ଦେଶର ଅନ୍ୟ ରାଜଧାନୀ ସହର ତୁଳନାରେ ଭୁବନେଶ୍ବରରେ କରୋନା ସଂକ୍ରମଣ ସ୍ଥିତି ଭଲ : ବିଏମସି କମିସନର

ଭୁବନେଶ୍ବରରେ ପ୍ରାୟ ୭୪ ପ୍ରତିଶତ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି

ଭୁବନେଶ୍ବର: ଦେଶର ଅନ୍ୟ ରାଜ୍ୟର ରାଜଧାନୀ ସହର ତୁଳନାରେ ଭୁବନେଶ୍ବର କରୋନା ସଂକ୍ରମଣ ସ୍ଥିତି ତୁଳନାତ୍ମକ ଭାବେ ଭଲ ରହିଛି ‌ଏବଂ ବର୍ତ୍ତମାନ ଭୁବନେଶ୍ବରରେ ସଂକ୍ରମଣ ବୃଦ୍ଧି ପାଉ ନାହିଁ ବୋଲି କହିଛନ୍ତି ଭୁବନେଶ୍ବର ମହାନଗର ନିଗମର କମିସନର ପ୍ରେମଚାନ୍ଦ ଚୌଧୁରୀ।

ଆଜି ବିଏମସି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ରାଜଧାନୀରେ କୋଭିଡ ମୁକାବିଲା ସଂକ୍ରାନ୍ତରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦିଆଯାଇଛି। ବର୍ତ୍ତମାନ ଭୁବନେଶ୍ବରର ଆକ୍ରାନ୍ତଙ୍କ ମଧ୍ୟରୁ ୭୩.୫ ପ୍ରତିଶତ ହୋମ୍ ଆଇସୋଲେସନରେ ଅଛନ୍ତି ଓ ସୁସ୍ଥ ହେଉଛନ୍ତି।  ଭୁବନେଶ୍ବରରେ ସୁସ୍ଥତା ହାର ୭୪ ପ୍ରତିଶତ ରହିଛି।  ହୋମ୍ ଆଇସୋଲେସନରେ ଥିବା ଆକ୍ରାନ୍ତଙ୍କୁ ହେଲପ ଲାଇନ୍ (୧୯୨୯) ଜରିଆରେ ସମସ୍ତ ପ୍ରକାର ପରାମର୍ଶ ଯୋଗାଇ ଦିଆଯାଇଛି। ଆସନ୍ତା ଏକ ସପ୍ତାହ ମଧ୍ୟରେ ସଂକ୍ରମଣ ସଂଖ୍ୟା ହ୍ରାସ ପାଇ ପରିସ୍ଥିତିରେ ଉନ୍ନତି ଆସିବ ବୋଲି ‌ସେ କହିଛନ୍ତି।

 

ସାମ୍ବାଦିକମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ରୋଗୀଙ୍କ ସଂଖ୍ୟା ଅଧିକ ଥିବାରୁ ଏ ପର୍ଯ୍ୟନ୍ତ କୌଣସି କୋଭିଡ କେୟାର ସେଣ୍ଟର ଓ କୋଭିଡ କେୟାର ‌ହୋମ୍ ବନ୍ଦ କରାଯାଇନାହିଁ। ବର୍ତ୍ତମାନ ଏଗୁଡ଼ିକରେ ପର୍ଯ୍ୟାପ୍ତ ସ୍ଥାନ ରହିଛି। ପରବର୍ତ୍ତୀ ସମୟରେ ପରିସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ। ଉଲ୍ଲେଖଯୋଗ୍ୟ, ଗତ ତିନି ଦିନ ତଳେ ରାଜ୍ୟର ସମସ୍ତ କୋଭିଡ କେୟାର ସେଣ୍ଟର ଓ କୋଭିଡ କେୟାର ‌ହୋମ୍ ବନ୍ଦ କରିବାକୁ ନିର୍ଦ୍ଦେଶନାମା ଜାରି କରିଥିଲା ସ୍ବାସ୍ଥ୍ୟ ବିଭାଗ।

ସେହିପରି ବିଏମସି କମିସନର କହିଥିଲେ ଯେ ଭୁବନେଶ୍ବରରେ କୋଭିଡ ମୁକାବିଲା ଲାଗି ଯେଉଁ ରଣନୀତି ଆପଣା ଯାଇଛି ତାହା ଠିକ୍ ଅଛି। ଏଠାରେ ନୂତନ ରଣନୀତି କାର୍ଯ୍ୟକାରୀ କରିବାର ଆବଶ୍ୟକତା ନାହିଁ। ଏବେ ଲକଡାଉନ୍ ସଟଡାଉନ୍ କିମ୍ବା ନାଇଟ୍ କର୍ଫ୍ୟୁ ନଥିବାରୁ କୋଭିଡ ମୁକାବିଲା ଅଧିକ ଚାଲେଞ୍ଜିଂ ରହିଛି। କିନ୍ତୁ ପରିଚାଳନା ଠିକ୍ ଦିଗରେ ଚାଲିଛି ବୋଲି ସେ ସ୍ପଷ୍ଟ କରିଥିଲେ । ଏଥିସହ ଅଣ-କୋଭିଡ୍ ରୋଗୀଙ୍କର ଚିକିତ୍ସା କିଭଳି ଡାକ୍ତରଖାନାରେ ହୋଇପାରିବ ସେଥିଲାଗି ଦୃଷ୍ଟି ଦିଆଯାଉଛି ବୋଲି ସେ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର