ଭୁବନେଶ୍ୱର: ଭାରତରେ ଅନୁବାଦ ସାହିତ୍ୟର ଜନ୍ମ ବହୁ ପୁରୁଣା। ଅନୁବାଦ ହିଁ ଭାରତରେ ଏକତା ରଖିବାରେ ସହାୟକ ହୋଇଆସିଛି। ବିଶ୍ବ ଅନୁବାଦ ଦିବସ ଅବସରରେ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଭାରତୀୟ ଅନୁବାଦ ସାହିତ୍ୟ ପକ୍ଷରୁ ଆୟୋଜିତ ଜାତୀୟ ଅନୁବାଦକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଅନୁବାଦକ ଶଙ୍କରଲାଲ୍ ପୁରୋହିତ ଆଜି ଏହା କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଅନୁବାଦକ ରାଧୁ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ରାଷ୍ଟ୍ରୀୟ ମାନବ ଅଧିକାର ଆୟୋଗ ସଦସ୍ୟ ଜ୍ଞାନେଶ୍ବର ମନୋହର ମୁଲେ କହିଲେ, ଅନୁବାଦ ସାହିତ୍ୟ ପାଇଁ ଭାଷା ଏକ ପ୍ରମୁଖ ଅଙ୍ଗ। ଅନୁବାଦ ଦ୍ବାରା ଆମର ସର୍ଜନା ଅଧିକ ସମୃଦ୍ଧ ହୋଇଥାଏ। ଅନୁବାଦ ହିଁ ବିଭିନ୍ନ ଭାଷା ସାହିତ୍ୟ ମଧ୍ୟରେ ସଂଯୋଗର ସେତୁ ଭଳି ହୋଇଥାଏ। ସମ୍ମାନିତ ଅତିଥି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ କହିଲେ, ଭାଷା ସମୃଦ୍ଧି ପାଇଁ ଅଧିକରୁ ଅଧିକ ଅନୁବାଦର ଆବଶ୍ୟକ ରହିଛି। ଓଡ଼ିଶା ସାହିତ୍ୟ ଏକାଡେମିର ଉପସଭାପତି ସଂଗ୍ରାମ ଜେନା କହିଲେ, ଗୋଟିଏ ଅଞ୍ଚଳର ସାହିତ୍ୟ ଅନ୍ୟ ଭୂଖଣ୍ଡର ପାଠକଙ୍କ ନିକଟରେ ପହଞ୍ଚିବା କ୍ଷେତ୍ରରେ ଅନୁବାଦକମାନଙ୍କର ଭୂମିକା ଅବର୍ଣ୍ଣନୀୟ।
ଏହି ଅବସରରେ ଭାରତୀୟ ଭାଷାର ଅନୁବାଦକମାନଙ୍କ ପୁସ୍ତକ ‘ପରିଚୟ ପୁସ୍ତକ’ ଲୋକାର୍ପିତ ହୋଇଥିଲା। ପ୍ରଥମ ଅଧିବେଶନରେ ‘ପ୍ରଭାବଶାଳୀ ଅନୁବାଦ ସାହିତ୍ୟକୁ ସମୃଦ୍ଧ କରେ’ ଶୀର୍ଷକ ଉପରେ ଆଲୋଚନା ହୋଇଥିଲା। ପ୍ରଫେସର ଅଞ୍ଜୁମନ ଆରା, ଭଗବାନ ତ୍ରିପାଠୀ, ବିନୀତ ମୋହନ ଔଦିଚ୍ୟ, ମଞ୍ଜୁଳା ଆସ୍ଥାନା ମହାନ୍ତି ପ୍ରମୁଖ ଆଲୋଚନା କରିଥିଲେ। ଦ୍ବିତୀୟ ଅଧିବେଶନରେ ‘ଅନୁବାଦ ପ୍ରକ୍ରିୟା ଓ ସୃଜନଶୀଳତାର ଉପଯୋଗ’ ଶୀର୍ଷକ ଆଲୋଚନାରେ ଜ୍ଞାନୀ ଦେବାଶିଷ ମିଶ୍ର, ସାହିତ୍ୟିକ ଅସିତ ମହାନ୍ତି, ସ୍ନେହପ୍ରଭା ଦାସ, ସୁଖେନ୍ଦୁ ଦାସ, ପ୍ରଦୀପ କୁମାର ରାୟ ପ୍ରମୁଖ ଆଲୋଚନା କରିଥିଲେ। ପରେ ‘ସାହିତ୍ୟର ମୁଖ୍ୟଧାରାରେ ଅନୁବାଦ ସାହିତ୍ୟର ସ୍ଥାନ’ ଉପରେ ଆଲୋଚନା କରାଯାଇଥିଲା। ପରେ ପରେ ବହୁଭାଷୀ ଅନୁଦିତ କାବ୍ୟପାଠରେ ବିଶିଷ୍ଟ କବିମାନେ ଯୋଗ ଦେଇ କବିତା ପାଠ କରିଥିଲେ। ଅପରାହ୍ଣରେ ଅନୁବାଦକ ମାନସ ରଞ୍ଜନ ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ଉଦ୍ଯାପନୀ ଉତ୍ସବରେ ଅନୁବାଦକ ମୋହନ ଔଦିଚ୍ୟ ମୁଖ୍ୟ ଅତିଥି, କବୀ ଶ୍ରଦ୍ଧାଞ୍ଜଳି କାନୁନ୍ଗୋ ମୁଖ୍ୟବକ୍ତା, ରାଜେନ୍ଦ୍ର ପାଢ଼ୀ, କନକ ମଞ୍ଜରୀ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଜୟଶ୍ରୀ ଦୋରା, ମିତା, ପଟ୍ଟନାୟକ, ହରେକୃଷ୍ଣ ଦାସ, ଦିଲୀପ ସାହୁ, ଗୋପୀନାଥ ସେଠୀ ଏବଂ ପବିତ୍ର ମହାନ୍ତି ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଶରତ ଚନ୍ଦ୍ର ଆଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ।