ଭୁବନେଶ୍ବର: ସ୍ବଚ୍ଛ ସର୍ବେକ୍ଷଣ-୨୦୨୪ ଆରମ୍ଭ ହୋଇଛି। ଏଥର ଥିମ୍ ରହିଛି ରିଡ୍ୟୁସ୍, ରିୟୁଜ୍ ଓ ରିସାଇକେଲ୍। ପଲିଥିନ୍ ବ୍ୟବହାର ହ୍ରାସ, ପୁନଃବ୍ୟବହାର ଓ ପୁନଃଚକ୍ରଣ କିଭଳି କରାଯାଉଛି ବା କଣ ବ୍ୟବସ୍ଥା କରାଯାଇଛି ତାହାକୁ ନେଇ ମୂଲ୍ୟାୟନ କରିବ ସ୍ବଚ୍ଛ ସର୍ବେକ୍ଷଣ-୨୦୨୪। ପୂର୍ବ ବର୍ଷ ଭଳି ଏଥର ମଧ୍ୟ ବିଭିନ୍ନ ବର୍ଗରେ ସମୁଦାୟ ୯୫୦୦ ମାର୍କ ରହିଛି। ଗତ ବର୍ଷ ବିଏମ୍ସି(ଭୁବନେଶ୍ୱର) ୭୩୧୪.୯୦ ମାର୍କ ରଖି ଭୁବନେଶ୍ବର ଜାତୀୟ ସ୍ତରରେ ୩୪ ରୢାଙ୍କ୍ ପାଇଥିବା ବେଳେ ଏଥର ୧୦ ଭିତରେ ରହିବା ଆଶା ରଖିଛି। ପଲିଥିନ୍ ବ୍ୟବହାର କଟକଣାକୁ ନେଇ ବାରମ୍ବାର ଚଢ଼ଉ, ଜରିମାନା ହୋଇଥିଲେ ମଧ୍ୟ ପଲିଥିନ୍ ବ୍ୟବହାର ପୂରା ବନ୍ଦ ହୋଇ ପାରିନାହିଁ। ଏଣୁ ବିଏମ୍ସି କିଭଳି ଏଥର ଶୀର୍ଷ ୧୦ରେ ରହିବ ସେ ନେଇ ପ୍ରଶ୍ନ ଉଠିଛି।
୨୦୨୨ ଜୁଲାଇ ୧ ତାରିଖରେ ତତ୍କାଳୀନ ବିଏମ୍ସି କମିସନର ବିଜୟ ଅମୃତା କୁଲାଙ୍ଗେ ଏକ ଭିଡିଓ ବାର୍ତ୍ତା ଯୋଗେ ଏକକ ବ୍ୟବହାର ଯୋଗ୍ୟ ପଲିଥିନ୍ ନିଷିଦ୍ଧ ହେଲା ବୋଲି ଘୋଷଣା କଲେ। ଏହା ପରେ ସ୍ବତନ୍ତ୍ର ଟିମ୍ ଗଠନ ହେଲା। ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲକ୍ଷ୍ୟରେ ବେଶ୍ କିଛି ଦିନ ଟିମ୍ ଘୂରି ବୁଲିଲା। ବାଛି ବାଛି କେତେକ ଦୋକାନରେ ଚଢ଼ଉ କଲେ। ମୋଟାଅଙ୍କର ଜରିମାନା ବି କଲେ। ହେଲେ କିଛି ଦିନ ପରେ ସବୁ ଫୁସ୍କି ଗଲା। ଯେମିତି ଖୋଲାଖୋଲି ବ୍ୟବହାର ହେଉଥିଲା ସେମିତି ଚାଲିଲା।
୨୦୨୩ ଏପ୍ରିଲ୍ ୧୫ ତାରିଖରେ ହାଟଗୁଡ଼ିକୁ ପଲିଥିନ୍ ବ୍ୟବହାରମୁକ୍ତ କରିବାକୁ ବିଏମ୍ସି ଘୋଷଣା କଲା। କୋଚିଲେଇ ହାଟରୁ ଏହି ଅଭିଯାନର ଶୁଭାରମ୍ଭ କଲେ ଖୋଦ୍ ମେୟର ସୁଲୋଚନା ଦାସ। ହାଟ ବ୍ୟବସାୟୀ ସଂଘ ସହ ଆଲୋଚନା କରି ୧୫ ଦିନ ଗ୍ରାହକମାନଙ୍କୁ ସଚେତନ କରିବାକୁ ସମୟ ଦିଆଗଲା। ୧୫ ଦିନ ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେଲା। ହେଲେ ତାହା ବି କିଛି ଦିନ ପରେ ନିରବି ଗଲା। କୌଣସି ଗୋଟିଏ ହେଲେ ହାଟ ପଲିଥିନ୍ ମୁକ୍ତ ହୋଇପାରିଲା ନାହିଁ। ଏହି ଅବଧି ବା ୨୦୨୨ ଅକ୍ଟୋବରରୁ ୨୦୨୩ ଏପ୍ରିଲ୍ ମଧ୍ୟରେ ବିଏମ୍ସି ପ୍ରାୟ ୫ମେଟ୍ରିକ ଟନ୍ର ନିଷିଦ୍ଧ ପଲିଥିନ୍ ଓ ତହିଁରୁ ପ୍ରସ୍ତୁତ ସାମଗ୍ରୀ ଜବତ କଲା। ୪ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜରିମାନା ଆକାରରେ ଆଦାୟ କରିଥିଲା।
ସେବେଠାରୁ ଏହାକୁ ଗୁରୁତ୍ବର ସହ ନିଆଯାଇ ନାହିଁ ଯଦିଓ ଟିମ୍ ସାଇନ୍କୁ ଏହି ଦାୟିତ୍ବ ଦିଆଯାଇଛି। କେଉଁଠି କାଁ ଭାଁ ଜବତକୁ ଛାଡ଼ିଦେଲେ ଏହା ଖୋଲାଖୋଲି ଭାବରେ ବ୍ୟବହାର ହେଉଛି। ବଡ଼କଥା ହେଉଛି ଏ ଯାବତ୍ ପଲିଥିନ୍ ବ୍ୟାଗ୍ର ବିକଳ୍ପ ଭାବରେ କୌଣସି ବ୍ୟାଗ୍ ବ୍ୟବସ୍ଥା ହୋଇ ପାରିନଥିବାରୁ ଏକକ ବ୍ୟବହାର ଯୋଗ୍ୟ ପଲିଥିନ୍ ନିଷେଦ୍ଧ କରାଯାଇ ପାରୁନାହିଁ। କେବଳ ବ୍ୟାଗ୍ ନୁହେଁ, ପ୍ଲାଷ୍ଟିକ୍ ଚାମଚ୍, ଥର୍ମୋକୁଲ୍ ଦନା, ପ୍ଲାଷ୍ଟିକ୍ବୋତଲ ପ୍ରଭୃତି ବ୍ୟବହାର ବଢ଼ିଛି। ଏଣୁ ଏହାକୁ ନିଷେଦ୍ଧ କରିବା ବା ପୁନଃବ୍ୟବହାର ଯୋଗ୍ୟ କରିବା ନେଇ କୌଣସି ବ୍ୟବସ୍ଥା ହୋଇ ନଥିବାରୁ ସ୍ବଚ୍ଛ ସର୍ବେକ୍ଷଣରେ ରୢାଙ୍କ୍ ପାଇବା ନେଇ ଆଶଙ୍କା ପ୍ରକାଶ ପାଇଛି। ତେବେ ବିଏମ୍ସି କହିଛି କି, ବିଏମ୍ସି ଗତଥର ଜାତୀୟ ରୢାଙ୍କ୍ ୩୪ ପାଇଥିବା ବେଳେ ଏକଲକ୍ଷରୁ ଊର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ସହରଗୁଡ଼ିକ ମଧ୍ୟରେ ବିଭିନ୍ନ ଆଧାରକୁ ନେଇ ହୋଇଥିବା ସର୍ବେକ୍ଷଣରେ ଭୁବନେଶ୍ବର ‘କ୍ଲିନ୍ ସିଟି ଇନ୍ ଓଡିଶା’ ବା ରାଜ୍ୟର ସଫା ସହର ଭାବରେ ୧ ନମ୍ବରରେ ରହିଥିଲା। ‘ଗାର୍ବେଜ୍ ଫ୍ରି ସିଟି’ ଭାବରେ ‘ଥ୍ରି ଷ୍ଟାର୍’ ପାଇଥିଲା। ଏଥର ଭଲ ରୢାଙ୍କ୍ ପାଇଁ ପ୍ରସ୍ତୁତି ଚାଲିଛି। ସ୍ବତନ୍ତ୍ର ଟିମ୍ ଗଠନ ହେବା ସହ ଜୋନ୍ମାନଙ୍କୁ ଦାୟିତ୍ବ ଦିଆଯାଇଛି।