୨ମାସରେ ୩୬୬ଜଣ ପାଇଛନ୍ତି ଟ୍ରମା ଚିକିତ୍ସା : ଅଶ୍ୱିନୀରେ ସର୍ବାଧିକ, ଅଧିକ ହସ୍ପିଟାଲକୁ ଏମ୍‌ପ୍ୟାନେଲ୍‌ ଯୋଜନା

ଭୁବନେଶ୍ବର : ଦୁର୍ଘଟଣାର ଶିକାର ହେଉଥିବା ବ୍ୟକ୍ତିଙ୍କୁ ମାଗଣାରେ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବା ଲାଗି ରାଜ୍ୟ ସରକାର ଟ୍ରମା ପାଣ୍ଠିରେ ମାଗଣା ଚିକିତ୍ସା ବା ଏଫ୍‌ଟିଟିଏଫ୍‌ ଘୋଷଣା କରିଛନ୍ତି। ଗତବର୍ଷ ଅକ୍ଟୋବର ମାସରେ ଏହା କାର୍ଯ୍ୟକାରୀ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ୩୬୬ଜଣ ଏଥିରେ ସେବା ପାଇଥିବା ଜଣାପଡ଼ିଛି। ଚିକିତ୍ସା ବାବଦରେ ସଂପୃକ୍ତ ଡାକ୍ତରଖାନାକୁ ୬୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ସ୍ବାସ୍ଥ୍ୟ ବିଭାଗରୁ ସୂଚନା ମିଳିଛି।

ଦୁର୍ଘଟଣାର ଶିକାର ହେଉଥିବା ବ୍ୟକ୍ତିମାନଙ୍କ ପାଇଁ ୪୮ ଘଣ୍ଟା ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଏହି ଗୋଲଡେନ୍‌ ଆୱାରରେ ଚିକିତ୍ସା ମିଳି ପାରୁ ନ ଥିବା କାରଣରୁ ଦୁର୍ଘଟଣାର ଶିକାର ଅଧିକାଂଶ ବ୍ୟକ୍ତି ପ୍ରାଣ ହରାଉଛନ୍ତି। ତେଣୁ ଟ୍ରମାର ଶିକାର ବ୍ୟକ୍ତିଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜଧାନୀର ଆମ୍ରି ଓ ଆପୋଲୋ ହସ୍ପିଟାଲ ଓ କଟକ ଅଶ୍ବିନୀ ହସ୍ପିଟାଲ ସହିତ ଏମ୍‌ପ୍ୟାନେଲ୍‌ ବା ଅନୁବନ୍ଧିତ ହୋଇଛି। ଏହି ୩ଟି ହସ୍ପିଟାଲରେ ଟ୍ରମା ଚିକିତ୍ସା ଦିଆଯାଉଛି। ଅଶ୍ବିନୀ ହସ୍ପିଟାଲରେ ସର୍ବାଧିକ ୨୧୮ଜଣ, ଆପୋଲୋରେ ୭୮ ଓ ଆମ୍ରିରେ ୭୦ଜଣ ଦୁର୍ଘଟଣା ଆକ୍ରାନ୍ତଙ୍କୁ ଚିକିତ୍ସା ମିଳିଛି। ଏଥିପାଇଁ ପରିବହନ ବିଭାଗ ପକ୍ଷରୁ ୪ କୋଟି ଟଙ୍କା ସ୍ବାସ୍ଥ୍ୟ ବିଭାଗକୁ ପ୍ରଦାନ କରାଯାଇଛି। ସ୍ବାସ୍ଥ୍ୟ ବିଭାଗ ଏହାକୁ କାର୍ଯ୍ୟକାରୀ କରୁଛି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଡିଏମ୍‌ଇଟିଙ୍କ ପକ୍ଷରୁ ୩ ଜଣିଆ ଟିମ୍‌ ଗଠନ କରାଯାଇଛି। ପାଇଲଟ୍‌ ପ୍ରକଳ୍ପରେ ଏହାକୁ କାର୍ଯ୍ୟକାରୀ କରାଯାଉଥିବା ବେଳେ ଆଗାମୀ ଦିନରେ ରାଜ୍ୟ ଓ ପଡ଼ୋଶୀ ରାଜ୍ୟର ଅଧିକ ହସ୍ପିଟାଲକୁ ଏଥିରେ ସାମିଲ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ଦୁର୍ଘଟଣା ଆକ୍ରାନ୍ତ ଲୋକଙ୍କ ପାଇଁ ୪୮ ଘଣ୍ଟା ଯଥେଷ୍ଟ ଗୁରୁତ୍ବପୂର୍ଣ୍ଣ। ଅନୁବନ୍ଧିତ ୩ଟି ହସ୍ପିଟାଲରେ ସ୍ବତନ୍ତ୍ର ଭାବେ ଟ୍ରମା ୟୁନିଟ୍‌ ରହିଛି। ଦୁର୍ଘଟଣାର ଶିକାର ବ୍ୟକ୍ତିଙ୍କ ଜୀବନ କିଭଳି ରକ୍ଷା ହୋଇପାରିବ, ତାହାକୁ ବିଶେଷ ଗୁରୁତ୍ବ ଦିଆଯାଇଛି। ଫଳରେ ରାଜ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା କମି ପାରିବ। ସୀମାବର୍ତୀ ଜିଲ୍ଲାଗୁଡ଼ିକ ପାଇଁ ପଡ଼ୋଶୀ ରାଜ୍ୟର ହସ୍ପିଟାଲକୁ ଏମ୍‌ପ୍ୟାନେଲ୍‌ କରିବା ପାଇଁ ଯୋଜନା କରାଯାଉଛି। ଫଳରେ ସେହି ଜିଲ୍ଲାର ଆକ୍ରାନ୍ତମାନେ ରାଜଧାନୀ କିମ୍ବା କଟକୁ ଆସିବାକୁ ପଡ଼ିବ ନାହିଁ ବୋଲି ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର