କଟକ: ଟେଲିଗ୍ରାମ୍‌ ଲିଙ୍କ୍‌ ମାଧ୍ୟମରେ ହୋଇଛି ସାଇବର୍ ଠକେଇ। ସାଇବର୍ ଠକ ଗୋଷ୍ଠୀ ଜଗତପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ନିକଟରୁ ୧୩ ଲକ୍ଷ ୭୨ ହଜାର ୭୦ ଟଙ୍କା ଠକିନେଇଛନ୍ତି। ସାଇବର୍ ଥାନା ପୁଲିସ ଏହି ମାମଲାରେ ତିନି ଜଣ ଠକଙ୍କୁ ଗିରଫ କରିଛି। ସେମାନେ ହେଲେ ରାଉରକେଲା ଉଦିତନଗର ବାସନ୍ତୀ କଲୋନିର ଅବିନାଶ ଓଝା(୩୫), ବନ୍ଧମୁଣ୍ଡାର ଜଗନ ସାହୁ(୨୪) ଓ ରଘୁନାଥ ପଲ୍ଲୀର ପ୍ରତୀକ ଚୌରାସିଆ ଓରଫ ସିଦ୍ଧାର୍ଥ (୨୧)। ଏହି ଘଟଣାରେ ସେମାନଙ୍କ ନିକଟରୁ ୩ଟି ଆଧାର କାର୍ଡ, ୬ଟି ମୋବାଇଲ୍ ଫୋନ୍, ୩ଟି ଚେକ୍ ବହି, ୧୦ଟି ପାସ୍‌ବୁକ, ୩୯ଟି ଫ୍ରିଜ୍‌ ହେଇଥିବା ବ୍ୟାଙ୍କ ଆକାଉଣ୍ଟ, ଫ୍ରିଜ୍‌ ହେଇଥିବା ୨ ଲକ୍ଷ ଟଙ୍କା ପୁଲିସ ଜବତ କରିଛି।

Advertisment

ସୂଚନା ଅନୁଯାୟୀ, ଜଗତପୁର ଅଞ୍ଚଳର ଜଣେ ବ୍ୟକ୍ତି ଟେଲିଗ୍ରାମ୍‌ ଚ୍ୟାନେଲରେ ଠକେଇର ଶିକାର ହୋଇଥିଲେ। ଏ ନେଇ ସେ ଜୁଲାଇ ୬ ତାରିଖରେ ସାଇବର୍ ଥାନାରେ ଅଭିଯୋଗ କରିଥିଲେ। ନିଶା ସିଂହ ନାମକ ଜଣେ ମହିଳା ଜଗତପୁରର ବ୍ୟକ୍ତିଙ୍କୁ ଟେଲିଗ୍ରାମରେ ଏକ ଲିଙ୍କ୍ ପଠାଇଥିଲା। ଭାରତୀୟ କ୍ରିପ୍ଟୋ କରେନ୍ସି ପ୍ଲାଟଫର୍ମରେ ଗୁଗୁଲ୍‌ ରିଭ୍ୟୁ କରି ଟଙ୍କା ଦୁଇଗୁଣ ହେବାର ଲୋଭ ଦେଖାଇଥିଲେ। ଏହି କଥାକୁ ବିଶ୍ବାସ କରି ଜଗତପୁରର ବ୍ୟକ୍ତି ଜଣକ ୧୩ ଲକ୍ଷ ୭୨ ହଜାର ୭୦ ଟଙ୍କା ଅନ୍‌ଲାଇନ୍ ମାଧ୍ୟମରେ ଜମା କରିଥିଲେ। ଏହି ଘଟଣାରେ ସାଇବର୍ ଥାନା ଏସ୍‌ଆଇ ଏଲ୍. ସାହୁ ତଦନ୍ତ ଆରମ୍ଭ କରିଥିଲେ। ପୁଲିସ ତଦନ୍ତ ସମୟରେ ଠକଙ୍କ ବ୍ୟାଙ୍କ ତଥ୍ୟ, ସିଡିଆର୍‌ ଯାଞ୍ଚ କରିଥିଲା। ଏହି ଠକ ଗୋଷ୍ଠୀ ରାଉରକେଲା ଓ ଆଖପାଖରେ ରହୁଥିବା ଜଣାପଡ଼ିଥିଲା। ଏସ୍‌ଆଇ ଏଲ୍‌ ସାହୁଙ୍କ ନେତୃତ୍ବରେ କନେଷ୍ଟବଳ ଡି.ପି. ସାହୁ, ଓ.ପି. ସେଟ୍ଟି, ଏସ୍ ମିଞ୍ଜା, ସିଲାଦିତ୍ୟ ୟୁ କେ ବେହୁରିଆ ପ୍ରମୁଖ ସାମିଲ ହୋଇଥିଲେ। ଏହି ପୁଲିସ ଟିମ୍ ରାଉରକେଲାରେ ଚଢ଼ଉ କରି ଉପରୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ କଟକ ଆଣି କୋର୍ଟ ଚାଲାଣ କରିଛି। ତେବେ ଏହି ମାମଲାରେ ପ୍ରଥମ ଅଭିଯୁକ୍ତ ଭାବେ ଗଲା ୬ ତାରିଖରେ ରାଉରକେଲା ଉଦିତନଗରରେ ରହୁଥିବା ଝାରସୁଗୁଡ଼ା ବେଲପାହାଡ଼ର ଅନୁରାଗ ପଟ୍ଟନାୟକ(୨୧)କୁ ଗିରଫ କରାଯାଇଥିଲା। ଅବିନାଶ ପେଟିଏମ୍ ଓ ଏନ୍‌ଏସ୍‌ଡିଏଲ୍‌ରେ ଚାକିରି କରିଥିବା ବେଳେ ସେ ଆକାଉଣ୍ଟ ଖୋଲିବା ଦାୟିତ୍ବରେ ଥିଲା। ତେବେ ଆକାଉଣ୍ଟ ସମ୍ପର୍କିତ ତଥ୍ୟ ସାଇବର୍ ଠକଙ୍କୁ ବିକ୍ରି କରୁଥିଲା। ସେହିଭଳି ଜଗନ ଏୟାରଟେଲ୍ ଓ ଜିଓ ପେମେଣ୍ଟ ବ୍ୟାଙ୍କରେ ଚାକିରି କରୁଥିବାବେଳେ ଆଗୁଆ ଆକ୍ଟିଭ ହୋଇଥିବା ସିମ୍‌କାର୍ଡ ସଂଗ୍ରହ କରୁଥିଲା। ବ୍ୟାଙ୍କ୍ ଆକାଉଣ୍ଟ କିଟ୍ ସଂଗ୍ରହ ମଧ୍ୟ କରୁଥିଲେ। ଏହାକୁ କୋରିଅର୍ ମାଧ୍ୟମରେ ମୁମ୍ବାଇ, ଦିଲ୍ଲୀ, ଗୁଜୁରାଟ, ରାଜସ୍ଥାନରେ ଥିବା ସାଇବର୍ ଅପରାଧୀଙ୍କ ନିକଟକୁ ପଠାଉଥିଲେ। ସେହିଭଳି ପ୍ରତୀକ ଏୟାରଟେଲ୍ ସିମ୍ କାର୍ଡ ସେଲର୍ ଭାବେ କାମ କରୁଥିଲା। ସେ ଆଗୁଆ ଆକ୍ଟିଭ୍ ହୋଇଥିବା ସିମ୍‌କୁ ଅବିନାଶ ଓ ଜଗନକୁ ବିକ୍ରି କରୁଥିବା ନେଇ ଡିସିପି ଖିଲାରୀ ଋଷକେଶ ଦ୍ୟାନଦେଓ ସୂଚନା ଦେଇଛନ୍ତି।