ଭୁବନେଶ୍ୱରର ରାଜରାସ୍ତାରେ ଉବେର ଗାଡ଼ି ଚଳାଉଥିବା କିନ୍ନର ରାଣୀଙ୍କୁ ମିଳିଲା ଫାଇଭ୍‌ ଷ୍ଟାର

ଭୁବନେଶ୍ୱର : ରାଣୀ କେବଳ ନାମ ନୁହେଁ ବରଂ ବାସ୍ତବ ଜୀବନରେ ସେ ଜଣେ ରାଣୀ। ରାଣୀ ଉବେର ଗାଡ଼ି ଚଳାଉଥିବା ଜଣେ କିନ୍ନର। ଲୋକଙ୍କ ଦୃଷ୍ଟିରେ କିନ୍ନର ସମାଜ ପ୍ରତି ଥିବା ଭାବନା ରାଣୀଙ୍କ ଇଚ୍ଛାଶକ୍ତି ଓ ପ୍ରତିବଦ୍ଧତା ଆଗରେ ଭୁଲ ପ୍ରମାଣିତ ହୋଇଛି। କିଛି ନୂଆ କରିବାର ଆକାଂକ୍ଷା ତାଙ୍କୁ ଏକ ଭିନ୍ନ ପରିଚୟ ଦେଇଛି। ତାଙ୍କ ଗାଡ଼ିରେ ବସୁଥିବା ଯାତ୍ରୀଙ୍କ ପ୍ରତି ଉତ୍ତମ ବ୍ୟବହାର ପାଇଁ ଏବେ ରାଜଧାନୀବାସିନ୍ଦାଙ୍କ ପ୍ରଥମ ପସନ୍ଦ ପାଲଟିଛନ୍ତି ରାଣୀ। ଭୁବନେଶ୍ୱରର ରାଜରାସ୍ତାରେ ରାଣୀଙ୍କ ଟ୍ୟାକ୍ସି ଗଡ଼ିବା ବେଳେ ଉବେର ମାଧ୍ୟମରେ ଆସିଥାଏ ବହୁ ଲୋକଙ୍କ ଅର୍ଡର।

ରାଣୀ ମଧ୍ୟ ଲୋକଙ୍କ ପାଖରେ ପହଞ୍ଚି ତାଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇ ଦେଇଥାନ୍ତି। ସେଥିପାଇଁ ଉବେର ପକ୍ଷରୁ ତାଙ୍କୁ ଏବେ ଫାଇଭ୍‌ ଷ୍ଟାର ରେଟିଙ୍ଗ ଦିଆଯାଇଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଏହି ରେଟିଙ୍ଗ୍‌ ପାଇବାରେ ରାଣୀ ହେଉଛନ୍ତି ଦେଶର ପ୍ରଥମ କିନ୍ନର। କେବଳ ଗାଡ଼ି ଚଳାଇ ଜାଣିଲେ ଜଣେ ସଫଳ ଡ୍ରାଇଭର ହୋଇପାରେନା ବରଂ ଯାତ୍ରୀଙ୍କ ପ୍ରତି ଭଲ ବ୍ୟବହାର ବି ଗୁରୁତ୍ୱ ରଖିଥାଏ। ଯେଉଁଥି ପାଇଁ ସେ ଏଭଳି ସଫଳତା ପାଇଛନ୍ତି। ୨୦୧୭ ରଥଯାତ୍ରାରେ ବଡ଼ଦାଣ୍ଡରେ ଆମ୍ବୁଲାନ୍ସ ଚଳାଇ ଅସୁସ୍ଥ ବ୍ୟକ୍ତିଙ୍କୁ ସେ ସାହାଯ୍ୟ କରିଥିଲେ। ଯେଉଁଥି ପାଇଁ ବେଶ୍‌ ପ୍ରଶଂସା ବି ସାଉଁଟିଥିଲେ।

ସମ୍ବନ୍ଧିତ ଖବର