝାସୁଝା ସହିତ ପୁରୀ ଏସ୍ପି ଫୋନ୍ ଯୋଗେ ଅଭିଯୁକ୍ତମାନଙ୍କୁ ଯଥାଶୀଘ୍ର ଗିରଫ କରାଯିବାର ପ୍ରତିଶ୍ରୁତି ଦେବା ପରେ କିନ୍ନରମାନେ ଆନ୍ଦୋଳନରୁ ହଟିଥିଲେ। ଆଗାମୀ ୪୮ ଘଣ୍ଟା ମଧ୍ୟରେ ମୃତ କିନ୍ନରଙ୍କ ପରିବାରଙ୍କୁ ୧୦ ଲକ୍ଷ ଟଙ୍କାର ସହାୟତା, ଅଭିଯୁକ୍ତମାନଙ୍କୁ ଗିରଫ ସହିତ କିନ୍ନର ସୁରକ୍ଷା ବିଲ ଉପରେ ସରକାର ପଦକ୍ଷେପ ନନେଲେ ଅଲ୍ ଓଡ଼ିଶା ଟ୍ରାନ୍ସଜେଣ୍ଡର ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରଉ କରାଯିବ ବୋଲି ଚେତାବନୀ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/03/untitled-2-2026-02-03-07-28-03.jpg)