ରାଜପଥରେ ମୃତ୍ୟୁର ଫାଶ : ୪ ମାସରେ ୨ ମଲେଣି

ଏନ୍‌ଏଚ୍‌ଏଆଇ ନାମରେ ୨ ମାମଲା

ଭୁବନେଶ୍ୱର : ରାଜପଥ ଡିଭାଇଡର୍ ପାଲଟିଛି ମୃତ୍ୟୁ ଫାଶ। ଛୁଉଁ ଛୁଉଁ ଚାଲି ଯାଉଛି ଜୀବନ। ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏଭଳି ମୃତ୍ୟୁ ଫାଶ ବସାଇଥିବା ଅଭିଯୋଗ ହେଉଛି। ଭୁବନେଶ୍ବରର ପ୍ରମୁଖ ପ୍ରବେଶପଥ ପଳାସୁଣିରେ ଏହି ମୃତ୍ୟୁର ଜାଲ ବିଛାଇଛି ଏନ୍‌ଏଚ୍‌ଏଆଇ (ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ)। ୪ ମାସରେ ଚାଲି ଗଲାଣି ୨ ଜୀବନ। ଅଥଚ ଏହି ମର୍ମନ୍ତୁଦ ଘଟଣାର ପୁନରାବୃତ୍ତି ଘଟି ଚାଲିଛି। ଗତ ଜୁନ୍‌ ମାସ ଘଟଣା ପାଇଁ କମିସନରେଟ୍‌ ପୁଲିସ ଏନ୍‌ଏଚ୍‌ଏଆଇକୁ ନୋଟିସ୍‌ କରିବା ସହ ଏକ ମାମଲା ରୁଜୁ କରିଛି। ସେହିଭଳି ଗତକାଲିର ଘଟଣା ପାଇଁ ମଧ୍ୟ ଅନୁରୂପ ନୋଟିସ ଦେବା ସହ ଆଉ ଗୋଟିଏ ମାମଲା ରୁଜୁ କରିଛି। ଦୁଇ ଦୁଇଟି ମାମଲା ହେବା ପରେ ବି ଏନ୍‌ଏଚ୍‌ଏଆଇର କୌଣସି ଅଧିକାରୀଙ୍କ ଉପରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ।

ଗତ ଜୁନ୍‌ ୨୯ ତାରିଖରେ ପଳାସୁଣି ନିକଟରେ ଡିଭାଇଡର୍‌ ଡେଇଁ ରାସ୍ତା ଅତିକ୍ରମ କରୁଥିବା ବେଳେ କଟକ ସାଲେପୁରର ଜଗନ୍ନାଥ ମଲ୍ଲିକଙ୍କର ମୃତ୍ୟୁ ଘଟିଥିଲା। ଡିଭାଇଡର୍‌କୁ ଧରି ପକାଇବାରୁ ତାଙ୍କୁ ବିଦ୍ୟୁତ୍ କରେଣ୍ଟ ଧକ୍କା ଲାଗିଥିଲା ଓ ସେଥିରେ ତାଙ୍କର ମୃତ୍ୟୁ ହୋଇଥିଲା। ସେଠାରେ ଥିବା ଏକ ଷ୍ଟ୍ରିଟ୍‌ ଲାଇଟ୍‌ ଉପୁଡ଼ି ପଡ଼ିବା ପରେ ବିଦ୍ୟୁତ୍‌ ତାର ମୁକୁଳା ଥିଲା। ଏହି ତାରରେ ଲାଗି ଡିଭାଇଡର କରେଣ୍ଟ ହୋଇ ଯାଇଥିଲା। ସେହିଭଳି ଗତ ୨୬ ତାରିଖରେ ଠିକ୍ ସେହି ସ୍ଥାନରେ ଡିଭାଇଡର୍ ଡେଇଁ ରାସ୍ତା ପାର ହେଉଥିବା ସମୟରେ ପଳାସୁଣିର ମନୋଜ ସାହୁଙ୍କର ମୃତ୍ୟୁ ହୋଇଥିଲା। ପ୍ରଥମ ଘଟଣା ପରେ ଉକ୍ତ ସ୍ଥାନ‌ରେ ଡିଭାଇଡର୍‌କୁ ଛୁଇଁଥିବା ବିଦ୍ୟୁତ୍ କରେଣ୍ଟକୁ ବିଚ୍ଛିନ୍ନ କରାଯାଇଥିଲା ବୋଲି ଏନ୍‌ଏଚ୍‌ଏଆଇ ସଫେଇ ଦେଇଥିଲା।

ଏ ନେଇ ଏନ୍‌ଏଚ୍‌ଏଆଇ ଆଞ୍ଚଳିକ ଅଧିକାରୀ ରାମପ୍ରସାଦ ପଣ୍ଡା କହିଛନ୍ତି, ଡିଭାଇଡର୍‌ ଡେଇଁ ଯିବା ଭିତର ଦେଇ ଅତିକ୍ରମ କରିବା‌ ବେଳେ ମୃତ୍ୟୁ ଘଟିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା। ଦୁର୍ଘଟଣା ଯୋଗୁଁ ଗାଡ଼ିଗୁଡ଼ିକ ଡିଭାଇଡର୍‌ରେ ପିଟି ହେଉଛନ୍ତି। ଫଳରେ ସେଠାରେ ଥିବା ବିଦ୍ୟୁତ ଖୁଣ୍ଟ ଭାଙ୍ଗି ସର୍ଟ ସର୍କିଟ ହେଉଛି। ସେଗୁଡ଼ିକୁ ତୁରନ୍ତ ମରାମତି କରାଯାଉଛି। ଏନ୍‌ଏଚ୍‌ଏଆଇ ଉଭୟ ଘଟଣାର ତଦନ୍ତ କରୁଛି। ପ୍ରକଳ୍ପ ନିର୍ଦ୍ଦେଶକ ଏହି ଦାୟିତ୍ବ ନେଇଛନ୍ତି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ତେବେ ଦୁଇ ଘଟଣାରେ ଏନ୍‌ଏଚ୍‌ଏଆଇ ନିଜକୁ କ୍ଲିନ୍‌ଚିଟ୍‌ ଦେବାକୁ ଉଦ୍ୟମ କରୁଛି ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର