ଭୁବନେଶ୍ୱର: ‘ଅନୁବାଦ ସାହିତ୍ୟ ପରିଷଦ ଟ୍ରଷ୍ଟ’ ପକ୍ଷରୁ ଚାଲିଥିବା ଦୁଇଦିନିଆ ଜାତୀୟ ଆଲୋଚନାଚକ୍ର ଆଜି ଉଦ୍ଯାପିତ ହୋଇଯାଇଛି। ଭୁବନେଶ୍ବର ଗୀତଗୋବିନ୍ଦ ସଦନ ପ୍ରେକ୍ଷାଳୟରେ ଟ୍ରଷ୍ଟର ଉପଦେଷ୍ଟା ସ୍ନେହପ୍ରଭା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ଯୋଗଦେଇ ଭଲ ଅନୁବାଦର ସ୍ବରୂପ ସମ୍ପର୍କରେ ଆଲୋଚନା ଏକ ନୂତନ ଧାରାର ଅୟମାରମ୍ଭ ବୋଲି କହିଥିଲେ। ମୁଖ୍ୟବକ୍ତା ରାଜ୍ୟ ସରକାରଙ୍କ ମୁଖ୍ୟ ଉପଦେଷ୍ଟା ଆର୍. ବାଲାକ୍ରିଷ୍ଣନ୍ କହିଲେ ତାମିଲ ଯେପରି ଶାସ୍ତ୍ରୀୟ ମାନ୍ୟତାପ୍ରାପ୍ତ ଭାଷା, ସେହିପରି ଓଡ଼ିଆ ମଧ୍ୟ। ଭାଷାଭିତ୍ତିରେ ପ୍ରଥମ ପ୍ରଦେଶ ରୂପେ ଗଠିତ ହୋଇ ଯେଉଁ ‘ଆଇଡିଆ ଅଫ୍ ଓଡ଼ିଶା’ର ଅୟମାରମ୍ଭ ହୋଇଥିଲା, ତାହା ଏବେ ‘ଆଇଡିଆ ଅଫ୍ ଇଣ୍ଡିଆ’।
ଏହି ଦୃଷ୍ଟିରୁ ଅନୁବାଦକୁ ନେଇ ଆଦାନ ପ୍ରଦାନ ଓ ଆଲୋଚନାଚକ୍ର ଗୁରୁତ୍ବପୂର୍ଣ୍ଣ। ବିଶିଷ୍ଟ ଅତିଥି ଭାବେ ବିପିୟୁଟିର ପୂର୍ବତନ କୁଳପତି ଓମ୍କାର ମହାନ୍ତି ଅନୁବାଦ ସାହିତ୍ୟ ପାଇଁ ଏକ ଭଲ ସମୟ ଆସିଥିବା କହିଥିଲେ। ଜଷ୍ଟିସ୍ ପ୍ରଭା ଶ୍ରୀଦେବନ୍ କହିଲେ, ଓଡ଼ିଶା ଓ ତାମିଲ ସରକାର ଅନୁବାଦ ସହିତ୍ୟକୁ ପ୍ରୋତ୍ସାହନ ଦେଉଥିବା ଆନନ୍ଦର କଥା। ଅନୁବାଦ ସବୁବେଳେ ଅନ୍ତରଙ୍ଗ କଥା କୁହେ ଏବଂ ଦୁଇଟି ଭାଷା ଓ ସଂସ୍କୃତିକୁ ଯୋଡ଼େ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଓଡ଼ିଶାବାସୀଙ୍କ ରକ୍ତରେ କଳା, ସାହିତ୍ୟ ଓ ସଂସ୍କୃତି ଭରି ରହିଥିବା କହିଥିଲେ। ଗୁଜରାଟର ପ୍ରଖ୍ୟାତ ଲେଖିକା ବର୍ଷା ଦାସ ଏହି କାର୍ଯ୍ୟକ୍ରମ ଓଡ଼ିଶା ଓ ଗୁଜରାଟ ମଧ୍ୟରେ ସମ୍ପର୍କର ସେତୁ ବୋଲି କହିଥିଲେ।
ଆଲୋଚନାଚକ୍ରରେ ଭର୍ଚୁଆଲ ମାଧ୍ୟମରେ ତାମିଲନାଡ଼ୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଅନ୍ବିଲ୍ ମହେଶ ଓ ତାମିଲନାଡ଼ୁ ଟେକ୍ସ୍ଟ ବୁକ୍ ଏଣ୍ଡ ଏଜୁକେସନାଲ୍ ସର୍ଭିସେସ୍ କର୍ପୋରେସନ୍ର ଯୁଗ୍ମ ସଚିବ ଶଙ୍କର ସର୍ବାନନ୍ଦ ଯୋଗ ଦେଇଥିଲେ। ଏହି ଅବସରରେ ଏକ ସମୟରେ ତାମିଲ ଭାଷାରେ ୨ଟି ‘ଭାଡ଼ିଭାସଲ ମଇଦାନ’ ଓ ‘ତାମିଲ ଶ୍ରେଷ୍ଠ ଗଳ୍ପ’ ପୁସ୍ତକ ଓଡ଼ିଆରେ ଏବଂ ଓଡ଼ିଆ ଭାଷାର ଦୁଇଟି ବହି ଗୋପୀନାଥ ମହାନ୍ତିଙ୍କ ଉପନ୍ୟାସ ‘ଦାନାପାଣି’ ଓ ‘ଶ୍ରେଷ୍ଠ ଓଡ଼ିଆ ଗଳ୍ପ’ ତାମିଲ୍ରେ ଉନ୍ମୋଚନ ହୋଇଥିଲା। ସେହିପରି ବିଭିନ୍ନ ଭାଷାର ୫ଟି ଅନୁବାଦ ପୁସ୍ତକ ଉନ୍ମୋଚନ ହୋଇଥିଲା। ଏଥିରେ କବିତା ସଂକଳନ ‘ଦେହର ଭାଷା’ ପାଇଁ ସଂଗ୍ରାମ ମହାପାତ୍ର, ଉପନ୍ୟାସ ‘ଭୋରକା ସନ୍ୟାସୀ’ ପାଇଁ ଲକ୍ଷ୍ମୀଧର ଦାଶ, ଗଳ୍ପ ସଂକଳନ ‘ସାକ୍ଷୀ ଠାକୁରାଣୀ’ ପାଇଁ ଭାରତୀ ନନ୍ଦୀ, ‘ମରୀଚିକା ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ ସୁଭାଷ ଶତପଥୀ ଏବଂ ଉପନ୍ୟାସ ‘ଜୀବନର ଦୋ ଛକିରେ’ ପାଇଁ ଜଗନ୍ନାଥ ଦାସଙ୍କୁ ସମ୍ମାନିତ କରାଯାଇଥିଲା। ଏଥିସହ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ବିଜେତା ଲେଖିକା ଇନ୍ଦୁଲତା ମହାନ୍ତି ଓ କେନ୍ଦ୍ର ସହିତ୍ୟ ଅକାଦେମି ପୁରସ୍କାର ବିଜେତା କମଳା ଶତପଥୀଙ୍କୁ ଅନୁବାଦ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହାପରେ ଅନୁବାଦ ସଂକ୍ରାନ୍ତରେ ୧୦ଟି ଭାଷାର ପ୍ରତିନିଧିମାନଙ୍କ ଦ୍ବାରା ଆଲୋଚନା ଅନୁଷ୍ଠିତ ହୋଇଥିଲା। ଭାଷାବିତ୍ ଦେବୀପ୍ରସନ୍ନ ପଟ୍ଟନାୟକ, ମାଲାୟଲମ୍ର ଏଜେ ଥୋମାସ୍, ମରାଠୀର ଗଣେଶ ଭିସ୍ପୁଟେ, କନ୍ନଡ଼ର କମଳାକର ଭଟ୍ଟ, ତେଲୁଗୁର ଜେଏଲ୍ ରେଡ୍ଡୀ, ଗୁଜରାଟର ବର୍ଷା ଦାସ, ବେଙ୍ଗଲିର ଅଂଶୁମାନ କର, ଅସମୀୟାର ଅମ୍ରିତ ଜ୍ୟୋତି ମହନ୍ତ, ହିନ୍ଦୀର ମିହିର ପଟ୍ଟନାୟକ ଏବଂ ତାମିଲ ଭାଷାର ଜଷ୍ଟିସ୍ ପ୍ରଭା ଶ୍ରୀଦେବନ୍ ପ୍ରମୁଖ ଯୋଗ ଦେଇଥିଲେ।
ଅନୁବାଦ ସାହିତ୍ୟ ପରିଷଦର ଉପସଭାପତି ସୋମେଶ ମହାପାତ୍ର ଓ ସାଧାରଣ ସମ୍ପାଦକ ତାପସ ରଂଜନ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶୁଭଶ୍ରୀ ଓଝା ସଂଯୋଜନା ଓ ନମିତା ଲକ୍ଷ୍ମୀ ଜଗଦେବ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଏକାଡେମିର ସଚିବ ପ୍ରବୋଧ ରାଉତ, ଲେଖକ ସହଦେବ ସାହୁ, ଗୌରହରି ଦାସ, ପରେଶ ପଟ୍ଟନାୟକ, ଅସିତ୍ ମହାନ୍ତି, ଶ୍ରଦ୍ଧାଞ୍ଜଳି କାନୁନ୍ଗୋ, ବିଜୟ ମହାନ୍ତି, ବନଜ ଦେବୀ, ସୁକୋମଳ ଦାସ, ସୁନନ୍ଦା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।