ଭୁବନେଶ୍ୱର: ସାହିତ୍ୟ ଜଗତରେ ନାମକରା ଲୋକମାନେ ପ୍ରାୟତଃ ଅଧିକାଂଶ ସଭାସମିତିରେ ଦୃଶ୍ୟମାନ ହୁଅନ୍ତି। କିନ୍ତୁ ପ୍ରଫେସର ନିତ୍ୟାନନ୍ଦ ସାହୁ ଏକ୍ଷେତ୍ରରେ ଏକ ବ୍ୟତିକ୍ରମ। ସେ ଜଣେ ନିରବ ସାଧକ ଭାବେ ଆତ୍ମଜୀବନୀ, କବିତା ସଂକଳନ, ପ୍ରବନ୍ଧ ସଂକଳନ, ଖଣ୍ଡକାବ୍ୟ ଓ ଅନୁବାଦ ଭଳି ଅନେକ ପୁସ୍ତକ ରଚନା କରିଛନ୍ତି। ଅବସରକୁ କିପରି ସୁବିନିଯୋଗ କରିବାକୁ ପଡ଼େ ସେ ହେଉଛନ୍ତି ତା’ର ଉଦାହରଣ। ତେବେ ଅନୁବାଦ, ସାହିତ୍ୟ ପାଇଁ ଜରୁରି। ଅନୁବାଦ ଫଳରେ ଭାଷା ଓ ସାହିତ୍ୟ ବିସ୍ତାରିତ ହୁଏ। ଏକଥାକୁ ହୃଦୟଙ୍ଗମ କରି ଅସମୀୟା ଭାଷା ଶିଖିବା ଏବଂ ସେହି ଭାଷାର ଉପନ୍ୟାସକୁ ଓଡ଼ିଆରେ ଅନୁବାଦ କରିବା ବହୁତ ବଡ଼ କଥା। ଓଡ଼ିଶା ଓ ଆସାମ ଭିତରେ ଭାଷା ଓ ସଂସ୍କୃତିକୁ ନେଇ ଅନେକ ସାମଞ୍ଜସ୍ୟ ରହିଥିବାରୁ ଏ ପୁସ୍ତକ ସମସ୍ତଙ୍କ ପାଇଁ ମାର୍ଗଦର୍ଶିକା ହେବ। ଅଧ୍ୟାପକ ନିତ୍ୟାନନ୍ଦ ସାହୁ ଅନୁସୃଜନ କରିଥିବା ଡ. ଜୟନ୍ତ ମାଧବ ବରାଙ୍କ ଅସମୀୟା ଉପନ୍ୟାସ ‘ଦେଉଳ’ର ପାଠକାର୍ପଣ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ।

Advertisment

ଅଧ୍ୟାପକ ବିଶ୍ବରଞ୍ଜନଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ‘ପୌରୁଷ’ର ସଂପାଦକ ତଥା ଗବେଷକ ଅସିତ ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡ଼ିଆ ଭାଷାରେ ଅସମୀୟା ସାହିତ୍ୟର ଅନୁବାଦର ଇତିହାସ ପ୍ରଦାନ କରିବା ସହିତ ଅନୂଦିତ ପୁସ୍ତକରେ ବର୍ଣ୍ଣିତ ଊନବିଂଶ ଶତକର ଆସାମ ସହିତ ତତ୍କାଳୀନ ଓଡ଼ିଶାର ଏକ ତୁଳନାତ୍ମକ ରୂପ ଉପସ୍ଥାପନ କରିଥିଲେ। ସେ କହିଲେ ଏହି ଉପନ୍ୟାସରେ ଅସମୀୟା ଭାଷାରେ ଅତି ଚମତ୍କାର ଭାବରେ ସାଧାରଣ ମଣିଷର ତୁଣ୍ଡରେ ଆସାମର ରାଜନୈତିକ ଓ ସାଂସ୍କୃତିକ ଜୀବନର ଚିତ୍ରକୁ ବର୍ଣ୍ଣନା କରାଯାଇଛି। ତେବେ ଓଡ଼ିଶାର ସେହି ଊନବିଂଶ ଶତକର ସ୍କନ୍ଦକୁ ଉପନ୍ୟାସରେ ପ୍ରକାଶ କରିବାର ଉଦ୍ୟମ ହୋଇନାହିଁ। ଯାହାକୁ ନେଇ ଶ୍ରୀ ମହାନ୍ତି କ୍ଷୋଭ ପ୍ରକାଶ କରିଥିଲେ। ଅନୁବାଦକ ଶ୍ରୀ ସାହୁ ଲେଖକୀୟ ବକ୍ତବ୍ୟ ଦେଇ ଉନ୍ନବିଂଶ ଶତାବ୍ଦୀରେ ଆସାମର ଐତିହାସିକ ଚିତ୍ର ଏହି ପୁସ୍ତକରେ ଖୁବ୍‌ ଚମତ୍କାର ଭାବେ ବର୍ଣ୍ଣନା କରାଯାଇଥିବା କହିଥିଲେ।

ଏହି ପୁସ୍ତକର ମୂଳ ଲେଖକ ବିଶିଷ୍ଟ ସାହିତ୍ୟିକ ଡ. ଜୟନ୍ତ ମାଧବ ବରା ଯୋଗଦେଇ କହିଥିଲେ ଓଡ଼ିଆ ଭାଷାରେ ଅନୁବାଦ ହେବା ଏହା ମୋର ଦ୍ବିତୀୟ ପୁସ୍ତକ। ଏହି ପୁସ୍ତକ ଓଡ଼ିଶା ଓ ଆସାମ ଭିତରେ ସମନ୍ବୟର ସେତୁ ହେବ। ତେବେ ପୁସ୍ତକକୁ ଓଡ଼ିଆରେ ଅନୁବାଦ କରିଥିବାରୁ ସେ ଶ୍ରୀ ସାହୁଙ୍କୁ କୃତଜ୍ଞତା ଜଣାଇଥିଲେ। ଅନ୍ୟତମ ଅତିଥି ଭାବେ ଡ. ଜୟନ୍ତୀ ରଥ ଊନବିଂଶ ଶତାବ୍ଦୀର ଅସମୀୟା ଜନଜୀବନରେ ଓ ରାଜନୈତିକ, ଅର୍ଥନୈତିକ ଏବଂ ଔପନିବେଶିକ ଶାସନର ଏକ ନିଚ୍ଛକ ଚିତ୍ର ପ୍ରଦାନ କରିବାରେ ଏହି ପୁସ୍ତକ ସମର୍ଥ ହୋଇଛି ବୋଲି କହିଥିଲେ। ମା’ ସାରଦା ପବ୍ଲିକେସନ୍‌ର ମୁଖ୍ୟ ତଥା ପ୍ରକାଶକ ଅଜୟ କୁମାର ପଣ୍ଡା ସ୍ବାଗତ ଭାଷଣ ଦେଇଥିଲେ। ସଭା ଆରମ୍ଭରେ ଅନିନ୍ଦିତା ଦାସ ଜଗନ୍ନାଥ ଭଜନ ସହ ଆସାମର ବିଖ୍ୟାତ ସଙ୍ଗୀତଜ୍ଞ ଭୂପେନ୍ ହଜାରିକାଙ୍କ ସଙ୍ଗୀତ ଗାନ କରିଥିଲେ।