ପୁରୁଣା ଭୁବନେଶ୍ୱର: ନୂଆ ଯାତ୍ରାପାର୍ଟି ‘ଅପେରା ପ୍ରମୋଦିନୀ’ ଶୁଭାରମ୍ଭ ହୋଇଛି। ଟଙ୍କପାଣି ରୋଡ୍ସ୍ଥିତ ଏକ ମଣ୍ଡପରେ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଇଷ୍ଟର୍ଣ୍ଣ ମିଡିଆର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇ ଏହି ପାର୍ଟିର ତିନିଟି ନାଟକ ‘ହର ହର ମହାଦେବ’, ‘ସାତ ଦିନ ପାଇଁ ସିତା ହରଣ’ ଓ ‘ମା ଦେଇଥିଲା କଜଳଗାର’କୁ ଉନ୍ମୋଚିତ କରିଥିଲେ।
‘ଅପେରା ପ୍ରମୋଦିନୀ’ ଶୁଭାରମ୍ଭ
ଶ୍ରୀ ପଟ୍ଟନାୟକ ଏହି ଅବସରରେ କହିଥିଲେ ଯେ, ଏବେବି ଓଡ଼ିଶାର ମନୋରଞ୍ଜନ ଶିଳ୍ପରେ ଯାତ୍ରା ୭୦ଭାଗ ଦଖଲ କରିଛି। ଯାତ୍ରା ମନୋରଞ୍ଜନରେ ସିଂହ ଭାଗ ମାଡ଼ିବସିଥଲେ ସୁଦ୍ଧା ଏହି ଶିଳ୍ପକୁ ଯେତିକି ସମ୍ମାନ ମିଳିବା କଥା ତାହା ମିଳିପାରୁନି। ଯାତ୍ରାରେ ତଳସ୍ତରରେ ଯେଉଁମାନେ ଅଧିକ ସୁରକ୍ଷିତ ହେବା କଥା ସେମାନେ ହୋଇପାରୁ ନାହାନ୍ତି। ବଡ଼ କଳାକାରଙ୍କ ପରି ସବୁ କର୍ମଚାରୀ ସୁରକ୍ଷିତ ନହେଲେ ସାମଗ୍ରୀକ ଭାବେ ଯାତ୍ରାପାର୍ଟିର ଉନ୍ନତି ହୋଇପାରିବ ନାହିଁ। ଯାତ୍ରାରେ ଦର୍ଶକ ସବୁଠାରୁ ବଡ଼। କଳାକାର, କର୍ମଚାରୀ ଓ ମାଲିକ ଉଭୟଙ୍କ ମଧ୍ୟରେ ସମନ୍ବୟ ରହିବା ସହ ଅଶ୍ଳିଳତା ଦୂରାଇ ଭଲ କାହାଣୀରେ ନୂଆ ବାର୍ତ୍ତା ଦେଇପାରିଲେ ଯାତ୍ରା ଅଧିକ ଉନ୍ନତି କରିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଏହି କାର୍ଯ୍ୟକ୍ରମରେ ଯାତ୍ରା ନିର୍ଦ୍ଦେଶକ ଲାଲା ବିରେନ ରାୟ ଅଧ୍ୟକ୍ଷତା କରିଥିବା ବେଳେ ସଂଯୋଜନା କରିଥିଲେ ଦେବମିତ୍ରା ପ୍ରିୟଦର୍ଶନୀ। ଏଥିରେ ପ୍ରଯୋଜକ ପ୍ରଭଞ୍ଜନ ପ୍ରହରାଜ, ଡ. ନିହାର ରଞ୍ଜନ ମହାନ୍ତି, ଡ. ଦୀପକ ଜେନା, ମନୋଜ ପ୍ରଧାନ, ହର ବାରିକ, ମହିର ମହାନ୍ତି, ବିନୋଦ ରାଉତ, ବିକାଶ ଶୁକ୍ଳା, ସୁବାଷ ରାମ ପ୍ରମୁଖ ଉପସ୍ଥିତ ଥିଲେ।