ଶୁଣିଲାନି ପ୍ରଶାସନ: ସାଇକେଲ୍‌ରେ ବିହାର ବାହାରିଲେ ଶ୍ରମିକ

ଚନ୍ଦ୍ରଶେଖରପୁର: କରୋନା ପାଇଁ ଲାଗିଛି କଟକଣା। ଘରୁ ବାହାରିବାକୁ ମନା। ଯିଏ ହୁଅନ୍ତୁ ନା କହିଁକି, ଜରୁରୀ କାମ ନ ଥିଲେ କେହି ବି ପଦାକୁ ବାହାରି ପାରିବେ ନାହିଁ। ବାଇକ୍‌ଠାରୁ ଆରମ୍ଭ କରି ବସ୍‌, ଟ୍ରକ୍‌, କାର୍‌, ଟ୍ରେନ୍‌, ବିମାନ ସେବା ସବୁ ଠପ୍‌। ରାସ୍ତାଘାଟ ବି ଖାଁ ଖାଁ। କେହି ବି କୁଆଡ଼େ ଯାଇପାରୁ ନାହାନ୍ତି କି ଆସିପାରୁ ନାହାନ୍ତି। ପ୍ରଶାସନର ନାଲିଆଖି ସାଙ୍ଗକୁ ପୁଲିସର ମାଡ଼ ଭୟ ସମସ୍ତଙ୍କୁ ଘରେ ରହିବାକୁ ଏକପ୍ରକାର ବାଧ୍ୟ କରୁଛି।

ଏଭଳି ସମୟରେ ବିହାର, ଉତ୍ତରପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗ ପ୍ରଭୃତି ରାଜ୍ୟରୁ ଆସି ରାଜଧାନୀରେ ବିଭିନ୍ନ କାର୍ଯ୍ୟ କରୁଥିବା ହଜାର ହଜାର ଶ୍ରମିକ ଏବେ ଘରକୁ ଯିବା ପାଇଁ ବାହାରିଛନ୍ତି। ତେବେ ଟ୍ରେନ୍‌ ସେବା ବନ୍ଦ ହୋଇଥିବାରୁ ସେମାନଙ୍କ ଯିବା କଷ୍ଟକର ହୋଇପଡ଼ିଛି। ପାଖାପାଖି ୧୫ଦିନ ହେଲା କାମଧନ୍ଦା ବନ୍ଦ ହୋଇଯାଇଥିବାରୁ ପାଖରୁ ପଇସା ବି ସରିସରି ଆସୁଛି। ନୀଳାଦ୍ରିବିହାର, ସାଲିଆସାହି ପ୍ରଭୃତି ଅଞ୍ଚଳରେ ଏମାନେ ଫସି ରହିଛନ୍ତି। ନିଜ ଘରକୁ ଯିବା ପାଇଁ ପ୍ରଶାସନ ନିକଟରେ ଆକୁଳ ନିବେଦନ କରିଛନ୍ତି। ତିନି ଦିନ ହେଲା ସେମାନେ କମିସନରେଟ୍‌ ପୁଲିସ ସମେତ ପ୍ରଶାସନିକ ଅଧିକାରୀଙ୍କ ଦ୍ବାରସ୍ଥ ହୋଇ ନିରାଶ ହେବା ପରେ ଏବେ ବିକଳ୍ପ ବ୍ୟବସ୍ଥା ଆପଣାଇଛନ୍ତି। ଗାଡ଼ି ନ ହେଲା ନାହିଁ, ସାଇକେଲ୍‌ ଚଲାଇ ବିହାର ଯିବା ପାଇଁ ଆଜି ଶତାଧିକ ଶ୍ରମିକ ବାହାରିଥିବା ବାଣୀବିହାର ଓଭରବ୍ରିଜ୍‌ ଉପରେ ଦେଖିବାକୁ ମିଳିଥିଲା।

ଏହି ସମୟରେ ସେମାନଙ୍କ ସମସ୍ୟା ସମ୍ପର୍କରେ ଜାଣିବାକୁ ପ୍ରୟାସ କରିଥିଲା ‘ସମ୍ବାଦ’। ସମସ୍ତେ ଗୋଟିଏ ଗୋଟିଏ ସାଇକେଲ୍‌ ଧରି ଆଗକୁ ବଢ଼ୁଥିଲେ। କୁଆଡ଼େ ଯାଉଛ ବୋଲି ପଚାରିବାରୁ ରଙ୍ଗ ମିସ୍ତ୍ରି ଭାବେ କାର୍ଯ୍ୟ କରୁଥିବା ସୁମନ୍ତ କହିଥିଲେ, ଯେଉଁ ଠିକାଦାରଙ୍କ ଅଧୀନରେ କାମ କରୁଥିଲୁ। ସେ ୧୫ ତାରିଖଠାରୁ କାମ ବନ୍ଦ କରିଦେଇଛନ୍ତି। ଆଗଭଳି ଆଉ କାମ ହେଉନାହିଁ। ଫେବ୍ରୁଆରି ମାସରେ ଯେତିକି ଦରମା ମିଳିଥିଲା ତାହା ବି ଶେଷ ହୋଇ ଆସିଲାଣି। ଆଉ ୫ରୁ ୬ ଦିନ ମଧ୍ୟରେ ଟଙ୍କା ସରିଯିବ। ଏହାପରେ ଭୁବନେଶ୍ବରରେ ରହି ଚଳିବା ସମ୍ଭବପର ନୁହେଁ। ଅଧିକାଂଶ ଦୋକାନ ବନ୍ଦ ହୋଇଯାଇଥିବା ବେଳେ ବିଭିନ୍ନ ସାମଗ୍ରୀ ଦର ବି ବଢ଼ୁଛି। ‌ତେଣୁ ଚଳିବା ଆମମାନଙ୍କ ପାଇଁ କଷ୍ଟକର ହୋଇପଡ଼ୁଛି। ସେଥିପାଇଁ ବିହାର ପଳାଇ ଯାଉଛୁ। ଇଟାଭାଟିରେ କାମ କରୁଥିବା ପୁଲକ ଯାଦବ କହିଛନ୍ତି ଯେ ଗାଡି ନାହିଁ। ତିନି ଦିନ ହେଲା ନିଜ ରାଜ୍ୟକୁ ଯିବା ପାଇଁ ପ୍ରଶାସନ ନିକଟରେ କାକୁତି ମିନତି ହେଉଥିଲୁ। କେହି ଶୁଣିଲେ ନାହିଁ। ପୁଲିସ ବି ନାଲିଆଖି ଦେଖାଇଲା। ତେଣୁ ବାଧ୍ୟ ହୋଇ ୨୦ ଜଣ ସାଇକେଲ୍‌ରେ ବିହାର ଯିବାକୁ ବାହାରିଛୁ। ଲକ୍ଷ୍ୟ ସ୍ଥଳରେ କେବେ ପହଞ୍ଚିବୁ ଜାଣିନୁ।
ବାହାର ରାଜ୍ୟର ଶ୍ରମିକ କେବଳ ଯେ ସାଇକେଲ୍‌ରେ ଯାଉଛନ୍ତି ତାହା ନୁହେଁ। ଅନେକ ଶ୍ରମିକ ଚାଲିଚାଲି ନିଜ ରାଜ୍ୟକୁ ଫେରିବାକୁ ଉଦ୍ୟମ କରୁଥିବାର ଦୃଶ୍ୟ ଆଜି ଦେଖିବାକୁ ମିଳିଛି। ଭୁବନେଶ୍ବର ଉପକଣ୍ଠ ସମେତ ଖୋର୍ଧା, ବାଲିପାଟଣା, ବାଲିଅନ୍ତା, ଜଟଣୀ, ବାରଙ୍ଗ ପ୍ରଭୃତି ଅଞ୍ଚଳରେ ଫସି ରହିଥିବା ଶ୍ରମିକମାନେ ବିଭିନ୍ନ ଉପାୟରେ ନିଜ ଘରକୁ ଫେରୁଥିବା ଦେଖାଯାଉଛି।

ସମ୍ବନ୍ଧିତ ଖବର