ଭ୍ରମଣ ସାଥୀ ବ୍ୟାଗ୍‌ ଆଜି ଫ୍ୟାସନ୍‌ : ବାହାଘରରୁ ବଜାର, ଏମିତି ରହିଛି ବ୍ୟାଗ୍‌ର ଟ୍ରେଣ୍ଡ୍‌

ବଜାର କରିବାକୁ ହେଉ କି ବୁଲାବୁଲି କରିବାକୁ ହେଉ, ବାହାରକୁ ଗୋଡ଼ କାଢ଼ିଲେ ସାଥୀରେ ଥାଏ ବ୍ୟାଗ୍‌। ଯେକୌଣସି ପ୍ରକାର ଭ୍ରମଣ ବେଳେ ବ୍ୟାଗ୍‌ ହିଁ ଅନ୍ୟତମ ଜରୁରୀ ବସ୍ତୁ ହୋଇ ସାଙ୍ଗରେ ରୁହେ। ତାହା ଭ୍ୟାନିଟି ହେଉ, ଆଟାଚ୍‌ ହେଉ ଅବା କ୍ୟାରିଅର୍‌ ବ୍ୟାଗ୍‌ ହେଉ। ଏହା ଆଜିର କଥା ନୁହେଁ, ଯୁଗ ଯୁଗରୁ ବ୍ୟାଗ୍‌ ମଣିଷର ନିହାତି ଆବଶ୍ୟକ ବସ୍ତୁ ହୋଇ ରହିଆସିଛି। ପୂର୍ବ ଭଳି ଆଜି ବି ଜିନିଷପତ୍ର ନେବା ଆଣିବା ପାଇଁ ବ୍ୟାଗ୍‌ ବ୍ୟବହାର ହେଉଛି। କିନ୍ତୁ ଆଜି ବ୍ୟାଗ୍‌ କେବଳ ସେତିକିରେ ସୀମିତ ହୋଇନାହିଁ। ଏବେ ବ୍ୟାଗ୍ ଏକ ଫ୍ୟା‌ସନ୍‌। ପୋଷାକ ପରିଚ୍ଛଦ ଭଳି ବ୍ୟାଗ୍‌ ଆଜି ଫ୍ୟାସନ୍‌ର ବସ୍ତୁ ହୋଇଯାଇଛି। ଉଭୟ ମହିଳା ଓ ପୁରୁଷମାନେ ନିଜ ନିଜ ପସନ୍ଦର ଆକର୍ଷଣୀୟ ବ୍ୟାଗ୍‌ ବ୍ୟବହାର କରୁଛନ୍ତି। ପରିସ୍ଥିତି ଓ ପରିବେଶ ଅନୁସାରେ ଭିନ୍ନ ଭିନ୍ନ ଡିଜାଇନ୍‌ର ବ୍ୟାଗ ବ୍ୟବହାର କରାଯାଉଛି। ପାର୍ଟି, ପବ୍, ବାହାଘର, ହାଇକିଙ୍ଗ୍, କଲେଜ, ଅଫିସ୍, ବଜାର ଆଦି ଅଲଗା ଅଲଗା ସ୍ଥାନ ପାଇଁ ଭିନ୍ନ ଭିନ୍ନ ପ୍ରକାରର ବ୍ୟାଗ୍‌ ବଜାରର ଉପଲବ୍‌ଧ ହେଉଛି। ସମ୍ପ୍ରତି ବ୍ୟାଗ୍‌ କିଭଳି ଆକର୍ଷଣର କେନ୍ଦ୍ର ପାଲଟିଛି ଏବଂ ବର୍ତ୍ତମାନ ବ୍ୟାଗ୍‌ର ଟ୍ରେଣ୍ଡ୍‌ ଚାଲିଛି, ତାହାକୁ ନେଇ ଏଥରର ସ୍ବତନ୍ତ୍ର ଉପସ୍ଥାପନା…

ପସନ୍ଦରେ କପଡ଼ା ବ୍ୟାଗ୍

Blue Sparrow Designs

ଏବେ କପଡ଼ା ବ୍ୟାଗ୍‌ର ଟ୍ରେଣ୍ଡ୍‌ ଚାଲିଛି। ହାଲୁକା କପଡ଼ାରେ ତିଆରି ତଥା ବିଭିନ୍ନ ପ୍ରିଣ୍ଟଯୁକ୍ତ ବ୍ୟାଗ୍‌ର କ୍ଲାସିକ୍ ଲୁକ୍ ଥିବାରୁ ବେଶି ଲୋକ ପସନ୍ଦ କରୁଛନ୍ତି। ଏଥିସହିତ ଅତ୍ୟାଧୁନିକ ଡିଜାଇନ୍‌ରେ ତିଆରି ସୁତୁଲି, ତ୍ୟାସିଲ ଓ ଝୋଟ ତିଆରି ବ୍ୟାଗ୍ ମଧ୍ୟ ଅଧିକ ବିକ୍ରି ହେଉଛି। କଲେଜ ଛାତ୍ରୀ ଓ କର୍ମଜୀବୀ ମହିଳାମାନେ ଏଭଳି ବ୍ୟାଗ୍‌କୁ ଅଧିକ ପସନ୍ଦ କରୁଛନ୍ତି। କଲେଜ ୟୁନିଫର୍ମ ସହ ଖାପ ଖୁଆଇଲା ଭଳି ବ୍ୟାଗ୍‌ ଉପଲବ୍‌ଧ ହେଉଥିବାରୁ ଛାତ୍ରୀମାନେ ଏହି ବ୍ୟାଗ୍‌କୁ ବେଶି ବ୍ୟବହାର କରୁଛନ୍ତି। ସେହିଭଳି ଜିନ୍ସ ଓ ଚୁଡ଼ିଦାର ଭଳି ପୋଷାକ ସହିତ ମ୍ୟାଚ୍‌ ହେଲା ଭଳି ବ୍ୟାଗ୍‌ ମିଳୁଛି। କର୍ମଜୀବୀ ମହିଳାଙ୍କ ପାଇଁ ଏଭଳି ବ୍ୟାଗ୍‌ ଯେତିକି ସୁନ୍ଦର ହେଉଛି, ହାଲୁକା ହୋଇଥିବାରୁ ସେତିକି ହାତରେ ଧରି ବୋହିବା ଆରାମଦାୟକ ହେଉଛି। ଏବେ ବିଭିନ୍ନ ମଲ୍ ଓ ବ୍ରାଣ୍ଡେଡ୍‌ କମ୍ପାନି ପ୍ରସ୍ତୁତ ଏହି ବ୍ୟାଗ୍‌ଗୁଡ଼ିକ ୨ ହଜାର ଟଙ୍କାରୁ ଅଧିକ ଦାମ୍‌ରେ ବିକ୍ରି ହେଉଥିବା ବେଳେ ନନ୍‌-ବ୍ରାଣ୍ଡେଡ୍‌ କମ୍ପାନିର ବ୍ୟାଗ୍ ୨ଶହରୁ ୫ଶହ ଟଙ୍କା ମଧ୍ୟରେ ମିଳୁଛି। ମାର୍କେଟ୍‌ ବିଲ୍ଡିଂ ବ୍ୟାଗ୍‌ ପଏଣ୍ଟ ବ୍ୟବସାୟୀ ଆନନ୍ଦ ଦାସଙ୍କ କହିବା କଥା କପଡ଼ା ବ୍ୟାଗ୍‌ର ଚାହିଦା ସବୁବେଳେ ରହିଛି। କୁନି କଣ୍ଢେଇ ଲାଗିଥିବା ବ୍ୟାଗ, ଟେଡି ଆକୃତିର ଗୋଟିଏ ଚେନ୍‌ ଥିବା ବ୍ୟାଗ୍‌ ଭଳି ଆକର୍ଷଣୀୟ କପଡ଼ା ଗ୍ରାହକଙ୍କ ପସନ୍ଦ ମୁତାବକ ବ୍ୟାଗ୍‌ ବଜାରକୁ ଆସୁଛି। କପଡ଼ା ପ୍ରସ୍ତୁତ ଭ୍ୟାନିଟି ଏବେ ଯୁବତୀମାନଙ୍କ ପସନ୍ଦ ପାଲଟିଛି।

ଲେହେଙ୍ଗା ଓ ଶାଢ଼ି ସାଙ୍ଗରେ ପୋଟ୍‌ଲି ଓ କ୍ଲଚ୍‌

K4 Fashion

ଏବେ ପୁଣି ଫେରିଛି ପୋଟଲି ବା ମିନିପର୍ସର ଯୁଗ। ଫ୍ୟାସନ୍‌ ପାଇଁ ମହିଳାମାନେ ଏବେ ଏହାକୁ ବେଶି ବ୍ୟବହାର କରୁଛନ୍ତି। ଏବେ ବଜାରରେ ଲେଦର, ଭେଲ୍‌ଭେଟ୍, କପଡ଼ା ଓ ଝାଲେରି କପଡ଼ାର ପୋଟ୍‌ଲି ଉପଲବ୍ଧ। ବଡ଼ କଥା ହେଉଛି ଲେ‌ହେଙ୍ଗା ଓ ଶାଢ଼ିରେ ପୋଟ୍‌ଲି ବେଶ୍ ମାନୁଛି। ତେଣୁ ପାର୍ଟି, ବାହାଘର ଭଳି କାର୍ଯ୍ୟକ୍ରମରେ ଶାଢ଼ି ଓ ଲେହେଙ୍ଗା ପିନ୍ଧିଥିବା ମହିଳାମାନେ ବିଭିନ୍ନ ଷ୍ଟୋନ୍‌ଯୁକ୍ତ ପୋଟ୍‌ଲି ଧରୁଛନ୍ତି। ଏହି ପର୍ସରେ ମାଳି ଗୁନ୍ଥା ହୋଇଥିବା ସୁତୁଲି ଥିବାରୁ ଏହାକୁ ହାତରେ ଝୁଲାଇବା ସହଜ ହେଉଛି। ଏହା ବଜାର ଦାମ୍‌ ୩ ଶହରୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ଏବେ ପିପିଲିରୁ ଆସୁଥିବା ହାତ ତିଆରି ସୂତା ମୁଣି ରାଜଧାନୀ ମହିଳାଙ୍କ ପସନ୍ଦର ସାମଗ୍ରୀ ହୋଇଛି। ସେହିପରି କ୍ଲଚ୍‌। ଷ୍ଟୋନ୍‌ ଓ ଗ୍ଲସି କପଡ଼ାରେ ପ୍ରସ୍ତୁତ କ୍ଲଚ୍‌ ଏବେ ବାହାଘର, ବିଭିନ୍ନ ପାର୍ଟି ଓ ପବ୍ ଭଳି ସ୍ଥାନରେ ମହିଳାମାନେ ଧରିବା ଦେଖାଯାଉଛି।

ଲେଦର ବ୍ୟାଗ ଓ ଭ୍ୟାନିଟିର ରହିଛି ସମ୍ଭ୍ରାନ୍ତ ଲୁକ୍‌

ସବୁ କାଳେ ଲେଦର ବ୍ୟାଗ୍‌ ଓ ଭ୍ୟାନିଟିର ସମ୍ଭ୍ରାନ୍ତ ଲୁକ୍‌ ରହି ଆସିଛି। ଏହାର ସ୍ଥାନ ସ୍ବତନ୍ତ୍ର। ଦାମ୍‌ ବି ଅଧିକ। ତେଣୁ ଧନୀ ଓ ମଧ୍ୟବିତ୍ତ ବର୍ଗର ମହିଳାମାନଙ୍କ ସହ କର୍ମଜୀବୀ ମହିଳାମାନେ ଲେଦର ବ୍ୟାଗ୍‌ ବେଶି ବ୍ୟବହାର କରିଥାଆନ୍ତି। ଆଜିକାଲି ବିଭିନ୍ନ ରଙ୍ଗର ଲେଦର ବ୍ୟାଗ୍‌ ଓ ଭ୍ୟାନିଟି ପ୍ରସ୍ତୁତ ହେଉଛି। ହାଲୁକା ରଙ୍ଗର ବ୍ୟାଗ୍‌ ମଡର୍ଣ୍ଣ ଲୁକ୍‌ ଦେଉଥିବାରୁ ବେଶି ପସନ୍ଦ ହେଉଛି। ଟୋଟେ, ସ୍ଲିଙ୍ଗ ବ୍ୟାଗ, ଫୋବୋ ହ୍ୟାଣ୍ଡବ୍ୟାଗ ଭଳି ଏକାଧିକ ରକମର ବ୍ୟାଗ୍‌ ଏବେ ବଜାରରେ ମିଳୁଛି।

କମ୍ପାର୍ଟମେଣ୍ଟଯୁକ୍ତ ବ୍ୟାଗ୍ ପୁରୁଷଙ୍କ ପସନ୍ଦ

ସାଧାରଣତଃ ପୁରୁଷମାନେ ସଉକ ବା ଫ୍ୟାସନ୍‌ ପାଇଁ ବ୍ୟାଗ ବ୍ୟବହାର କରନ୍ତି ନାହିଁ। ବଜାରକୁ ବା ଭ୍ରମଣ ଉଦ୍ଦେଶ୍ୟରେ ବାହାରକୁ ଗଲେ ବ୍ୟାଗ୍‌ ଧରିବାକୁ ବାଧ୍ୟ ହୁଅନ୍ତି। କଲେଜ ଛାତ୍ରମାନେ ବିଭିନ୍ନ ଡିଜାଇନ୍‌ର ସୋଲଡ୍‌ର ବ୍ୟାଗ୍‌ ପିଠି‌ରେ ପକାଉଛନ୍ତି। କର୍ମଜୀବୀ ପୁରୁଷମାନେ ଆକର୍ଷଣୀୟ ଡିଜାଇନ୍‌ର ବିଜିନେସ୍ ବ୍ୟାଗ୍‌ ବା ଏକ୍‌ଜିକ୍ୟୁଟିଭ୍‌ ବ୍ୟାଗ୍‌ ପସନ୍ଦ କରନ୍ତି। ତେବେ ଏଭଳି ବ୍ୟାଗ୍‌ରେ ଏକାଧିକ କମ୍ପାର୍ଟମେଣ୍ଟ ଥିବା ଦରକାର ହେଉଛି। ଚଷମା, ଫୋନ୍, ଟଙ୍କା, ପାଣି ବୋତଲ, ମୋବାଇଲ୍‌ ଫୋନ୍‌ ଚାର୍ଜ ଆଦି ଜରୁରୀ ଜିନିଷ ରଖିବା ପାଇଁ ଅଲଗା ଅଲଗା କମ୍ପାର୍ଟମେଣ୍ଟ ଥିବା ବ୍ୟାଗ୍‌ ଆବଶ୍ୟକ ହେଉଛି। ବଡ଼ କଥା ହେଉଛି ଏବେ ସ୍ମାର୍ଟ ବ୍ୟାଗ୍‌ ବା ଫୋନ୍‌ଚାର୍ଜ କରିବା ପାଇଁ ଅଲଗା ୟୁଏସ୍‌ବି ଥିବା ବ୍ୟାଗ୍‌ ମିଳିଲାଣି। ଜନପଥରେ ପଣ୍ଡା ଟ୍ରାଭେଲ୍‌ ମାର୍ଟ ସୋ’ ରୁମ୍‌ର କର୍ମଚାରୀ ଦେବାଶିଷ ମୁଦୁଲିଙ୍କ କହିବା କଥା ଏବେ ଏକ୍‌ଜିକ୍ୟୁଟିଭ୍‌ ବ୍ୟାଗ୍‌ର ଦାମ୍‌ ୪ ହଜାର ଟଙ୍କାରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ସେହିପରି ବ୍ୟାଗ୍‌ ପ୍ୟାକ୍‌ ୪ ହଜାର ଟଙ୍କାରୁ ୧୧ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି।

ଟ୍ରେଣ୍ଡରେ ଟ୍ରାକିଙ୍ଗ୍‌ ବ୍ୟାଗ୍‌

Amazon.in

ପାହାଡ଼ ଚଢ଼ିବା ଭଳି ଦୁଃସାହସିକ ଯାତ୍ରା ପାଇଁ ସ୍ବତନ୍ତ୍ର ବ୍ୟାଗ୍‌ ଜରୁରୀ। ସେହିଭଳି ଯାତ୍ରା ପାଇଁ ବହୁପ୍ରକାରର ଆବଶ୍ୟକ ସାମଗ୍ରୀ ସାଥୀରେ ନେବାକୁ ହୁଏ। ତେଣୁ ସେମିତି ଡିଜାଇନ୍‌ର ବ୍ୟାଗ୍‌ ଦରକାର ହୁଏ। ବିଶେଷକରି ଏଭଳି ବ୍ୟାଗ୍‌ରେ ୫ରୁ ୧୫ଦିନ ପର୍ଯ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଜିନିଷ ରହିବା ଦରକାର। ପ୍ରାୟ ୪୦ କେଜି ଓଜନର ସାମଗ୍ରୀ ବହନ କରିବାର କ୍ଷମତା ଏହି ବ୍ୟାଗ୍‌ର ଥାଏ। ତେଣୁ ସେଥିରେ ଅଧିକ କମ୍ପାର୍ଟମେଣ୍ଟ ରହିଥାଏ। ଗିୟର୍‌, ଲିଭିୟା, ଓ୍ବାଇଲ୍ଡ କ୍ରାଫ୍ଟ ଭଳି କମ୍ପାନିମାନେ ବଡ଼ ଆକର୍ଷଣୀୟ ବ୍ୟାଗ୍‌ ବଜାରକୁ ଛାଡ଼ୁଛନ୍ତି। ଏହାର ଦାମ୍‌ ୮ହଜାରରୁ ୧୪ ହଜାର ପର୍ଯ୍ୟନ୍ତ। ତେବେ ନନ୍‌ବ୍ରାଣ୍ଡର ଟ୍ରାକିଙ୍ଗ ବ୍ୟାଗ୍‌ ୨ ହଜାରରୁ ୩ ହଜାର ଟଙ୍କାରେ ମିଳୁଛି। କିନ୍ତୁ ଲକ୍ଷ୍ୟ କରିବା କଥା ଏହି ସବୁ ବ୍ୟାଗ୍‌ର ଆକର୍ଷଣୀୟ ଲୁକ୍‌ ପାଇଁ ଲୋକେ ଏହାକୁ ସାଧାରଣ ବୁଲାବୁଲି ପାଇଁ ସାଙ୍ଗରେ ନେଇ ଯାଉଛନ୍ତି। ସାଧାରଣ ଆଉଟିଂ ବା ବଣଭୋଜି ଭଳି ସ୍ଥାନରେ ଏଭଳି ବ୍ୟାଗ୍‌ ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର