ଭୁବନେଶ୍ୱର: କ୍ରୁଟ୍ର ସମସ୍ତ ଅଧିକାରୀ ସପ୍ତାହକୁ ଅନ୍ତତଃ ଦୁଇଥର ‘ଆମ ବସ୍’ରେ ଯାତ୍ରା କରିବେ। ଏ ଥିଲା କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକଙ୍କ କଡ଼ା ନିର୍ଦ୍ଦେଶ। ଲକ୍ଷ୍ୟ ଥିଲା, ଅଧିକାରୀମାନେ ‘ଆମ ବସ୍’ରେ ଯାତ୍ରା କରି ଯାତ୍ରା ଓ ଯାତ୍ରୀଙ୍କ ସୁବିଧା ଓ ଅସୁବିଧାର ଅନୁଭୂତି ପ୍ରତ୍ୟକ୍ଷ ସାଉଁଟିପାରିବେ। କିନ୍ତୁ ଅଧିକାରୀମାନେ ‘ଆମ ବସ୍’ରେ ଯାତ୍ରା କରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ନିର୍ଦ୍ଦେଶକୁ ମାସେ ବିତିଥିଲେ ବି ଜଣେ ଅଧିକାରୀ ‘ଆମ ବସ୍’ରେ ଯାତ୍ରା କରିନାହାନ୍ତି କି ସ୍ଥିତି ପରଖିନାହାନ୍ତି। ତୃଣମୂଳସ୍ତରରେ କ୍ୟାପଟେନ୍(ଚାଳକ), ଗାଇଡ୍(କଣ୍ଡକ୍ଟର) ଯାତ୍ରୀଙ୍କୁ କିଭଳି ବ୍ୟବହାର କରୁଛନ୍ତି, ଯାତ୍ରୀ ସେବା କିଭଳି ରହୁଛି, ଯାତ୍ରୀମାନଙ୍କ ‘ଆମ ବସ୍’ ସେବାକୁ ନେଇ ସନ୍ତୋଷ, ଅସନ୍ତୋଷ କିଛି ଜାଣି ପାରୁନାହାନ୍ତି। ପରିଣାମ ସ୍ବରୂପ ଦିନକୁ ଦିନ ଯାତ୍ରୀ ଓ ‘ଆମ ବସ୍’ କର୍ମଚାରୀଙ୍କ କନ୍ଦଳ ବଢ଼ିବାରେ ଲାଗିଛି। ନିକଟରେ ସାମାନ୍ୟ ଟଙ୍କା ଫେରସ୍ତକୁ କେନ୍ଦ୍ର କରି ୟୁନିଟ୍-୮ ଅଞ୍ଚଳରେ କ୍ରୁଟ୍ର ଜଣେ ଗାଇଡ୍ ଯାତ୍ରୀଙ୍କୁ ମାଡ଼ ମାରି ଲହୁଲୁହାଣ କରିବା ଏହାର ଜ୍ବଳନ୍ତ ଉଦାହରଣ।
ସପ୍ତାହକୁ ୨ଥର ଯାତ୍ରା କରିବାକୁ ଥିଲା ନିର୍ଦ୍ଦେଶ
ତୃଣମୂଳସ୍ତରରେ କ’ଣ ଘଟୁଛି, କେହି ଜାଣୁନାହାନ୍ତି
ବଢ଼ୁଛି ଯାତ୍ରୀ-ଆମ ବସ୍ କର୍ମଚାରୀ କନ୍ଦଳ
ଅବଶ୍ୟ ଏ ଦିଗରେ କ୍ରୁଟ୍ କର୍ତ୍ତୃପକ୍ଷ ବିହିତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି, କିନ୍ତୁ ଏହା ସତର୍କଘଣ୍ଟି ସାଜିଛି। ପୂର୍ବରୁ ବି ଏଭଳି ଅନେକ ଘଟଣା ନଜରକୁ ଆସିଛି, ଯେଉଁଠି କ୍ରୁଟ୍ କର୍ମଚାରୀ ଯାତ୍ରୀଙ୍କୁ ମାଡ଼ ମାରିଛନ୍ତି ଅବା ଯାତ୍ରୀ କ୍ରୁଟ୍ କର୍ମଚାରୀଙ୍କୁ ମାଡ଼ ମାରିଛନ୍ତି। ଏଭଳି ଅଘଟଣକୁ ରୋକିବା ପାଇଁ କ୍ରୁଟ୍ କର୍ତ୍ତୃପକ୍ଷ କାରଣ ଖୋଜିବା ସହ ‘ଆମ ବସ୍’ରେ ଅଧିକାରୀଙ୍କ ଯାତ୍ରା ନିର୍ଦ୍ଦେଶକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି। ଗତ ଅଗଷ୍ଟ ୬ ତାରିଖରେ କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ଡ. ଏନ୍ ତିରୁମାଲା ନାଏକ ସାଧାରଣ ଯାତ୍ରୀଙ୍କ ଭଳି ‘ଆମ ବସ୍’ରେ ଯାତ୍ରା କରି ଯାତ୍ରାକାଳୀନ ସୁବିଧା ଓ ଅସୁବିଧାର ପ୍ରତ୍ୟକ୍ଷ ଅନୁଭୂତି ସାଉଁଟିଥିଲେ। ପରିଚାଳନା ନିର୍ଦ୍ଦେଶକଙ୍କ ସହ କ୍ରୁଟ୍ ମହାପ୍ରବନ୍ଧକ ସଞ୍ଜୟ ବିଶ୍ୱାଳ ବି ‘ଆମ ବସ୍’ରେ ଯାତ୍ରା କରିଥିଲେ। ଡ. ନାଏକ ଭୁବନେଶ୍ବରର ବିଭିନ୍ନ ରୁଟ୍ ଓ ଶ୍ରୀ ବିଶ୍ବାଳ କଟକ-ଭୁବନେଶ୍ବର ରୁଟ୍ରେ ଯାତ୍ରା କରିଥିଲେ।
ନିଜେ ସ୍ଥିତି ପରଖିବା ପରେ ଡ. ନାଏକ ସମସ୍ତ ଅଧିକାରୀଙ୍କୁ ସପ୍ତାହକୁ ଅତିକମ୍ରେ ଦୁଇଥର ‘ଆମ ବସ୍’ରେ ଯାତ୍ରା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏକ ଉନ୍ନତ ଓ ବ୍ୟବସ୍ଥିତ ଜନପରିବହନ ଗଠନ ଦିଗରେ ପ୍ରତ୍ୟକ୍ଷ ଯାତ୍ରୀଙ୍କର ଅଭିଜ୍ଞତାକୁ ବୁଝିବା ଗୁରୁତ୍ୱପୂର୍ଣ୍ଣ। ଏକ ଅର୍ଥପୂର୍ଣ୍ଣ ପରିବର୍ତ୍ତନ ଆଣିବାକୁ ହେଲେ ଆମ ଟିମ୍କୁ ବାସ୍ତବତା ସହିତ ଯୋଡ଼ିହେବା ଆବଶ୍ୟକ। ପ୍ରଶାସନିକ ସ୍ତରରେ ନିର୍ଣ୍ଣୟ ହେଉଥିବା ଯୋଜନା ଓ ତୃଣମୂଳସ୍ତରରେ ବାସ୍ତବତା ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା, ସମସ୍ତ ବର୍ଗର ଯାତ୍ରୀଙ୍କ ପାଇଁ ‘ଆମ ବସ୍’ ସେବାକୁ ଅଧିକ ସୁଗମ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ଲାଇନ୍ ଫର୍ମ ମାଧ୍ୟମରେ ‘ଆମ ବସ୍’ର ପ୍ରତ୍ୟେକ ସେବାର ସ୍ୱରୂପ ଉପରେ ମତାମତ ସଂଗ୍ରହ କରାଯିବ ଓ ମତାମତକୁ ଆଧାର କରି ଯଥାସମ୍ଭବ ସେବାର ଉନ୍ନତୀକରଣ ପାଇଁ କରାଯିବ ବୋଲି କହିଥିଲେ। କିନ୍ତୁ ମାସେ ଅତିକ୍ରାନ୍ତ କରି ସାରିଥିଲେ ବି ଏହି ନିର୍ଦ୍ଦେଶକୁ ଅଧିକାରୀମାନେ ମାନିବାକୁ ନାରାଜ।